spot_img
Home Blog Page 2806

ରେସିଂରେ ବାଇକ କ୍ରାସ୍, ଆଖିବୁଜିଲେ ୧୩ ବର୍ଷ ବୟସ୍କ ବେଙ୍ଗାଳୁରୁ କିଡ୍ ଶ୍ରେୟସ ହରିଶ

ଚେନ୍ନାଇ: ରେସିଂ ପ୍ରତିଯୋଗିତାରେ ୧୩ ବର୍ଷୀୟ ବାଇକ ରେସରଙ୍କ ମୃତ୍ୟୁ । ଚେନ୍ନାଇର ଇରୁଙ୍ଗାଟ୍ଟୁକୋଟମରେ ଆୟୋଜିତ ନ୍ୟାସନାଲ ମୋଟରସାଇକେଲ ରେସିଂ ଚାମ୍ପିଅନସିପରେ ରେସିଂ ପ୍ରତିଯୋଗିତାରେ ସାମିଲ ଥିବାବେଳେ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି କୋପରମ ଶ୍ରେୟସ ହରିଶ । ଗତ ମେ ମାସରେ ସ୍ପେନରେ ଆୟୋଜିତ ଟୁ-ହୁଇଲର ରେସିଂ ବିଶ୍ବ ଚାମ୍ପିଅନସିପରେ ଫାଇନାଲରେ ପ୍ରବେଶ କରିବା କ୍ଷେତ୍ରରେ ଶ୍ରେୟସ ଥିଲେ ପ୍ରଥମ ଭାରତୀୟ ।

ବେଙ୍ଗାଲୁରୁ କିଡ୍ ନାମରେ ଖ୍ୟାତି ଅର୍ଜନ କରିଥିବା ଶ୍ରେୟସ ପ୍ରତିଯୋଗିତାରେ ଏକ ୨୦୦ ସିସି ମୋଟର ବାଇକ ଚଳାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଶ୍ରେୟସଙ୍କ ପଛରେ ଥିବା ଅନ୍ୟ ଜଣେ ଚାଳକ ଶ୍ରେୟସଙ୍କୁ ଗାଡିକୁ ଧକ୍କା ଦେବାରୁ ଶ୍ରେୟସ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ଶ୍ରେୟସଙ୍କ ମୃତ୍ୟୁ ଘଟିସାରିଥିଲା । ଶ୍ରେୟସଙ୍କ ମୃତ୍ୟୁ ପରେ ମାଡ୍ରାସ ମୋଟର ସ୍ପୋର୍ଟ୍ସ କ୍ଳବର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଗତ ଜୁଲାଇ ୨୬ ତାରିଖରେ ନିଜର ୧୩ ତମ ଜନ୍ମଦିନ ପାଳନ କରିଥିଲେ ଶ୍ରେୟସ । ଏଫଆଇଏମ ମିନି ଜିପିରେ କ୍ୟାରିୟର ଆରମ୍ଭ କରିଥିଲେ ଶ୍ରେୟସ ଏବଂ ୨୦୨୨ରେ ସେ ଚାମ୍ପିଅନସିପରେ ବିଜୟୀ ହୋଇଥିଲେ । ଟିଭିଏସ ପକ୍ଷରୁ ତାଙ୍କୁ ଏକ ବାଇକ ବି ଯୋଗାଇ ଦିଆଯାଇଥିଲା ।

