spot_img
Home Blog Page 2786

ଶହୀଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହୋଇଥିବା ଖବର ବିଷୟରେ ଜାଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଟି ମା’ର ସେବାରେ ତାଙ୍କର ବଳିଦାନ ସର୍ବଦା ସ୍ମରଣୀୟ ରହିବ । ବୀର ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ  ।

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଛନ୍ତି । ମୃତ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିସାହିରେ ହୋଇଥିବା ବେଳେ ସେ CRPF 60 ବାଟାଲିଆନର ଯବାନ ଭାବେ କାର୍ଯ୍ୟରତ ଥିଲେ । ଦୁଇମାସ ତଳେ ସୁଶାନ୍ତଙ୍କ ବିବାହ ହୋଇଥିଲା । ଝାଡଖଣ୍ଡ ପଶ୍ଚିମ ସିଂହଭୂମି କୋଲହନ ଜଙ୍ଗଲରେ ସିଆରପିଏଫ ଯବାନଙ୍କ ଚାଲିଥିଲା କୁମ୍ବିଂ ଅପରେସନ ।

ବରପାଲିକୁ ଛୁଟିବେ ପର୍ଯ୍ୟଟକ, ପାର୍କରୁ ସ୍ମୃତି ଭବନ ସବୁଠି ଚମକିବେ ଗଙ୍ଗାଧର ମେହେର

ଭୁବନେଶ୍ବର: ବରପାଲିରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ସେହିପରି ଜୁନ ୨୬ ତାରିଖ ଦିନ 5T ସଚିବ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ବରପାଲିସ୍ଥିତ ଜନ୍ମସ୍ଥାନ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କମିଟି ସଦସ୍ୟମାନଙ୍କ ସହିତ ଜନ୍ମସ୍ଥାନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।

ସ୍ୱଭାବ କବି ଗଙ୍ଗାଧର ମେହର ଓଡିଆ ଜାତିର ମହାନ୍ ସନ୍ତାନ। ଓଡିଆ ଭାଷା ଓ ସାହିତ୍ୟର ବିକାଶରେ ତାଙ୍କର ଅନବଦ୍ୟ ଅବଦାନ ଥିଲା। ତାଙ୍କ ଜନ୍ମ ପୀଠ ସାହିତ୍ୟପ୍ରେମୀ ତଥା ସାଧାରଣ ଲୋକଙ୍କ ପାଇଁ ଏକ ତୀର୍ଥ ସ୍ଥାନ। ଏହି ଐତିହାସିକ ପୀଠର ସର୍ବାଙ୍ଗୀନ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯାଇ ଏହାକୁ ଓଡିଆ ସାହିତ୍ୟର ଏକ ଗବେଷଣା କେନ୍ଦ୍ର ତଥା ଏକ ଆକର୍ଷଣୀୟ ପୀଠରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ଏଥିରେ କବି ଭବନ, ସ୍ମୃତି ଭବନ ଓ ଗଙ୍ଗାଧର ମେହେର ପାର୍କ ନିର୍ମାଣ କରାଯିବ। ରୂପାନ୍ତର ପରେ ପ୍ରତି ବର୍ଷ ଏଠାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶା କରାଯାଏ।

ମହିଳାଙ୍କୁ ହସ୍ତତନ୍ତ ସମବାୟରେ କେଉଁ ସୁବିଧା ମିଳୁଛି? ବିଜେଡି ପ୍ରଶ୍ନର ଉତ୍ତର ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ରାଜ୍ୟସଭାରେ ବିଜେଡି ଉଠାଇଲା ମହିଳାଙ୍କ ସ୍ବାର୍ଥ ପ୍ରସଙ୍ଗ । ମହିଳାଙ୍କ ନେତୃତ୍ବରେ କାର୍ଯ୍ୟକ୍ଷମ ହସ୍ତତନ୍ତ ସମବାୟ ସମିତିରେ କ’ଣ ରହିଛି ବିଶେଷ ସୁବିଧା ? ଦେଶରେ ଏଭଳି କେତୋଟି ସମିତି କାର୍ଯ୍ୟକ୍ଷମ ରହିଛି ? ଏହାସହ ଓଡ଼ିଶାରେ ମହିଳାଙ୍କ ଦ୍ବାରା ପରିଚାଳିତ ସମବାୟ ସମିତିରେ ବ୍ୟବସାୟ କ୍ଷେତ୍ରରେ ସୁବିଧା ପାଇଁ କ’ଣ ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ସୁଲତା ଦେଓ ।

