ବ୍ରାଜିଲ: ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା । ଉତ୍ତରୀୟ ଆମାଜନ ଅଞ୍ଚଳରେ ବିମାନ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ । ରାଜଧାନୀ ମନୌସରୁ ୨୪୮ ମାଇଲ ଦୂରରେ ହୋଇଛି ଏହି ପ୍ଲେନ୍ ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ୧୨ ଯାତ୍ରୀ ଓ ୨ ଜଣ କ୍ରିୟୁ ମେମ୍ବର ଅଛନ୍ତି । ବିମାନଟି କେମିତି ଦୁର୍ଘଟଣା ଗ୍ରସ୍ତ ହେଲା ତାର ତଦନ୍ତ ଚାଲିଛି । ଅବତରଣ ବେଳେ ପ୍ରବଳ ବର୍ଷା ହେଉଥିଲା । ଖରାପ ପାଗ ଯୋଗୁଁ ବିମାନ ଦୁର୍ଘଟଣା ହୋଇଥିବା ଜଣାପଡିଛି ।
ତେଲେଙ୍ଗାନାରୁ କଂଗ୍ରେସର ପ୍ରଚାର ଅଭିଯାନ: ଘୋଷଣା ହେବ ୫ ସୂତ୍ରୀ ଗ୍ଯାରେଣ୍ଟି
ତେଲେଙ୍ଗାନା: ବିଧାନସଭା ନିର୍ବାଚନ ତାତି । ଆଜିଠାରୁ ତେଲଙ୍ଗାନାରେ ଆରମ୍ଭ ହେବ କଂଗ୍ରେସର ପ୍ରଚାର ଅଭିଯାନ । ଶୁଭାରମ୍ଭ କରିବେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ଏହି ଅବସରରେ କଂଗ୍ରେସର ଏକ ବିଶାଳ ରାଲି ଆୟୋଜିତ ହେବ । ମହାରାଲିରେ କଂଗ୍ରେସ ନିଜର ୫ ସୂତ୍ରୀ ଗ୍ଯାରେଣ୍ଟି ଘୋଷଣା କରିବ ।
‘ବିଜୟ ଭେରୀ’ ନାମରେ ନାମିତ ଏହି ରାଲିରେ କଂଗ୍ରେସ ଆସନ୍ତା ନିର୍ବାଚନ ଲାଗି ବିଭିନ୍ନ ପ୍ରତିଶ୍ରୁତି ରଖିବ । ଏହାସହ ବିଭିନ୍ନ ମନ୍ଦ ପ୍ରଭାବରୁ ରାଜ୍ୟକୁ ମୁକ୍ତ କରିବା ଲାଗି ଭୂମିପୂଜା ହେବ ବୋଲି ଦଳ କହିଛି । ତେଲଙ୍ଗାନା ପିସିସି ସଭାପତି ରେବନ୍ତ ରେଡ୍ଡୀ କହିଛନ୍ତି- ଚଳିତବର୍ଷ ଶେଷ ବେଳକୁ ରାଜ୍ଯରେ ବିଧାନସଭା ନିର୍ବାଚନ ହେବ । ଏଥିଲାଗି ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେଉଛି । ତେଲଙ୍ଗାନାରେ ଶାସକ ବିଆରଏସ ଇତିମଧ୍ଯରେ ମୋଟ ୧୧୯ ଆସନରୁ ୧୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା କରି ସାରିଛି । ୧୯୪୮ ମସିହା ସେପ୍ଟେମ୍ବର ୧୭ରେ ତତକାଳୀନ ରାଜା ଶାସିତ ହାଇଦ୍ରାବାଦ ଭାରତରେ ମିଶିଥିବରୁ ଏହି ଦିବସର ଗୁରୁତ୍ବ ରହିଆସିଛି ।
କାଲିଠୁ ସଂସଦ ସ୍ବତନ୍ତ୍ର ଅଧିବେଶନ, ଆଜି ସର୍ବଦଳୀୟ ବୈଠକ
ଭୁବନେଶ୍ବର: ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ସ୍ବତନ୍ତ୍ର ଅଧିବେଶନ । ତା’ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ । ସଂସଦ ଅଧିବେଶନର ସୁପରିଚାଳନା ଲାଗି ବିରୋଧୀ ଦଳଙ୍କ ସହାୟତା ଲୋଡିବେ ସରକାର । ଅଦିନିଆ ଅଧିବେଶନକୁ ନେଇ ସରକାରଙ୍କୁ ବିରୋଧୀ ଦଳ ଘେରିଥିବାବେଳେ ଏହି ଅଧିବେଶନ କାର୍ଯ୍ୟକ୍ରମ ନେଇ ପୂର୍ବରୁ ସ୍ପଷ୍ଟ କରିଥିଲେ ସରକାର ।
