ପ୍ରଥମ ଥର ପୋଲିସ ପଦବୀରେ ପରୀକ୍ଷା ଦେବାକୁ ବିବେଚିତ ହୋଇଛନ୍ତି ରାଜ୍ୟର ୧୭ କିନ୍ନର

ଭୁବନେଶ୍ବର: କିନ୍ନର ପାଇବେ ପୋଲିସ ଚାକିରି । ଆସନ୍ତା ୨୬ ତାରିଖରେ ହେବାକୁ ଥିବା ସବ୍ ଇନ୍ସପେକ୍ଟର ପଦବୀରେ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ରାଜ୍ୟର ୧୭ ଜଣ କିନ୍ନର । ପ୍ରଥମ କରି ଲିଙ୍ଗ ସ୍ଥାନରେ ଟ୍ରାନ୍ସଜେଣ୍ଡର ଲେଖା ଥାଇ ସେମାନେ ପରୀକ୍ଷା ଦେବାକୁ ଯାଉଛନ୍ତି । ଓଡ଼ିଶା ପୋଲିସ ରିକ୍ୟୁଟମେଣ୍ଟ ବୋର୍ଡ ପକ୍ଷରୁ ସେମାନଙ୍କୁ ଆଡମିଟ୍ କାର୍ଡ ପ୍ରଦାନ କରାଯାଇଛି । ସେପଟେ ରାଜ୍ୟର ପ୍ରଥମ ହାଇସ୍କୁଲ ଶିକ୍ଷକ ହେବାକୁ ଯାଉଛନ୍ତି କିନ୍ନର କାହ୍ନୁଚରଣ ତାଡିଙ୍ଗି ଓରଫ ମାୟା । ମାୟାଙ୍କ ନାଁ ମେଧା ତାଲିକାରେ ପ୍ରକାଶ କରିଛନ୍ତି ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ । ସଫଳତା ପାଇବା ପରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି ।

କିନ୍ନର ମାୟା ଓରଫ ଗିରିଧାରୀ କିସାନ । ପରିବାରର ତାଡନା ପରେ ମାତ୍ର 13 ବର୍ଷ ବୟସରେ କିନ୍ନର ସମାଜକୁ ଚାଲିଆସି ମାୟା କିନ୍ନର ନିଜ ଜୀବନ ଆରମ୍ଭ କରିଥିଲେ । ହେଲେ ପାଠ ପଢିବାର ଆଗ୍ରହ ତାଙ୍କୁ ଅଟକାଇ ପାରିନଥିଲା । କମ୍ୟୁନିଟି ସେଣ୍ଟରରେ ରହି ମାୟା ମାଟ୍ରିକ୍ରେ ପ୍ରଥମ ଶ୍ରେଣୀରେ ପାସ କରି ପରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ । ରାଜ୍ୟ କିନ୍ନର ସଙ୍ଘ ରାଜ୍ୟ ସଭାନେତ୍ରୀ ମୀରା ପରିଡାଙ୍କ ସଂସ୍ପର୍ଶରେ ଆସିବା ପରେ ମାୟା ସରକାରୀ ଚାକିରୀ କରିବାକୁ ଦମ୍ଭ ପାଇଥିଲେ । ଏବେ ସେ ଏସ୍ଆଇ ପରୀକ୍ଷା ପାଇଁ ଅବେଦନ କରିଛନ୍ତି ।

ଶିକ୍ଷିତା ଏବଂ ଇଂରାଜୀରେ ନନଷ୍ଟପ୍‌ କହୁଥିବା ପ୍ରିନ୍ସେସ୍ କହିଛନ୍ତି ରାଜ୍ୟ ସରକାର କିନ୍ନରମାନଙ୍କୁ ସ୍ବାଭିମାନର ସହ ବଞ୍ଚିବା ପାଇଁ ବିରାଟ ସୁଯୋଗ ପ୍ରଦାନ କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ସେହିଭଳି ରାୟଗଡାର କାହ୍ନୁଚରଣ ତାଡିଙ୍ଗି ଓରଫ ମାୟା ହେବାକୁ ଯାଉଛନ୍ତି ରାଜ୍ୟର ପ୍ରଥମ କିନ୍ନର ହାଇସ୍କୁଲ ଶିକ୍ଷକ ।

ମାୟାଙ୍କ ଘର ରାୟଗଡା ଜିଲ୍ଲା ଭାକୁରବୁଡା ଗାଁରେ ।  ତାଙ୍କ ନାଁ ଓଡ଼ିଶା ଷ୍ଟାଫ ସିଲେକ୍ସନ ବୋର୍ଡ ପକ୍ଷରୁ ମେରିଟ୍ ଲିଷ୍ଟରେ ପ୍ରକାଶ ପାଇଛି । କିନ୍ନର ହିସାବରେ ସରକାରୀ ଚାକିରୀରେ ନିଯୁକ୍ତି ମିଳିଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।