ବିଜେଡି ସାଂସଦଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ର ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ଜରଦୋଶ । ୨୦୧୯-୨୦ ହସ୍ତତନ୍ତ ସେନସସ ମୁତାବକ, ଦେଶରେ ୩ହଜାର ୮୪୧ଟି ସମିତି କାର୍ଯ୍ୟକ୍ଷମ ଅଛି । ଓଡ଼ିଶାରେ ମହିଳାଙ୍କ ଦ୍ବାରା ୩୧ ଟି ହସ୍ତତନ୍ତ ସମବାୟ ସମିତି ଚାଲିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଉଥିବା ବିଭିନ୍ନ ଯୋଜନାରେ ଏହି ହସ୍ତତନ୍ତ ଏଜେନ୍ସି ବା ବୁଣାକାରଙ୍କୁ କଞ୍ଚାମାଲ କ୍ରୟ କରିବା ସହ ଭିତ୍ତିଭୂମି ନିର୍ମାଣ, ଦକ୍ଷତା ବିକାଶ, ମାର୍କେଟିଂ ଆଦି ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି ।

ସେହିପରି ବୁଣାକାର ଓ କ୍ଲଷ୍ଟର ଚିହ୍ନଟ କରାଯାଇଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି ବୋଲି ବୋଲି ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ପୁଅ ସହିଦ

ଆନନ୍ଦପୁର: ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ ସହିଦ । ମୃତ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିସାହିରେ ହୋଇଥିବା ବେଳେ ସେ CRPF 60 ବାଟାଲିଆନର ଯବାନ ଭାବେ କାର୍ଯ୍ୟରତ ଥିଲେ । ଦୁଇମାସ ତଳେ ସୁଶାନ୍ତଙ୍କ ବିବାହ ହୋଇଥିଲା । ଝାଡଖଣ୍ଡ ପଶ୍ଚିମ ସିଂହଭୂମି କୋଲହନ ଜଙ୍ଗଲରେ ସିଆରପିଏଫ ଯବାନଙ୍କ ଚାଲିଥିଲା କୁମ୍ବିଂ ଅପରେସନ ।

ଏହି ସମୟରେ ମାଓବାଦୀଙ୍କ ଆକ୍ରମଣରେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ । ରାଞ୍ଚି ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆଜି ସେ ସହିଦ ହୋଇଛନ୍ତି । ୨୦୧୧ ମସିହାରେ ସିଆରପିଏଫରେ ଯୋଗ ଦେଇଥିଲେ ସୁଶାନ୍ତ । ସୁଶାନ୍ତଙ୍କ ମୃତ୍ୟୁ ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି । ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଏବଂ ଗାଁ ଲୋକେ ।

୨୦୨୦ ମସିହାରେ ବାପା ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ବଡଭାଇ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆ ଚଳିତ ବର୍ଷ ଆଗପଛ ହୋଇ ପ୍ରାଣ ହରାଇଥିଲେ । ଆଜି ସୁଶାନ୍ତଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଝାଡ଼ଖଣ୍ଡରେ ଗତ ଦୁଇ ଦିନ ଧରି ନକ୍ସଲ ବିରୋଧୀ ଅପରେସନ ଜୋରଦାର ହୋଇଛି । ସିଆରପିଏଫ, ଝାଡଖଣ୍ଡ ପୋଲିସ, କୋବରା, ଝାଡଖଣ୍ଡ ଜାଗୁଆର ମିଶି ନକ୍ସଲ ବିରୋଧୀ ଅପରେସନ କରିଛନ୍ତି ।

