spot_img
Home Blog Page 2776

ଦେବଗଡ଼ ଜିଲ୍ଲା ବାରକୋଟରେ ପ୍ରତିଷ୍ଠା ହେବ ଜେଏମଏଫସି କୋର୍ଟ

ଭୁବନେଶ୍ବର: ଦେବଗଡ଼ ଜିଲ୍ଲା ବାରକୋଟରେ ପ୍ରତିଷ୍ଠା ହେବ ଜେଏମଏଫସି କୋର୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦେବଗଡ ଜିଲ୍ଲା ବାରକୋଟଠାରେ ଗୋଟିଏ ଅତିରିକ୍ତ ସିଭିଲ୍ ଜଜ୍ (କନିଷ୍ଠ ଡିଭିଜନ୍) ତଥା ଜେଏମଏଫସି କୋର୍ଟ ପ୍ରତିଷ୍ଠାକୁ ଅନୁମୋଦନ ଦେଇଛନ୍ତି। ତ୍ୱରିତ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ପାଇଁ ଏହି କୋର୍ଟ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ଏହି ନୂତନ କୋର୍ଟ ପାଇଁ ଆଇନ ବିଭାଗ ପକ୍ଷରୁ ଆବଶ୍ୟକୀୟ ୧୨ଟି ଗେଜେଟେଡ୍ ଓ ଅଣଗେଜେଟେଡ୍ ପଦବୀ ସୃଷ୍ଟି କରାଯାଇଛି। ବିଭିନ୍ନ କାରଣରୁ ପଡିରହିଥିବା ମାମଲାଗୁଡିକ ତୁରନ୍ତ ଫଇସଲା ନିମନ୍ତେ ଏହି ନୂତନ କୋର୍ଟ ସହାୟକ ହେବ।

୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟରେ ଥିବା ସମସ୍ତ ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରକୁ ନିୟମିତ ଅଙ୍ଗନବାଡି କେନ୍ଦ୍ର ଭାବେ ଉନ୍ନୀତ କରିବା ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଏହାଦ୍ବାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଅଙ୍ଗନବାଡି କେନ୍ଦ୍ର ଗୁଡିକ ରାଜ୍ୟରେ କୋମଳମତି ଶିଶୁ ମାନଙ୍କର ଯତ୍ନ ଓ ପ୍ରାରମ୍ଭିକ ଶିକ୍ଷା ଲାଭ ନିମନ୍ତେ କାର୍ଯ୍ୟ କରୁଛି । ରାଜ୍ୟର ଏହି ୭୫୭୯ଟି ମିନି ଅଙ୍ଗନବାଡି କେନ୍ଦ୍ରର ଉନ୍ନୀତକରଣ ପାଇଁ ୫୫ କୋଟି ୨୧ ଲକ୍ଷ ୩୦ ହଜାର ୧୫୦ ଟଙ୍କା ଖର୍ଚ୍ଚ ହେବ । ଏଥିରୁ ରାଜ୍ୟ ସରକାର ୩୬ କୋଟି ୪୦ ଲକ୍ଷ ୯୫ ହଜାର ୧୬୦ ଟଙ୍କା ବହନ କରୁଥିବା ବେଳେ କେନ୍ଦ୍ର ସରକାର ୧୮ କୋଟି ୮୦ ଲକ୍ଷ ୩୪ ହଜାର ୯୯୦ ଟଙ୍କା ବହନ କରୁଛନ୍ତି । ଅନୁଦାନ ଅର୍ଥରେ ମେଡିସିନ୍‌ କିଟ୍‌, ଆସବାବପତ୍ର ଓ ଅନ୍ୟାନ୍ୟ ଉପକରଣ ତଥା ପ୍ରଶାସନିକ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ।

