spot_img
Home Blog Page 2714

ନୂତନ ଜାତୀୟ ଶିକ୍ଷା ନୀତିକୁ ନେଇ ବଢ଼ୁଛି ବିବାଦ

ଭୁବନେଶ୍ବର: ବର୍ଷକୁ ଦୁଇଥର ହେବ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା । ଯାହା ନୂତନ ଜାତୀୟ ଶିକ୍ଷା ନୀତିର ଅଂଶ  । ହେଲେ ସବୁ ରାଜ୍ୟର ମତାମତ ନେବା ଆବଶ୍ୟକ ଥିଲା  । ଷ୍ଟ୍ରେସ ଦୂର କରିବା ନାଁରେ ବିନା ରିସର୍ଚ୍ଚରେ ନୂଆ ପଦ୍ଧତି ଲାଗୁ କଲେ, ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା ରହିଛି । ଦୁଇଟି ପରୀକ୍ଷାରୁ ଶ୍ରେଷ୍ଠ ରେଜଲ୍ଟକୁ ଫାଇନାଲ ଧରାଯିବ । ଏପରି କରି ଦଶମ ଓ ଦ୍ବାଦଶ ପରୀକ୍ଷାର ମହତ୍ବକୁ ଦୂରେଇବାକୁ ଜାତୀୟ ଶିକ୍ଷା ନୀତି ଦ୍ବାରା କେନ୍ଦ୍ର ସରକାର ଚକ୍ରାନ୍ତ କରୁଥିବା ଅନୁଭବ କରିଛନ୍ତି ଛାତ୍ରଛାତ୍ରୀ । ଏହା ଦ୍ବାରା ଭଲ ପଢ଼ୁଥିବା ଛାତ୍ରଛାତ୍ରୀର ପରିଶ୍ରମର ମହତ୍ବ ରହିବ ନାହିଁ । ହଠାତ ନୂତନ ପାଠ୍ୟ ପୁସ୍ତକ ପ୍ରଚଳନ ଓ ସଂସ୍କାର ବିନା ସଚେତନତାରେ କିପରି କେନ୍ଦ୍ର ସରକାର ଲାଗୁ କରିବାକୁ ଯାଉଛନ୍ତି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ଆସନ୍ତା ଶିକ୍ଷା ବର୍ଷରୁ ନୂଆ ଢାଞ୍ଚାରେ ପିଲାଏ ପରୀକ୍ଷା ଦେବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ରାଜ୍ୟର ଆଞ୍ଚଳିକ ସ୍କୁଲ ଗୁଡିକରେ ଅନିଶ୍ଚିତତା ପ୍ରକାଶ କଲାଣି । ଏନେଇ ଚୁଡାନ୍ତ ନୀତି ନିର୍ଦ୍ଧାରଣ ପରେ ସ୍ପଷ୍ଟତା ଆସିବ । ହେଲେ ଏହି ଢିଲାପଣ ଛାତ୍ରଛାତ୍ରୀଙ୍କ ଭିତରେ ଅନୁଶାସନ ଓ ପରୀକ୍ଷା ପ୍ରତି ପ୍ରତିଯୋଗିତା କମାଇ ଦେବ । ବାରମ୍ବାର ଶିକ୍ଷା ନୀତିରେ ପରିବର୍ତ୍ତନ ସହ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ ହେଲେ ଭବିଷ୍ୟତ କାର୍ଯ୍ୟନିଧି ନେଇ ଛାତ୍ରଛାତ୍ରୀ ଦ୍ବନ୍ଦ୍ବରେ ପଡିଛନ୍ତି । ପ୍ରବେଶିକା ଓ UPSC ପ୍ରସ୍ତୁତିରେ ଏହା ସହାୟକ ହେବ କି ବୋଲି ସେମାନେ ଚିନ୍ତାରେ ପଡିଛନ୍ତି । ପରୀକ୍ଷା ନୟନ୍ତ୍ରଣ ପ୍ୟାନେଲ ନୂତନ ଢାଞ୍ଚାକୁ ନେଇ ଚୟନ କରି ପାରିବେ କି ବୋଲି ପ୍ରଶ୍ନ ଉଠୁଛି । ଏହି ଦ୍ବନ୍ଦ୍ବ ଭିତରେ ପିଲାମାନଙ୍କୁ କିପରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ, ସେଥିପାଇଁ ଶିକ୍ଷକମାନେ ବି ଟେନସନରେ ପଡିଛନ୍ତି । ହଠାତ ନୂତନ ଢାଞ୍ଚା ନେଇ ଅବଗତ ନ କରି ଡବଲ ପରୀକ୍ଷା ବାଧକ ସାଜିପାରେ ବୋଲି ଶିକ୍ଷାବିତମାନେ ମତ ଦେଇଛନ୍ତି ।

