କଟକ: କଟକ ଜଗତପୁର ଅଞ୍ଚଳର ୪ଟି ଓ୍ବାର୍ଡରେ ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆର ସଫଳ ପ୍ରକ୍ରିୟାକରଣ କରି ଜୈବିକ ସାର ପ୍ରସ୍ତୁତ କରୁଛନ୍ତି ସ୍ବୟଂ ସହାୟିକା ଗୋଷ୍ଠୀର ମାଆ । ଦୁଇଟି ଗ୍ରୁପର ୨୫ ଜଣ ଏସଏସଜି ମାଆ ଏହି ଅଳିଆରୁ ଜୈବିକ ସାର ବାହାର କରି ତାକୁ ପ୍ୟାକେଟ କରି ବିକ୍ରି କରୁଛନ୍ତି । ଏହାଦ୍ବାରା ଭଲ ରୋଜଗାର ସାଙ୍ଗକୁ ମିଳୁଛି ପରିବେଶ ଅନୁକୂଳ ସାର ।

ମୋ ଖତର ବଢୁଛି ଆଦର । ବରିବେଷ ଅନୁକୂଳ ଓ ଜୈବିକ ଖତ । ଘରେ ଘରେ ବ୍ୟବହାର କରୁଛନ୍ତି ଲୋକ । କଟକ ଜଗତପୁର ତ୍ରିନାଥ ସାହିରେ ପ୍ରତିଷ୍ଠା ହୋଇଛି ଅଳିଆ ବିଶୋଧନ ଓ ପ୍ରକ୍ରିୟାକରଣ ପ୍ଲାଣ୍ଟ । ଘରୁ ଘରୁ ସଂଗ୍ରହ ହେଉଥିବା ଅଳିଆରେ ଏସଏସଜି ମାଆମାନେ ପ୍ରସ୍ତୁତ କରୁଛନ୍ତି ପରିବେଶ ଅନୁକୂଳ ଜୈବିକ ସାର । ଆଖପାଖ ୪ଟି ଓ୍ବାର୍ଡରୁ ସଂଗୃହିତ ଓଦା ଓ ଶୁଖିଲା ଅଳିଆ ସିଏମସି ଗାଡିରେ ପ୍ଲାଣ୍ଟରେ ପହଞ୍ଚିଲା ପରେ ମାଆମାନେ ଏହାକୁ ଖେଳାଇ ଖରାରେ ଶୁଖାଉଛନ୍ତି । ପ୍ଲାଷ୍ଟିକ ଓ ଜରି ଅଲଗା କରି ତାକୁ ମୋସିନ ସାହାଯ୍ଯରେ ଛୋଟ ଛୋଟ ଖଣ୍ଡରେ ପରିଣତ କରି ଏହାର ଟ୍ରିଟମେଣ୍ଟ କରି ପ୍ରସ୍ତୁତ କରୁଛନ୍ତି ଗୁଣ୍ଡ ଜୈବିକ ସାର । ଏସବୁକୁ ପ୍ୟାକେଟ କରି ବଜାରକୁ ପଠାଯାଉଛି ।

ଏହି ପ୍ଲାଣ୍ଟରେ ଏବେ ଦୁଇଟି ଏସଏସଜି ଗ୍ରୁପ ର 25 ଜଣ ମହିଳା କାମ କରୁଛନ୍ତି । ସେମାନେ ଜୈବିକ ସାର ପ୍ରସ୍ତୁତ କରି ପ୍ୟାକେଟ କରି ଏହାକୁ ସିଏମସି ଜରିଆରେ ବଜାରକୁ ଛାଡୁଛନ୍ତି । ବଜାରରେ ମଧ୍ଯ ଏଭଳି ଜୈବିକ ସାରର ଭଲ ଚାହିଦା ରହିଛି । ଆଗାମୀ ଦିନରେ ଏଠାରେ ଏକ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଏହା ଅଧିକ କାମ ଯୋଗାଇ ଦେବ ବୋଲି କହିଛନ୍ତି ଏସଏଚଜି ମାଆ ।