ଇଣ୍ଡିଆନ ଆଇଡଲରେ ଓଡ଼ିଆ ଡାକ୍ତର ରୋହନ ବିଶ୍ବାଳ

ଭୁବନେଶ୍ବର: ମେଡିସିନରୁ ମ୍ୟୁଜିକ। ଯେଉଁ ହାତ ଷ୍ଟେଥୋ ଧରି ଛୁଆଙ୍କର ହାର୍ଟବିଟ ମାପୁଛି ସେହି ହାତ ଗୀଟାର ଧରି ସଂଗୀତର ଧୁନରେ ମତୁଆଲା କରୁଛି। ମେଡିକାଲ ଓ୍ବାର୍ଡରେ ଔଷଧ ଦେଇ ରୋଗ ଭଲ କରୁଥିବା ମଣିଷଟି ବୃତ୍ତିର ଆଢୁଆଳରେ ସଂଗୀତର ସଞ୍ଜୀବନୀ ବାଣ୍ଟୁଛି। ଆମେ କହୁଛୁ ଏମବିବିଏସ ଡାକ୍ତର ରୋହନ ବିଶ୍ବାଳଙ୍କ କଥା । ସେବା, ସୁର, ଲୟ, ତାଳର ଏକ ସୁମଧୁର ସମ୍ମିଶ୍ରଣ ରୋହନ । ରୋହନଙ୍କ ସେବାର ସାରେଗାମାପାକୁ ନେଇ ଆଜି ସାରା ଦେଶରେ ଚର୍ଚ୍ଚା । ଭୁବନେଶ୍ବରରେ ଏମବିବିଏସ ଡାକ୍ତର ଭାବେ କାର୍ଯ୍ୟରତ ରୋହନ ଏବେ ଇଣ୍ଡିଆନ ଆଇଡଲର ଆଇଡଲ୍ । ୧୪ ତମ ଇଣ୍ଡିଆନ ଆଇଡଲ ପ୍ଲାଟଫର୍ମରେ ଚମକିଛନ୍ତି ଏହି ଓଡ଼ିଆ ପୁଅ ।

ଅଡିସନରେ ଗୋଲ୍ଡେନ ଟିକେଟ ହାତେଇ ଥିଏଟର ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆଉ ବନିଯାଇଛନ୍ତି ଡାକ୍ତର ସିଙ୍ଗର୍ । ଜଣେ ଡାକ୍ତରଙ୍କ ଏଭଳି ସଂଗୀତ ପ୍ରେମ ଦେଖି ଖୋଦ ବଲିଉଡ ସିଙ୍ଗର ତଥା ଇଣ୍ଡିଆନ ଆଇଡଲର ଜଜ୍ ସାନୁ ମଧ୍ୟ ପ୍ରଶଂସା କରିବାକୁ ପଛାଇନାହାଁନ୍ତି  । ଏପରିକି ଭିଡିଓ କଲ୍ କରି ମେଡିକାଲ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା କୁନିକୁନି ପିଲାଙ୍କ ସହିତ କଥା ହୋଇ ସେମାନଙ୍କୁ ଗୀତ ଗାଇ ଶୁଣାଇଛନ୍ତି ସାନୁ । ବିଭିନ୍ନ ବୃତ୍ତିରେ ଥିବା ଅନେକ ଲୋକଙ୍କର ସଂଗୀତ ପ୍ରତି ଦୁର୍ବଳତା ରହିଛି । ଅନେକ ସମୟରେ ଭିନ୍ନ ବୃତ୍ତିରେ ଥିବା ବ୍ୟକ୍ତିଙ୍କୁ ଇଣ୍ଡିଆନ ଆଇଡଲ ମଞ୍ଚରେ ଦେଖିବାକୁ ମିଳିଛି  ।

ହେଲେ ରୋହନଙ୍କ ପରି ଜଣେ ଏମବିବିଏସ ଡାକ୍ତରଙ୍କ ମ୍ୟୁଜିକ ପ୍ରେମ ଏବଂ ଇଣ୍ଡିଆନ ଆଇଡଲରେ ପହଞ୍ଚିବା ସମସ୍ତ ଜଜଙ୍କୁ ପ୍ରଭାବିତ କରିଛି  । ମେଡିସିନ ଏକ ଥେରାପି ଯାହା ଶରୀରର କ୍ଷତ ଭଲ କରିଥାଏ ।  ସଂଗୀତ ମଧ୍ୟ ଆଉ ଏକ ଥେରାପି ଯାହା ମଣିଷର ମାନସିକ କ୍ଷତକୁ ଉପଷମ କରିଥାଏ  ।  ଏହି ଥେରାପିକୁ ଆୟତ୍ତ କରି ସେବା ଓ ସଂଗୀତ ପ୍ରତି ନିଜର ଭଲପାଇବା ଓ ଦୁର୍ବଳତାକୁ ପ୍ରତିପାଦିତ କରିଛନ୍ତି ରୋହନ  । ଢେଙ୍କାନାଳରେ ରୋହନଙ୍କ ଘର  । ପିଲାଟି ଦିନରୁ ସେ ସଂଗୀତ ଶିକ୍ଷା କରୁଥିଲେ  । ଅନେକ ସ୍ଥାନରେ ସଂଗୀତ ଗାଇ ପ୍ରଂଶସିତ ମଧ୍ୟ ହୋଇଛନ୍ତି  । ଏବେ ସେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ପେଡିଏଟିକ୍ ହଲରେ କାମ କରୁଛନ୍ତି  । ଆଗକୁ ଉଭୟ ସେବା ଓ ସଂଗୀତର ଯାତ୍ରାରେ ସଫଳତାର ସହ ଆଗେଇଯିବାକୁ ସେ ଲକ୍ଷ୍ୟ ରଖିଛନ୍ତି  ।