ରାଜ୍ୟ ସରକାର ଏହାକୁ କିପରି ଲାଗୁ କରିବେ, ତାହା ଏଯାଏ ସ୍ପଷ୍ଟ ହୋଇନି । ପ୍ରତି ବର୍ଷ ରାଜ୍ୟ ବୋର୍ଡରୁ ପ୍ରାୟ ୫ଲକ୍ଷ ଓ ଯୁକ୍ତ ଦୁଇରୁ ସାଢେ଼ ତିନି ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଉଛନ୍ତି । ଅଭିଭାବକଙ୍କ ଅନୁସାରେ ଦୁଇ ଦୁଇଟି ପରୀକ୍ଷା ପିଲାଙ୍କ ଉପରେ ଅଧିକ ଚାପ ପକେଇବ । ସେପଟେ ବୃହତ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ନିୟମର ତର୍ଜମା ପରେ ନିଷ୍ପତି ନେବେ ରାଜ୍ୟ ସରକାର । ଡବଲ ବୋର୍ଡ ଯୋଗୁଁ କେଉଁଠି ନା କେଉଁଠି ଦଶମ ଶ୍ରେଣୀର ଗୁରୁତ୍ବ ହ୍ରାସ ପାଇବାର ସମ୍ଭାବନା ରହିଛି । ଖୋଦ କେନ୍ଦ୍ର ସରକାରଙ୍କ ଜବାହାର ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଓ ଭିତିଭୂମି ଅଭାବ ରହିଛି । ଏପରି ସ୍ଥିତିରେ ଗୋଟେ ଛାତ୍ରକୁ ଦୁଇ ଥର ସେହି ସମାନ ଉର୍ଜା ସହ ପଢାଇ ପାରିବେ ତ ଶିକ୍ଷକ ।

ଜାତୀୟ ଶିକ୍ଷା ନୀତିକୁ ତାମିଲନାଡୁ, କେରଳ ଓ କର୍ଣ୍ଣାଟକ ଭଳି ରାଜ୍ୟ ବିରୋଧ କରୁଛନ୍ତି । ଏବେ ଦୁଇ ଦୁଇଟି ବୋର୍ଡ ପରୀକ୍ଷା ନିଷ୍ପତ୍ତିକୁ ରାଜ୍ୟ ଗୁଡ଼ିକ ଆପଣେଇବେ ନା ସଂଶୋଧନ ପାଇଁ ଆବେଦନ କରିବେ । କେଉଁ ରାଜ୍ୟ ଏହାକୁ ଆପଣେଇ ପାରେ ତ କିଏ ପ୍ରତ୍ୟାଖାନ କରି ପାରନ୍ତି । ଏପରି ସ୍ଥିତିରେ ବଡ଼ ବଡ଼ କେନ୍ଦ୍ରୀୟ ଚାକିରିର ପରୀକ୍ଷା ପାଇଁ ରାଜ୍ୟ ଗୁଡିକ ପାଇଁ ଭିନ୍ନ ଭିନ୍ନ ପ୍ରଶ୍ନ ପ୍ରସ୍ତୁତ କରାଯିବ କି, ତାହା ବଡ଼ ପ୍ରଶ୍ନ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ୨୪ କ୍ୟାରେଟ୍ ସୁନା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ୨୪ କ୍ୟାରେଟ୍ ସୁନା। ସୁନା ପୁରୁଣା ହେଲେ ବି ଚମକ ହରାଏନି । ୫ଥର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ରହି ବି ଓଡ଼ିଶାବାସୀଙ୍କ ସେବାରେ କେବେ ଅବହେଳା କରିନାହାନ୍ତି। ମୁଖ୍ୟମନ୍ତ୍ରୀ ଏବେ ବିଜେଡିର ନେତା ନୁହଁନ୍ତି, ଲୋକଙ୍କ ନେତା। ବିକାଶ ପୁରୁଷ ନବୀନଙ୍କୁ ପୁଣି ଷଷ୍ଠ ଥର ପାଇଁ ରାଜ୍ୟବାସୀ ଆଶୀର୍ବାଦ କରିବେ। ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦ ନେସନ୍ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ଏପରି ଦାବି କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ମହିଳା ସଶକ୍ତିକରଣ, ସ୍ବାସ୍ଥ୍ୟସେବା, ଶିକ୍ଷା, ପ୍ରବାସୀ ଶ୍ରମିକଙ୍କ ଉନ୍ନତିକରଣ, ଗରିବଙ୍କ ଆୟ ବୃଦ୍ଧି, ଚାଷୀଙ୍କ ସମସ୍ୟା ଦୂର କରିବାରେ ମୁଖ୍ୟମନ୍ତ୍ରୀ ସଫଳ ହୋଇଛନ୍ତି। କେନ୍ଦ୍ରୀୟ ଅବହେଳା ସତ୍ତ୍ବେ ନିଜ ରାଜ୍ୟର ସ୍ବାଭିମାନକୁ ବଜାୟ ରଖିଛନ୍ତି। ରାଜ୍ୟରୁ ସବୁ ବର୍ଗର ଲୋକଙ୍କ ସମବିକାଶ ହେଉଛି ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ। ଧର୍ମାନୁଷ୍ଠାନଠୁ ଆରମ୍ଭ କରି ଆଧୁନିକ ଜ୍ଞାନକୌଶଳ, ବେରୋଜଗାରୀ ଦୂର, ଆର୍ଥିକ ପରିଚାଳନା, ଲୋକାଭିମୁଖୀ ଯୋଜନା ପାଇଁ ରାଜ୍ୟବାସୀଙ୍କ ପ୍ରଥମ ପସନ୍ଦ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ନେତା ଦେଶରେ ଅଦ୍ବିତୀୟ।

