ଯାଜପୁର ଗସ୍ତରେ 5T ସଚିବ , ସରକାରୀ ଯୋଜନା ସମ୍ପର୍କରେ କଲେ ସଚେତନ

1 min read

ଯାଜପୁର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି.କେ ପାଣ୍ଡିଆନ ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତରେ ଯାଇଛନ୍ତି । ଆଜି ଗସ୍ତର ପ୍ରଥମ ଦିନରେ ଫାଇଭ-ଟି ସଚିବ କୋରାଇ ନିର୍ବାଚନମଣ୍ଡଳୀର ଚାନ୍ଦମା ଖେଳ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ସଭାରେ ଯୋଗଦେଇଥିଲେ ।‌ ଶଙ୍ଖ ହୁଳହୁଳି ସହ ପୁଷ୍ପ ବର୍ଷା କରି ସ୍ବାଗତ କରିଥିଲେ ମହିଳା । ରାକ୍ଷୀ ବାନ୍ଧିଥିଲେ ମିଶନ ଶକ୍ତି ମାଆ । 5T ସଚିବ ମିଶନ ଶକ୍ତି ମହିଳାଙ୍କ ସମସ୍ୟା ଶୁଣିବା ସହ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ସମ୍ପର୍କରେ ମିଶନ ଶକ୍ତି ମା’ମାନଙ୍କୁ ସଚେତନ କରାଇଛନ୍ତି ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମିଶନ ଶକ୍ତି ବ୍ଲକ ଫେଡେରେସନଗୁଡ଼ିକୁ ଖୁବଶୀଘ୍ର ଗାଡ଼ି ଯୋଗାଇ ଦିଆଯିବ । ଯାଜପୁର ଜିଲ୍ଲାରେ ମିଶନ ଶକ୍ତି ମାଆମାନଙ୍କୁ ୫୪୦ କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି । କେବଳ ୨୦୨୦-୨୧ ବର୍ଷରେ ଯୋଗାଇ ଦିଆଯାଇଛି ୧୮୦ କୋଟି ଟଙ୍କା ଋଣ । ସ୍କୁଟି ପାଇଁ ୧୭୦୦ ଆବେଦନ ପତ୍ର ଆସିଛି । ସବୁ ସରକାରୀ ଅଧିକାରୀଙ୍କ ଗାଡି ଅଛି । ଏଥିପାଇଁ ମିଶନଶକ୍ତି ବ୍ଳକ ଫେଡେରେସନଙ୍କୁ ସ୍କଟି ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆପଣ ଦୌଡିଲେ ଅଧିକ ବ୍ୟବସାୟ ହେବ ବୋଲି କହିଛନ୍ତି 5T ସଚିବ । ଲାଭ ଭଲ ହେଲେ ପିଲାମାନେ ଭଲରେ ରହିବେ । ପିଲାର ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହେବ ବୋଲି କହିଛନ୍ତି 5T ସଚିବ । ମୁଖ୍ୟମନ୍ତ୍ରୀ ୩ଟି ନୂଆ ନିଷ୍ପତ୍ତି ନେଇଛନ୍ତି । ଏମବିକେ ଓ ସିଆରପିଙ୍କ ଦରମା ବଢିବ । ୧୦୦ ପ୍ରତିଶତ ଦରମା ସରକାର ବହନ କରିବେ ।

ମହିଳାଙ୍କ ପାଇଁ ୧୮୦ ଦିନ ପାଇଁ ମାତୃତ୍ବକାଳୀନ ଛୁଟି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ୬ ମାସ କାମ ନକରି ଦରମା ପାଇବେ । ସେହିପରି ପରିଚୟ ପାଇଁ ସମସ୍ତ ଙ୍କୁ ସ୍ମାର୍ଟ ଆଇଡି କାର୍ଡ ଦିଆଯିବ । ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଏଭଳି ସୁବିଧା ଦେଉଛନ୍ତି । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୧୫ ହଜାରରୁ ଉର୍ଦ୍ଧ୍ବ ମିଶନ ଶକ୍ତିର ମହିଳାମାନେ ସାମିଲ ହୋଇଥିଲେ। ଫାଇଭ-ଟି ସଚିବଙ୍କ ଗସ୍ତ ନେଇ ଲୋକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।