ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡିଶା ପୋଲିସ

1 min read

ଭୁବନେଶ୍ବର: ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଅପରାଧର ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ରହିଛି । ଯୌନ ଶୋଷଣର ଶିକାର ହେବା ପରେ ଜଣେ ପିଡିତାଙ୍କୁ କିଭଳି ଦିଆଯାଇପାରିବ ତ୍ୱରିତ ନ୍ୟାୟ ? ପୋଲିସ ଡିଜିପିଙ୍କ ଅଧ୍ୟକ୍ଷତାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଆରମ୍ଭ ହୋଇଛି ଟ୍ରେନିଂ ସେସନ ।

ଯୌନ ପିପାଶୁଙ୍କ ଜିନା ହାରାମ କରିବ ଓଡିଶା ପୋଲିସ । ଇନଭେଷ୍ଟିଗେସନ ଅଫିସର ପଢିଲେ ଫରେନସିକ ଟେକ୍ନିକ । POCSO ଓ JJ ମାମଲାରେ ଖସି ପାରିବେନି ଅଭିଯୁକ୍ତ । ବଢିବ ଦଣ୍ଡବିଧାନ ହାର, କମିବ ଘୃଣ୍ୟ କାର୍ଯ୍ୟ । ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଓ ଶୋଷଣ ଘଟଣାରେ ଆଖିଦୃଶିଆ ଦଣ୍ଡବିଧାନ ହେଉନି । ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଓ ଗଳାବାଟ ରହୁଥିବାରୁ ୬୬ ପ୍ରତିଶତ କେସରେ ଖସିଯାଉଛନ୍ତି ଅଭିଯୁକ୍ତ । ଏସବୁକୁ ଦୃଷ୍ଟିରେ ରଖି ୟୁନିସେଫ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ପାଇଁ ଫରେନସିକ ଟେକ୍ନୋଲୋଜିର ଆବଶ୍ୟକତା ସମ୍ପର୍କୀୟ ଏକ ଟ୍ରେନିଂ ସେସନ ଆରମ୍ଭ ହୋଇଛି । ତଦନ୍ତକାରୀ ଅଧିକାରୀଙ୍କୁ ପୋକ୍ସୋ, ଜୁଭେନାଇଲ ଜଷ୍ଟିସ, DNA ଏଭିଡେନ୍ସ ସମ୍ପର୍କୀୟ ଗୁରୁମନ୍ତ୍ର ଦେଇଛନ୍ତି ଡିଜିପି ।

ଫରେନସିକ ଇନଭେଷ୍ଟିଗେସନ ବେଳେ ସାକ୍ଷୀକୁ କିଭଳି ସୁରକ୍ଷା ଦିଆଯାଇପାରିବ ସେ ନେଇ ଆଲୋଚନା ହୋଇଛି । ସାଂପ୍ରତିକ ପରିସ୍ଥିତିରେ ଚିହ୍ନା ଜଣା ତଥା ନିକଟ ସମ୍ପର୍କୀୟମାନଙ୍କ ଦ୍ବାରା ଶିଶୁ ଓ ମହିଳା ଅପେକ୍ଷାକୃତ ଭାବେ ଯୌନ ଶୋଷରର ଶିକାର ହେଉଥିବା ନେଇ ଉଦବେଗ ପ୍ରକାଶ ପାଇଥିଲା । ଲୋକ ଲଜ୍ଜା ଭୟରେ ଅନେକ ଘଟଣା ପଦାକୁ ଆସିପାରୁ ନାହିଁ । ନାର୍କୋ ଆନାଲିସିସ୍, ପଲିଗ୍ରାଫ, ବ୍ରେନ ଫିଙ୍ଗର ପ୍ରିଣ୍ଟିଙ୍ଗ ସହ ସସପେକ୍ଟ ଡିଟେକ୍ଟ ସିଷ୍ଟମ ରେ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ ଦିଗରେ ଗୁରୁତ୍ୱାରୋପ କରାଯାଇଛି । ସେହିପରି କ୍ରାଇମ ସିନ୍ ରିକ୍ରିଏସନ ବେଳେ ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟଶୈଳୀ ସମ୍ପର୍କରେ ବୁଝାଇଥିଲେ ଏକ୍ସପର୍ଟ ।