ଭୁବନେଶ୍ବର: ପୁଣି ବଢିଲା ହରଡ଼ ଡାଲି ଦର। ୨୫ କିଲୋ ଡାଲି ପ୍ୟାକେଟର ପାଇକାରୀ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି ହୋଇଛି । ଫଳରେ କିଲୋ ୧୫୨ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ୧୭୦ ଟଙ୍କାରେ ବିକ୍ରି ହେଲାଣି। ଆଗକୁ ଡାଲି କିଲୋ ୨୦୦ଟଙ୍କା ଛୁଇଁପାରେ। ଏପରି ଆଶଙ୍କା ବ୍ୟକ୍ତ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ। ଜାଣିଶୁଣି କର୍ପୋରେଟ୍ ସଂସ୍ଥା କୃତ୍ରିମ ଅଭାବ ସୃଷ୍ଟି କରି ଡାଲିର ଦର ବଢାଉଥିବା ଅଭିଯୋଗ ହୋଇଛି। ସେପଟେ ହୋର୍ଡିଂ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସତର୍କ କରାଇଛନ୍ତି ରାଜ୍ୟ ସରକାର।

ଅମଳ ଅଛି ଆମଦାନୀ ବି ଠିକ୍ ହେଉଛି। ତଥାପି ଲଗାମ୍ ଛଡ଼ା ଡାଲି ଦର। ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ହୋର୍ଡିଂ କରୁଥିବାରୁ ନିୟନ୍ତ୍ରଣ ବାହାରକୁ ଗଲାଣି ଡାଲି ଦର। ଟମାଟୋ, ଜିରା, ପିଆଜ ପରେ ହରଡ଼ ଡାଲି ଓ ବୁଟ ଡାଲି ଦର ଆକାଶଛୁଆଁ ହେଲାଣି। ହରଡ଼ ଡାଲିର ପାଇକାରୀ ମୂଲ୍ୟରେ ୮୦୦ଟଙ୍କା ବୃଦ୍ଧି ହୋଇଛି। ଆଗକୁ ଆହୁରି ବଢିବ ଦର। ୧୫୨ଟଙ୍କାରେ ମିଳୁଥିବା ହରଡ଼ ଡାଲି ୧୭୦ ଟଙ୍କାରେ ବିକ୍ରି ହେଉଛି। ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ଡାଲି ହୋର୍ଡିଂ କରି ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରୁନାହାନ୍ତି କେନ୍ଦ୍ର ସରକାର। ଖୁଲମଖୁଲା ମୁନାଫାଖୋର ବଡ଼ କମ୍ପାନୀ ଡାଲିର ଦରକୁ ନିୟନ୍ତ୍ରଣ କରୁଛନ୍ତି। ସାଧାରଣ ଖାଉଟି, ଛୋଟ ବ୍ୟବସାୟୀଙ୍କୁ ଏସବୁ କମ୍ପାନୀ ଶୋଷୁଛନ୍ତି ଅଥଚ କେନ୍ଦ୍ର ସରକାର ନିଦାବିଷ୍ଣୁ ପାଲଟିଥିବା ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି।

ଡାଲି ଦର କେବେଠୁ ବଢିଲାଣି। ଅଥଚ କେନ୍ଦ୍ର ସରକାର କିଛି ବି ପଦକ୍ଷେପ ନେଉନାହାନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ଦର ନିୟନ୍ତ୍ରଣ କରିବା ସହ କର୍ପୋରେଟ୍ ସଂସ୍ଥାଙ୍କ ଉପରେ ଅଙ୍କୁଶ ଲଗାଇବା କେନ୍ଦ୍ରର ଦାୟିତ୍ବ । ଗରିବ ହୁଅନ୍ତୁ କି ଧନୀ ଦୈନଦିନ ଖାଦ୍ୟରେ ଡାଲି ମୁଖ୍ୟ ଖାଦ୍ୟ। ପିଆଜ ଦର ହୁ ହୁ ହୋଇ ବଢିବା ପରେ ରପ୍ତାନୀ ଉପରେ କଟକଣା ଲାଗିଲା। ତେବେ ପ୍ରଶ୍ନ ଉଠୁଛି, ଏଭଳି ସ୍ଥିତି ହେଉଛି କାହିଁକି? କାହିଁକି ଲୋକଙ୍କ ଆବଶ୍ୟକତା ଦେଖି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରୁନାହାନ୍ତି କେନ୍ଦ୍ର ସରକାର? ତେବେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସତର୍କ ଦୃଷ୍ଟି ରଖିଛି। କୌଣସି ବ୍ୟବସାୟୀ ହୋର୍ଡିଂ କଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଣି ଥରେ ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟ ସରକାର।

ଖାଲି ଡାଲି ନୁହଁ। ଚାଉଳ ଦର ବି ହୁ ହୁ ହୋଇ ବଢିଚାଲିଛି। ସ୍ଥିତି ଏମିତି ହେଲାଣି ଆଗକୁ ଆସୁଥିବା ପର୍ବପର୍ବାଣୀରେ ବଜାରରେ ସବୁ ସାମଗ୍ରୀର ଦର ଅହେତୁକ ଭାବେ ବଢିବ। ଲୋକଙ୍କ କ୍ରୟ ଶକ୍ତି କମିବା ସହିତ ବ୍ୟବସାୟୀଙ୍କ ବେପାର ବି ମନ୍ଦା ରହିବା ନେଇ ଆଶଙ୍କା ପ୍ରକାଶ ପାଇଛି ।