spot_img
Home Blog Page 2702

ଅକ୍ଟୋବରରେ ଚୀନ ଗସ୍ତରେ ଯିବେ ପୁଟିନ୍

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଅକ୍ଟୋବରରେ ଚୀନ ଗସ୍ତରେ ଯିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ଆପରାଧିକ କୋର୍ଟ ବା ଆଇସିସି ପକ୍ଷରୁ ଗିରଫ ପରଓ୍ବାନା ଜାରି କରାଯିବା ପରେ ଏହା ହେବ ପୁଟିନଙ୍କ ପ୍ରଥମ ଚୀନ ଗସ୍ତ । ବେଜିଂରେ ଆୟୋଜିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବା ଲାଗି ପୁଟିନଙ୍କୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅନୁରୋଧ କରିଥିଲେ । ଅନୁରୋଧକୁ ଗ୍ରହଣ କରିବା ପରେ ଏହି ହାଇପ୍ରୋଫାଇଲ ଗସ୍ତ ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହେଉଛି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି । ଆଇସିସି ପକ୍ଷରୁ ଗିରଫ ପରଓ୍ବାନା ଜାରି ହେବା ପରଠାରୁ ପୁଟିନ ଋଷର ଅନ୍ତର୍ଜାତୀୟ ସୀମା ପାର୍ ହୋଇନାହାନ୍ତି । ଏପିରିକି ସାଉଥଆଫ୍ରିକାରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ବି ଯୋଗ ଦେଇ ନଥିଲେ ପୁଟିନ । ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଯାଉଥିବା ଗ୍ରୁପ-୨୦ ସମ୍ମିଳନୀରେ ବି ଯୋଗ ନଦେବା ଲାଗି ଆଗୁଆ ସୂଚନା ଦେଇଛନ୍ତି ପୁଟିନ । ଗତବର୍ଷ ଫେବ୍ରୁଆରୀରେ ଋଷ-ୟୁକ୍ରେନ ଯୁଦ୍ଧ ପରେ ପୁଟିନ କେତେକ ସୋଭିଏତ ରାଷ୍ଟ୍ର ଓ ଇରାନ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ଗସ୍ତ କରିନାହାନ୍ତି ।

ଆଜିଠୁ ଏସିଆ କପ, ପାକିସ୍ତାନ-ନେପାଳ ମୁକାବିଲା

ନୂଆଦିଲ୍ଲୀ: ଆଜିଠୁ ଏସିଆ କପ୍‌ । ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପାକିସ୍ତାନ-ନେପାଳ । ଏଥର ଏସିଆ କପ୍‌ ଆୟୋଜନ ଅଧିକାର ପାକିସ୍ତାନକୁ ମିଳିଥିଲା । କିନ୍ତୁ ଭାରତ ପାକିସ୍ତାନ ଯିବାକୁ ମନା କରିବାରୁ ଶ୍ରୀଲଙ୍କା ଏହାର ସହ ଆୟୋଜକ ହୋଇଛି । ପାକିସ୍ତାନରେ କେବଳ ୪ଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ, ବାକି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବ । ଭାରତ ସର୍ବାଧିକ ୭ ଥରର ବିଜେତା ରହିଛି । ଅଷ୍ଟମ ଟାଇଟଲ୍‌ ଲକ୍ଷ୍ୟରେ ରହିଛି ଭାରତ । ଆସନ୍ତା ୨ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଲେଭେନ କିଏ ହେବେ ତାକୁ ନେଇ ଚିନ୍ତାରେ ଭାରତ । କେଏଲ ରାହୁଲ, ଶ୍ରେୟସ ଆୟର, ଯଶପ୍ରୀତ୍‌ ବୁମ୍‌ରା ଓ ପ୍ରସିଦ୍ଧ କୃଷ୍ଣଙ୍କ ଉପରେ ଦଳ ଧ୍ୟାନ ଦେବ।  ୫୦ ଓଭର ପାଇଁ ଏମାନେ କେତେ ଫିଟ୍‌ ହୋଇଛନ୍ତି ତାହା ଏସିଆ କପ୍‌ରେ ଜଣାପଡ଼ିବ। ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ ସାରା ବିଶ୍ବ ନଜର ରଖିଛି।

ପ୍ରଥମ ବିବାହ ବାର୍ଷିକରେ ସ୍ତ୍ରୀଙ୍କୁ AK-47 ଉପହାର ଦେଲେ ସ୍ବାମୀ

ନନ୍ଦିଘୋଷ ବ୍ୟୁରୋ: ପ୍ରଥମ ବିବାହ ବାର୍ଷିକକୁ ଦମ୍ପତିଙ୍କ ଜୀବନରେ ଗୁରୁତ୍ବବହନ କରେ । ଏହି ଦିନକୁ ମନେ ରଖିବା ପାଇଁ ଉଭୟ ଉଭୟଙ୍କୁ ଉପହାର ଦେଇଥାନ୍ତି । କିଏ ଭଲ ଫୁଲ ତୋଡ଼ା ଦେଇଥାଏ ତ ଆାଉ କିଏ କେକ କାଟି ଖୁସି ମନାନ୍ତି । ଆାଉ କେହି କେହି ଦାମୀ ଗିଫ୍ଟ ଦେଇ ସ୍ତ୍ରୀଙ୍କ ମନକୁ ଖୁସି କରନ୍ତି । କିନ୍ତୁ ପ୍ରଥମ ବିବାହ ବାର୍ଷିକରେ ସ୍ତ୍ରୀଙ୍କୁ AK-47 ଉପହାର ଦେଇଛନ୍ତି ସ୍ବାମୀ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ କମେଣ୍ଟମାନ ମଧ୍ୟ ଦେଉଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ଟିଏମସି ନେତା ରିୟାଜୁଲ ହକ୍ ତାଙ୍କ ସ୍ତ୍ରୀଙ୍କୁ AK-47 ରାଇଫଲ ଉପହାର ଦେଇଥିବାବେଳେ ସେ ଏହାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ପତ୍ନୀ ସାବିନା ରାଇଫଲକୁ ଧରିଥିବାର ଫୋଟୋ ପୋଷ୍ଟ କରିବା ମାତ୍ରେ ଏହା ଭାଇରାଲ ହୋଇଥିଲା । ତେବେ ସେନା ବାହିନୀଙ୍କ ପାଖରେ ଏହି AK-47 ରହିବା କଥା । କିନ୍ତୁ ତାଙ୍କ ପାଖକୁ କେମିତି ଆସିଲା ଏହାକୁ ନେଇ ୟୁଜର୍ସମାନେ ପ୍ରଶ୍ନ କରିଥିବାବେଳେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାକୁ ନେଇ ରିୟାଜୁଲ କହିଛନ୍ତି କି, ଏହା ଏକ ଖେଳନା ବନ୍ଧୁକ ।

ଜଙ୍ଗଲ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: ଟ୍ରି ରିଲୋକେସନ ପାଇଁ ଏସଓପି

ଭୁବନେଶ୍ବର: ଟ୍ରି ରିଲୋକେସନ ପାଇଁ SOP । ଜଙ୍ଗଲ ସଂରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି । ଯାହା ଦ୍ୱାରା ୩୪.୫ ପ୍ରତିଶତ ଗଛ ବୃଦ୍ଧି ହେଲାଣି । ଦେଶରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଦେବେନ କୁମାର ପ୍ରଧାନ ।

ହେନ୍ତାଳ ବଣ ସୃଷ୍ଟି କରିବାରେ ଦେଶରେ ଆମେ ଏକ ନମ୍ବର । ଜମି ଅଧିଗ୍ରହଣ ସମୟରେ ବହୁ ଗଛ କଟା ଯାଉଛି । ତେଣୁ SOP ହୋଇଛି ଯେ, ଗଛ ଗୋଟେ ଜାଗାରୁ ବାହାର କରାଯାଇ ଆଉ ଏକ ସରକାରୀ ଜମିରେ ଲଗାଯିବ । ଏଥିରେ ପ୍ରାୟ ୩୦ରୁ ୭୦ ପ୍ରତିଶତ ଗଛ ବଂଚିବା ସମ୍ଭାବନା ରହିଛି । ଫନି ସମୟରେ ଏହି କାମ  ଶତ ପ୍ରତିଶତ ସଫଳ ହୋଇଥିଲା । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହା କାର୍ଯ୍ୟକାରୀ ହେଉଛି । ଏହା ଏବେ ଅନୁମୋଦନ ପାଇଛି ବୋଲି ସେ କହିଛନ୍ତି ।

