spot_img
Home Blog Page 2763

ରାତିରେ ହୋଇଥାନ୍ତା ହନୁମାନ ପଇସା ଡିଲ୍, ରେଢାଖୋଲରେ ରାକେଟର ପର୍ଦ୍ଦାଫାଶ

ସମ୍ବଲପୁର: ରାତିରେ ହୋଇଥାନ୍ତା ହନୁମାନ ପଇସା ଡିଲ୍ । ହେଲେ ତା ପୂର୍ବରୁ ମାଡି ବସିଲା ପୋଲିସ । ରେଢାଖୋଲରୁ ହନୁମାନ ପଇସା ରାକେଟର ତିନି ସଦସ୍ୟ ଗିରଫ । ଅଭିଯୁକ୍ତଙ୍କ ଠାରୁ ତିନୋଟି ହନୁମାନ ପଇସା ,ଚାଉଳ, ମିଟର, ମ୍ୟାଗନେଟ, ବିଦେଶୀ ମୁଦ୍ରା, ପୁରୁଣା ଭାରତୀୟ ମୁଦ୍ରା, ନକଲି ସାମ୍ବାଦିକ ଆଇକାର୍ଡ, ନକଲି କମ୍ପାନୀର କାଗଜପତ୍ର ସମେତ ନଗଦ ୩୮ ହଜାର ଟଙ୍କା ଜବତ କରିଛି ପୋଲିସ ।

ତିନି ଜଣ ହେଲେ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସଙ୍କରପୋଷ ଗାଁର ସଚିନ୍ଦ୍ର କୁମାର ପଟେଲ, ଭୁବନେଶ୍ବର ତମାଣ୍ଡୋ ଥାନା କଳିଂଗ ବିହାରର ସତ୍ୟରଞ୍ଜନ ଜେନା ଓ ଓ୍ବେଷ୍ଟବେଙ୍ଗଲ ମେଦିନିପୁର ଦନ୍ତାନ ଥାନା ପାନୀତେଣ୍ଡା ଗାଁର କାର୍ତିକ ମିଶ୍ର । ଅଭିଯୁକ୍ତ ମାନେ ଗତକାଲି ସଂଧ୍ୟାରେ ରେଢ଼ାଖୋଲର ଲୁହାପଙ୍କ ଚାରବାଟି ରାସ୍ତାକଡ଼ରେ ଏକ ଧଳା ରଙ୍ଗର କାରରେ ଡିଲ କରୁଥିଲେ ।

ପାଟ୍ରୋଲିଂ ବେଳେ କାରଟିକୁ ଦେଖି ସନ୍ଦେହ କରିଥିଲା ପୋଲିସ । କାରଟିକୁ ଯାଞ୍ଚ ବେଳେ ଏସବୁ ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ହନୁମାନ ପଇସା ରାକେଟରେ ରେଢ଼ାଖୋଲ ଅଂଚଳର ବ୍ୟକ୍ତି ସାମିଲ ଥାଇପାରନ୍ତି ? ଏନେଇ ଅଧିକ ତଦନ୍ତ ଜାରି ଥିବା କହିଛନ୍ତି ଏସଡ଼ିପିଓ ।

ସମୁଦ୍ରର ନୂଆ ରକ୍ଷକ, ଭାରତୀୟ ନୌସେନାରେ ସାମିଲ ହେଲା INS ବିନ୍ଧ୍ୟଗିରି

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା ବାହୁବଳୀ । ଆଇଏନଏସ ବିନ୍ଧ୍ୟଗିରିକୁ ଉତ୍ସର୍ଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରୋଜେକ୍ଟ ୧୭ ଆଲାଫା ଫ୍ରିଗେଟ ବର୍ଗର ଷଷ୍ଠ ଜାହାଜକୁ କୋଲକାତାର ଗାର୍ଡନ ରିଚ ସିପବିଲଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡରେ ଏହାର ହୋଇଛି ଉଦଘାଟନ ।

ପୂର୍ବରୁ ଏହି ବର୍ଗର ଆଇଏନଏସ ନୀଳଗିରି, ଉଦୟଗିରି, ହିମଗିରି, ତାରାଗିରି, ଦୁନାଗିରି ଲଞ୍ଚ ହେବା ପରେ ଷଷ୍ଠ ଜାହାଜ ଭାବେ ବିନ୍ଧ୍ୟଗିରିକୁ ଲଞ୍ଚ କରାଯାଇଛି । କର୍ଣ୍ଣାଟକର ଏକ ପର୍ବତର ନାମାନୁସାରେ ଏହାକୁ ନାମିତ କରାଯାଇଛି । ଏହା ବୈଷୟିକ ଭାବେ ଅଧିକ ଉନ୍ନତ ଓ ଅଧିକ ଶକ୍ତିଶାଳୀ । ଭାରତର ନୌଐତିହ୍ୟର ଏହା ଏକ ଉଜ୍ବଳ ନିଦର୍ଶନ ବୋଲି କୁହାଯାଇଛି । ଏଥିରେ ଅତ୍ୟାଧୁନିକ ଷ୍ଟିଲଥ ଫିଚର, ଅସ୍ତ୍ରଶସ୍ତ୍ର ଓ ସେନସର ରହିଛି ।