ଏଥିରେ ଏକାଧିକ ନକ୍ସଲ କ୍ୟାମ୍ପ ଧ୍ବଂସ କରାଯାଇଛି । ସଫଳତାର ସହ ନକ୍ସଲ ମୁକାବିଲା ହୋଇଥିବା ବେଳେ ଆଜି ପୁଣି ଥର ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ସୁଶାନ୍ତ ସହିଦ ହୋଇଛନ୍ତି ।

ବର୍ଷକରେ ରାଜ୍ୟର ୪ ହଜାର ଗ୍ରାମପଞ୍ଚାୟତରେ ଯୋଗାଇ ଦିଆଯିବ ବ୍ୟାଙ୍କିଂ ସେବା

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୯ଟି ପ୍ରସ୍ତାବରେ ମୋହର ବାଜିଛି । ବର୍ଷେ ମଧ୍ୟରେ ରାଜ୍ୟର ୪ ହଜାର ୩୭୩ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସରକାର ବ୍ୟାଙ୍କିଂ ସେବା ଯୋଗାଇ ଦେବେ। ୫ଶହ କୋଟି ଟଙ୍କା ବଜେଟ୍ ସହାୟତାରେ ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ସହିତ ସମନ୍ବୟ ରକ୍ଷା କରି ସିଏସପି ପ୍ଲାନ୍ ବ୍ୟାଙ୍କିଂ ଆଉଟଲେଟ୍ ଖୋଲାଯିବ।

ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ ଯୋଜନା । ବ୍ୟାଙ୍କିଂ ସେବା ପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ ପ୍ରଦାନ କରିବେ। ଏହାସହ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ। ଏହି ଯୋଜନାରେ ମାଗଣାରେ ସମସ୍ତ ପ୍ରକାର ବ୍ୟାଙ୍କିଂ ସେବା ପାଇପାରିବେ। ଏହାଦ୍ବାରା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳା ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ସେବା ପାଇପାରିବେ। ସେହିପରି ଦୁର୍ଗମ ଅଞ୍ଚଳରେ ତ୍ବରିତ ଇଣ୍ଟରନେଟ୍ ସେବା ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ଓଡ଼ିଶା ମୋବାଇଲ୍ ଟାଓ୍ବାର ଏବଂ ଟେଲିଗ୍ରାଫ୍ ଲାଇମ୍ ଓଏଫସି ଓ ଏସଂପର୍କିତ ଟେଲିକମ୍ ଇନଫ୍ରାଷ୍ଟ୍ରକ୍ଚର ପଲିସି, ୨୦୧୭ ପ୍ରଣୟନ କରାଯାଇଥିଲା।

ଏଥିରେ କିଛି ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏଥିରେ ଭିତ୍ତିଭୂମି ସୁଦୃଢ଼ କରିବା ସହ ପରିଚାଳନାଗତ ସଂସ୍ୟାର ସମାଧାନ କରି ରାଜ୍ୟରେ 5G ସେବାର ତ୍ବରିତ ପ୍ରସାର କରାଯିବ। ଏଥିସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗର ଓଡ଼ିଶା ଶିଳ୍ପ ସେବା ବା ଓଆଇଏସ୍ କ୍ୟାଡର, ଶିଳ୍ପ ସଂପ୍ରସାରଣ ଅଧିକାରୀ ବା ଆଇପିଓ କ୍ୟାଡର ଏବଂ ଶିଳ୍ପ ପର୍ଯ୍ୟବେକ୍ଷକ ବା ଆଇଏସ୍ କ୍ୟାଡରର ପୁନର୍ବିନାସ ପ୍ରସ୍ତାବରେ ମୋହର ଲାଗିଛି ।

ସେହିପରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ବିଭାଗ ଇଡକୋଠାରୁ ୩୫୦ କୋଟି ଟଙ୍କା ମୂଲ୍ୟରେ ଓ-ହବ୍ ଅଟ୍ଟାଳିକା କ୍ରୟ ପ୍ରସ୍ତାବ ମଂଜୁର ହୋଇଛି । ଶକ୍ତି ବିଭାଗକୁ ଶକ୍ତି ପରିବର୍ତ୍ତନ ଓ ସବୁଜ ହାଇଡ୍ରୋଜେନ୍ ଦୁଇଟି ନୂତନ ବିଷୟ ବଣ୍ଟନ କରିବା ପାଇଁ ଓଡ଼ିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି ।