ଚେତାବନୀ ଦେଲା କଞ୍ଚା ପରିବା ବ୍ୟବସାୟୀ ମହାସଂଘ, ଆସନ୍ତା ୨୦ ତାରିଖରୁ ରାଜଧାନୀରେ ମିଳିବନି କଞ୍ଚା ପରିବା

ଭୁବନେଶ୍ବର: ଆସନ୍ତା ୨୦ ତାରିଖରୁ ରାଜଧାନୀରେ ମିଳିବନି କଞ୍ଚା ପରିବା ।  ଚେତାବନୀ ଦେଲା କଞ୍ଚା ପରିବା ବ୍ୟବସାୟୀ ମହାସଂଘ । ୟୁନିଟ୍ -୧ ହାଟକୁ ଲମ୍ବିଥିବା ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇବ ସଂଘ । ଏହା ସହ ଆହୁରି ୧୦ ଦଫା ଦାବିକୁ ନେଇ ମଧ୍ୟ ସଂଘ ଆନ୍ଦୋଳନ କରିବ ।  ରାଜମହଲରୁ ଷ୍ଟେଟ୍ ବ୍ୟାଙ୍କ କଡରେ ଥିବା  ଇଲେକ୍ଟ୍ରି ଅଫିସ୍ ଗଳି ହେଉଛି ୟୁନିଟ୍ ୧ ହୋଲସେଲ୍ ମାର୍କେଟ ମଧ୍ୟକୁ  ଯିବାର ଏକମାତ୍ର ରାସ୍ତା । ମାତ୍ର ସେଇ ରାସ୍ତାରେ ବେଆଇନ୍ ଅବରୋଧ ସହ ବିଭିନ୍ନ ପୂଜା ସମୟରେ ଲାଇଟ୍ ଗେଟ୍ ଏବଂ ତୋରଣ ଲାଗିବା, ମୂର୍ତ୍ତୀ ବିକ୍ରି କରାଯିବା, ଅସ୍ଥାୟୀ ଶୀତବସ୍ତ୍ର ବଜାର, ପ୍ଲାଷ୍ଟିକ ବଜାର ପଡିବା ଦ୍ୱାରା ମଣ୍ଡୀ ମଧ୍ୟକୁ ଭାରୀଯାନ ଚଳାଚଳରେ ଅସୁବିଧା ହେଉଛି ।

୧-ନମ୍ବର ହାଟରେ ୯ ମହାଲା ପରିବର୍ତ୍ତେ ୨ ମହଲା ମାର୍କେଟ ବିଲ୍ଡିଂ ନିର୍ମାଣ, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ୧ନମ୍ବର ହାଟରେ ଥଇଥାନ, ଭଗବାନପୁରୁରୁ ପରିବା ଯାତାୟତ ସମୟସୀମା ଧାର୍ଯ୍ୟ, ଅସ୍ଥାୟୀପ୍ଲାଷ୍ଟିକ୍ ବଜାର ଶୀତବସ୍ତ୍ର ବଜାର ବନ୍ଦ, ବିଭିନ୍ନ ପୂଜା ସମୟରେ ମୂର୍ତ୍ତୀ ବିକ୍ରି ବନ୍ଦ ଭଳି ପ୍ରମୁଖ ଦାବିକୁ ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ  । ଆନ୍ଦୋଳନ ହେଲେ ଏହାର  ପ୍ରଭାବ  ଭୁବନେଶ୍ୱର ସହର ସମେତ ପୁରୀ,ବ୍ରହ୍ମଗିରୀ,ନିମାପଡ, ଅସ୍ତରଙ୍ଗ, କାକଟପୁର, ଖୋର୍ଦ୍ଧା, ଜଟଣୀ ଉପରେ ମଧ୍ୟ ପଡିବ । ଅନ୍ୟପଟେ ଆନ୍ଦୋଳନ ନକରିବାକୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ପାର୍ବଣ ଋତୁ ଚାଲିଛି, ତେଣୁ ଯଦି କିଛି ସମସ୍ୟା ଅଛି ତେବେ ଆଲୋଚନା ମାଧ୍ୟମରେ ତାର ସମାଧାନ ହେବ । ଆବଶ୍ୟକ ପଡିଲେ  ମହାସଂଘକୁ ଡକାଇ ଆଲୋଚନା କରାଯିବ ବୋଲି ବିଏମସି କମିଶନର କହିଛନ୍ତି ।