ନନ୍ଦିଘୋଷ ଟିଭି ପ୍ରଭାବ, ବେଆଇନ ଇଟାଭାଟିକୁ ସିଲ୍ କଲା ପ୍ରଶାସନ

ଯାଜପୁର: ନନ୍ଦିଘୋଷ ଟିଭି ପ୍ରଭାବ। ବେଆଇନ ଇଟାଭାଟିକୁ ସିଲ୍ କଲା ପ୍ରଶାସନ। ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଷଠିପୁର ଅଞ୍ଚଳରେ ଥିବା ୨ଟି ବେଆଇନ ଚିମନୀ ଇଟାଭାଟିକୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଯାଜପୁର ଓ ବ୍ୟାସନଗର ତହସିଲଦାର ମିଳିତ ଭାବେ ପୋଲିସ ଉପସ୍ଥିତିରେ ଏହି ଇଟାଭାଟି ୨ଟିକୁ ସିଲ୍ କରିଛନ୍ତି। ଚିମନୀ ଇଟାଭାଟି ବେଆଇନ ଭାବେ ଚାଲୁଥିବା ଓ ଏହାଯୋଗୁ ପ୍ରଦୂଷଣ ବଢୁଥିବା ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହୋଇଥିଲା।

ପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ଇଟାଭାଟି ବନ୍ଦ କରିବାକୁ କ୍ଲୋଜର ନୋଟିସ ଜାରି କରିଥିଲେ। ହେଲେ ଏହାକୁ ଅବମାନନା କରି ଇଟାଭାଟି ଚଳାଇଥିଲେ ମାଫିଆ। ଏନେଇ ସ୍ଥାନୀୟ ବାସିନ୍ଦା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ।

ଲିବ୍ୟାରେ ସୁଦାନ ସ୍ଥିତି, ରାଜଧାନୀ ତ୍ରିପୋଲିରେ ଭୟାବହ ସ୍ଥିତି

ନୂଆଦିଲ୍ଲୀ: ସୁଦାନ ସ୍ଥିତି ଲିବ୍ଯାରେ । ଦୁଇ ବାହିନୀ ମଧ୍ୟରେ ଘମାଘୋଟ ସଂଘର୍ଷ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ତ୍ରିପୋଲି । ସଂଘର୍ଷରେ ୫୫ ଜଣ ପ୍ରାଣ ହରାଇଥିବାବେଳେ ପ୍ରାୟ ୧୫୦ ଲୋକ ଆହତ ହୋଇଛନ୍ତି । ଶକ୍ତିଶାଳୀ ୪୪୪ ବ୍ରିଗେଡ ଓ ସ୍ପେଶାଲ ଡିଟରେନ୍ସର ଫୋର୍ସ ଅଲ-ରାଡା ମଧ୍ଯରେ ଜାରି ରହିଛି ତୁମୂଳ ସଂଘର୍ଷ । ୨୦୧୧ରେ ମୁଆମାର ଗଦ୍ଦାଫି ଗାଦିଚ୍ୟୁତ ହେବା ପରଠାରୁ ଦେଶରେ ଅସ୍ଥିରତା ଲାଗି ରହିଛି । ଦୁଇ ବାହିନୀ ମଧ୍ୟରେ ସଂଘର୍ଷ ବି ଥମିବାର ନାଁ ନେଉନାହିଁ । ୪୪୪ ବ୍ରିଗେଡ ମୁଖ୍ୟ କର୍ଣ୍ଣେଲ ମହମ୍ମଦ ହାମଜାଙ୍କୁ ଅଲ ରାଡା ବାହିନୀ ଧରି ନେବା ପରେ ଗତ ସୋମବାରଠାରୁ ଭୟଙ୍କର ହେବାରେ ଲାଗିଛି ସଂଘର୍ଷ । ରକେଟ ଲଞ୍ଚର ଓ ମେସିନ ଗନ ଜରିଆରେ ଚାଲିଛି ସଂଘର୍ଷ । ଗତବର୍ଷ ଅଗଷ୍ଟରେ ବି ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିଲେ ୩୨ ଜଣ ।