ରାଜ୍ୟରେ ଆରମ୍ଭ ହେଲା ନୂଆ ଓଡ଼ିଶା ଯୋଜନା, ଛାତ୍ରଛାତ୍ରୀଙ୍କ ନିଯୁକ୍ତି ଦକ୍ଷତା ବଢାଇବାକୁ ଲକ୍ଷ୍ୟ

ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେଲା ନୂତନ ଉନ୍ନତ ଅଭିଳାଷା ବା ନୂଆ ଓଡ଼ିଶା ଯୋଜନା । ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରତିବର୍ଷ ଏକ ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ପଦକ୍ଷେପ ନିଆଯିବ । ୩୮୫ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଉନ୍ନତ ଅଭିଳାଷା (ନୂଆ) ଓଡ଼ିଶା ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ, ଶିଳ୍ପ ସଂଯୋଗକୁ ପ୍ରୋତ୍ସାହିତ କରିବା ଏବଂ ନିଯୁକ୍ତି ଦକ୍ଷତା ବୃଦ୍ଧି କରି ଦକ୍ଷ ମାନବ ସମ୍ବଳ ଅଭାବକୁ ଦୂର କରିବା ଦିଗରେ ଏହି ଯୋଜନା କାର୍ଯ୍ୟ କରିବ ।

ପାରମ୍ପରିକ କ୍ଷେତ୍ର ହସ୍ତଶିଳ୍ପ, ହସ୍ତତନ୍ତ, କୃଷି ଇତ୍ୟାଦିରେ ନୂତନ ଜ୍ଞାନକୌଶଳର ବ୍ୟବହାରରେ ଥିବା ଦକ୍ଷତା ବ୍ୟବଧାନକୁ ଦୂର କରିବାରେ ଏହା ସହାୟକ ହେବ। ଏଥିରେ ଯୁବବର୍ଗଙ୍କ ପାଇଁ ନୂତନ ଦକ୍ଷତା, ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍ ଅନ୍ ସ୍କିଲ ପାଠ୍ୟକ୍ରମ, ଉଚ୍ଚ ଶିକ୍ଷାନୁଷ୍ଠାନରେ ଯୁବକଙ୍କ ପାଇଁ ଡିଜିଟାଲ ଓ ଇ-ପାଠ୍ୟକ୍ରମ, ବିଭିନ୍ନ ଅନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ଦକ୍ଷତା ଇତ୍ୟାଦି ରଖାଯିବ ।

୩୦ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଆଇଟିଆଇ, ପଲିଟେକ୍ନିକ୍, ସରକାରୀ ଦକ୍ଷତା ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ, କ୍ଲଷ୍ଟର ମାଧ୍ୟମରେ ଦକ୍ଷତା, ପୁନଃଦକ୍ଷତା ବୃଦ୍ଧି କରାଯିବ । ପ୍ରତିଷ୍ଠିତ ଶିଳ୍ପ ଏବଂ ତାଲିମ ପ୍ରଦାନକାରୀ ସଂଘ ଇତ୍ୟାଦିଙ୍କୁ ନେଇ ଦକ୍ଷତା କାର୍ଯ୍ୟକ୍ରମ କରାଯିବ । ରାଜ୍ୟରେ ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର, ସୁସସଜ୍ଜିତ ଲ୍ୟାବ୍ ପ୍ରତିଷ୍ଠା ହେଲେ ସ୍କିଲ୍ସ-ଇନ୍- ଓଡ଼ିଶା’ ବ୍ରାଣ୍ଡକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ। ୨୦୨୩-୨୪ ବଜେଟରେ ଏହି ଯୋଜନାକୁ ନେଇ ପରିକଳ୍ପନା କରାଯାଇଥିଲା ।