୧୮ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନରେ ସଂସଦର ୭୫ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା ହେବ । ବିଭିନ୍ନ ସଫଳତା, ଅଭିଜ୍ଞତା, ସ୍ମୃତି, ଅନୁଭୂତି ଆଦି ସମ୍ପର୍କରେ ଆଲୋଚନା ହେବ । ଏହା ସହ ୪ଟି ବିଲକୁ ମଞ୍ଜୁରୀ ଦିଆଯିବ ବୋଲି ମିଳିଛି ସୂଚନା । ସେଥିରେ ରହିଛି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ସଂକ୍ରାନ୍ତ ବିଲ୍, ଯାହାକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିଲା । ଡାକଘର ବିଲ, ଆଡଭୋକେଟ ସଂଶୋଧନ ବିଲ୍, ପ୍ରେସ ଓ ପଞ୍ଜିକରଣ ବିଲକୁ ମଧ୍ୟ ମଞ୍ଜୁରୀ ମିଳିବ ବୋଲି ସୂଚନା ମିଳିଛି ।
ସର୍ବଦଳୀୟ ବୈଠକରେ ସାମିଲ ହେବା ଲାଗି ସମସ୍ତ ବିରୋଧୀ ଦଳକୁ ଅନୁରୋଧ କରାଯାଇଥିଲା । ସଂସଦର ସ୍ବତନ୍ତ୍ର ଅଧିବେଶନର କାରଣ ସ୍ପଷ୍ଟ କରିବା ଲାଗି ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ କଂଗ୍ରେସ ସଂସଦୀୟ ଦଳ ନେତ୍ରୀ ସୋନିଆ ଗାନ୍ଧୀ । ସାଧାରଣତଃ ସଂସଦର ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଓ ଶୀତ ଅଧିବେଶନ ବସୁଥିବାବେଳେ କାହିଁକି ସ୍ବତନ୍ତ୍ର ଅଧିବେଶନର ଆବଶ୍ଯକତା ପଡିଲା ତାହାକୁ ନେଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଶେଷ ଥର ଲାଗି ଗତ ୨୦୧୭ ଜୁନ ୩୦ରେ ଏକ ସ୍ବତନ୍ତ୍ର ଅଧିବେଶନରେ ଲାଗୁ କରାଯାଇଥିଲା ଜିଏସଟି ।
ବିକ୍ରି ହେବ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କ୍ରିମିଆ ସମ୍ପତ୍ତି
କ୍ରିମିଆ: ବିକ୍ରି ହେବ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସମ୍ପତ୍ତି । ଋଷ ଅଧିକୃତ କ୍ରିମିଆରେ ଥିବା ଜେଲେନସ୍କିର ସମ୍ପତ୍ତିର ହେବ ବିକ୍ରି । କ୍ରିମିଆକୁ ଋଷ ୨୦୧୪ରେ ନିଜ ଅଧିକାରକୁ ନେଇଥିବାବେଳେ ସେଠାରେ ଋଷ ପକ୍ଷରୁ ନିଯୁକ୍ତ ଅଧିକାରୀମାନେ ଶାସନ କରୁଛନ୍ତି । ସେଠାରେ ୟୁକ୍ରେନୀୟଙ୍କ ମାଲିକାନାରେ ଥିବା ୧୦୦ରୁ ଅଧିକ ସମ୍ପତ୍ତିକୁ ବିକ୍ରି କରାଯିବ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି ।
