ବଲାଙ୍ଗୀର: ବିଷ ପିଇ ମହିଳା ପୋଲିସ ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନାରେ ଟ୍ରେନି ସବ-ଇନ୍ସପେକ୍ଟର ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ମହିଳା ପୋଲିସ ସବ୍-ଇନ୍ସପେକ୍ଟରଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଜଗତସିଂହପୁର ଚାରିବାଟିଆରେ ଚାଞ୍ଚଲ୍ୟ, ପୂର୍ବ ଶତ୍ରୁତାରୁ ଯୁବକଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା ଅଭିଯୋଗ
ଜଗତସିଂହପୁର: ଜଗତସିଂହପୁର ଥାନା ଶାଳଜଙ୍ଗ ପଞ୍ଚାୟତ ଚାରିବାଟିଆ କଦମଗଛ ଛକ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ଗତକାଲି ବିଳମ୍ୱିତ ରାତିରେ ହତ୍ୟାର ଶିକାର ହୋଇଛନ୍ତି ବୋଲେରୋ ଡ୍ରାଇଭର ସାଗର ନାୟକ । ସାଗର ପାନ ଖାଇବାକୁ ପାଖ ଦୋକାନକୁ ଯାଇଥିବା ବେଳେ ସେହି ଗାଁର ପ୍ରତାପ ବେହେରା ଓ ସାଥୀ ଦିଲୁ ସାମଲ ତାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ପୋଲିସ ମୃତଦେହ ଜବତ କରି ଦିଲୁ ସାମଲକୁ ଗିରଫ କରିଥିବା ବେଳେ ପ୍ରତାପ ବେହେରା ଏବେ ବି ଫେରାର ଅଛି । ଦିଲୁର ଶଳା ଓ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏହି ଘଟଣା ଜଗତସିଂହପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
କାଲିଫର୍ଣ୍ଣିଆ ବାଇକର୍ସ ବାରରେ ଆଖିବୁଜା ଗୁଳିମାଡ଼, ୫ ମୃତ
ଓ୍ୱାଶିଂଟନ: ଆମେରିକାରେ ପୁଣି ବନ୍ଧୁକ ଆତଙ୍କ । କାଲିଫର୍ଣ୍ଣିଆ ବାଇକର୍ସ ବାରରେ ଆଖିବୁଜା ଗୁଳିମାଡ଼ରେ ୫ ମୃତ । ୬ ଜଣଙ୍କୁ ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ଜଣେ ପୂର୍ବତନ ଆଇନ ଅଧିକାରୀ ବାରରେ ଆଖିବୁଜା ଗୁଳିଚାଳନା କରିଥିଲେ । ପୋଲିସ ଗୁଳିରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଫ୍ଲାସ୍ ଫ୍ଲଡରେ ଛାରଖାର ହିମାଚଳ ପ୍ରଦେଶ, କୁଲ୍ଲୁରେ ତାସ ପତ୍ତା ଭଳି ଭୁଶୁଡ଼ିଲା ୭ କୋଠା
କୁଲ୍ଲୁ: ପାହାଡ଼ରେ ପ୍ରଳୟଙ୍କରୀ ବନ୍ୟା । ହିମାଚଳ ପ୍ରଦେଶରେ ଫ୍ଲାସ ଫ୍ଲଡରେ ଛାରଖାର ପୂରା ରାଜ୍ୟ । କୁଲ୍ଲୁର ଆନି ବସଷ୍ଟାଣ୍ଡ ପାର୍ଶ୍ବରେ ୭ଟି ବହୁତଳ ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ଭୂସ୍ଖଳନ ଯୋଗୁ ତାସ୍ ପତ୍ତା ଭଳି କୋଠା ଭୁଶୁଡ଼ି ପଡିଥିଲା । ବର୍ଷା, ବନ୍ୟା ଯୋଗୁ ଗତ ୨୪ ଘଣ୍ଟାରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ହିମାଚଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡରେ ଜଣେ ପ୍ରାଣ ହରାଇଛନ୍ତି । ଗତ ଜୁନ୍ ମାସରୁ ରାଜ୍ୟରେ ମୌସୁମୀ ବର୍ଷା ଯୋଗୁ ବିପର୍ଯ୍ୟୟ ଲାଗି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪୦୦ ଛୁଇଁଛି ।