ରାଜ୍ୟରୁ ଟଳିଲା ବନ୍ୟା ବିପଦ, ସବୁ ନଦୀରେ କମୁଛି ପାଣି

ଭୁବନେଶ୍ୱର: ରାଜ୍ୟରୁ ଟଳିଲା ବନ୍ୟା ବିପଦ । ହୀରାକୁଦର ଜଳସ୍ତର ୬୨୧.୯୫ ଫୁଟରେ ପ୍ରବାହିତ ହେଉଛି । ଜଳ ଭଣ୍ଡାରକୁ ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି ଓ ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ତେଣୁ ସ୍ଥିତି ସ୍ଥିର ଅଛି । ହୀରାକୁଦର ୨୦ ଗେଟ୍ ଖୋଲା ଅଛି । ବର୍ତ୍ତମାନ ଆଉ ଖୋଲିବାର ନାହିଁ । ସ୍ଥିତି ନିରୀକ୍ଷଣ କରାଯାଉଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି । ସବୁଠାରେ ପାଣି ଖସିବା ଆରମ୍ଭ ହେଲାଣି । ଦିନେ ଦୁଇ ଦିନ ଭିତରେ ସବୁଠାରୁ ପାଣି ଖସିଯିବ । ଆତଙ୍କିତ ହେବାର କିଛି ନାହିଁ । ଘାଇ ମରାମତି କାମ ହେବା ସହ କିଛି କାମ ସରିଲାଣି । ମୁଣ୍ଡଳୀରେ ୨ ଲକ୍ଷ ୬୧ ହଜାର କ୍ୟୁସେକ୍ ଜଳ ପ୍ରଭାହିତ ହେଉଛି । ବାରମୁଲଠାରେ ୩ ଲକ୍ଷ ୯୬ ହଜାର କ୍ୟୁସେକ୍ ଓ ଖଇରମାଲରେ ୪ ଲକ୍ଷ ୭୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।

ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ 5T  ସଚିବ, ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ସମୀକ୍ଷା

ବଲାଙ୍ଗୀର: ଦୁଇ ଦିନିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ 5T  ସଚିବ ଭିକେ ପାଣ୍ଡିଆନ । ତୁଷୁରାରେ ଥିବା ମାଆ ସମଲେଶ୍ବରୀଙ୍କ ମନ୍ଦିରକୁ ଯାଇ ଦର୍ଶନ ସହିତ ମନ୍ଦିରର ବିକ‍ଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ ।  ଖୁବଶୀଘ୍ର ବଦଳିବ ତୁଷୁରାର ମାଆ ସମଲେଶ୍ବରୀଙ୍କ ମନ୍ଦିରର ରୂପରେଖ । ମାଆଙ୍କ ଦର୍ଶନ ସହ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ତୁଷୁରା ମେଡିକାଲର ମଧ୍ୟ ଖୁବଶୀଘ୍ର ବିକାଶ କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବଶୀଘ୍ର ଖୁସି ଖବର ଦେବେ ବୋଲି 5T ସଚିବ କହିଛନ୍ତି । ମନ୍ଦିର ନିକଟରେ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ଭିକେ ପାଣ୍ଡିଆନ ଲୋକଙ୍କ ପାଖକୁ ଯାଇ ଦାବିପତ୍ର ଗ୍ରହଣ କରିଛନ୍ତି । ସାତଦିନ ଭିତରେ ବିଭିନ୍ନ ଧର୍ମାନୁଷ୍ଠାନ ଓ କମ୍ୟୁନିଟି ସେଣ୍ଟରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି 5T ସଚିବ ଭିକେ ପ‍ଣ୍ଡିଆନ କହିଛନ୍ତି ।