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ସହି ପାରୁନାହାନ୍ତି ବିରୋଧୀ। ସେଥିପାଇଁ ସବୁବେଳେ ଅପ୍ରସଙ୍ଗକୁ ପ୍ରସଙ୍ଗ କରିଚାଲିଛନ୍ତି । ନିର୍ବାଚନ ପରେ ନିର୍ବାଚନ ଆସୁଛି, ବିରୋଧୀଙ୍କ ଏହି ଚାଲ୍କୁ ବୁଝି ଭୋଟର ସବୁବେଳେ ବିଜେଡିକୁ କ୍ଷମତାସୀନ କରିଆସୁଛନ୍ତି । ଲୋକେ ବିକାଶ ଚାହାଁନ୍ତି , ଏହାହିଁ ମୁଖ୍ୟମନ୍ତ୍ରୀଙ୍କ ଶାସନର ମୂଳ ଆଭିମୁଖ୍ୟ ।

ଦେଶର ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ, ନମ୍ବର ଓ୍ବାନ୍ ପ୍ରଶାସକ। ନବୀନଙ୍କ ବିକଳ୍ପ ଏପର୍ଯ୍ୟନ୍ତ ରାଜ୍ୟରେ କେହି ନାହାନ୍ତି । ନିଜର ସରଳ ଜୀବନଶୈଳୀର ଚମକରେ ଆଜୀବନ ଲୋକସେବାକୁ ବ୍ରତ କରିଛନ୍ତି ନବୀନ। ଏପରି ଭୀଷ୍ମ ପ୍ରତିଜ୍ଞା ଆଗରେ ନିଷ୍ପ୍ରଭ ହେଉଛି ବିରୋଧୀଙ୍କ ସବୁ ଚାଲ୍।

 

ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡିଶା ପୋଲିସ

ଭୁବନେଶ୍ବର: ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଅପରାଧର ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଯୌନ ଶୋଷଣର ଶିକାର ହେବା ପରେ ଜଣେ ପିଡିତାଙ୍କୁ କିଭଳି ଦିଆଯାଇପାରିବ ତ୍ୱରିତ ନ୍ୟାୟ ? ପୋଲିସ ଡିଜିପିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଆରମ୍ଭ ହୋଇଛି ଟ୍ରେନିଂ ସେସନ ।

ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡିଶା ପୋଲିସ । ଇନଭେଷ୍ଟିଗେସନ ଅଫିସର ପଢିଲେ ଫରେନସିକ ଟେକ୍ନିକ । POCSO ଓ JJ ମାମଲାରେ ଖସି ପାରିବେନି ଅଭିଯୁକ୍ତ । ବଢିବ ଦଣ୍ଡବିଧାନ ହାର, କମିବ ଘୃଣ୍ୟ କାର୍ଯ୍ୟ । ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଶୋଷଣ ଘଟଣାରେ ଆଖିଦୃଶିଆ ଦଣ୍ଡବିଧାନ ହେଉନି । ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଓ ଗଳାବାଟ ରହୁଥିବାରୁ ୬୬ ପ୍ରତିଶତ କେସରେ ଖସିଯାଉଛନ୍ତି ଅଭିଯୁକ୍ତ । ଏସବୁକୁ ଦୃଷ୍ଟିରେ ରଖି ୟୁନିସେଫ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ସମ୍ପର୍କୀୟ ଏକ ଟ୍ରେନିଂ ସେସନ ଆରମ୍ଭ ହୋଇଛି । ତଦନ୍ତକାରୀ ଅଧିକାରୀଙ୍କୁ ପୋକ୍ସୋ, ଜୁଭେନାଇଲ ଜଷ୍ଟିସ, DNA ଏଭିଡେନ୍ସ ସମ୍ପର୍କୀୟ ଗୁରୁମନ୍ତ୍ର ଦେଇଛନ୍ତି ଡିଜିପି ।