ନାଟୋ ଦ୍ବାରା ସମର୍ଥିତ ବିଦ୍ରୋହରେ ଗଦ୍ଦାଫି ଗାଦିଚ୍ୟୁତ ହେବା ପରଠାରୁ ଦେଶରେ ଜାରି ରହିଛି ଅସ୍ଥିରତା । ଚଳିତ ବର୍ଷ ଦେଶରେ ନିର୍ବାଚନ କରିବା ଲାଗି ଜାତିସଂଘ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଏହି ସାନି ସଂଘର୍ଷ ଅନେକ ସଂଶୟ ସୃଷ୍ଟି କରିଛି । ସଂଘର୍ଷ ତୀବ୍ର ହେବାରୁ ଦୁଇ ଶହରୁ ଅଧିକ ପରିବାରକୁ ତ୍ରିପୋଲିରୁ ସ୍ଥାନାନ୍ତର କରାଯାଇଛି । ଅଲ୍ ରାଡା ବାହିନୀ ହାତରେ ବର୍ତ୍ତମାନ କେନ୍ଦ୍ର ଓ ପୂର୍ବ ତ୍ରିପୋଲିରେ ନିଜର ଅଧିକାର ସାବ୍ୟସ୍ତ କରିଥିବାବେଳେ ମିଟିଗା ଏୟାରବେସକୁ କବଜାରେ ରଖିଛି । ବର୍ତ୍ତମାନ ଲିବ୍ୟାକୁ ଦୁଇ ଭାଗରେ ବିଭକ୍ତ କରିଦିଆଯାଇଛି । ଗୋଟିଏ ଭାଗ ଦେବାହାରେ ଜାତିସଂଘ ନେତୃତ୍ବାଧୀନ ସରକାର ଥିବାବେଳେ ଅନ୍ୟ ଭାଗରେ ସାମରିକ ନେତା ଖଲିଫା ହଫତାର ସମର୍ଥିତ ସରକାର ରହିଛି ।

ଭାରତର ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରେଟିଭ୍ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟ ଗଠନ କରିଥିବା ଜାମ୍ମୁ କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ବଡ଼ ବୟାନ । ହିନ୍ଦୁ ଧର୍ମ ଇସଲାମଠାରୁ ବହୁ ପୁରୁଣା । ଭାରତର ସବୁ ମୁସଲମାନ ପୂର୍ବରୁ ହିନ୍ଦୁ ଥିଲେ । ମୋଗଲ ଆସିବା ପରେ ହିଁ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ କରାଯାଇଛି ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ହେଉଛି ଡୋଡା ଜିଲ୍ଲାର । ଅଗଷ୍ଟ ୯ରେ ଡୋଡା ଜିଲ୍ଲାରେ ଗୁଲାମ ନବୀ ଆଜାଦ ଦେଇଥିବା ଭାଷଣରେ କହିଛନ୍ତି କି ଇସଲାମ ଧର୍ମ ୧୫୦୦ ବର୍ଷ ପୂର୍ବେ ଜନ୍ମ ହୋଇଥିଲା । ଭାରତର ମୁସଲମାନ ମୂଳତଃ ହିନ୍ଦୁ ଥିଲେ, ଯେଉଁମାନେ ପରେ ମୁସଲମାନ ଧର୍ମ ଗ୍ରହଣ କରିଥିଲେ । ସେ ଆହୁରି କହିଛନ୍ତି କି ୬୦୦ ବର୍ଷ ପୂର୍ବେ କାଶ୍ମୀରରେ କେବଳ କାଶ୍ମୀରୀ ପଣ୍ଡିତ ଥିଲେ । ଏହା ପରେ ଅନେକ ଲୋକ ମୁସଲମାନ ଧର୍ମ ଗ୍ରହଣ କରି ମୁସଲମାନ ହେଲେ । ଏହି ସମୟରେ ଆଜାଦ ଲୋକମାନଙ୍କୁ ଭାଇଚାରା, ଶାନ୍ତି ଓ ଏକତା ବଜାୟ ରଖିବାକୁ ଅନୁରୋଧ କରି କହିଥିଲେ କି ଧର୍ମ ରାଜନୀତିରେ ମିଶ୍ରିତ ହେବା ଉଚିତ୍ ନୁହେଁ । ଲୋକମାନେ ଧର୍ମ ନାଁରେ ଭୋଟ ଦେବା ଉଚିତ୍ ନୁହେଁ । ଯିଏ ରାଜନୀତିରେ ଧର୍ମକୁ ସମର୍ଥନ କରେ ସେ ଦୁର୍ବଳ । ଯିଏ ନିଜ ଉପରେ ବିଶ୍ୱାସ କରେ ସେ ଧର୍ମର ସମର୍ଥନ ଗ୍ରହଣ କରିବ ନାହିଁ ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ ।