ହିମାଚଳ ପ୍ରଦେଶର ଅଧିକାଂଶ ରାଜ୍ୟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପାଇଁ ବାଦଲ ଫଟା ବର୍ଷା, ଫ୍ଲାସଫ୍ଲଡ ନେଇ ୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସିମଲା, କାଙ୍ଗରା, ଚାମ୍ବା, ମଣ୍ଡି, ସୋଲନ, ବିଳାସପୁର, କୁଲ୍ଲୁ ଆଦି ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ । ଅନ୍ୟ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଭୂସ୍ଖଳନ ଯୋଗୁ କୁଲ୍ଲୁ-ମଣ୍ଡି ହାଇଓ୍ବେ ଜାମ ହୋଇଥିବା ବେଳେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଫଳରେ ରାସ୍ତାରେ ଶହ ଶହ ଗାଡ଼ି ଫସିରହିଛି । ମଣ୍ଡି-ପଠାନକୋଟ ରାସ୍ତାରେ ବି ଅନେକ ଗାଡ଼ି ଅଟକି ରହିଛି । ରାଜ୍ୟରେ ୭୦୯ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀ ଜଳସ୍ତର ଲଗାତାର ବୃଦ୍ଧି ପାଉଥିବା ବେଳେ ଭୂସ୍ଖଳନ ଯୋଗୁ ଅନେକ ରାସ୍ତା ବନ୍ଦ ରହିଛି ।
ଚନ୍ଦ୍ରଯାନ-୩: ଲ୍ୟାଣ୍ଡିଂ ପରେ ଏବେ ଚନ୍ଦ୍ରପୃଷ୍ଠରେ କ’ଣ କରିବେ ଲ୍ୟାଣ୍ଡର ଓ ରୋଭର ?
ନନ୍ଦିଘୋଷ ବ୍ୟୁରୋ: ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ । ଚନ୍ଦ୍ରରେ ଅବତରଣ ପରେ ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ପ୍ରଜ୍ଞାନ । ବିକ୍ରମଠାରୁ ଅଲଗା ହେବା ପରେ ଚନ୍ଦ୍ରପୃଷ୍ଠରେ ବୁଲିଲା ପ୍ରଜ୍ଞାନ । ଏହା ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହରେ ପହଞ୍ଚିବା ପରେ ଏବେ କ’ଣ କରିବ, ତାହାକୁ ନେଇ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଯାଇଛି ।
ଚନ୍ଦ୍ରପୃଷ୍ଠରେ କ’ଣ କରିବ ରୋଭର ପ୍ରଜ୍ଞାନ ?
ରୋଭର ପ୍ରଜ୍ଞାନର ୨ଟି ପେ-ଲୋଡ୍ ରହିଛି । ପ୍ରଥମ ପେ-ଲୋଡ୍ ହେଉଛି ଲେଜର ଇଣ୍ଡ୍ୟୁସଡ୍ ବ୍ରେକଡାଉନ ସ୍ପେକ୍ଟ୍ରୋସ୍କୋପ୍ । ଏହା ଚନ୍ଦ୍ରପୃଷ୍ଠରେ ଥିବା କେମିକାଲ ବା ରାସାୟନିକ ପଦାର୍ଥର ମାତ୍ରା ଏବଂ ଗୁଣବତ୍ତାର ଅଧ୍ୟୟନ କରିବ । ଏହାସହ ଖଣିଜ ପଦର୍ଥର ବି ସନ୍ଧାନ କରିବ । ସେହିପରି ଦ୍ୱିତୀୟ ପେ-ଲୋଡ୍ ହେଉଛି ଆଲଫା ପାର୍ଟିକଲ ଏକ୍ସ-ରେ ସ୍ପେକ୍ଟୋମିଟର । ଏହା ଏଲିମେଣ୍ଟ କମ୍ପୋଜିସନର ଅଧ୍ୟୟନ କରିବ । ଯେମିତି କି ମ୍ୟାଗ୍ନେସିୟମ, ଆଲୁମିନିୟମ, ସିଲିକନ୍, ପଟାସିୟମ, କ୍ୟାଲସିୟମ, ଟିନ୍ ଏବଂ ଲୈହ । ଏଗୁଡ଼ିକର ସନ୍ଧାନ ଲ୍ୟାଣ୍ଡିଂ ସାଇଟ୍ ପାର୍ଶ୍ୱବର୍ତ୍ତୀ ଚନ୍ଦ୍ରପୃଷ୍ଠରେ କରାଯିବ ।
ଚନ୍ଦ୍ରପୃଷ୍ଠରେ କ’ଣ କରିବ ଲ୍ୟାଣ୍ଡର ବିକ୍ରମ ?