ଫରେନସିକ ଇନଭେଷ୍ଟିଗେସନ ବେଳେ ସାକ୍ଷୀକୁ କିଭଳି ସୁରକ୍ଷା ଦିଆଯାଇପାରିବ ସେ ନେଇ ଆଲୋଚନା ହୋଇଛି । ସାଂପ୍ରତିକ ପରିସ୍ଥିତିରେ ଚିହ୍ନା ଜଣା ତଥା ନିକଟ ସମ୍ପର୍କୀୟମାନଙ୍କ ଦ୍ବାରା ଶିଶୁ ଓ ମହିଳା ଅପେକ୍ଷାକୃତ ଭାବେ ଯୌନ ଶୋଷରର ଶିକାର ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଲୋକ ଲଜ୍ଜା ଭୟରେ ଅନେକ ଘଟଣା ପଦାକୁ ଆସିପାରୁ ନାହିଁ । ନାର୍କୋ ଆନାଲିସିସ୍, ପଲିଗ୍ରାଫ, ବ୍ରେନ ଫିଙ୍ଗର ପ୍ରିଣ୍ଟିଙ୍ଗ ସହ ସସପେକ୍ଟ ଡିଟେକ୍ଟ ସିଷ୍ଟମ ରେ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ ଦିଗରେ ଗୁରୁତ୍ୱାରୋପ କରାଯାଇଛି । ସେହିପରି କ୍ରାଇମ ସିନ୍ ରିକ୍ରିଏସନ ବେଳେ ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ବୁଝାଇଥିଲେ ଏକ୍ସପର୍ଟ ।

 

ସ୍ବାଭିମାନର ସହ ବଞ୍ଚିବେ ବସ୍ତିବାସିନ୍ଦା

ଭୁବନେଶ୍ବର: ସ୍ବାଭିମାନର ସହ ବଞ୍ଚିବେ ବସ୍ତିବାସିନ୍ଦା । ସାରା ରାଜ୍ୟରେ ୧୦୧୦ଟି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେରେ ରୂପାନ୍ତରଣ କରାଯାଇଛି । ଏହି ରୂପାନ୍ତରିତ ବିଜୁ ଆଦର୍ଶ କଲୋନୀକୁ ଆସନ୍ତା କାଲି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାସ୍ତାଠାରୁ ଆରମ୍ଭ କରି ଲାଇଟ୍, ପାନୀୟ ଜଳ, ପାଇଖାନା ବ୍ୟବସ୍ଥା ସବୁକିଛି ଚକାଚକ୍ ହୋଇଛି । ବସ୍ତି ଆଉ ବସ୍ତି ନୁହଁ ବରଂ ସମସ୍ତ ମୌଳିକ ଭିତ୍ତିଭୂମି ସହିତ ଏକ ଆଦର୍ଶ ବସତିରେ ପରିଣତ ହୋଇଛି । ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚିତ । ୨୦୨୩ ମସିହା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର ।

ଚକୋଲେଟରେ ଚନ୍ଦ୍ରଯାନ-୩

ନନ୍ଦିଘୋଷ ବ୍ୟୁରୋ: ଚକୋଲେଟରେ ଚନ୍ଦ୍ରଯାନ-୩ । ଇସ୍ରୋର ସଫଳ ଉତକ୍ଷେପଣକୁ ନେଇ ସେଲିବ୍ରେସନ କଲା କ୍ଳବ ଚକଲେଟ ଦି ସ୍କୁଲ ଅଫ ବେକିଙ୍ଗ ଆଣ୍ଡ ଫାଇନ ପେଷ୍ଟ୍ରି ଆର୍ଟ । ୧୨ କେଜିରେ ତିଆରି ହୋଇଛି ଚନ୍ଦ୍ର ଯାନ । ଟାଇଟେନିୟମ ଡାଇ ଅକ୍ସସାଇଟ, ବେଲଜିୟମ ଚକଲେଟ ଓ କକୋ ବଟର ମିଶ୍ରଣରେ ପ୍ରସ୍ତୁତ ହୋଇଥିଲା ଚନ୍ଦ୍ରଯାନ-୩ । ଏହାକୁ ପ୍ରସ୍ତୁତ କରିବାକୁ ଦୁଇ ଦିନ ସମୟ ଲାଗିଥିବା ବେଳେ ୧୨ ହଜାର ଟଙ୍କା ଖର୍ଚ୍ଚ ହୋଇଛି । କ୍ଳବ ଚକୋଲେଟ ୧୦ ଜଣ ଟ୍ରେନର ତିଆରି କରିଥିଲେ । ଚକୋଲେଟରେ ଚନ୍ଦ୍ରଯାନ କରିବା ପଛରେ ହେଉଛି ଭାରତର ସଫଳତାର ଉତ୍ସବ ପାଳନ କରିବା ବୋଲି ଏହାର ସହ ପ୍ରତିଷ୍ଠାତା କହିଛନ୍ତି ।