 

ଚାଷୀଙ୍କୁ ଘାରିଛି ଚକଡା ଦାଉରୁ ଧାନ ଫସଲକୁ ବଞ୍ଚାଇବା ଚିନ୍ତା 

ଆନନ୍ଦପୁର: ନିଦ ହଜାଇ ଦେଲାଣି ଚକଡା ପୋକ । ଚାଷୀଙ୍କୁ ଘାରିଛି ଚକଡା ଦାଉରୁ ଧାନ ଫସଲକୁ ବଞ୍ଚାଇବାର ଚିନ୍ତା  । ସାର, କୀଟନାଶକ ପକାଇ ନୟାନ୍ତ ହେଲେଣି ଚାଷୀ,  ହେଲେ ଚକଡା ପୋକ ଯିବାର ନାଁ ନେଉନି । ଗୋଟିଏ କ୍ଷେତରୁ ଆଉ ଗୋଟିଏ କ୍ଷେତକୁ ମାଡିଚାଲିଛି ପୋକ। ସମ୍ପୂର୍ଣ୍ଣ ଧାନ ଗଛ ନଷ୍ଟ ହେବାକୁ ବସିଥିବା ବେଳେ ଧାର କରଜ ସୁଝିବା ଚିନ୍ତାରେ ଚାଷୀକୁଳ ।

କିଛି ଦିନ ପୂର୍ବରୁ ଭଲ ଧାନ ଚାଷ ହୋଇ ଗଛରୁ ବାହାରୁଥିଲା ଧାନକେଣ୍ଡା। ସବୁଜୀମା ପରିବେଶ ସୃଷ୍ଟି ହୋଇ ଧାନକ୍ଷେତରେ ଗଛସବୁ ଲହରି ମାରିବା ଆରମ୍ଭ କରୁଥିବା ବେଳେ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ଚକଡା ପୋକ। ପ୍ରଥମେ ଗୋଟିଏ ଦୁଇଟି ସ୍ଥାନରୁ ଆରମ୍ଭହୋଇ ଏବେ ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକର ଅନେକ ଗାଁର ଶହ ଶହ ଏକର ଚାଷ ଜମିକୁ ବ୍ୟାପିଯାଇଛି ଚକଡା ପୋକ। ଧାର କରଜ କରି ଧାନ ଚାଷ କରିଥିବା ଚାଷୀ ଏବେ ପରିବାର ଚଳାଇବା ଚିନ୍ତାରେ।

ଚକଡା ପୋକ ଦାଉରୁ ଫସଲକୁ ବଞ୍ଚାଇବାକୁ ଚାଷୀମାନେ ଅନେକ ଉପାୟ ଆପଣେଇଲେଣି । କୃଷୀ ବିଭାଗକୁ ଯାଇ ପରାମର୍ଶ ଅନୁସାରେ ସାର,  କିଟନାସକ ଫସଲରେ ପକାଇ ଅନେକ ଖର୍ଚ୍ଚାନ୍ତ ହେଲେଣି।  ହେଲେ ଚକଡା ରୋଗ ଦମନର ନା ଧରୁନାହିଁ। ବର୍ତ୍ତମାନ ସୁଦ୍ଧା ନା ପହଁଞ୍ଚିଛନ୍ତି କୃଷି ବିଭାଗର କୌଣସି କର୍ମଚାରୀ ନା ଅଧିକାରୀ। ଚକଡାକୁ ନେଇ ଚାଷୀଙ୍କୁ ସଚେତନ କରିବା ସହିତ କ୍ଷେତ୍ର ପରିଦର୍ଶନ କରି ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ସୂଚନା ଦିଆ ଯାଉଛି। ତୁରନ୍ତ ଏହାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଘସିପୁରା ବ୍ଲକ କୃଷୀ ଅଧିକାରୀ।

୨୬ ସପ୍ତାହ ଗର୍ଭସ୍ଥ ଶିଶୁର ଗର୍ଭପାତ ମାମଲା; ଏଭଳି ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆମେ ହୃଦୟର ସ୍ପନ୍ଦନ ବନ୍ଦ କରି ପାରିବୁନି। ୨୬ ସପ୍ତାହ ଗର୍ଭସ୍ଥ ଶିଶୁର ଗର୍ଭପାତ କରିବାକୁ ନେଇ ହୋଇଥିବା ଆବେଦନକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ୨୬ ସପ୍ତାହର ଗର୍ଭବତୀ ଥିବା ଜଣେ ବିବାହିତା ମହିଳା ଗର୍ଭପାତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତେବେ ଏହାର ଶୁଣାଣି କରି ଗର୍ଭପାତ ଆବେଦନକୁ ରୋକଠୋକ୍ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।

