ଭୁବନେଶ୍ବର: ଶିଶୁପାଳଗଡ଼ ହଣା କଟା ଘଟଣାରେ ସାମ୍ନାକୁ ଆସିଲା CCTV । । ହାତରେ ଖଣ୍ଡା ଧରି ୩ରୁ ୪ ଜଣ ଯୁବକ ବୁଲୁଛନ୍ତି । ଯାହାକୁ ପାରୁଛନ୍ତି ଗୋଡେଇ ଗୋଡେଇ ହାଣୁଛନ୍ତି । ଆକ୍ରମଣରେ ୬ ଜଣ ଆହତ ହୋଇଛନ୍ତି । ସେପଟେ ଅପରାଧୀଙ୍କୁ ଧରିବାରେ ପୋଲିସର ନିଷ୍କ୍ରିୟତା ବିରୋଧରେ ସୋମବାର ରାତିରେ ମେନ ରୋଡ୍ ବନ୍ଦ କରିଥିଲେ ଶିଶୁପାଳଗଡ଼ ଗ୍ରାମବାସୀ । ଶିଶୁପାଳଗଡ଼ ଗେଟ ସମ୍ମୁଖରେ ଲୋକେ ରାସ୍ତାରୋକ କରିଥିଲେ । ଫଳରେ ଦୁଇ ପଟୁ ପୁରୀ ଓ ଭୁବନେଶ୍ବର ଯାଉଥିବା ଶହ ଶହ ଗାଡି ଅଟକି ରହିଥିଲା । ସୋମବାର ରାତି ସାଢ଼େ ୯ଟାରେ ୩ରୁ ୪ ଜଣ ଯୁବକ ଶିଶୁପାଳଗଡ଼ ଓ ନୂଆଗାଁ ରାଜରାସ୍ତାରେ ଗୋଡେଇ ଗୋଡେଇ ହାଣିଥିଲେ । ଲୋକେ ଧଉଳି ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ଜଣାଇଥିଲେ । ହେଲେ ପହଞ୍ଚିଥିଲେ ଥାନା ଅଧିକାରୀ, ନା ପହଞ୍ଚିଥିଲା ପିସିଆର । ଫଳରେ ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ବନ୍ଦ କରିଥିଲେ ।
ରୋହିତଙ୍କ ଅଧିନାୟକତ୍ବକୁ ନେଇ ଏହିସବୁ ପ୍ରଶ୍ନ ଉଠାଇଲେ ପୂର୍ବତନ କ୍ରିକେଟର
ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ରୋହିତଙ୍କ ଅଧିନାୟକତ୍ବ ସାଙ୍ଗକୁ ବିଶ୍ବକପରେ ଭାରତୀୟ ଦଳର ପ୍ରଦର୍ଶନ ପାଇଁ ସେ ଆଗୁଆ ଦେଇଛନ୍ତି ଗୁରୁମନ୍ତ୍ର । ଗାଭାସ୍କର କହିଛନ୍ତି କି, ଆାଗାମୀ ୩ମାସ ଭାରତୀୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । ଯେଉଁଥିରେ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱର ପ୍ରକୃତ ପରୀକ୍ଷା ହେବ। ଯେତେବେଳେ ଦଳ ୨୦୨୨ ମସିହାରେ ରୋହିତଙ୍କ ଅଧିନାୟକତ୍ୱରେ ଟି -20 ବିଶ୍ୱକପ୍ ଖେଳିଥିଲା, ସେତେବେଳେ ସେମିଫାଇନାଲରେ ପରାଜୟ ସହିତ ଯାତ୍ରା ଶେଷ ହୋଇଥିଲା । ବର୍ତ୍ତମାନ ଜଣେ ଅଧିନାୟକ ଭାବରେ ନିଜକୁ ପ୍ରମାଣ କରିବା ପାଇଁ ରୋହିତଙ୍କ ପାଇଁ ଆଗାମୀ ଦୁଇଟି ଟୁର୍ଣ୍ଣାମେଣ୍ଟ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ।
ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ସୁନୀଲ ଗାଭାସ୍କର କହିଛନ୍ତି କି, ତୁମେ ଜିତିଥିବା ଟ୍ରଫି ସଂଖ୍ୟା ଆଧାରରେ ତୁମର ଅଧିନାୟକତ୍ୱର ମୂଲ୍ୟାଙ୍କନ କରାଯାଏ। ଯଦି ରୋହିତ ଏହି ଆଗାମୀ ଟୁର୍ନାମେଣ୍ଟରେ ଜିତିବାରେ ସଫଳ ହୁଅନ୍ତି, ତେବେ ସେ ନିଜକୁ ମହାନ ଅଧିନାୟକଙ୍କ ମଧ୍ୟରେ ଗଣିବାକୁ ସମର୍ଥ ହେବେ |