ନୟାପଲ୍ଲୀ ବେହେରା ସାହିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ

ଭୁବନେଶ୍ୱର: ନୟାପଲ୍ଲୀ ବେହେରା ସାହିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ । ଅଞ୍ଚଳ ବୁଲିବାକୁ ଆସିବା ସମୟରେ ପ୍ରଶ୍ନକଲେ ଲୋକେ । ନିର୍ବାଚନକୁ ଏତେ ଦିନ ବିତିଲାଣି । ଏତେ ବର୍ଷ ହେବ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ହେଲେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇନପାରି କାର କାଚ ଟେକି ପଳାଇଛନ୍ତି ଅପରାଜିତା । ଘଟଣାସ୍ଥଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଇଶା ଆପାର୍ଟମେଣ୍ଟରେ ସଂସଦ ପଶିଯିବାରୁ ଗେଟ୍ ସମ୍ମୁଖରେ ଲୋକେ ନାରାବାଜି କରିଛନ୍ତି । ଏତେ ଦିନ ହେଲା ଭୁବନେଶ୍ବର ବିଶେଷ କରି ନୟାପଲ୍ଲୀ ପାଇଁ କ’ଣ କରିଛ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆପାର୍ଟମେଣ୍ଟ ଭିତରେ ସାଂସଦଙ୍କୁ ଅଟକ ରଖିଛନ୍ତି ଲୋକେ ।

 

ଫିରିଙ୍ଗିଆରେ ଥାନା ପୋଡି ମାମଲା: ଆକ୍ସନ ମୋଡରେ ପୋଲିସ, ୧୫ରୁ ଅଧିକ ଅଟକ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆରେ ଗଞ୍ଜେଇ ମାଫିଆଙ୍କ ଥାନା ପୋଡ଼ି ମାମଲାରେ ତନାଘନା । ୧୫ରୁ ଅଧିକ ଲୋକଙ୍କୁ ଅଟକ ରଖିଛି ପୋଲିସ । ଦକ୍ଷିଣାଞ୍ଚଳ ଆଇଜି ଫିରିଙ୍ଗିଆ ଥାନା ଆସି ତଦାରଖ କରିଛନ୍ତି । ସ୍ଥିତିକୁ ନଜରରେ ରଖି ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଫିରିଙ୍ଗିଆରେ ୧୪୪ ଧାରା ଜାରି ରହିଛି । ଫିରିଙ୍ଗିଆରେ ଦୋକାନ ବଜାର ବନ୍ଦ ରହିଛି । ଗତକାଲି ଫିରିଙ୍ଗିଆରେ ପୋଲିସ ଗାଡ଼ିରେ ନିଆଁ ଲଗାଇବା ସହ ଥାନା ଭିତରେ ପଶି ନିଆଁ ଲଗାଇ ଦେଇଥିଲେ ଗଞ୍ଜେଇ ମାଫିଆ । ଏସଡିପିଓଙ୍କୁ ଗୋଡ଼ାଇ ଗୋଡ଼ାଇ ଲହୁଲୁହାଣ ଆକ୍ରମଣ କରିଥିଲେ ଗଞ୍ଜେଇ ମାଫିଆ । ଏସଡିପିଓଙ୍କୁ ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଥରମାଡ଼ ଓ ଥାନାରେ ଭଙ୍ଗାରୁଜା କରିବା ସହ ସିଜ୍‌ ହୋଇଥିବା ଗାଡ଼ି ଓ ବନ୍ଧୁକ ଗଞ୍ଜେଇ ମାଫିଆ ଲୁଟି ନେଇଥିବା ସୂଚନା ମିଳିଛି ।

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା । ଶନିବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୫.୮ ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁସ । ତେବେ ଭୂକମ୍ପରେ ମୃତାହତ ନେଇ କୌଣସି ସୂଚନା ନାହିଁ । ଭୂକମ୍ପ ଭୟରେ ଲୋକ ଘରୁ ବାହାରକୁ ବାହାରିଆସିଥିଲେ । ଚାଇନାର ସାଙ୍ଗଡଙ୍ଗରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପରେ ୧୦ ଜଣ ଆହତ ହୋଇଛନ୍ତି ।

ଚନ୍ଦ୍ରର କକ୍ଷ ପଥରେ ଚନ୍ଦ୍ରଯାନ-୩, ଆଜି ଆହୁରି ହେବ ନିକଟବର୍ତ୍ତୀ

ନୂଆଦିଲ୍ଲୀ: ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନ ଦୁଇ ତୃତୀୟାଂଶ ଦୂର ଅତିକ୍ରମ କରିସାରିଲାଣି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ଉତକ୍ଷେପଣ କରାଯାଇଥିବା ବେଳେ ୨୨ତମ ଦିନରେ ଚନ୍ଦ୍ରଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରୟାନ-୩ । ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ ସଫ୍ଟଲ୍ୟାଣ୍ଡିଂ କରିବା ଆଶା ରହିଛି । ଗତ ୩ ସପ୍ତାହ ଧରି ଇସ୍ରୋ ପକ୍ଷରୁ ୫ ଥର ଅର୍ବିଟାଲ ଆଡଜଷ୍ଟମେଣ୍ଟ କରାଯାଇଛି । ଏହି ସ୍ପେସକ୍ରାଫ୍ଟରେ ବହୁ ଇଲେକ୍ଟ୍ରୋନିକ ଓ ମେକାନିକାଲ ସବସିଷ୍ଟମ ଖଞ୍ଜାଯାଇଥିବା ବେଳେ ନିରାପଦ ଲ୍ୟାଣ୍ଡିଂ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଇଛି । ନାଭିଗେସନ ସେନସର, ପ୍ରପଲସନ ସିଷ୍ଟମ, ଗାଇଡାନ୍ସ ବ୍ୟବସ୍ଥା ବି ଏଥିରେ ରହିଛି ।

ଆଜି ଫ୍ରେଣ୍ଡସିପ୍ ଡେ’, ବନ୍ଧୁ ପାଇଁ ଦିନ ଟିଏ

ନୂଆଦିଲ୍ଲୀ: ଆଜି ଫ୍ରେଣ୍ଡସିପ୍ ଡେ’ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ବନ୍ଧୁତାର ସମ୍ପର୍କ । ବିଶ୍ବ ବନ୍ଧୁତ୍ବ ଦିବସରେ ସବୁଠି ଚାଲେ ସେଲିବ୍ରେସନ । ଅସୁବିଧା ଓ ସୁଖଦୁଃଖରେ ସାଥ୍ ଦେଇଥାଏ ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ ଥାଏ ବନ୍ଧୁ ପାଖରେ । ବିଶେଷକରି ଭାରତ ଓ ବାଙ୍ଗଲାଦେଶ ସମେତ ଅନେକ ରାଷ୍ଟ୍ରରେ ପାଳନ ହୁଏ ବନ୍ଧୁତ୍ବ ଦିବସ । ୧୯୫୮ ମସିହାରେ ଜାତିସଂଘ ଅଗଷ୍ଟ ମାସର ପ୍ରଥମ ସପ୍ତାହକୁ ବନ୍ଧୁତ୍ବ ଦିବସ ଭାବେ ଘୋଷଣା କରିଥିଲା । ସେହିଦିନଠାରୁ ପାଳିତ ହୋଇ ଆସୁଛି ବନ୍ଧୁତ୍ବ ଦିବସ ।

ଝାଡ଼ଖଣ୍ଡ ଗିରିଡ଼ିରେ ଭୟାବହ ବସ୍ ଦୁର୍ଘଟଣା, ୩ ଯାତ୍ରୀ ମୃତ

ରାଞ୍ଚି: ଝାଡ଼ଖଣ୍ଡ ଗିରିଡ଼ିରେ ଭୟାବହ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ୍ । ନଦୀକୁ ଖସି ପଡ଼ିଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ୩ ଯାତ୍ରୀଙ୍କ ମୃତ୍ୟୁ ୧୫ ଯାତ୍ରୀ ଗୁରୁତର ଆହତ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସରକାରଙ୍କ ତରଫରୁ ଆହତ ଓ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ଝାଡ଼ଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ।

୨୦ଟି ଗେଟରୁ ହୀରାକୁଦରେ ନିଷ୍କାସନ ହେଉଛି ବନ୍ୟାଜଳ, ରାଜ୍ୟର ସବୁ ନଦୀରେ ବିପଦସଙ୍କେତ ତଳେ ଜଳସ୍ତର