ସମ୍ପୃକ୍ତ ମହିଳାଙ୍କ ଗର୍ଭସ୍ଥ ଶିଶୁର କୌଣସି ମାନସିକ ବିକୃତ ନଥିବା ନେଇ AIIMSର ରିପୋର୍ଟ ପରେ ମହିଳାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳାଙ୍କ ଗର୍ଭରେ ୨୬ ମାସ ୫ ଦିନର ଭୃଣ ରହିଛି। ହସ୍ପିଟାଲରେ ଗର୍ଭପାତ ନେଇ ଥିବା ଆଇନର ଏହା ଧାରା ୩ ଏବଂ ୫ର ଉଲ୍ଲଂଘନ କରୁଛି ବୋଲି କହିଛନ୍ତି କୋର୍ଟ।

ସମ୍ପୃକ୍ତ ମହିଳାଙ୍କ ଜୀବନ ପ୍ରତି କୌଣସି ବିପଦ ନଥିବା ଏବଂ ଗର୍ଭରେ ଥିବା ଭୃଣର କୌଣସି ଅକ୍ଷମତା ନଥିବା କହିଛନ୍ତି ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ। ବିବାହିତା ମହିଳାଙ୍କ ଗର୍ଭରେ ୨୪ ସପ୍ତାହ ମଧ୍ୟରେ ଭୃଣର ହସ୍ପିଟାଲରେ ଗର୍ଭପାତ ନେଇ ନିୟମ ରହିଛି। ମହିଳାଙ୍କ ପୂର୍ବରୁ ୨ଟି ସନ୍ତାନ ଥିବାବେଳେ ସେ ତୃତୀୟ ସନ୍ତାନ ଚାହୁଁନଥିଲେ। ଗର୍ଭପାତ ଲାଗି ସେ ଆଇନଗତ ଭାବେ ବିଫଳ ହେବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

କଥା ଦେଇ କଥା ରଖିଲେ 5T ସଚିବ

ବରଗଡ଼: ୭ ଦିନରେ ପ୍ରତିଶୃତି ପାଳନ କଲେ 5T ସଚିବ ଭିକେ ପାଣ୍ଡିଆନ। ବରଗଡ ପାଇକମାଳର ବିନ୍ଧ୍ୟବାସିନୀ ମନ୍ଦିର ପାଇଁ ୧୯ ଲକ୍ଷ ୩୦ ହଜାର  ଦେଇଥିବା ବେଳେ ୬୮ ଲକ୍ଷ ୮୦ ହଜାର ରାମଚଣ୍ଡୀ ମନ୍ଦିରକୁ ଆର୍ଥିକ ଅନୁଦାନ ଦେଇଛନ୍ତି। ଉଭୟ ମନ୍ଦିର ପାଇଁ ଆର୍ଥିକ ଅନୁଦାନ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟବାସିନ୍ଦା ।

ବରଗଡ ପାଇକମାଲ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ରହିଛି ରାମଚଣ୍ଡୀ ଓ ବିନ୍ଧ୍ୟବାସିନୀ ମନ୍ଦିର। ଶହ ଶହ ଶ୍ରଦ୍ଧାଳୁ ମନ୍ଦିରକୁ ଯାଇ ପ୍ରତିଦିନ ପୂଜାର୍ଚ୍ଚନା କରିଥାନ୍ତି। ମାତ୍ର ଦୀର୍ଘ ବର୍ଷ ହେବ ଏହି ମନ୍ଦିରଗୁଡିକର ରୂପାନ୍ତରିକରଣ ଓ ରୂପରେଖର ପରିବର୍ତ୍ତନ ହୋଇପାରିନଥିଲା। ବରଗଡ ଗସ୍ତ ସମୟରେ ମନ୍ଦିର ବିଷୟରେ ଜାଣି ଏହାର ରୂପାନ୍ତରିକରଣର ପ୍ରତିଶୃତି ଦେଇଥିଲେ 5T ସଚିବ ଭି.କେ.ପାଣ୍ଡିଆନ। ୭ଦିନ ମଧ୍ୟରେ ସେ ଏହି ପ୍ରତିଶୃତି ପାଳନ କରିଛନ୍ତି । ପାଇକମାଲର ବିନ୍ଧ୍ୟବାସିନୀ ମନ୍ଦିର ପାଇଁ ୧୯ ଲକ୍ଷ ୩୦ ହଜାର ଟଙ୍କା ଏବଂ ୬୮ ଲକ୍ଷ ୮୦ ହଜାର ରାମଚଣ୍ଡୀ ମନ୍ଦିରକୁ ଆର୍ଥିକ ଅନୁଦାନ ଦେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ଏବଂ 5T ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।