ଟିମ୍ ଇଣ୍ଡିଆ ବିଷୟରେ ସୁନୀଲ ଗାଭାସ୍କର କହିଛନ୍ତି ଯେ ବର୍ତ୍ତମାନ ଦଳରେ ଅଲରାଉଣ୍ଡର ଖେଳାଳିଙ୍କ ଅଭାବ ରହିଛି। ଗାଭାସ୍କର କହିଛନ୍ତି ଯେ ଯଦି ଆପଣ ୧୯୮୩ , ୧୯୮୫ ଏବଂ ୨୦୧୧ର ଟିମ ଦେଖନ୍ତି ତାହେଲେ ଅଲରାଉଣ୍ଡର ଖେଳାଳିଙ୍କ ସଂଖ୍ୟା ବହୁତ ଅଧିକ ଥିଲା | ଏଥିରେ ଏପରି ବ୍ୟାଟ୍ସମ୍ୟାନ୍ ଥିଲେ ଯେଉଁମାନେ ୭ ରୁ ୮ ଓଭର ମଧ୍ୟ ବୋଲିଂ କରିପାରନ୍ତି। ୨୦୧୧ ବିଶ୍ବକପ ଟିମରେ ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହୱାଗ, ଯୁବରାଜ ସିଂ ଏବଂ ସୁରେଶ ରାଇନା ରହିଥିଲେ ଯେଉଁମାନେ ବୋଲିଂରେ ଉପଯୋଗୀ ପ୍ରମାଣ କରିଥିଲେ। ଏହା ଦଳର ବିଜୟରେ ସହାୟକ ହୋଇଥିଲା ।
ଭାରତ ଫେରିଲେ ଜାଭେଲିନ୍ ଷ୍ଟାର ଓଡ଼ିଆ ପୁଅ କିଶୋର ଜେନା
ନନ୍ଦିଘୋଷ ବ୍ୟୁରୋ: ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣି ଭାରତ ଫେରିଛନ୍ତି ଜାଭେଲିନ ଷ୍ଟାର ଓଡ଼ିଆ ପୁଅ କିଶୋର ଜେନା । ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ ପ୍ରଥମ ଓଡିଆ ଭାବେ ରାଜ୍ୟକୁ ପ୍ରତିନିଧିତ୍ବ କରିଥିଲେ କିଶୋର । ଫାଇନାଲରେ ପହଞ୍ଚି ନିଜର ଦମଦାର ପ୍ରଦର୍ଶନ ବଳରେ ପଞ୍ଚମ ସ୍ଥାନ ହାସଲ କରିଥିଲେ । ଭାରତ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି କିଶୋର । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ରାଶି ଆଗକୁ ବଢିବାକୁ ପ୍ରେରଣା ଯୋଗାଇବ । ଓଡ଼ିଶା ସରକାର କ୍ରୀଡା ବିକାଶକୁ ଅଧିକ ଗୁରୁତ୍ବ ଦେଉଛନ୍ତି । ପୂର୍ବରୁ ଓଡ଼ିଶା ଅନେକ ଖେଳରେ ଭଲ ପ୍ରଦର୍ଶନ କରିଛି । କିନ୍ତୁ ଜାଭେନିଲ ଥ୍ରୋରେ ପ୍ରଥମ ଓଡ଼ିଆ ଭାବେ ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ ଭାଗନେଇ ଗୌରବ ମନେ କରିଛନ୍ତି କିଶୋର । ଆଗକୁ ଏସିଆ ଗେମ୍ସ ପାଇଁ ପ୍ରସ୍ତୁତି ଚଳାଇଛି ବୋଲି କିଶୋର କହିଛନ୍ତି ।
କଥା ରଖିଲେ 5T ସଚିବ
ଭୁବନେଶ୍ବର: ଦେବଗଡ଼ ଜିଲ୍ଲାରେ ସ୍ବାସ୍ଥ୍ୟକ୍ଷେତ୍ରକୁ ବୁଷ୍ଟର ଡୋଜ୍ । ପ୍ରତିଶ୍ରୁତି ରଖିଲେ 5T ସଚିବ ଭିକେ ପାଣ୍ଡିଆନ୍ । ଦେବଗଡ଼ରେ ୧୦ଟି ବିଭାଗରେ ମିଳିଲା ସ୍ବତନ୍ତ୍ର ଡାକ୍ତରଙ୍କୁ ନିଯୁକ୍ତି । ସର୍ଜରୀ, ଶିଶୁ ବିଭାଗ, ଆନେସ୍ଥାସିଆ, ମାନସିକ, ଅସ୍ଥିଶଲ୍ୟ, ଇଏନଟି, ଚକ୍ଷୁ, ଫୁସଫୁସ, ଭେଷଜ ଓ ଦନ୍ତ ବିଭାଗରେ ନିଯୁକ୍ତି ଦିଆଯାଇଛି । ଦେବଗଡ଼ ଗସ୍ତ ସମୟରେ ଲୋକେ 5T ସଚିବଙ୍କ ନିକଟରେ ଦାବି କରିଥିଲେ । ଯାହାକୁ ପୂରଣ କରିଛନ୍ତି 5T ସଚିବ । କାଉନସିଲିଂ ମାଧ୍ୟମରେ ଏହି ୧୦ଟି ବିଭାଗରେ ଡାକ୍ତରଙ୍କୁ ମିଳିଛି ନିଯୁକ୍ତି ।