ଲ୍ୟାଣ୍ଡର ବିକ୍ରମରେ ୪ଟି ପେ-ଲୋଡ୍ ରହିଛି । ସେଗୁଡ଼ିକ ହେଉଛି ରମ୍ଭା, ଚାଷ୍ଟେ, ଇଲ୍ସା ଓ ଲେଜର ରେଟ୍ରୋଫ୍ଲେକ୍ଟର ଆରେ । ରମ୍ଭା ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟଠାରୁ ଆସିବାକୁ ଥିବା ପ୍ଲାଜମାର ଘନତା, ମାତ୍ରା ଓ ପରିବର୍ତ୍ତନକୁ ଯାଞ୍ଚ କରିବ । ସେହିପରି ଚାଷ୍ଟେ ଚନ୍ଦ୍ରପୃଷ୍ଠରେ ତାପମାତ୍ରା ପରଖିବ । ଇଲ୍ସା ଲ୍ୟାଣ୍ଡିଂ ସାଇଟର ପାଶ୍ୱବର୍ତ୍ତୀ ଭୂକମ୍ପୀୟ ଗତିବିଧି ଯାଞ୍ଚ କରିବ । ଲେଜର ରେଟ୍ରୋରିଫ୍ଲେକ୍ଟର ଆରେ ଚନ୍ଦ୍ରର ଡାଏନୋମିକ୍ସକୁ ବୁଝିବା ପାଇଁ ପ୍ରୟାସ କରିବ ।
ଭୁବନେଶ୍ବର ରିକ୍ସା କଲୋନୀରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ
ଭୁବନେଶ୍ୱର: କେଉଁଠି ଥିଲେ ସାଂସଦ ମାଡାମ ? ନିର୍ବାଚନ ପାଖେଇ ଆସିବାରୁ ମୁହଁ ଦେଖାଉଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏବେ ମନେ ପଡ଼ୁଛି ଭୁବନେଶ୍ବରର କଥା । ଏମିତି କିଛି କହି ରାଜଧାନୀ ରାଜରାସ୍ତାରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିରୋଧରେ ଶୁଭିଛି ପ୍ରତିବାଦର ସ୍ବର । ରିକ୍ସା କଲୋନୀରେ ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରବଳ ବିରୋଧ କରାଯାଇଛି । ସ୍ଥାନୀୟ ଲୋକମାନେ ବିରୋଧ କରିବା ସହ ଠେଲାପେଲା ପରିସ୍ଥିତି ଉପୁଜିଥିଲା । ଆଜି ଅପରାଜିତା ସେହି ଅଞ୍ଚଳକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ସହ ସାକ୍ଷାତ କରିବାକୁ ଯାଇଥିଲେ କିନ୍ତୁ ସାଂସଦଙ୍କ ସମର୍ଥକ ଏହା କରେଇ ଦେଇନଥିଲେ । ଫଳରେ ସମର୍ଥକ ଓ ଲୋକଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା ।
ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେଲା ରୋଭର ’ପ୍ରଜ୍ଞାନ’
ନୂଆଦିଲ୍ଲୀ: ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡର ବିକ୍ରମରୁ ବାହାରକୁ ବାହାରିଲା ରୋଭର ପ୍ରଜ୍ଞାନ । ଏଥିସହ ସୁରକ୍ଷିତ ଭାବେ ବାହାରେ ବିତରଣ କରୁଛି । ଚନ୍ଦ୍ରର ନୂଆ ନୂଆ ଫଟୋ ପଠାଇବା ଆରମ୍ଭ କରିଛି ପ୍ରଜ୍ଞାନ । ବିକ୍ରମର ଲ୍ୟାଣ୍ଡିଂ ବେଳେ ତାହା ସେଫ୍ ଲିମିଟରେ ଥିଲା । ଗତି ବି କମାଣ୍ଡ ଅନୁସାରେ ଥିଲା । ପ୍ରଥମେ ୪ଟି ଇଞ୍ଜିନ ଚାଲିଥିଲା । ପରେ ସେଥିରୁ ୨ଟିକୁ ବନ୍ଦ ହୋଇଯାଇଥିଲା । ତେଣୁ ସଫ୍ଟ ଲ୍ୟାଣ୍ଡିଂ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା । ଲ୍ୟାଣ୍ଡିଂ ପରେ ବିକ୍ରମ ସମ୍ମୁଖରେ ପ୍ରବଳ ଧୂଳି ସୃଷ୍ଟି ହୋଇଥିଲା । ମାତ୍ର ବିକ୍ରମ ସେ ସବୁକୁ ଦୂରେଇଥିଲା । ଅତ୍ଯଧିକ ଦୁର୍ବଳ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଧୂଳି ଥମିବାରେ ବିଳମ୍ବ ହୋଇଥିଲା । ଗତକାଲି ନିର୍ଦ୍ଧାରିତ ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରଯାନ କରିଥିଲା ସଫ୍ଟଲ୍ୟାଣ୍ଡିଂ । ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବାରେ ବି ଭାରତ ହୋଇଛି ବିଶ୍ବରେ ପ୍ରଥମ । ମିଶନ ମୁନର ସଫଳତା ପରେ ସାରା ଦେଶରୁ ଇସ୍ରୋ ଲାଗି ଛୁଟିଛି ଶୁଭେଚ୍ଛାର ସୁଅ ।
ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ୫ ଜଣିଆ ଟିମ୍ କରୁଛନ୍ତି ତନାଘନା
ରାୟଗଡ଼ା: ରାୟଗଡ଼ା ଡିଏଫଓଙ୍କ ଘରେ ଭିଜିଲାନ୍ସ ଛାପା । ରାୟଗଡ଼ା ବନଖଣ୍ଡ ଅଧିକାରୀ ବିଜୟ କୁମାର ପରିଡ଼ାଙ୍କ ସରକାରୀ ବାସଭବନରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରିଛି ଭିଜିଲାନ୍ସ । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି। ଡିଏଫଓଙ୍କ କଟକ ସଦର ଥାନା ଶ୍ରୀକୋରୁଆଁ ସ୍ଥିତ ସମ୍ପର୍କୀୟଙ୍କ ଘରେ ଚାଲିଛି ଛାନବିନ୍ । ଡିଏଫଓଙ୍କ ସମ୍ପର୍କୀୟ ସାରଦା ବେହେରାଙ୍କ ବାସଭବନ ଓ ବିବାହ ମଣ୍ଡପରେ ରେଡ୍ ଚାଲିଛି । ରାୟଗଡ଼ାରେ ଭିଜିଲାନ୍ସ ତରଫରୁ ୫ ଜଣିଆ ଟିମ୍ ଚଢାଉ କରୁଛନ୍ତି। ଭିଜିଲାନ୍ସ ଡିଏସପି ସନ୍ଧ୍ୟାରାଣୀ ସାହୁଙ୍କ ନେତୃତ୍ୱରେ ଏହି ଚଢାଉ ଆଜି ସକାଳୁ ଆରମ୍ଭ ହୋଇଛି। ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଥିଲେ ଭିଜିଲାନ୍ସ ଟିମ୍।
ଋଷିଆରେ ବିମାନ ଦୁର୍ଘଟଣା, ଓ୍ବାଗନର ଗ୍ରୁପ ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କର ମୃତ୍ୟୁ
ମସ୍କୋ: ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ସାମରିକ ବିଦ୍ରୋହ କରିଥିବା ଘରୋଇ ୱାଗନର ଗ୍ରୁପ୍ ମୁଖ୍ୟ ୟେଭେଗେନି ପ୍ରିଗୋଜିନଙ୍କର ଗତକାଲି ବିଳମ୍ବିତ ରାତିରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ବେସରକାରୀ ସେନା ୱାଗନର୍ ଗ୍ରୁପ୍ ମୁଖ୍ୟ ସମେତ ମୋଟ ୧୧ ଜଣ ଏହି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମସ୍କୋ ଉତ୍ତର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଋଷର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ କହିଛି ଯେ ଯାତ୍ରୀ ତାଲିକାରେ ପ୍ରିଗୋଜିନଙ୍କ ନାମ ରହିଛି । ଏହି ବିମାନ ମସ୍କୋରୁ ସେଣ୍ଟ ପିଟର୍ସବର୍ଗକୁ ଯାଉଥିଲା ।