ବରଗଡ଼ ଜିଲ୍ଲା ଗସ୍ତବେଳେ ଏହି ମନ୍ଦିର ଗୁଡିକର କିପରି ଉନ୍ନତିକରଣ କରାଯାଇପାରିବ ସେନେଇ ଉଭୟ ମନ୍ଦିର କମିଟିର ସଦସ୍ୟମାନେ ନିଜ ନିଜର ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ନିମନ୍ତେ 5T ସଚିବଙ୍କ ସହ ଆଲୋଚନା କରିଥିଲେ । ଉଭୟ ମନ୍ଦିର କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରି ୭ ଦିନ ମଧ୍ୟରେ ତାଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ ଫାଇଭଟି ସଚିବ । ଏବେ ଆର୍ଥିକ ଅନୁଦାନ ପାଇବା ପରେ ମନ୍ଦିର କାମ ଆରମ୍ଭ କରିବାକୁ ନେଉ ଉତ୍ସାହିତ ଲୋକେ ।

 

ଅଲମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ: ନୀତା ଅମ୍ବାନୀ

ମୁମ୍ବାଇ: ଅଲମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରାଯାଇଛି । ୧୨୮ ବର୍ଷ ପରେ କ୍ରିକେଟକୁ ଅଲମ୍ପିକ୍ସରେ ସ୍ଥାନ ମିଳିଛି । ତେବେ ଏହାକୁ ନେଇ ନିଜୟ ପ୍ରତିକ୍ରିୟା ରଖିଛନ୍ତି ଆଓସି ସଦସ୍ୟ ନୀତା ଅମ୍ବାନୀ । ସେ କହିଛନ୍ତି କି, ଅଲିମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରାଯିବା ଏକ ଖୁସି ଖବର । ଏବେ ବିଶ୍ବରେ କ୍ରିକେଟର କ୍ରେଜ ରହିଥିବାବେଳେ ନୂଆ ମେମ୍ବର ଯୋଡ଼ି ହେବେ । କ୍ରିକେଟକୁ ବିଶ୍ବର ଅଧିକାଂଶ ପ୍ରଂଶସକ ପସନ୍ଦ କରନ୍ତି । କ୍ରିକେଟ କେବଳ ଏକ ଖେଳ ନୁହେଁ ଏହା ଏକ ଧର୍ମ । ସର୍ବଭାରତୀୟସ୍ତରରେ ଏହାର ଢ଼େର ଚାହିଦା ରହିଛି । ଭାରତର ପ୍ରଥମ ମହିଳା ଭାବେ ଆଓସି ସଦସ୍ୟ ରହିଛନ୍ତି ନୀତା । ସେ କ୍ରିକେଟକୁ ଅଲିମ୍ପିକ୍ସରେ ଅନ୍ତର୍ଭୁକ୍ତ କରାଯିବା ନେଇ ଭୋଟ ମଧ୍ୟ ଦେଇଥିବା କହିଛନ୍ତି । ଇତିହାସରେ ଦ୍ବିତୀୟଥର ଲାଗି ଭାରତରେ ଆଇଓସି ଅଧିବେଶନ ଅନୁଷ୍ଠିତ ହୋଇ ୪୦ ବର୍ଷ ପରେ ଦେଶକୁ ଫେରୁଛି । ଅଲମ୍ପିକ୍ସରେ କ୍ରିକେଟକୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଏଲଏ ଏବଂ ଆଓସିକୁ ଧନ୍ୟବାଦ ଜଣାଇଛନ୍ତି ନୀତା । ସେ ଏକ ଭିଡିଓ ପୋଷ୍ଟ କରି ଧନ୍ୟବାଦ ଜଣାଇଛନ୍ତି ।

ତେବେ କହି ରଖୁଛୁ କି, ପୂର୍ବରୁ ମଧ୍ୟ ଆପଣ ଦେଖିଥିବେ କି, ନୀତାଙ୍କର କ୍ରିକେଟ ପ୍ରତି ଥିବା ଦୁର୍ବଳତା । ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲରେ ସେ ମୁମ୍ବାଇ ଇଣ୍ଡିଆନ୍ସର ମାଲିକାଣୀ ଅଟନ୍ତି । ମ୍ୟାଚ ସମୟରେ ପଡ଼ିଆରେ ରହି ଖେଳ ଦେଖିବା ସହ ଖେଳାଳିଙ୍କ ଉତ୍ସାହିତ କରିବା ପାଇଁ ପହଞ୍ଚଥାନ୍ତି ନୀତା ।