ରାଜ୍ୟର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆରସିଏମ କଲେଜ

ଜଗତସିଂହପୁର: ରାଜ୍ୟର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଆରସିଏମ କଲେଜ । ୪୧ ବର୍ଷ ଧରି ଶିକ୍ଷାରେ ଉତ୍କର୍ଷ ହାସଲ କରିଥିବା ଏହି କଲେଜରେ MBA, MCA, PGDM, ମାଷ୍ଟର ଅଫ୍ ଟୁରିଜିମ୍ ଆଡମିନିଷ୍ଟ୍ରେସନ, BBA ଓ BCA ସହ ପ୍ଲସ୍ ପ୍ରୋଗ୍ରାମ ପ୍ରଦାନ କରାଯାଉଛି ।

ଅଗ୍ରଣୀ ଶିକ୍ଷାନୁଷ୍ଠାନ RCM କଲେଜ । ଏଠାରେ ୬୧ ରୁ ଅଧିକ ପିଏଚ୍‌ଡିଧାରୀ ଫାକଲ୍ଟି, ୩୯ ରୁ ଅଧିକ ସ୍ମାର୍ଟ କ୍ଳାସରୁମ୍ ୧୫ ହଜାର ୭୮୦ରୁ ଅଧିକ ଆଲୁମିନି, ପାଠାଗାରରେ ୬୦,୩୦୦ରୁ ଅଧିକ ପୁସ୍ତକ ଓ ୧ ଲକ୍ଷ ୩୫ ହଜାର ବର୍ଗଫୁଟର ଟେକ୍ନୋ କ୍ୟାମ୍ପସ୍ ରହିଛି । ବର୍ତ୍ତମାନ ସୁଦ୍ଧା ୫୪୦ରୁ ଅଧିକ କମ୍ପାନୀରେ ଛାତ୍ରଛାତ୍ରୀମାନେ ନିଯୁକ୍ତି ପାଇଛନ୍ତି । ଦୀର୍ଘ ୪୧ ବର୍ଷ ଧରି ପ୍ଲେସ୍‌ମେଣ୍ଟ୍‌ରେ ରେକର୍ଡ ୧୦୦ ପ୍ରତିଶତ ରହିଛି । ଆର୍‌ସିଏମ୍ ବିଭିନ୍ନ ସଂସ୍ଥାର ସ୍ବୀକୃତି ଓ ମାନ୍ୟତା ଥିବା ବେଳେ ଆନ୍ତର୍ଜାତିକ ଗବେଷଣା କେନ୍ଦ୍ର, ବିଶ୍ବବିଦ୍ୟାଳୟ ସହ ଛାତ୍ରଛାତ୍ରୀ ବିନିମୟ ପାଇଁ ସହଯୋଗିତା ରହିଛି । ଶିଳ୍ପର ଉଦୀୟମାନ ପ୍ରଯୁକ୍ତି ବିଷୟରେ ପିଲାମାନଙ୍କୁ ଦକ୍ଷତା ପ୍ରଦାନ କରାଯାଇଛି । ପିଲାମାନଙ୍କୁ ସାରା ବିଶ୍ବରେ ପ୍ରତିଷ୍ଠା ହାସଲ କରିବା ପାଇଁ  ସଦାସର୍ବଦା  ଆର୍‌ସିଏମ କଲେଜର ଚେଷ୍ଟା ଜାରି ରହିଛି ।

 

ବଢ଼ୁଛି ମୋ ଖତର ଆଦର

କଟକ: କଟକ ଜଗତପୁର ଅଞ୍ଚଳର ୪ଟି ଓ୍ବାର୍ଡରେ ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆର ସଫଳ ପ୍ରକ୍ରିୟାକରଣ କରି ଜୈବିକ ସାର ପ୍ରସ୍ତୁତ କରୁଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମାଆ । ଦୁଇଟି ଗ୍ରୁପର ୨୫ ଜଣ ଏସଏସଜି ମାଆ ଏହି ଅଳିଆରୁ ଜୈବିକ ସାର ବାହାର କରି ତାକୁ ପ୍ୟାକେଟ କରି ବିକ୍ରି କରୁଛନ୍ତି । ଏହାଦ୍ବାରା ଭଲ ରୋଜଗାର ସାଙ୍ଗକୁ ମିଳୁଛି ପରିବେଶ ଅନୁକୂଳ ସାର ।