ଜାଣନ୍ତୁ ଆସନ୍ତାକାଲି କେତେବେଳେ ବାନ୍ଧିବେ ରାକ୍ଷୀ
ଭୁବନେଶ୍ବର: ରାତି ପାହିଲେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ରକ୍ଷା ବନ୍ଧନକୁ ଏବେ ଦ୍ବନ୍ଦ୍ବ ଆରମ୍ଭ ହୋଇଛି । କେଉଁ ବାର ଓ କେଉଁ ସମୟରେ ରକ୍ଷାବନ୍ଧନ ପାଳନ ହେବ ତାକୁ ନେଇ ଏବେ ଭାଇ ଓ ଭଉଣୀ ଚିନ୍ତାରେ । କିଛି ଲୋକ ଆସନ୍ତାକାଲି ରକ୍ଷାବନ୍ଧନ ପାଳନକୁ ବାରଣ କରୁଥିବା ବେଳେ, ଆଉ କିଛି ସପକ୍ଷରେ ଅଛନ୍ତି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରାକ୍ଷୀ ପୂର୍ଣ୍ଣିମା ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ତିଥି ଏବଂ ଅପରାହ୍ନରେ ପାଳନ କରିବା ଶୁଭ ହୋଇଥାଏ । କିନ୍ତୁ ଏହି କଥାର ଧ୍ୟାନ ରଖିବା ମଧ୍ୟ ବହୁତ ଜରୁରୀ, କାରଣ ଏହି ସମୟରେ ଭଦ୍ରା କାଳ ନଥିବା ଆବଶ୍ୟକ । ଯଦି ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଛି, ତେବେ ସେହି ସମୟରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ । ହିନ୍ଦୁ ପାଞ୍ଜି ଗଣନା ଅନୁସାରେ ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଶ୍ରାବଣର ପୂର୍ଣ୍ଣିମା ତିଥି ସହିତ ଭଦ୍ରାକାଳ ମଧ୍ୟ ଆରମ୍ଭ ହୋଇଯାଉଛି । ୩୦ ଅଗଷ୍ଟ ରାତି ୯.୦୨ ମିନିଟ ପର୍ଯ୍ୟନ୍ତ ଏହି ଭଦ୍ରାକାଳ ରହିବ । ରାକ୍ଷୀ ସବୁବେଳେ ସଠିକ ସମୟ ଏବଂ ଠିକ ମୁହୂର୍ତ୍ତରେ ବାନ୍ଧିବା ଶୁଭ ହୋଇଥାଏ । ତେବେ ଏଥର ଭଉଣୀ ଟିଏ କେଉଁ ଦିନ କେଉଁ ସମୟରେ ଭାଇ ହାତରେ ରାକ୍ଷୀ ବାନ୍ଧିବେ ସେ ନେଇ ଜ୍ୟୋତିର୍ବିଦମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ବୁଧବାର ରାକ୍ଷୀ ବାନ୍ଧିବା ପାଇଁ ଅନେକ ଜ୍ୟାତିଷମାନେ କହିଛନ୍ତି ।
ଜେଲରେ ରହି ପାଠ ପଢ଼ୁଛି ପୁଞ୍ଜିଲାଲ
ବଲାଙ୍ଗୀର: ବଲାଙ୍ଗୀର ଜେଲରେ ସାମ୍ବାଦିକତା ପରୀକ୍ଷା ଦେଉଛି ପାଟଣାଗଡ଼ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଓଡ଼ିଶା ଷ୍ଟେଟ ଓପନ ୟୁନିଭର୍ସିଟି ଅଧୀନରେ MJMC ପରୀକ୍ଷା ଦେଉଛି ପୁଞ୍ଜିଲାଲ । ପୂର୍ବରୁ ପ୍ରଥମ ସେମିଷ୍ଟର ଦେଇସାରିଥିବା ବେଳେ ମଙ୍ଗଳବାର ଦ୍ବିତୀୟ ସେମିଷ୍ଟର ଦେଇଛି । ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଅଧ୍ୟାପକ ପରୀକ୍ଷା ଦାୟିତ୍ଵ ତୁଲାଇଛନ୍ତି । ୱାର୍ଡର ଓ ଅନ୍ୟ ଜେଲ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିଥିଲେ । ମଙ୍ଗଳବାର ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଗାମୀ ୪ ଦିନ ଧରି ପରୀକ୍ଷା ଚାଲିବ ।
