ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ପୁଅ ସହିଦ

1 min read

ଆନନ୍ଦପୁର: ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ପୁଅ ସୁଶାନ୍ତ ଖୁଣ୍ଟିଆ ସହିଦ । ମୃତ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନନ୍ଦିସାହିରେ ହୋଇଥିବା ବେଳେ ସେ CRPF 60 ବାଟାଲିଆନର ଯବାନ ଭାବେ କାର୍ଯ୍ୟରତ ଥିଲେ । ଦୁଇମାସ ତଳେ ସୁଶାନ୍ତଙ୍କ ବିବାହ ହୋଇଥିଲା । ଝାଡଖଣ୍ଡ ପଶ୍ଚିମ ସିଂହଭୂମି କୋଲହନ ଜଙ୍ଗଲରେ ସିଆରପିଏଫ ଯବାନଙ୍କ ଚାଲିଥିଲା କୁମ୍ବିଂ ଅପରେସନ ।

ଏହି ସମୟରେ ମାଓବାଦୀଙ୍କ ଆକ୍ରମଣରେ ସୁଶାନ୍ତ ଗୁରୁତର ଆହତ ହୋଇଥିଲେ । ରାଞ୍ଚି ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଆଜି ସେ ସହିଦ ହୋଇଛନ୍ତି । ୨୦୧୧ ମସିହାରେ ସିଆରପିଏଫରେ ଯୋଗ ଦେଇଥିଲେ ସୁଶାନ୍ତ । ସୁଶାନ୍ତଙ୍କ ମୃତ୍ୟୁ ଖବର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି । ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଏବଂ ଗାଁ ଲୋକେ ।

୨୦୨୦ ମସିହାରେ ବାପା ଆତୁଳ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଥିଲା । ଚଳିତବର୍ଷ ବଡଭାଇ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆ ଚଳିତ ବର୍ଷ ଆଗପଛ ହୋଇ ପ୍ରାଣ ହରାଇଥିଲେ । ଆଜି ସୁଶାନ୍ତଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଝାଡ଼ଖଣ୍ଡରେ ଗତ ଦୁଇ ଦିନ ଧରି ନକ୍ସଲ ବିରୋଧୀ ଅପରେସନ ଜୋରଦାର ହୋଇଛି । ସିଆରପିଏଫ, ଝାଡଖଣ୍ଡ ପୋଲିସ, କୋବରା, ଝାଡଖଣ୍ଡ ଜାଗୁଆର ମିଶି ନକ୍ସଲ ବିରୋଧୀ ଅପରେସନ କରିଛନ୍ତି ।

ଏଥିରେ ଏକାଧିକ ନକ୍ସଲ କ୍ୟାମ୍ପ ଧ୍ବଂସ କରାଯାଇଛି । ସଫଳତାର ସହ ନକ୍ସଲ ମୁକାବିଲା ହୋଇଥିବା ବେଳେ ଆଜି ପୁଣି ଥର ଅପରେସନ ଆରମ୍ଭ ହୋଇଥିଲା । ଏଥିରେ ସୁଶାନ୍ତ ସହିଦ ହୋଇଛନ୍ତି ।