ଦିନକ ପରେ ପଞ୍ଚୁକ, ୪୦ ପ୍ଲାଟୁନ ଫୋର୍ସ ଓ ୫୦ ସ୍ବେଚ୍ଛାସେବୀ ମୁତୟନ

ପୁରୀ: ଆଉ ଦିନକ ପରେ ପଞ୍ଚୁକ । କାର୍ତ୍ତିକ ମାସର ଏହି ୫ ଦିନ ଅତ୍ୟନ୍ତ୍ର ପବିତ୍ର । ଏଥିପାଇଁ ପୁରୀରେ ଜମିବ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପକ୍ଷରୁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଆଜି ଜିଲ୍ଲାପାଳ ଓ କେନ୍ଦ୍ରାଞ୍ଚଳ ଆଇଜି ସମୀକ୍ଷା କରିଛନ୍ତି । ଭିଡ଼ ନିୟନ୍ତ୍ରଣ ପାଇଁ ପାଞ୍ଚ ଦିନ ବଡ଼ଦାଣ୍ଡରେ ମାର୍କେଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନ ବନ୍ଦ ରହିବ ।

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପାର୍ଶ୍ବରେ ୩ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ମୋବିଲାଇଜେସନ ପାଇଁ ୪୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଏଥିସହ ପର୍ଯ୍ୟାପ୍ତ ପାନୀୟ ଜଳ ସହ ବୃଦ୍ଧ, ବୃଦ୍ଧା, ମହିଳା, ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ । ୩ଟି ସିଫ୍ଟରେ ୫୦ ସ୍ବେଚ୍ଛାସେବୀ ମୁତୟନ ହେବେ ।

ପଞ୍ଚୁକ ସହ ଆଜି ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ, ଟାଟା, ଓବିସିସି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ସମସ୍ତ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ଐତିହ୍ୟ କରିଡରର ପ୍ରତିଷ୍ଠା ଉତ୍ସବ କରାଯିବାକୁ ଥିବାବେଳେ ଯାତ୍ରୀ ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ଯାତ୍ରୀ ଅଭ୍ୟର୍ଥନା କେନ୍ଦ୍ର, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ, କ୍ଲୋକ୍ ରୁମ୍, ସୂଚନା ଓ ଦାନକେନ୍ଦ୍ର, ସର୍ବସାଧାରଣ ଶୌଚାଳୟ, ସେବାୟତ ଶୌଚାଳୟ, ବିଶ୍ରାମ ସ୍ଥଳ, ଜେଟିପି ଆଉଟ୍ ପୋଷ୍ଟ, ଏଟିଏମ କିଓସ୍କୋ, ମହାପ୍ରସାଦ ଓ ଅନ୍ୟାନ୍ୟ ସାମଗ୍ରୀ ଓହ୍ଲାଇବା ଓ ଲଦିବା ସ୍ଥାନ, ଇଲେକ୍ଟ୍ରି ରୁମ୍, ଅଗ୍ନିଶମ ଓ ଆମ୍ବୁଲାନ୍ସ ବ୍ୟବସ୍ଥା, ଜରୁରୀ ଯାତାୟାତ ମାର୍ଗ ଓ ସ୍ଥାୟୀ ଯାତାୟାତ ମାର୍ଗ, ଲ୍ୟାଣ୍ଡ ସ୍କେପ, ଫୁଟପାଥ ଆଦି କାର୍ଯ୍ୟ ତନ୍ନ ତନ୍ନ କରି ଦେଖିଛନ୍ତି ଜିଲ୍ଲାପାଳ । ଏବେ ଲ୍ୟାଣ୍ଡ ସ୍କେପ, ମଠ ଗୁଡ଼ିକର ପୁନରୁଦ୍ଧାର, ଗ୍ରୀନ ଜୋନ କାର୍ଯ୍ୟ ଜାରି ରହିଛି । ଯାତ୍ରୀ ପରିକ୍ରମା ପ୍ରକଳ୍ପର ଯେଉଁ କାର୍ଯ୍ୟ ବଳକା ରହିଛି ତାହା ଜାନୁଆରୀ ୧୭ତାରିଖ ପୂର୍ବରୁ ସାରିବା ପାଇଁ ନିଷ୍ପତ୍ତି ହୋଇଛି  ।