ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଦ୍ଵିପାକ୍ଷିକ କଥାବାର୍ତ୍ତାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ। ପଶ୍ଚିମ ଏସିଆ ପ୍ରସଙ୍ଗରେ, ବିଶେଷ କରି ଆମେରିକା ଓ ଇରାନ ମଧ୍ୟରେ ସମଝୋତା ଲାଗି ପାକିସ୍ତାନ କରୁଥିବା ମଧ୍ୟସ୍ଥତାକୁ ନେଇ ଭାରତ କୌଣସି ପ୍ରସଙ୍ଗ ଉଠାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ରୁବିଓଙ୍କ କହିବା ଅନୁଯାୟୀ, ଭାରତ ଓ ଆମେରିକା ମଧ୍ୟରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ପାକିସ୍ତାନ ମାଟିରୁ ଚାଲିଥିବା ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କରେ ଭାରତ ସର୍ବଦା ନିଜର ଚିନ୍ତା ପ୍ରକଟ କରିଆସିଛି, ହେଲେ ଏହି ନିର୍ଦ୍ଦିଷ୍ଟ ମଧ୍ୟସ୍ଥତା ପ୍ରସଙ୍ଗରେ ଭାରତ କିଛି କହିନାହିଁ। ପାକିସ୍ତାନ ପ୍ରତି ଭାରତର ଆଭିମୁଖ୍ୟ ଏକ ସମ୍ପୂର୍ଣ୍ଣ ଭିନ୍ନ ପ୍ରସଙ୍ଗ ବୋଲି ସେ ପ୍ରକାଶ କରିଛନ୍ତି।
ଭାରତ ସହ ସମ୍ପର୍କକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ:
ବୈଦେଶିକ ସଚିବ ମାର୍କୋ ରୁବିଓ ପୁଣି ଦୋହରାଇଛନ୍ତି ଯେ, ଭାରତ ସହ ଘନିଷ୍ଠ ଏବଂ ମଜବୁତ ସମ୍ପର୍କ ରକ୍ଷା କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶେଷ ଗୁରୁତ୍ଵ ଦେଉଛନ୍ତି। ଆଗାମୀ ଦିନରେ ଦୁଇ ଦେଶର ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ନିଜ ଭାରତ ଗସ୍ତର ତୃତୀୟ ଦିନରେ ଆମେରିକା ବୈଦେଶିକ ସଚିବ ଆଜି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଆଗ୍ରା ଏବଂ ଜୟପୁର ଗସ୍ତ କରିଛନ୍ତି। ଏହି ସାଂସ୍କୃତିକ ଗସ୍ତ ପରେ ସେ ନୂଆଦିଲ୍ଲୀ ଫେରିବେ।
ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ହାଇ-ପ୍ରୋଫାଇଲ୍ ‘କ୍ଵାଡ୍’ (QUAD) ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ମାର୍କୋ ରୁବିଓ ଯୋଗଦେବେ। ଏହି ସମ୍ମିଳନୀରେ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୁରକ୍ଷା ଓ ସହଯୋଗ ସେମେତ ଅନେକ ଆନ୍ତର୍ଜାତୀୟ ମୁଦ୍ଦା ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି।