ମୋ ଖତର ବଢୁଛି ଆଦର । ବରିବେଷ ଅନୁକୂଳ ଓ ଜୈବିକ ଖତ । ଘରେ ଘରେ ବ୍ୟବହାର କରୁଛନ୍ତି ଲୋକ । କଟକ ଜଗତପୁର ତ୍ରିନାଥ ସାହିରେ ପ୍ରତିଷ୍ଠା ହୋଇଛି ଅଳିଆ ବିଶୋଧନ ଓ ପ୍ରକ୍ରିୟାକରଣ ପ୍ଲାଣ୍ଟ । ଘରୁ ଘରୁ ସଂଗ୍ରହ ହେଉଥିବା ଅଳିଆରେ ଏସଏସଜି ମାଆମାନେ ପ୍ରସ୍ତୁତ କରୁଛନ୍ତି ପରିବେଶ ଅନୁକୂଳ ଜୈବିକ ସାର । ଆଖପାଖ ୪ଟି ଓ୍ବାର୍ଡରୁ ସଂଗୃହିତ ଓଦା ଓ ଶୁଖିଲା ଅଳିଆ ସିଏମସି ଗାଡିରେ ପ୍ଲାଣ୍ଟରେ ପହଞ୍ଚିଲା ପରେ ମାଆମାନେ ଏହାକୁ ଖେଳାଇ ଖରାରେ ଶୁଖାଉଛନ୍ତି । ପ୍ଲାଷ୍ଟିକ ଓ ଜରି ଅଲଗା କରି ତାକୁ ମୋସିନ ସାହାଯ୍ଯରେ ଛୋଟ ଛୋଟ ଖଣ୍ଡରେ ପରିଣତ କରି ଏହାର ଟ୍ରିଟମେଣ୍ଟ କରି ପ୍ରସ୍ତୁତ କରୁଛନ୍ତି ଗୁଣ୍ଡ ଜୈବିକ ସାର । ଏସବୁକୁ ପ୍ୟାକେଟ କରି ବଜାରକୁ ପଠାଯାଉଛି ।

ଏହି ପ୍ଲାଣ୍ଟରେ ଏବେ ଦୁଇଟି ଏସଏସଜି ଗ୍ରୁପ ର 25 ଜଣ ମହିଳା କାମ କରୁଛନ୍ତି । ସେମାନେ ଜୈବିକ ସାର ପ୍ରସ୍ତୁତ କରି ପ୍ୟାକେଟ କରି ଏହାକୁ ସିଏମସି ଜରିଆରେ ବଜାରକୁ ଛାଡୁଛନ୍ତି । ବଜାରରେ ମଧ୍ଯ ଏଭଳି ଜୈବିକ ସାରର ଭଲ ଚାହିଦା ରହିଛି । ଆଗାମୀ ଦିନରେ ଏଠାରେ ଏକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏହା ଅଧିକ କାମ ଯୋଗାଇ ଦେବ ବୋଲି କହିଛନ୍ତି ଏସଏଚଜି ମାଆ ।

 

ପୁଣି ବଢିଲା ହରଡ଼ ଡାଲି ଦର

ଭୁବନେଶ୍ବର: ପୁଣି ବଢିଲା ହରଡ଼ ଡାଲି ଦର। ୨୫ କିଲୋ ଡାଲି ପ୍ୟାକେଟର ପାଇକାରୀ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି ହୋଇଛି । ଫଳରେ କିଲୋ ୧୫୨ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ୧୭୦ ଟଙ୍କାରେ ବିକ୍ରି ହେଲାଣି। ଆଗକୁ ଡାଲି କିଲୋ ୨୦୦ଟଙ୍କା ଛୁଇଁପାରେ। ଏପରି ଆଶଙ୍କା ବ୍ୟକ୍ତ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ। ଜାଣିଶୁଣି କର୍ପୋରେଟ୍ ସଂସ୍ଥା କୃତ୍ରିମ ଅଭାବ ସୃଷ୍ଟି କରି ଡାଲିର ଦର ବଢାଉଥିବା ଅଭିଯୋଗ ହୋଇଛି। ସେପଟେ ହୋର୍ଡିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇଛନ୍ତି ରାଜ୍ୟ ସରକାର।

ଅମଳ ଅଛି ଆମଦାନୀ ବି ଠିକ୍ ହେଉଛି। ତଥାପି ଲଗାମ୍ ଛଡ଼ା ଡାଲି ଦର। ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ହୋର୍ଡିଂ କରୁଥିବାରୁ ନିୟନ୍ତ୍ରଣ ବାହାରକୁ ଗଲାଣି ଡାଲି ଦର। ଟମାଟୋ, ଜିରା, ପିଆଜ ପରେ ହରଡ଼ ଡାଲି ଓ ବୁଟ ଡାଲି ଦର ଆକାଶଛୁଆଁ ହେଲାଣି। ହରଡ଼ ଡାଲିର ପାଇକାରୀ ମୂଲ୍ୟରେ ୮୦୦ଟଙ୍କା ବୃଦ୍ଧି ହୋଇଛି। ଆଗକୁ ଆହୁରି ବଢିବ ଦର। ୧୫୨ଟଙ୍କାରେ ମିଳୁଥିବା ହରଡ଼ ଡାଲି ୧୭୦ ଟଙ୍କାରେ ବିକ୍ରି ହେଉଛି। ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ଡାଲି ହୋର୍ଡିଂ କରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରୁନାହାନ୍ତି କେନ୍ଦ୍ର ସରକାର। ଖୁଲମଖୁଲା ମୁନାଫାଖୋର ବଡ଼ କମ୍ପାନୀ ଡାଲିର ଦରକୁ ନିୟନ୍ତ୍ରଣ କରୁଛନ୍ତି। ସାଧାରଣ ଖାଉଟି, ଛୋଟ ବ୍ୟବସାୟୀଙ୍କୁ ଏସବୁ କମ୍ପାନୀ ଶୋଷୁଛନ୍ତି ଅଥଚ କେନ୍ଦ୍ର ସରକାର ନିଦାବିଷ୍ଣୁ ପାଲଟିଥିବା ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି।

