ଦେଶଦ୍ରୋହୀଙ୍କ ପାଇଁ କଡା ହେବ ଆଇନ, ୩ ନୂଆ ବିଲ୍‌ରେ କଣ କଣ ବଦଳିବ ?

1 min read

ନୂଆଦିଲ୍ଲୀ: ହଟିବ ଦେଶଦ୍ରୋହ ଆଇନ । ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଭିଡ଼ ହତ୍ୟା କ୍ଷେତ୍ରରେ ମିଳିପାରେ ମୃତ୍ୟୁଦଣ୍ଡ । ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଣିଥିବା ନୂଆ ବିଲରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛନ୍ତି । ଦୁଷ୍କର୍ମଜନିତ ଦଣ୍ଡ କ୍ଷେତ୍ରରେ କେତେକ ଆଇନରେ ପରିବର୍ତ୍ତନ ବ୍ୟବସ୍ଥା କରାଯାଇଛି । ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଥିବାବେଳେ ଆଜୀବନ କାରାଦଣ୍ଡର ସଂଜ୍ଞାକୁ ବଦଳାଇ ପ୍ରାକୃତିକ ଜୀବନ ଲାଗି ବନ୍ଦୀ ବୋଲି ବିଲରେ ରହିଛି ।

ଆଜୀବନ ସଶ୍ରମ କାରାଦଣ୍ଡର ସମୟସୀମା ୧୦ ବର୍ଷରୁ କମ୍ ହେବ ନାହିଁ କିନ୍ତୁ ସମ୍ପୂର୍ଣ୍ଣ ଜୀବନ କାଳ ଯାଏ ଏହା ପରିବର୍ଦ୍ଧିତ ହୋଇପାରେ । ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ପ୍ରକାଶ କଲେ ଦଣ୍ଡର ବ୍ୟବସ୍ଥା କରାଯାଇଛି । ଗଣଦୁଷ୍କର୍ମ କ୍ଷେତ୍ରରେ ୨୦ ବର୍ଷରୁ ଆଜୀବନ ଜେଲଦଣ୍ଡ ବ୍ୟବସ୍ଥା ରହିଛି । ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଏବଂ ହତ୍ୟାକୁ ରାଷ୍ଟ୍ର ବିରୁଦ୍ଧ ବୋଲି ଦର୍ଶାଯାଇଛି ।

ଆଜି ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଣିଥିବା ବିଭିନ୍ନ ବିଲରେ ଏହି ପ୍ରସ୍ତାବ ଆଗତ ହୋଇଛି । ଏହା ସହ ବଦଳିବ ଦେଶର ୩ଟି ଚର୍ଚ୍ଚିତ ସଂହିତା ଓ ଆଇନର ନାମ । ଭାରତୀୟ ପିଙ୍ଗଳ କୋଡ, ୧୮୬୦ର ନାଁ ବଦଳି ଏଣିକି ହେବ ଭାରତୀୟ ନ୍ୟାୟ ସଂହିତା-୨୦୨୩ । ଅପରାଧ ପ୍ରକ୍ରିୟା ଆଇନ, ୧୮୯୮ର ନାଁ ବଦଳି ଏଣିକି ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା-୨୦୨୩ । ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟ-୧୮୭୨ର ନାଁ ବଦଳି ଏଣିକି ରହିବ ଭାରତୀୟ ସାକ୍ଷ୍ୟ ବିଲ୍ । ବ୍ରିଟିଶ ଅମଳରୁ ଏହି ଆଇନଗୁଡିକ କାର୍ଯ୍ୟକାରୀ ହୋଇଆସୁଥିଲା ।

ଲୋକସଭାରେ ଏସଂକ୍ରାନ୍ତ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ବିଲଗୁଡିକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି- ଲୋକମାନେ କୋର୍ଟକୁ ଯିବାକୁ ଏକ ଦଣ୍ଡ ବୋଲି ଭାବୁଛନ୍ତି । ସେମାନେ କୋର୍ଟକୁ ଯିବାକୁ ଭୟ କରୁଛନ୍ତି । ପୂର୍ବେ ଆଇପିସିରେ ୫୧୧ଟି ଧାରା ଥିଲା । ବର୍ତ୍ତମାନ ଏଥିରେ ୩୫୬ଟି ଧାରା ରହିବ । ୧୭୫ଟି ଆଇନର ସଂଶୋଧନ କରାଯାଇଛି । ବିବାଦୀୟ ଦେଶଦ୍ରୋହ ଆଇନ (ଆଇପିସିର ଧାରା ୧୨୫-ଏ)କୁ ଉଚ୍ଛେଦ କରାଯାଇ ନୂଆ ଧାରା ୧୫୦ ତିଆରି ହୋଇଛି ବୋଲି ସେ କହିଛନ୍ତି ।