ବଢ଼ିଲା ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ
ଭୁବନେଶ୍ବର: ବଢ଼ିଲା ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ । ସରକାରୀ ମେଡିକାଲ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡରେ ୫୦ପ୍ରତିଶତ ବୃଦ୍ଧି କଲା ସ୍ୱାସ୍ଥ୍ୟ ବିଭାଗ । ତତ୍କାଳ ଲାଗୁ ହେବ ଷ୍ଟାଇପେଣ୍ଡ ବୃଦ୍ଧି । ୨୦୨୧ ଜାନୁଆରୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ହାଉସ ସର୍ଜନମାନେ ଷ୍ଟାଇପେଣ୍ଡ ପାଉଥିଲେ । ପରେ ସେମାନଙ୍କ ଅଭିଯୋଗ ଅନୁସାରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।ଏନେଇ ଅର୍ଥ ବିଭାଗକୁ ମଧ୍ୟ ଅବଗତ କରାଯାଇଛି ।
ରାଜଗାଙ୍ଗପୁର ରେଳ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆରମ୍ଭ ହେଲା ଜମି କିଣା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ରେଳ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆରମ୍ଭ ହେଲା ଜମି କିଣା । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ରାଜଗାଙ୍ଗପୁର ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ନିଜସ୍ବ ପାଣ୍ଠିରୁ ଜମି କିଣା ଆରମ୍ଭ ହୋଇଛି । ସୋମବାର ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ଉପସ୍ଥିତିରେ ୪ ଜଣଙ୍କଠାରୁ ୮ ଦଶମିକ ୫ ଡେସିମିଲ ଜମି କିଣାଯାଇଛି । ଓଭର ବ୍ରିଜ ପାଇଁ ୨ ଦଶମିକ ୭୫ ଏକର ଜମି ଆବଶ୍ୟକ । ଏଥିପାଇଁ ରାଜ୍ୟ ସରକାର ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚ କରିବେ । ଗତ ମାର୍ଚ୍ଚ ମାସରେ 5T ସଚିବ ଭି. କେ ପଣ୍ଡିଆନଙ୍କ ରାଜଗାଙ୍ଗପୁର ଗସ୍ତ ସମୟରେ ସ୍ଥାନୀୟ ଲୋକମାନେ ଓଭର ବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ସମସ୍ୟା ନେଇ ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଏହା ଜଣାଇଥିଲେ 5T ସଚିବ । ଏହାପରେ ରେଳ ଓଭର ବ୍ରିଜ କାମ ତ୍ବରାନ୍ବିତ କରିବା ପାଇଁ ଆଉ ଜମି ଅଧିଗ୍ରହଣ ନୁହେଁ, ଲୋକଙ୍କଠାରୁ ରାଜ୍ୟ ସରକାର ସିଧାସଳଖ ଜମି କିଣିବେ ବୋଲି ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହାପରେ ଗତକାଲିଠାରୁ ଜମି କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍ ଜମି କିଣା ପରେ ରେଳ ଓଭର ବ୍ରିଜ କାମ ତ୍ବରାନ୍ବିତ ହେବ ।
