ଫ୍ଲାସ୍‌ ଫ୍ଲଡରେ ଛାରଖାର ହିମାଚଳ ପ୍ରଦେଶ, କୁଲ୍ଲୁରେ ତାସ ପତ୍ତା ଭଳି ଭୁଶୁଡ଼ିଲା ୭ କୋଠା

1 min read

କୁଲ୍ଲୁ: ପାହାଡ଼ରେ ପ୍ରଳୟଙ୍କରୀ ବନ୍ୟା । ହିମାଚଳ ପ୍ରଦେଶରେ ଫ୍ଲାସ ଫ୍ଲଡରେ ଛାରଖାର ପୂରା ରାଜ୍ୟ । କୁଲ୍ଲୁର ଆନି ବସଷ୍ଟାଣ୍ଡ ପାର୍ଶ୍ବରେ ୭ଟି ବହୁତଳ ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । ଭୂସ୍ଖଳନ ଯୋଗୁ ତାସ୍ ପତ୍ତା ଭଳି କୋଠା ଭୁଶୁଡ଼ି ପଡିଥିଲା । ବର୍ଷା, ବନ୍ୟା ଯୋଗୁ ଗତ ୨୪ ଘଣ୍ଟାରେ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ହିମାଚଳରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡରେ ଜଣେ ପ୍ରାଣ ହରାଇଛନ୍ତି । ଗତ ଜୁନ୍ ମାସରୁ ରାଜ୍ୟରେ ମୌସୁମୀ ବର୍ଷା ଯୋଗୁ ବିପର୍ଯ୍ୟୟ ଲାଗି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪୦୦ ଛୁଇଁଛି ।

ହିମାଚଳ ପ୍ରଦେଶର ଅଧିକାଂଶ ରାଜ୍ୟରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପାଇଁ ବାଦଲ ଫଟା ବର୍ଷା, ଫ୍ଲାସଫ୍ଲଡ ନେଇ ୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସିମଲା, କାଙ୍ଗରା, ଚାମ୍ବା, ମଣ୍ଡି, ସୋଲନ, ବିଳାସପୁର, କୁଲ୍ଲୁ ଆଦି ଜିଲ୍ଲାକୁ ଆଲର୍ଟ କରିଛି ପାଣିପାଗ ବିଭାଗ । ଅନ୍ୟ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଭୂସ୍ଖଳନ ଯୋଗୁ କୁଲ୍ଲୁ-ମଣ୍ଡି ହାଇଓ୍ବେ ଜାମ ହୋଇଥିବା ବେଳେ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି । ଫଳରେ ରାସ୍ତାରେ ଶହ ଶହ ଗାଡ଼ି ଫସିରହିଛି । ମଣ୍ଡି-ପଠାନକୋଟ ରାସ୍ତାରେ ବି ଅନେକ ଗାଡ଼ି ଅଟକି ରହିଛି । ରାଜ୍ୟରେ ୭୦୯ ରାସ୍ତାରେ ଗାଡ଼ି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ନଦୀ ଜଳସ୍ତର ଲଗାତାର ବୃଦ୍ଧି ପାଉଥିବା ବେଳେ ଭୂସ୍ଖଳନ ଯୋଗୁ ଅନେକ ରାସ୍ତା ବନ୍ଦ ରହିଛି ।