ଗଞ୍ଜେଇ ମାଫିଆର ଘର ଭାଙ୍ଗିଲା ପ୍ରଶାସନ

ସଇଁତଳା: ଗଞ୍ଜେଇ ମାଫିଆର ଘର ଭାଙ୍ଗିଲା ପ୍ରଶାସନ। ସଇଁତଳା ତହସିଲ ଅନ୍ତର୍ଗତ ବଡ଼ମାଲ ଗୋଳାବାରୁଦ କାରଖାନା ସମ୍ମୁଖରେ ଘନଶ୍ୟାମ ଜେନା ନାମକ ବ୍ୟକ୍ତି ବେଆଇନ ଭାବରେ ଦୀର୍ଘ ଦିନ ହେଲା ଗୋଚର ଜମିରେ ଘର କରି ରହି ଆସୁଥିଲା। ଏ ସମ୍ପର୍କରେ ସଇଁତଳା ତହସିଲରେ ମାମଲା ରୁଜୁ ହୋଇଥିଲା।

ପ୍ରଶାସନ ତରଫରୁ ବାରମ୍ବାର ନୋଟିସ ହେଲେ ମଧ୍ୟ ଘର ଖାଲି କରିବା ପାଇଁ କୌଣସି ପଦକ୍ଷେପ ନେଉନଥିଲା ଘନଶ୍ୟାମ । ୨ ମାସ ପୂର୍ବେ ତା’ ଘରୁ ବେଆଇନ ଭାବେ ଚାଲାଣ ହେବାକୁ ଥିବା ସାଢ଼େ ୬ କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିଲା ଅବକାରୀ ବିଭାଗ । ଆଜି ପ୍ରଶାସନ ଘନଶ୍ୟାମ ଜେନାର ଘର ଭାଙ୍ଗିଛି । ଆଇନ ଶୃଙ୍ଖଳା ଆଶଙ୍କାରେ ପୋଲିସ ମୁତୟନ କରାଯାଇଥିଲା।

ଇସ୍ରୋକୁ ବଡ଼ ସଫଳତା, ପ୍ରପଲସନ୍ ମଡ୍ୟୁଲରୁ ଅଲଗା ହେଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ

ନୂଆଦିଲ୍ଲୀ: ସଫଳତାର ଆଉ ଏକ ପାହାଚ ଅତିକ୍ରମ କଲା ଇସ୍ରୋ। ଅଲଗା ହେଲେ ପ୍ରପଲସନ ମଡ୍ୟୁଲ ଓ ଲ୍ୟାଣ୍ଡର। ଲ୍ୟାଣ୍ଡର ବିକ୍ରମ ଆଜି ଚନ୍ଦ୍ରଯାନରୁ ଅଲଗା ହୋଇଛି। ଏହା ମଧ୍ୟରେ ରହିଛି ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରିମ ଅବତରଣ କରିବା ପରେ ପ୍ରଜ୍ଞାନ ସେଥିମଧ୍ୟରୁ ବାହାରକୁ ଆସିବ।

ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ ଅଲଗା ହେବା କିଛି ଘଣ୍ଟା ଇସ୍ରୋ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟ ଥିଲା। ୨୦ ଅଗଷ୍ଟରେ ଲ୍ୟାଣ୍ଡର କକ୍ଷରୁ ଅଲଗା କରାଯାଇ ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ସୂଚନା ମିଳିଛି। ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏକ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର। ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ ।

ଭିଜୁଛି ଟ୍ୱିନସିଟି, ଆସନ୍ତା ୧୨ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ଆସନ୍ତା ୧୨ଘଣ୍ଟାରେ ଲଘୁଚାପ। ଦୁଇ ଦିନ ସାରା ରାଜ୍ୟରେ ପ୍ରବଳ ବର୍ଷା। ଆସନ୍ତା ୧୨ଘଣ୍ଟାରେ ଲଘୁଚାପର ରୂପନେବ ଘୁର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଜି ଆଉ ଆସନ୍ତାକାଲି ରାଜ୍ୟରେ ପ୍ରବଳ ବର୍ଷା ହେବ। ଅନେକ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଲର୍ଟ ଜାରି କରାଯାଇଛି।