୨୦୨୮ ମସିହାରେ ଆମେରିକାର ଲସ ଆଞ୍ଜେଲସରେ ଅଲିମ୍ପିକ୍ସରେ ଅନୁଷ୍ଠିତ ହେବାକୁ ଯାଉଛି । କ୍ରିକେଟ ସହ ୫ଟି ନୂଆ ଖେଳକୁ ଅନ୍ତର୍ଭୁକ୍ତ କରାଯାଉଛି । ତେବେ କ୍ରିକେଟରେ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ । ଏଥିରେ ୬ଟି ଟିମ ଭାଗ ନେବେ । ଆମେରିକା ଆୟୋଜନ କରୁଥିବାବେଳେ ଭାଗ ନେବ । ଅନ୍ୟ ୫ଟି ଟିମ ଏଥିରେ ଭାଗ ନେବ ବୋଲି କୁହାଯାଉଛି ।

୧୨୮ ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ ସାମିଲ ହେବାକୁ ଯାଉଛି । ପ୍ରଥମ ଓ ଶେଷଥର ପାଇଁ ୧୯୦୦ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ୍ ସ୍ଥାନ ପାଇଥିଲା । ଏଥିରେ ଦୁଇଟି ଟିମ୍ ଅଂଶଗ୍ରହଣ କରିଥିଲେ । ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଦୁଇଦିନିଆ ଟେଷ୍ଟ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧୨ ଜଣ ଖେଳାଳୀ ଫିଲ୍ଡିଂ କରିଥିଲେ । ଇଂଲଣ୍ଡ୍, ଫ୍ରାନ୍ସକୁ ପରାସ୍ତ କରି କ୍ରିକେଟରେ ଅଲମ୍ପିକ୍ସ ମେଡାଲ ହାତେଇଥିଲା । ତେବେ ଏହି ମ୍ୟାଚକୁ କେବେ ମଧ୍ଯ ଫାଷ୍ଟକ୍ଲାସ କ୍ରିକେଟର ମାନ୍ୟତା ମିଳିନଥିଲା ।

ତେବେ ପୁଣିଥରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ରିକେଟ୍ ଅନୁମୋଦନ କରିଛି। ଆଇଓସି ସଭାପତି ଥୋମାସ ବାକ୍‌ ଏହା ଘୋଷଣା କରିଛନ୍ତି। ଏହି ଅଲମ୍ପିକ୍ସରେ ମୋଟ ୫ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ହେଉଛି ବେସବଲ୍, ସଫଟବଲ, ଫ୍ଲାଗ୍ ଫୁଟବଲ୍, ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ । ଏବଂ ଏହି ସମସ୍ତ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏସବୁ କ୍ରୀଡ଼ା ସାମିଲ ହେବା ପରେ ଅଲମ୍ପିକ ଆମେରିକା ଓ ବିଶ୍ବର ନୂଆ ଆଥଲେଟ୍ ଓ ପ୍ରସଂଶକଙ୍କ ନିକଟରେ ପହଞ୍ଚିବ ।

ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା, ଓଲା ଡ୍ରାଇଭରଙ୍କ ସାଂଘାତିକ ଖୁଲାସା

ରାଉରକେଲା: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ମାମଲା। ସାଂଘାତିକ ଖୁଲାସା କଲେ ଓଲା ଡ୍ରାଇଭର ଚୁନୁ ଦାସ । ମୃତ୍ୟୁ ପୂର୍ବରୁ ଗତ ମାସ ୧୬ ତାରିଖରେ ଓଲା କାର୍ ବୁକ୍ କରିଥିଲେ ସୁସ୍ମିତା  । ସିଭିଲଟାଉନସିପ ମଲକୁ ଆସିବା ପାଇଁ ବୁକ କରିଥିଲେ । ମାତ୍ର କାର ପହଞ୍ଚିବା ସମୟରେ  ସେକ୍ଟର ତିନି ଛକ ରାସ୍ତା ଫୁଟପାଥରେ ସେ ମୁଣ୍ଡରେ ହାତଦେଇ ବସିଥିଲେ । ପରେ କାରରେ ଯାଇ କିନ୍ଥୁ ବିଶ୍ରା ଛକଠାରେ ଫୋନ ଆସିବାରୁ ଅଟକିଥିଲେ। ପରେ ମଲକୁ ଆସି ୩୫ରୁ ୪୦ ମିନିଟ ରହିବା ପରେ ଅନୁରାଗ ହୋଟେଲକୁ ଫେରିଥିଲେ। ୧୬ ଓ ୧୭ ତାରିଖରେ ଅନୁରାଗ ହୋଟେଲରେ ରହିଥିଲେ ସୁସ୍ମିତା ।