ଡାଲି ଦର କେବେଠୁ ବଢିଲାଣି। ଅଥଚ କେନ୍ଦ୍ର ସରକାର କିଛି ବି ପଦକ୍ଷେପ ନେଉନାହାନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ କରିବା ସହ କର୍ପୋରେଟ୍ ସଂସ୍ଥାଙ୍କ ଉପରେ ଅଙ୍କୁଶ ଲଗାଇବା କେନ୍ଦ୍ରର ଦାୟିତ୍ବ । ଗରିବ ହୁଅନ୍ତୁ କି ଧନୀ ଦୈନଦିନ ଖାଦ୍ୟରେ ଡାଲି ମୁଖ୍ୟ ଖାଦ୍ୟ। ପିଆଜ ଦର ହୁ ହୁ ହୋଇ ବଢିବା ପରେ ରପ୍ତାନୀ ଉପରେ କଟକଣା ଲାଗିଲା। ତେବେ ପ୍ରଶ୍ନ ଉଠୁଛି, ଏଭଳି ସ୍ଥିତି ହେଉଛି କାହିଁକି? କାହିଁକି ଲୋକଙ୍କ ଆବଶ୍ୟକତା ଦେଖି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରୁନାହାନ୍ତି କେନ୍ଦ୍ର ସରକାର? ତେବେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସତର୍କ ଦୃଷ୍ଟି ରଖିଛି। କୌଣସି ବ୍ୟବସାୟୀ ହୋର୍ଡିଂ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଣି ଥରେ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର।

ଖାଲି ଡାଲି ନୁହଁ। ଚାଉଳ ଦର ବି ହୁ ହୁ ହୋଇ ବଢିଚାଲିଛି। ସ୍ଥିତି ଏମିତି ହେଲାଣି ଆଗକୁ ଆସୁଥିବା ପର୍ବପର୍ବାଣୀରେ ବଜାରରେ ସବୁ ସାମଗ୍ରୀର ଦର ଅହେତୁକ ଭାବେ ବଢିବ। ଲୋକଙ୍କ କ୍ରୟ ଶକ୍ତି କମିବା ସହିତ ବ୍ୟବସାୟୀଙ୍କ ବେପାର ବି ମନ୍ଦା ରହିବା ନେଇ ଆଶଙ୍କା ପ୍ରକାଶ ପାଇଛି ।

 