ସମ୍ବଲପୁର: ହୀରାକୁଦର ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ରାଜ୍ୟର ସବୁ ନଦୀରେ ଏବେ ବିପଦସଙ୍କେତ ତଳେ ଜଳ ପ୍ରବାହିତ ହେଉଛି । ବାମପଟୁ ୧୩ ଦକ୍ଷିଣ ପଟୁ ୭ଟି ଗେଟ୍ ଦେଇ ବନ୍ୟାଜଳ ନିସ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୩ ଲକ୍ଷ ୮୮ ହଜାର ୯୩୧ ଘନଫୁଟ ଜଳ ଓ ୩ ଲକ୍ଷ ୫୫ ହଜାର ୭୯୩ ଘନଫୁଟ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଲଭଣ୍ଡାରର ଜଳସ୍ତର ଓ ମହାନଦୀ ନିମ୍ନ ଅବବାହିକାର ସ୍ଥିତିକୁ ହିସାବ କରି ଗେଟ ଖୋଲିବା ନିଷ୍ପତ୍ତି ନିଆଯାଇଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ହୋଇଥିବାରୁ ସେତେଟା ବିପଦ ହୋଇନି । ଉପକୂଳରେ ଦୟାନଦୀ ଓ ରାଜୁଆ ନଦୀର ଜଳସ୍ତର ଧୀରେ ଧୀରେ କମିବାରେ ଲାଗୁଛି । ବନ୍ୟାସ୍ଥିତି ନେଇ ବରିଷ୍ଠ ଅଧିକାରୀମାନେ ମନିଟରିଂ କରୁଛନ୍ତି ।

ପୁରୀ ଜିଲ୍ଲାର ଅସ୍ତରଙ୍ଗ ଓ କଣାସ ବ୍ଲକ, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ, ଜଗତସିଂହପୁରର ଏରସମା ଓ ମାଛଗାଁ ପ୍ରଭାବିତ ହେବାର ଆଶଂକା ରହିଥିବାରୁ ପ୍ରଶାସନ ସଜାଗ ରହିଛି । ମହାନଦୀର ବନ୍ୟା ଜଳରେ କଟକ ଜିଲ୍ଲା ବାଙ୍କୀର କୁଶପଙ୍ଗି, ପାଥପୁର, ଓସ୍ତିଆ, ଭଗିପୁର, ବନ୍ଦାଳ, ଶିମିଳିପୁର, ବିଲିପଡ଼ା ପଞ୍ଚାୟତ ପାଣି ଘେରକୁ ଆସିଯାଇଛି । ବନ୍ୟା ଜଳ କମୁଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଓ ତିର୍ତ୍ତୋଲ ବ୍ଲକ ଅଞ୍ଚଳର ପ୍ରଭାବିତ ହୋଇଛି । କୁଜଙ୍ଗ ବ୍ଲକର ଜିଲ୍ଲାନାସୀ ଓ ସାଇଲୋ ପଞ୍ଚାୟତରେ ପାଣି ପଶିଛି । ସାଇଲୋ ପଞ୍ଚାୟତର ତେରମାଣପୁରରେ ଘାଇ ସୃଷ୍ଟି ହେବା ସହ ଜିଲ୍ଲାନାସୀ ପଞ୍ଚାୟତର ନେନ୍ତୁଳିଆଖମାର ପଞ୍ଚାୟତ ସ୍କୁଲ ନିକଟରେ ସୃଷ୍ଟି ହୋଇଛି ଦୁଇଟି ଘାଇ। ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଇ ଗୁଡିକର ତ୍ବରିତ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ୬୧ ଗୋଟି ପଞ୍ଚାୟତର ଏକ ଲକ୍ଷ ୮୧ ହଜାର ୬୬୭ ଲୋକ ପ୍ରଭାବିତ ହୋଇଛନ୍ତି ।