ଅଗଷ୍ଟ ୩୧ରୁ ଉତ୍କେଲା ବିମାନବନ୍ଦରରୁ ଉଡ଼ିବ ବିମାନ
ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ବର ମଧ୍ୟରେ ବିମାନ ଚଳାଚଳ ପାଇଁ ମଙ୍ଗଳବାର ଜି ଟ୍ରାଏଲ ରନ୍ ସଫଳ ହୋଇଛି । ଆସନ୍ତା ଅଗଷ୍ଟ ୩୧ ତାରିଖରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଉଡ଼ିବ ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିବେ । ବିମାନ ଚଳାଚଳ ପାଇଁ ଅଗଷ୍ଟ ୭ ତାରିଖରେ ଉତ୍କେଲା ବିମାନବନ୍ଦରକୁ DGCA ଲାଇସେନ୍ସ ଦେଇଥିଲା । ଭୁବନେଶ୍ବର ଓ ଉତ୍କେଲା ବିମାନବନ୍ଦର ମଧ୍ୟରେ ୯ଟି ସିଟ୍ ଥିବା ବିମାନ ଚଳାଚଳ କରିବ । ଏହାକୁ ଚଳାଇବ ଇଣ୍ଡିଆ ୱାନ୍। ଟିକେଟର ଦାମ୍ ୯୯୯ ଟଙ୍କା ରହିଛି । ସକାଳ ୭ଟା ୧୫ରେ ବିମାନ ଭୁବନେଶ୍ୱର ଛାଡ଼ି ୮ଟା ୨୫ରେ ଉତ୍କେଲାରେ ପହଞ୍ଚିବ । ଉତ୍କେଲାରୁ ସକାଳ ୮ଟା ୫୦ରେ ବାହାରି ୧୦ଟାରେ ଭୁବନେଶ୍ୱର ପହଞ୍ଚିବ । ଏହା ରାଜ୍ୟର ପଞ୍ଚମ ବିମାନବନ୍ଦର । ଯାହା ସପ୍ତାହର ୭ ଦିନ ଯାକ ବିମାନ ସେବା ଦେବ । ତେବେ ଯାତ୍ରୀଙ୍କ ବୁକିଂ ଉପରେ ସବୁ ନିର୍ଭର କରୁଛି । ନୂଆ ATCର ପାରାଲାଲ ଅପରେସନ ଆରମ୍ଭ ହୋଇଛି ।
କୋଟା ଛାତ୍ରଙ୍କୁ ସୁପର-୩୦ ଫାଉଣ୍ଡର ଆନନ୍ଦ କୁମାରଙ୍କ ସ୍ପେଶାଲ ମେସେଜ
ନନ୍ଦିଘୋଷ ବ୍ୟୁରୋ: କୋଟା ଛାତ୍ରଙ୍କୁ ସୁପର-୩୦ ଫାଉଣ୍ଡର ଆନନ୍ଦ କୁମାରଙ୍କ ସ୍ପେଶାଲ ମେସେଜ । କୌଣସି ଗୋଟିଏ ପରୀକ୍ଷାରେ ବିଫଳତା ମିଳିବା ଜଣେ ଛାତ୍ରର ପ୍ରତିଭାକୁ ପ୍ରମାଣିତ କରେନାହିଁ । ଜୀବନରେ ସଫଳ ହେବା ପାଇଁ ଗୋଟିଏ ନୁହେଁ ଅନେକ ରାସ୍ତା ରହିଥାଏ । ମାଆ-ବାପା ବି ପିଲାଙ୍କ ଜରିଆରେ ନିଜର ଅଧୁରା ସ୍ବପ୍ନ ପୂରଣ କରିବାକୁ ଚାହାଁନ୍ତି । ରବିବାର ଆଉ ଦୁଇ NEET ଆଶାୟୀଙ୍କ ଆତ୍ମହତ୍ୟା ପରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ରଖିଛନ୍ତି ସୁପର-୩୦ର ଫାଉଣ୍ଡର । ସେ ଏ ନେଇ ଟୁଇଟରରେ ଏକ ପୋଷ୍ଟ କରିଛନ୍ତି । କୋଚିଂ ସେଣ୍ଟରଗୁଡ଼ିକ ସବୁ ପିଲାଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ । ଶିକ୍ଷାକୁ କେବଳ ରୋଜଗାରର ମାଧ୍ୟମ ନକରି ବିଦ୍ୟାର୍ଥୀଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅପିଲ କରିଛନ୍ତି ଆନନ୍ଦ କୁମାର ।