କ୍ରିମିଆ ସଂସଦର ବାଚସ୍ପତି ଭ୍ଲାଦିମିର କୋନସ୍ତାନ୍ତିନୋଭ କହିଛନ୍ତି- କ୍ରିମିଆରେ ଥିବା ୮.୫୧ ମିଲିୟନ ଡଲାର ମୂଲ୍ୟର ସମ୍ପତ୍ତିକୁ ବିକ୍ରି କରାଯିବ । କ୍ରିମିଆରେ ୟୁକ୍ରେନର ବହୁ ରାଜନୀତିଜ୍ଞ ଓ ବ୍ୟବସାୟୀଙ୍କ ୫୦୦ରୁ ଅଧିକ ସମ୍ପତ୍ତିକୁ ଜାତୀୟକରଣ କରିଦିଆଯାଇଛି । ୨୦୧୪ରୁ କ୍ରିମିଆ ଋଷ କବଳରେ ଥିବା ସତ୍ତ୍ବେ ଏହାକୁ ୟୁକ୍ରେନର ଏକ ଅଂଶ ବୋଲି ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତି ଦିଆଯାଇଛି ।
ଏପଟେ ଗତ ୫୭୧ ଦିନ ହେଲା ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗିଛି । ୟୁକ୍ରେନ ନେଟୋରେ ସାମିଲ ହେବାକୁ ପ୍ରୟାସ କରିବା ପରେ ସୁରକ୍ଷା କାରଣ ଦେଖାଇ ଋଷ ଆକ୍ରମଣ କରିଛି । ନେଟୋ ଦେଶଙ୍କ ପାଖରୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇ ୟୁକ୍ରେନ ଋଷ ଆକ୍ରମଣଙ୍କୁ ପ୍ରତିହତ କରିବାକୁ ଚେଷ୍ଟା କରୁଛି । ହେଲେ ଏହି ୫୭୧ ଦିନ ମଧ୍ୟରେ ଋଷ ଏସବୁ ଅସ୍ତ୍ରଶସ୍ତ୍ରକୁ ଧ୍ବଂସ କରି ୟୁକ୍ରେନ ଓ ନେଟୋ ଦେଶଙ୍କୁ ଜବାବ ଦେଉଛି ।
ରାଜ୍ୟରେ ଗଠନ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ, ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି
ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ବିଜୁ ଶ୍ରମିକ ସାମ୍ମୁଖ୍ୟ । ପ୍ରଣବ ପ୍ରକାଶ ଦାସଙ୍କୁ ସାମ୍ମୁଖ୍ୟର ମୁଖ୍ୟ ଉପଦେଷ୍ଟା ଭାବେ ନିଯୁକ୍ତି ଦେଲେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ । ସେହିଭଳି ଉପଦେଷ୍ଟା ଭାବେ ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାସ କୁମାର ସିଂଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ପ୍ରଫୁଲ କୁମାର ମଲ୍ଲିକ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।
ସେକ୍ରେଟାରୀ ଜେନେରାଲ ଭାବେ ସୁବାସ ସିଂଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । କେନ୍ଦ୍ରୀୟ ସଂଯୋଜକ ଭାବେ ୧୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ । ପ୍ରୀତି ରଞ୍ଜନ ଘଡାଇ, ପ୍ରଣବ କୁମାର ବଳବନ୍ତରାୟ, ନିରଞ୍ଜନ ବିଶି, ବିକ୍ରମ କୁମାର ପଣ୍ଡା, ଯୁଗଳ କିଶୋର ନାୟକ, ନବ କିଶୋର ମହାନ୍ତ, ପଞ୍ଚାନନ ସେନାପତି, ବୈଦ୍ୟନାଥ ଦାସ, ରଜୀବ ମହାନ୍ତି, ଜଗଦୀଶ ବିଶ୍ବାଳଙ୍କୁ କେନ୍ଦ୍ରୀୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି ।