କନ୍ଧମାଳ, କଳାହାଣ୍ଡିରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ତେବେ ଲଘୁଚାପକୁ ନଜରରେ ରଖି ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । କୌଣସି ବନ୍ଦରକୁ ବିପଦ ସଂକେତ ଦିଆଯାଇନାହିଁ। ଶନିବାରଠାରୁ ବର୍ଷା ପରିମାଣ କମିବ। ଲଘୁଚାପ ପ୍ରଭାବରେ ଭୁବନେଶ୍ୱର ଓ କଟକରେ ପ୍ରବଳ ବର୍ଷା ହେଉଛି। ଗତ ୨୪ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି। ମୟୂରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।

ଗୁଜରାଟରେ ସବୁଠୁ ବଡ଼ ଠକର ପର୍ଦ୍ଦାଫାସ, ୯ ଦିନରେ ୧୪ ଶହ କୋଟି ଟଙ୍କା ଠକେଇ

ଗାନ୍ଧୀନଗର: ଗୁଜରାଟରେ ସବୁଠୁ ବଡ଼ ଠକର ପର୍ଦ୍ଦାଫାସ । ୯ ଦିନରେ ୧୪ ଶହ କୋଟି ଟଙ୍କା ଠକେଇ । ୧୨ ଶହ ଲୋକଙ୍କ ଠାରୁ ୧୪ ଶହ କୋଟି ଠକେଇ ହୋଇଛି । ଫୁଟବଲ ବେଟିଂ ଆପ୍‌ ମାଧ୍ୟମରେ ଠକେଇ କରିଛନ୍ତି ଜଣେ ଚୀନ ନାଗରିକ । ତେବେ ମାଷ୍ଟରମାଇଣ୍ଡକୁ ଖୋଜୁଛି ପୋଲିସ । ଗୁଜରାଟ ଓ ୟୁପିରେ ଠକେଇର ଶିକାର ହୋଇଛନ୍ତି ଲୋକେ । ଦାନି ଡାଟା ଆପ୍‌ ମାଧ୍ୟମରେ ଲୋକଙ୍କୁ ଟାର୍ଗେଟ କରାଯାଉଥିଲା । ମାମଲାରେ ଏସଆଇଟି ତଦନ୍ତ ହେଉଥିବା ବେଳେ ୟୁପି ପୋଲିସ ମଧ୍ୟ ଜୋରଦାର ତନାଘନା ଆରମ୍ଭ କରିଛି । ଆପ୍‌ ମାଧ୍ୟମରେ ପ୍ରତିଦିନ ୨୦୦ କୋଟି ଟଙ୍କା ଠକେଇ ହେଉଥିଲେ । ଲୋକେ ଏହି ଆପ୍‌ ମାଧ୍ୟମରେ ଅର୍ଥ ରୋଜଗାର କରିବା ଆଶାରେ ଅର୍ଥ ବିନିଯୋଗ କରିଥିଲେ । କିନ୍ତୁ ହଠାତ ଆପଟି କାମ ନକରିବାରୁ ଲୋକେ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିପାରିଥିଲେ ।

ରାଜଗାଙ୍ଗପୁରରେ ରେଲ୍ ଓଭରବ୍ରିଜ ନିର୍ମାଣ, ଅଧିଗ୍ରହଣ ପରିବର୍ତ୍ତେ ଲୋକଙ୍କ ଠୁ କିଣାହେବ ଜମି

ରାଜଗାଙ୍ଗପୁର: ତ୍ବରାନ୍ବିତ ହେବ ରାଜଗାଙ୍ଗପୁରରେ ରେଲ୍ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ। ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମି ସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଗତ ମାର୍ଚ୍ଚ ମାସ ୧୧ ଓ ୧୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଭି.କେ. ପାଣ୍ଡିଆନ ସୁନ୍ଦରଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିବା ସହିତ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଏହି ଗସ୍ତ ସମୟରେ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ସଂପର୍କରେ ସେ ଅବଗତ ହୋଇଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ, ରେଲ ଓଭରବ୍ରିଜ ପାଇଁ ଆବଶ୍ୟକ ଜମିକୁ ସିଧାସଳଖ ରାଜ୍ୟ ସରକାର କିଣିନେଇ ନିର୍ମାଣ କାମକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏହି ରେଲ ଓଭରବ୍ରିଜଟି ସୁନ୍ଦରଗଡ ଜିଲ୍ଲାର ସୋନାଖାନ୍ ଓ କାଂଶବାହାଲ ଷ୍ଟେସନ ମଧ୍ୟରେ ରାଜଗାଙ୍ଗପୁର ମୌଜାରେ ନିର୍ମାଣ କରାଯିବ।