ପ୍ରିଗୋଜିନ ଜୁନ୍ ମାସରେ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ପରେ ବୁଝାମଣା ପରେ ବେଲାରୁଷ୍ ପଳାଇଥିଲେ । ତେବେ ସେ କେବେ ଏବଂ କିଭଳି ପୁଣି ଋଷରେ ପହଞ୍ଚିଥିଲେ ତାହା ସ୍ପଷ୍ଟ ହୋଇନାହିଁ । ଦୁଇ ଦିନ ପୂର୍ବେ ପ୍ରିଗୋଜିନଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ତାଙ୍କର ଅବସ୍ଥିତି ନେଇ କିଛି ସ୍ପଷ୍ଟ ହୋଇନଥିଲା । ୧୯୬୧ରେ ସେଣ୍ଟ ପିଟର୍ସବର୍ଗରେ ଜନ୍ମଗ୍ରହଣ କରିଥିବା ପ୍ରିଗୋଜିନ ପୂର୍ବରୁ ପୁଟିନଙ୍କର ଅତି ଘନିଷ୍ଠ ଥିଲେ । ଏହି କାରଣରୁ ତାଙ୍କୁ ୟୁକ୍ରେନ୍ ପଠାଯାଇଥିଲା । ୱାଗନର ସେନାର ଭବିଷ୍ୟତ ଏବେ ଅନିଶ୍ଚିତତା ଭିତରକୁ ଚାଲିଯାଇଥିବା ବେଳେ ସେମାନଙ୍କୁ ଋଷ୍ ସେନାରେ ସାମିଲ କରାଯିବ କି ନାହିଁ ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ ।
ରାତି ଅଧରେ ଭାଙ୍ଗିଲା ପୋଖରୀବନ୍ଧ, ଗାଁ ଭିତରେ ପଶିଲା ୪ ଫୁଟର ପାଣି
କାମାକ୍ଷାନଗର: ରାତି ଅଧରେ ଭାଙ୍ଗିଲା ପୋଖରୀବନ୍ଧ । ଗାଁ ଭିତରେ ପଶିଲା ୪ ଫୁଟର ପାଣି । ପ୍ରାୟ ୨୦ ଫୁଟର ଘାଇ ଯୋଗୁ ଚାଷଜମିରେ ପାଣି ମାଡ଼ି ଯାଇଛି । ଫଳରେ ଏକର ଏକର ଧାନଚାଷ ନଷ୍ଟ ହେବା ନେଇ ଆଶଙ୍କା ଦେଖା ଦେଇଛି । କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତ ପଲ୍ଲୀସାଆନ୍ତାରାପୁର ଗାଁରେ ପୋଖରୀ ଭାଙ୍ଗି ଗାଁ ଭିତରେ ପଶିଲା ୪ ଫୁଟର ପାଣି । ଗାଁର ଦେଶକଟା ପୋଖରୀରେ ଗତକାଲିଠାରୁ ହୋଇଥିବା ଲଗାଣ ବର୍ଷା ଫଳରେ ଜଳଧାରଣ କ୍ଷମତାଠାରୁ ଅଧିକ ପାଣି ପ୍ରବାହିତ ହେବାରୁ ବନ୍ଧଟି ଭାଙ୍ଗିଯାଇଛି ।
ଚଳିତବର୍ଷ ପୋଖରୀଟି ମନରେଗା ଯୋଜନାରେ କାମ ହୋଇଥିବା ବେଳେ ଲଗାଣ ବର୍ଷାରେ ବନ୍ଧ ଭାଙ୍ଗିଯିବା ଏହାର କାର୍ଯ୍ୟଶୈଳୀ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଳିତବର୍ଷ କାମାକ୍ଷାନଗର ବ୍ଲକରେ କିଛିଦିନ ତଳେ ତୁମୁସିଙ୍ଗା ପୋଖରୀ ବନ୍ଧ ଭାଙ୍ଗିଥିବା ବେଳେ ଆଜି ପଲ୍ଲୀସାଆନ୍ତାରାପୁର ପୋଖରୀ ଭାଙ୍ଗିବା ଘଟଣା ମନରେଗା କାର୍ଯ୍ୟର ସ୍ଥାୟିତ୍ବ ଓ ବ୍ଲକ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।

