ଉପାନ୍ତ ଅଞ୍ଚଳରେ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା : ମାଲକାନଗିରି ଜିଲ୍ଲା ଗସ୍ତରେ ଅଭିଜ୍ଞ ଡାକ୍ତରୀ ଟିମ୍

ମାଲକାନଗିରି : ରାଜ୍ୟର ଉପାନ୍ତ ଅଞ୍ଚଳରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା । ଆଜି ଅଭିଜ୍ଞ ଡାକ୍ତରୀ ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି। ଜିଲ୍ଲାରେ ଆୟୋଜିତ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିରରେ ଲୋକମାନଙ୍କୁ ବହୁ ଜଟିଳ ରୋଗର ଉପଚାର ସୁବିଧାରେ ଯୋଗାଇ ଦିଆଯାଉଛି । ଉତ୍ତମ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ନେଇ  ବିଭିନ୍ନ ବିଭାଗରୁ ୫ଟି ବଛା ବଛା ଡାକ୍ତର ମାଲକାନଗିରିକୁ ଯାଇଛନ୍ତି । ପ୍ରଖ୍ୟାତ ନେଫ୍ରୋଲୋଜିଷ୍ଟ, ଜେନେରାଲ ସର୍ଜରୀ ବିଶେଷଜ୍ଞ, କାର୍ଡିଓଲୋଜିଷ୍ଟ, ରେଡିଓଲୋଜିଷ୍ଟ, ଆନାସ୍ଥେସିଆ ବିଶେଷଜ୍ଞ ଆଦି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟସେବା ଯୋଗାଇ ଦେବେ ।

ମାଲକାନଗିରି ଭଳି ଆଦିବାସୀବହୁଳ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟସେବା ଲୋକଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ୁଥିଲା । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ଡାକ୍ତରମାନେ ଆଦିବାସୀ ଇଲାକାରେ ପହଞ୍ଚି ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ପଞ୍ଜିକରଣ କରିଥିବା ରୋଗୀମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ ।