ଇସଲାମବାଦ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ବଡ଼ ଆଶ୍ବସ୍ତି । ଜେଲରୁ ମୁକୁଳିବା ପାଇଁ ବାଟ ଖୋଲିଛି । ତୋଷଖାନା ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି । ଏହାଦ୍ବାରା ତାଙ୍କୁ ଜାମିନରେ ମୁକୁଳାଇବାକୁ ଆଦେଶ ମିଳିଛି । ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏହି ମାମଲାରେ ୩ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ ନିମ୍ନ ଅଦାଲତ । ବୁଧବାର କୋର୍ଟରେ ହାଜର ହୋଇଥାନ୍ତେ ଇମ୍ରାନ । ତୋଷଖାନ ମାମଲାରେ ଇମ୍ରାନ ଖାନଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫ ବର୍ଷ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ।
ସୀମା ବିବାଦକୁ ନେଇ ଭାରତକୁ ଉସୁକାଉଛି ଚୀନ୍
ନୂଆଦିଲ୍ଲୀ : ସୀମା ବିବାଦକୁ ନେଇ ଭାରତକୁ ଉସୁକାଉଛି ଚୀନ । ସପ୍ତାହେ ପରେ ଭାରତରେ ଜି-୨୦ ସମ୍ମିଳନୀ ହେବାକୁ ଥିବା ବେଳେ ଏହା ପୂର୍ବରୁ ଔଦ୍ଧତ୍ୟ ଦେଖାଇଛି ପଡ଼ୋଶୀ ରାଷ୍ଟ୍ର । ୨୦୨୩ ସଂସ୍କରଣର ମାନଚିତ୍ର ଜାରି କରି ଅରୁଣାଚଳ ଓ ଅକସାଇ ଚୀନକୁ ନିଜର ବୋଲି ଦାବି କରିଛି ଡ୍ରାଗନ । ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଏହି ମ୍ୟାପ ଜାରି କରିଛି ।
ଯେଉଁଥିରେ କେବଳ ଅରୁଣାଚଳ ପ୍ରଦେଶ ନୁହେଁ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗର ମଧ୍ୟ ରହିଛି । ଭାରତର ଅରୁଣାଚଳ ପ୍ରଦେଶକୁ ଚୀନ୍ ଦକ୍ଷିଣ ତିବ୍ଦତ ବୋଲି ଦାବି କରୁଛି । ୧୯୬୨ ଯୁଦ୍ଧ ପରେ ଅରୁଣାଚଳ ପ୍ରଦେଶର ସୀମାରେ ଚୀନ ସେନା ମାଡି ଆସିଥିଲା । ସେହି ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରି ଆସୁଛି । ଗତ ୫ ବର୍ଷ ମଧ୍ୟରେ ଚୀନ ତୃତୀୟ ଥର ପାଇଁ ନୂଆ ମାନଚିତ୍ର ଜାରି କରିଛି ।
ଏହା ପୂର୍ବରୁ ୨୦୨୧ରେ ୧୫ଟି ସ୍ଥାନ ଏବଂ ୨୦୧୭ରେ ୬ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା ଚୀନ । ନିକଟରେ ବ୍ରିକ୍ସ ସମ୍ମିଳନୀରେ ମୋଦି-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା । ଏହି ସମୟରେ ଦୁଇ ନେତାଙ୍କ ମଧ୍ୟରେ ସୀମା ସୁରକ୍ଷା ନେଇ ଆଲୋଚନା ହୋଇଥିଲା । କିନ୍ତୁ ଭେଟଘାଟର କିଛି ଦିନ ପରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି । ଆସନ୍ତା ସପ୍ତାହରେ ଭାରତରେ ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଜି-୨୦ ସମ୍ମିଳନୀ ପୂର୍ବରୁ ଚୀନର ଏହି ହରକତକୁ ନିନ୍ଦା କରିଛି କଂଗ୍ରେସ ।
ସମୁଦ୍ର ମଧ୍ୟରେ ଶକ୍ତିଶାଳୀ ଭୂକମ୍ପ, ଥରିଲା ଇଣ୍ଡୋନେସିଆର ବାଲି ଓ ଲମ୍ବୋକ
ଜାକର୍ତ୍ତା: ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ, ଥରିଲା ଇଣ୍ଡୋନେସିଆ । ଶକ୍ତିଶାଳୀ ଭୂକମ୍ପ ସମୁଦ୍ର ଭିତରେ ହୋଇଛି ତଥାପି ସମୁଦ୍ର ପାଖାପାଖି ଅଞ୍ଚଳରେ ରହୁଥିବା ଲୋକେ ଭୟଭୀତ ହୋଇ ବିଲ୍ଡିଂରୁ ବାହାରକୁ ଚାଲି ଆସିଥିଲେ । ଇଣ୍ଡୋନେସିଆର ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜର ଉତ୍ତରରେ ଥିବା ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଆଜି ଭୋର ୪ଟା ସମୟରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୦ ଥିଲା।
ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ମାତାରାମଠାରୁ ୨୦୩ କିଲୋମିଟର ଦୂରରେ ହୋଇଥିବା ଜଣାପଡ଼ିଛି। ସମୁଦ୍ର ପତ୍ତନଠୁ ପ୍ରାୟ ୫୧୮ କିମି ଗଭୀରରେ ଭୂକମ୍ପ ହୋଇଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି। ସେହିପରି ଭୂକମ୍ପ ଯୋଗୁ ସୁନାମିର ଆଶଙ୍କା ନଥିବା ଇଣ୍ଡୋନେସିଆର ଭୂତତ୍ତ୍ୱ ବିଭାଗ ସ୍ପଷ୍ଟ କରିଛି।
ଗତ ବର୍ଷ ନଭେମ୍ବରରେ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରାନ୍ତରେ ଭୂକମ୍ପ ସୃଷ୍ଟି ହୋଇଥିବା ବେଳେ ଏଥିରେ ୩ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା। ସେତେବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଥିଲା। ଗତ ୨୦୦୫ ମସିହା ମାର୍ଚ୍ଚ ୨୮ ତାରିଖରେ ୮.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ୧୩ଶହରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିଲା । ତାହା ପୃଥିବୀର ସବୁଠୁ ଭୟଙ୍କର ଭୂକମ୍ପ ମଧ୍ୟରୁ ଚତୁର୍ଥ ଥିଲା।