ଦିଲ୍ଲୀରେ ସ୍ୱାଧୀନତା ଦିବସ ପ୍ୟାରେଡ଼ ଦେଖିବାକୁ ଅନୁଗୋଳ ଚାଷୀ ଦମ୍ପତିଙ୍କୁ ନିମନ୍ତ୍ରଣ

ଅନୁଗୋଳ: ଘାସ ଚାଷୀଙ୍କୁ ଦିଲ୍ଲୀ ଡାକରା । ସ୍ବାଧନତା ଦିବସରେ ଅତିଥି ଭାବେ ନିମନ୍ତ୍ରଣ । ସ୍ୱାଧୀନତା ଦିବସ ପ୍ୟାରେଡ଼ ପ୍ରତ୍ୟକ୍ଷ ଭାବେ ଦେଖିବେ ସ୍ବାମୀ-ସ୍ତ୍ରୀ । ଆସନ୍ତା ସ୍ବାଧୀନତା ଦିବସରେ ଅନୁଗୁଳ ଜିଲ୍ଲାର ଚାଷୀ ବିଭୁପ୍ରସାଦ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଯାହାକୁ ନେଇ ଉଭୟ ବେଶ ଖୁସି ପ୍ରକଟ କରିଛନ୍ତି ।

ଜିଲ୍ଲାରୁ ଏକମାତ୍ର ନିମନ୍ତ୍ରିତ ଅତିଥି ହୋଇଥିବା ବେଳେ ସେ କେବେ ଏହା ଆଶା କରି ନଥିଲେ । ସ୍ୱାଧୀନତା ଦିବସ ଭଳି ପବିତ୍ର ଦିନରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ ମିଳିବା ପରେ ସେ ଆଉ ତାଙ୍କ ସ୍ତ୍ରୀ ବେଶ ଖୁସି ପ୍ରକାଶ କରିଛନ୍ତି । ଗତ ୧୨ ବର୍ଷ ହେଲା ଘାସ ଚାଷ କରି ତେଲ ବିକ୍ରି କରିଥାନ୍ତି । ଯେଉଁ ଜମି ଅନାବନା କିମ୍ବା ବନ୍ୟଜନ୍ତୁ ଦାଉ ଯୋଗୁଁ ପଡିଆ ହୋଇ ପଡ଼ିଥିଲା , ସେଥିରେ ସେ ଘାସ ଚାଷ କରି ସଫଳ ହୋଇଛନ୍ତି । ଏହାଠାରୁ ବଳି ଆନନ୍ଦ ଆଉ କିଛି ନାହିଁ ବୋଲି କହିଛନ୍ତି ।

କୁବେର କୋହଲି: ଇନଷ୍ଟାଗ୍ରାମରୁ ରୋଜଗାର କରନ୍ତି ସର୍ବାଧିକ ଟଙ୍କା

0

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମର ପୂବର୍ତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକଙ୍କ ସଂଖ୍ୟା ସବୁବେଳେ ଆଗରେ ରହିଥାଏ । ସୋସିଆଲ ମିଡିଆରେ କୋହଲିଙ୍କ ମିଲିୟନ ମିଲିୟନ ଫଲୋର୍ସ ରହିଛନ୍ତି । ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରୁ କୋଟି କୋଟି ଟଙ୍କା ରୋଜଗାର କରନ୍ତି ବିରାଟ । ଏସିଆ ଏବଂ ଭାରତର କ୍ରୀଡ଼ାବିତଙ୍କ ମଧ୍ୟରେ ଇନଷ୍ଟାଗ୍ରାମରୁ ସର୍ବାଧିକ ଟଙ୍କା ରୋଜଗାର କରୁଥିବା ସେଲିବ୍ରେଟି ହେଉଛନ୍ତି କୋହଲି ।

ଗୋଟିଏ ପୋଷ୍ଟ ପାଇଁ ଇନଷ୍ଟାଗ୍ରାମରୁ ୧୧.୪୦ କୋଟି ଟଙ୍କା ସେ ପାଇଥାନ୍ତି ।  ଇନଷ୍ଟାଗ୍ରାମରୁ ସର୍ବାଧିକ ଟଙ୍କା ରୋଜଗାର କରୁଥିବା କ୍ରୀଡ଼ାବିତଙ୍କ ମଧ୍ୟରେ ସେ ତୃତୀୟରେ ରହିଛନ୍ତି । ଏହି ଲିଷ୍ଟର ପ୍ରଥମ ସ୍ଥାନରେ ରହିଛନ୍ତି ଫୁଟବଲର କ୍ରିଷ୍ଟିଆନ ରୋନାଲ୍ଡୋ  ଏବଂ ଦ୍ବିତୀୟ ସ୍ଥାନରେ ଅଛନ୍ତି ଫୁଟବଲର ଲିଓନେଲ ମେସି । ହୁପର HQ ୨୦୨୩ ଇନଷ୍ଟଗ୍ରାମ ଲିଷ୍ଟ ପ୍ରକାଶ କରିଛି । ବିଶ୍ବର ସେଲିବ୍ରେଟି ତାଲିକାରେ ବିରାଟ ୧୪ତମ ସ୍ଥାନରେ ରହିଛନ୍ତି ।

