spot_img

Latest Posts

ବହୁଚର୍ଚ୍ଚିତ ତ୍ଵିଷା ମାମଲା: ସିବିଆଇ ତଦନ୍ତ ସପକ୍ଷରେ ସର୍ବୋଚ୍ଚ ଅଦାଲତ

ନନ୍ଦିଘୋଷ ବ୍ୟୁରୋ : ଦେଶବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ତ୍ଵିଷା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ଏକ ବଡ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ପର୍ଶକାତର ଘଟଣାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ନେବାର ଆବଶ୍ୟକତା ରହିଛି ବୋଲି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କୁହାଯାଇଛି। ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଯୋଗମାଲ୍ୟା ବାଗଚୀ ଏବଂ ଜଷ୍ଟିସ ବିପୁଲ ଏମ. ପାଞ୍ଚୋଲିଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ନିଜ ଆଡୁ,ଏହି ମାମଲାର ଶୁଣାଣି କରି ଏଭଳି ଗୁରୁତ୍ଵପୂର୍ଣ୍ଣ ମତ ରଖିଛନ୍ତି।

ଏହା ସହିତ ଏହି ମାମଲାରେ ବିଚାର ବିଭାଗର ସ୍ଥାଣୁତାକୁ ନେଇ ସୋସିଆଲ ମିଡିଆ କିମ୍ବା ବିଭିନ୍ନ ମହଲରେ ଚାଲିଥିବା ଚର୍ଚ୍ଚାକୁ କୋର୍ଟ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ଗତ ଶନିବାର ସୁପ୍ରିମକୋର୍ଟ ଘଟଣାର ଗାମ୍ଭୀର୍ଯ୍ୟକୁ ଦୃଷ୍ଟିରେ ରଖି ନିଜ ତରଫରୁ ଏହି ମାମଲା ରୁଜୁ କରିଥିଲେ। ଯୌତୁକ ନିର୍ଯାତନା ଅଭିଯୋଗ ଆସିବା ଏବଂ ଅଭିଯୁକ୍ତଙ୍କ ପରିବାର ପ୍ରଭାବଶାଳୀ ହୋଇଥିବାରୁ କୋର୍ଟ ଏହାକୁ ଗୁରୁତର ସହ ନେଇଛନ୍ତି।

୫ ମାସର ବିବାହ ଜୀବନ ଓ ଆତ୍ମହତ୍ୟା:
ସୂଚନାଯୋଗ୍ୟ ଯେ, ଗତ ମେ ୧୨ ତାରିଖରେ ତ୍ଵିଷା ଶର୍ମାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯୌତୁକ ନିର୍ଯାତନା ସହି ନପାରି ସେ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଥିଲେ ପରିବାର ଲୋକେ । ସବୁଠାରୁ ଦୁଃଖଦ କଥା ହେଉଛି, ମୃତ୍ୟୁ ବେଳକୁ ତାଙ୍କ ବିବାହକୁ ମାତ୍ର ୫ ମାସ ହୋଇଥିଲା।

ତ୍ଵିଷାଙ୍କ ସ୍ଵାମୀ ସମର୍ଥ ସିଂହ ପେସାରେ ଜଣେ ଓକିଲ ଏବଂ ତାଙ୍କ ମାଆ ମଧ୍ୟ ଜଣେ ପୂର୍ବତନ ବିଚାରପତି। ଏହି ଘଟଣା ସାମ୍ନାକୁ ଆସିବା ପରେ ବାର୍ କାଉନସିଲ ଅଫ୍ ଇଣ୍ଡିଆ (BCI) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମର୍ଥଙ୍କ ଓକିଲାତି ଲାଇସେନ୍ସକୁ ରଦ୍ଦ କରିଦେଇଛି। ବର୍ତ୍ତମାନ ସମର୍ଥ ଭୋପାଳ ପୋଲିସର ରିମାଣ୍ଡରେ ଅଛନ୍ତି ଏବଂ ପୋଲିସ ତାଙ୍କୁ ପଚରାଉଚରା କରୁଛି।

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭୋପାଳ ଏମ୍ସ (AIIMS)ରେ ତ୍ଵିଷାଙ୍କ ଶରୀରର ଦ୍ଵିତୀୟ ଥର ପାଇଁ ପୋଷ୍ଟମର୍ଟମ କରାଯାଇଥିଲା। ଏହା ପରେ  ମେ ୨୪ ତାରିଖରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମାମଲାଟି ବିଚାର ବିଭାଗ ସହ ଜଡ଼ିତ ଥିବାରୁ ଏବଂ ନିରପେକ୍ଷ ତଦନ୍ତ ପାଇଁ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତ ଏହି ମାମଲାକୁ ସିବିଆଇ ହାତକୁ ଟେକିଦେବା ସପକ୍ଷରେ ମତ ଦେଇଛନ୍ତି।

Latest Posts

Don't Miss