ଏ ସମ୍ପର୍କରେ ହୋଟେଲ ଅନୁରାଗର ମ୍ୟାନେଜରଙ୍କୁ ଜେରା କରାଯାଇଛି। ମାମଲାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ଜେରା କରାଯାଇଥିବା ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି । ଗତମାସ ୧୯ ତାରିଖରେ ରାଉରକେଲା ସେନସୋରି ପାର୍କ ପୋଖରୀରୁ ଆସିଣ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବିବାହ ପରେ ସ୍ବାମୀଙ୍କ ସହିତ ସୁସ୍ମିତାଙ୍କ ଭଲ ସମ୍ପର୍କ ନଥିଲା । ଏପରିକି ସୁସ୍ମିତା ୨୦୨୨ ମସିହାରେ ରାଉରକେଲା ପରିବାର ଅଦାଲତରେ ଛାଡପତ୍ର ମାମଲା ରୁଜୁ କରିଥିଲେ । ମୃତ୍ୟୁ ପୂର୍ବରୁ ସୁସ୍ମିତାଙ୍କ ଫୋନକୁ ଶେଷ କଲ କରିଥଇବା ଯୁବକଙ୍କୁ ପୋଲିସ ପଚରାଉଚରା କରିଛି । ସୁସ୍ମିତାଙ୍କ ମଧ୍ୟ ୪ ଜଣଙ୍କସହ ଗୁରୁଣ୍ଡିଆ ବିଡିଓ ଓ ସିଡିପିଓଙ୍କୁ ପୁର୍ବରୁ ଜେରା କରାଯାଇଛି ।

 

 

୬ ବର୍ଷର ଇସଲାମ ଧର୍ମୀୟ ଶିଶୁକୁ ଲଗାତର ହୋଇଛି  ୨୬ଥର ଛୁରାମାଡ଼

ନନ୍ଦିଘୋଷ ବ୍ୟୁରୋ: ଆମେରିକାରେ ଗାଜା-ଇସ୍ରାଏଲ ଯୁଦ୍ଧର ଇଫେକ୍ଟ । ୬ ବର୍ଷର ଏକ ଇସଲାମ ଧର୍ମୀୟ ଶିଶୁକୁ ଲଗାତର ହୋଇଛି  ୨୬ ଥର ଛୁରାମାଡ଼ ।ଛୁରାମାଡ଼ରେ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ହେଟ୍ କ୍ରାଇମର ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଆମେରିକା ସିକାଗୋର ଇଲିନଏସ୍ ସହରରେ । ୭୧ ବର୍ଷୀୟ ଜଣେ ବୃଦ୍ଧା ୬ ବର୍ଷୀୟ ଶିଶୁକୁ ଛୁରୀ ଭୁସି ହତ୍ୟା କରିଛି । ବାରମ୍ବାର ୨୬ ଥର ଛୁରୀ ଭୁସି ଶିଶୁକୁ ହତ୍ୟା କରିବା ସମ୍ପୃକ୍ତ ବୃଦ୍ଧ ଜଣଙ୍କର ଘୃଣାଭାବକୁ ଦର୍ଶାଉଛି । ଶିଶୁକୁ ହତ୍ୟା କରିବା ସହ ଶିଶୁର ମାଆକୁ ମଧ୍ୟ ଛୁରୀରେ ଆକ୍ରମଣ କରିଥିଲା ସମ୍ପୃକ୍ତ ବୃଦ୍ଧ । ତେବେ ମହିଳା ଜଣକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଇସଲାମ ଧର୍ମ ବିରୋଧୀ ଭାବନାକୁ ନେଇ ସମ୍ପୃକ୍ତ ବୃଦ୍ଧ ଜଣକ ଏଭଳି କାଣ୍ଡ ଘଟାଇଥିବା ପୋଲିସ କହିଛି  । ଗାଜା-ଇସ୍ରାଏଲ ଯୁଦ୍ଧ ପରେ ଆମେରିକାରେ ପୋଲିସ ହାଇ ଆଲର୍ଟରେ ରହିଛି । ଧର୍ମୀୟ ଭାବନାକୁ ନେଇ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷର ଆଂଶକା କରି ପୋଲିସ ଆଲର୍ଟରେ ରହିଛି।