ମଣିପୁର ସ୍ଥିତି ଜାଣିନାହାନ୍ତି, ଆଲୋଚନା ବଦଳରେ ହସୁଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୨ ଘଣ୍ଟା ୧୩ ମିନିଟ ଭାଷଣରେ ମାତ୍ର ଦୁଇ ମିନିଟ ମଣିପୁର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରୁ ସ୍ପଷ୍ଟ ଯେ ମଣିପୁରର ସ୍ଥିତି କଣ ସେ ଜାଣିନାହାନ୍ତି । ସେ ନିଜେ ଏହି ସ୍ଥିତିକୁ ଦେଖିବା କଥା ।

ମଣିପୁର ଯାଇ ଲୋକଙ୍କ କଥା ବୁଝିବା କଥା । ଲୋକଙ୍କୁ ବିଶ୍ବାସ ଦେବା ଦରକାର ସେମାନଙ୍କ ପାଇଁ ଏ ଦେଶରେ ପ୍ରଧାନମନ୍ତ୍ରୀ ଅଛନ୍ତି । କିନ୍ତୁ ମଣିପୁର କଥା ବୁଝିବା ପାଇଁ ଏ ସରକାର ସକ୍ଷମ ନୁହେଁ । ସଂସଦରେ ଏଭଳି ଗମ୍ଭୀର ସ୍ଥିତି ଉପରେ ଆଲୋଚନା କରିବା ବଦଳରେ ପ୍ରଧାନମନ୍ତ୍ରୀ ହସୁଛନ୍ତି । ମଣିପୁରରେ ଭାରତମାତାର ହତ୍ୟା କରିଛି ବିଜେପି । ସ୍ଥିତିକୁ ନିୟନ୍ତ୍ରଣ କରିବା ବଦଳରେ ଜଳିବାକୁ ଦିଆଯାଇଥିଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଚାହିଁଥିଲେ ସେନାକୁ ପଠାଇ ଦୁଇ ଦିନରେ ହିଂସାକୁ ବନ୍ଦ କରାଯାଇ ପାରିଥାନ୍ତା । କିନ୍ତୁ କିଛି କଲେନି ମୋଦି । ହିଂସା ହେବାକୁ ଦିଆଯାଇଥିଲା । ଲୋକଙ୍କ ଘର ଜଳାଯାଇଥିଲା । ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢିଥିଲା । ହେଲେ ଆଖି ବୁଜି ଦେଇଥିଲେ ସରକାର । ମୁଖ୍ୟମନ୍ତ୍ରୀଙ୍କ ଆଖି ଆଗରେ ହିଂସା ବଢିଥିଲା, ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଭାରତ ମାତା ପ୍ରତି ଯେଉଁଠି ବି ଅତ୍ୟାଚାର ହେବ ମୁଁ ସେଠାରେ ରକ୍ଷା ପାଇଁ ଠିଆ ହେବି ବୋଲି ରାହୁଲ ଗାନ୍ଧୀ କହିଛନ୍ତି  ।

ଦେଶଦ୍ରୋହୀଙ୍କ ପାଇଁ କଡା ହେବ ଆଇନ, ୩ ନୂଆ ବିଲ୍‌ରେ କଣ କଣ ବଦଳିବ ?