ପୂଜା ପାଇଁ ଯିବାକୁ ପଡ଼ିବନି ପୂଜକଙ୍କ ଘର, ଏଣିକି ଘରେ ବସି ଅନଲାଇନରୁ ଡକାଇପାରିବେ ନନା

ଭୁବନେଶ୍ବର: ଆସୁଛି ପାର୍ବଣ ରତୁ । ପୂଜା ପାଇଁ ନନାଙ୍କ ଘରକୁ ଯିବାକୁ ପଡିବନି । ଗୋଟିଏ କଲ୍ କଲେ ଫଟାଫଟ ମିଳିବେ ପୂଜାରୀ । ପୂଜାକୁ ନଜରରେ ରଖି ଜୟ ଓଡିଶା ପକ୍ଷରୁ ନିଆରା ପଦକ୍ଷେପ ନିଆଯାଇଛି । ଗିରିଦୁର୍ଗା ମନ୍ଦିରରେ ଉନ୍ମୋଚନ ହୋଇଛି ମୋ ପୁଜାରୀ ଡଟ କମ । ଓ୍ବେବସାଇଟ ଶୁଭାରମ୍ଭ ଅବସରରେ ଏକ ଯଜ୍ଞ ଆୟୋଜନ କରାଯାଇଥିଲା । ଏହି ଅବସରରେ ପୂଜାରୀଙ୍କୁ ତୁଳସୀ ଗଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯିବା ସହିତ ତୁଳସୀ ଯାତ୍ରା ଆୟୋଜନ ହୋଇଥିଲା । ଭୁବନେଶ୍ବରରେ ଯେଉଁ ଅଞ୍ଚଳରେ ଚାହିଁବେ ଘରେ ବସି ନିଜ ଅଞ୍ଚଳ ଓ ବିଭିନ୍ନ ପୂଜା କାର୍ଯ୍ୟ ପାଇଁ ପୁଜାରୀ ମାନଙ୍କ ସହ ଯୋଗଯୋଗ କରିପାରିବେ । ଓ୍ବେବସାଇଟରେ ପୂଜାରୀଙ୍କ ପୂରା ଠିକଣା ଉପଲବ୍ଧ ରହିଛି । ପ୍ରାଥମିକ ପାର୍ଯ୍ୟୟରେ ୪୦୦ ପୂଜାରୀ ଯୋଡି ହୋଇଛନ୍ତି । ଆଗାମୀ ଦିନରେ ଅନ୍ୟ ପୂଜାରୀ ଯୋଡ଼ିହେବା ପାଇଁ ସ୍ବତନ୍ତ୍ର ନମ୍ବର ୯୮୫୩୨୨୦୦୨୩ ଜାରି ହୋଇଛି । ଆଗକୁ ସାରା ରାଜ୍ୟ ଏହି ଓ୍ବେବସାଇଟକୁ କାର୍ଯ୍ଯକାରୀ କରିବା ପାଇଁ ଯୋଜନା କରାଯାଇଛି । ଏହା ଦ୍ବାରା ପୂଜାରୀ ମାନଙ୍କୁ ରୋଜଗାର ଯୋଗାଇବା ସହିତ ଗ୍ରାହକ ମାନଙ୍କୁ ସୁବିଧାରେ ସେବା ମିଳିବ ବୋଲି ଜୟ ଓଡିଶାର ସଭାପତି କହିଛନ୍ତି ।

ଚନ୍ଦ୍ରର ରହସ୍ୟ ଉପରୁ ଉଠିବ ପରଦା

ନନ୍ଦିଘୋଷ ବ୍ୟୁରୋ: ଚନ୍ଦ୍ରର ରହସ୍ୟ ଉପରୁ ଉଠିବ ପରଦା । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ରୋଭରର ଗତିବିଧି ଜାରି କରିଛି । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଥିବା ରହସ୍ୟକୁ ନେଇ ଅଧିକ ତଥ୍ୟ ସଂଗ୍ରହ କରୁଛି ରୋଭର ପ୍ରଜ୍ଞାନ । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମର ଧୀର ଅବତରଣ ଓ ଏହାପରେ ପର୍ଯ୍ୟାୟ କ୍ରମେ ସମସ୍ତ ଗତିବିଧିର ଫଟୋ ଓ ଭିଡିଓ ଜାରି କରୁଛି ଇସ୍ରୋ । ପୃଥିବୀର ୧୪ ଦିନ ଅର୍ଥାତ ଗୋଟିଏ ଚନ୍ଦ୍ର ଦିନ ରୋଭର କାର୍ଯ୍ୟ କରିବ । ଏହି ୧୪ ଦିନ ମଧ୍ୟରେ ଅନେକ କିଛି କାର୍ଯ୍ୟ ସଂପାଦନ କରିବ ରୋଭର । ସେପଟେ ଚନ୍ଦ୍ରରୁ ନୂଆ ତଥ୍ୟ ପଠାଇଛି ଚନ୍ଦ୍ରଯାନ-୩ । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଘୂରି ବୁଲିବା ସହ ମାଟିର ତାପମାତ୍ରା ରେକର୍ଡ କରି ରିପୋର୍ଟ ଦେଇଛି ଚାଷ୍ଟି ପେଲୋଡ । ଚନ୍ଦ୍ରସ ସରଫେସ ଥରମୋଫିଜିକାଲ ଏକ୍ସପେରିମେଣ୍ଟ ତାପମାତ୍ରା ପ୍ରୋଫାଇଲ ପ୍ରସ୍ତୁତ କରିଛି । ଗ୍ରାଫରେ ଚନ୍ଦ୍ରପୃଷ୍ଠର ତାପମାତ୍ରା ମାଇନସ ୧୦ରୁ ୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରେକର୍ଡ ହୋଇଛି । ମାଟିର ୧୦ ସେଣ୍ଟିମିଟର ପର୍ଯ୍ୟନ୍ତ ତାପମାତ୍ରାର ଗ୍ରାଫ୍ ଇସ୍ରୋ ଟୁଇଟରରେ ସେୟାର କରିଛି । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଥର ଲାଗି ଏଭଳି ଯାଞ୍ଚ କରାଯାଇଥିବା ବେଳେ ମାଟିର ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଗତ ୨୩ ତାରିଖରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବା ପରେ ଗବେଷଣା ଚଳାଇଛି ଚନ୍ଦ୍ରଯାନ-୩ ।