ନୂଆଦିଲ୍ଲୀ: ହଟିବ ଦେଶଦ୍ରୋହ ଆଇନ । ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଭିଡ଼ ହତ୍ୟା କ୍ଷେତ୍ରରେ ମିଳିପାରେ ମୃତ୍ୟୁଦଣ୍ଡ । ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଣିଥିବା ନୂଆ ବିଲରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଦୁଷ୍କର୍ମଜନିତ ଦଣ୍ଡ କ୍ଷେତ୍ରରେ କେତେକ ଆଇନରେ ପରିବର୍ତ୍ତନ ବ୍ୟବସ୍ଥା କରାଯାଇଛି । ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିବାବେଳେ ଆଜୀବନ କାରାଦଣ୍ଡର ସଂଜ୍ଞାକୁ ବଦଳାଇ ପ୍ରାକୃତିକ ଜୀବନ ଲାଗି ବନ୍ଦୀ ବୋଲି ବିଲରେ ରହିଛି ।

ଆଜୀବନ ସଶ୍ରମ କାରାଦଣ୍ଡର ସମୟସୀମା ୧୦ ବର୍ଷରୁ କମ୍ ହେବ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ଜୀବନ କାଳ ଯାଏ ଏହା ପରିବର୍ଦ୍ଧିତ ହୋଇପାରେ । ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କଲେ ଦଣ୍ଡର ବ୍ୟବସ୍ଥା କରାଯାଇଛି । ଗଣଦୁଷ୍କର୍ମ କ୍ଷେତ୍ରରେ ୨୦ ବର୍ଷରୁ ଆଜୀବନ ଜେଲଦଣ୍ଡ ବ୍ୟବସ୍ଥା ରହିଛି । ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଏବଂ ହତ୍ୟାକୁ ରାଷ୍ଟ୍ର ବିରୁଦ୍ଧ ବୋଲି ଦର୍ଶାଯାଇଛି ।

ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଣିଥିବା ବିଭିନ୍ନ ବିଲରେ ଏହି ପ୍ରସ୍ତାବ ଆଗତ ହୋଇଛି । ଏହା ସହ ବଦଳିବ ଦେଶର ୩ଟି ଚର୍ଚ୍ଚିତ ସଂହିତା ଓ ଆଇନର ନାମ । ଭାରତୀୟ ପିଙ୍ଗଳ କୋଡ, ୧୮୬୦ର ନାଁ ବଦଳି ଏଣିକି ହେବ ଭାରତୀୟ ନ୍ୟାୟ ସଂହିତା-୨୦୨୩ । ଅପରାଧ ପ୍ରକ୍ରିୟା ଆଇନ, ୧୮୯୮ର ନାଁ ବଦଳି ଏଣିକି ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ । ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ-୧୮୭୨ର ନାଁ ବଦଳି ଏଣିକି ରହିବ ଭାରତୀୟ ସାକ୍ଷ୍ୟ ବିଲ୍ । ବ୍ରିଟିଶ ଅମଳରୁ ଏହି ଆଇନଗୁଡିକ କାର୍ଯ୍ୟକାରୀ ହୋଇଆସୁଥିଲା ।

ଲୋକସଭାରେ ଏସଂକ୍ରାନ୍ତ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଲଗୁଡିକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି- ଲୋକମାନେ କୋର୍ଟକୁ ଯିବାକୁ ଏକ ଦଣ୍ଡ ବୋଲି ଭାବୁଛନ୍ତି । ସେମାନେ କୋର୍ଟକୁ ଯିବାକୁ ଭୟ କରୁଛନ୍ତି । ପୂର୍ବେ ଆଇପିସିରେ ୫୧୧ଟି ଧାରା ଥିଲା । ବର୍ତ୍ତମାନ ଏଥିରେ ୩୫୬ଟି ଧାରା ରହିବ । ୧୭୫ଟି ଆଇନର ସଂଶୋଧନ କରାଯାଇଛି । ବିବାଦୀୟ ଦେଶଦ୍ରୋହ ଆଇନ (ଆଇପିସିର ଧାରା ୧୨୫-ଏ)କୁ ଉଚ୍ଛେଦ କରାଯାଇ ନୂଆ ଧାରା ୧୫୦ ତିଆରି ହୋଇଛି ବୋଲି ସେ କହିଛନ୍ତି ।