ଦୁଇ ଶହ ନୁହେଁ ଆହୁରି କମିବାର ଥିଲା ଗ୍ୟାସ ଦର: ବିଜେଡି

ଭୁବନେଶ୍ବର: କେନ୍ଦ୍ର ସରକାର ଗ୍ୟାସ ଦର ଦୁଇ ସହ ଟଙ୍କା କମାଇଛନ୍ତି । କିନ୍ତୁ ଏହା ଆହୁରି କମିବାର ଥିଲା । ଗ୍ୟାସ ଦର ଆହୁରି ହ୍ରାସ କରିବାକୁ ବିଜେଡି ଦାବି କରୁଛି ବୋଲି କହିଛନ୍ତି ଦଳୀୟ ବିଧାୟକ ଦେବୀ ମିଶ୍ର ।

ସେ କହିଛନ୍ତି, ‘ଗ୍ୟାସ ଦର ସୀମା ବାହାରେ ଥିଲା । ଲୋକଙ୍କୁ ମାଗଣା ଗ୍ୟାସ ପ୍ରତିଶ୍ରୁତି ଦେଇଥିଲେ ବି ଦର ଦୁର୍ବିସହ ହୋଇଥିଲା । ସାଧାରଣ ଲୋକଙ୍କୁ ଏହା ବହୁତ ବାଧୁଥିଲା । ୨୦୦ ଟଙ୍କା କମାଇଲେ ମଧ୍ୟ ଏହା ସାଧାରଣ ଜୀବନକୁ ପ୍ରଭାବିତ କରିବ ନାହିଁ । ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ରାକ୍ଷୀ ପୂର୍ବ ଦିନ ଯେତେବେଳେ ନିଷ୍ପତ୍ତି ହୋଇଛି ତାକୁ କେନ୍ଦ୍ର ସରକାର ରକ୍ଷା ବନ୍ଧନ ଉପହାର କହିପାରନ୍ତି । କିନ୍ତୁ ମହିଳାଙ୍କୁ ଯେମିତି ନ ବାଧିବ ସେମିତି ଦରଦାମକୁ ନିୟନ୍ତ୍ରଣ କରାଯିବା ଦରକାର ।’

ସେପଟେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଆଗକୁ ନିର୍ବାଚନ ପାଇଁ ଗ୍ୟାସ ଦର କମାଇଛନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି ସୁର l ରାଜସ୍ଥାନ, ମଧ୍ଯ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନାରେ ବିଜେପିର ସ୍ଥିତି ଭଲ ନାହିଁ । ତେଣୁ ସେମାନେ ଦର ଦାମ କମାଇ ମହିଳା ଭୋଟରଙ୍କ ମନ ଜିଣିବାକୁ ଚାହୁଁଛନ୍ତି l ଏହାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିବନି ବୋଲି ସୁର କହିଛନ୍ତି । ଏହାସହ କୁଆଡେ ଗଲା ମାଗଣାରେ ମହିଳାଙ୍କ ପାଇଁ ଗ୍ୟାସ ଯୋଜନା ବୋଲି ପ୍ରଶ୍ନ ଉଠାଇଛନ୍ତି ସୁର  । ଯଦି ଦର କମାଉଛ ତେବେ ପୂର୍ବ ପରି ୪ ଶହ କି ୫ ଶହ ଟଙ୍କାରେ ଗ୍ୟାସ ଦର ସୀମିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ସରକାର ଥିବା ସମୟରେ ଗ୍ୟାସ ଦର ୪୫୦ ଟଙ୍କା ଥିଲା। ବିଜେପି ଉଜ୍ଜ୍ୱଳା ଯୋଜନାରେ ପ୍ରଥମେ ମାଗଣା ଗ୍ୟାସ ଦେଇ ପରେ ସିଲିଣ୍ଡର ପିଛା ୧୧ ଶହ ଟଙ୍କାରେ ପହଂଚାଇଲା । ଆଉ ଏବେ ନିର୍ବାଚନକୁ ଦେଖି ୨ ଶହ ଟଙ୍କା କମାଇଛନ୍ତି । ହେଲେ ନିର୍ବାଚନ ସରିବା ପରେ ପୁଣି ୪ ଗୁଣ ବଢିବ । ଏଥିରୁ ଜଣାପଡ଼ିଛି ବିଜେପିର ମହିଳାଙ୍କ ପ୍ରତି କେତେ ସମ୍ମାନ ଅଛି ? କେନ୍ଦ୍ର ସରକାର ଏବେ ଲୋକଙ୍କ ବିଶ୍ୱାସ ହରାଇ ସାରିଛି । କଂଗ୍ରେସ ସପକ୍ଷରେ ଭୋଟ ଯିବ ।’

ରାଜଧାନୀରେ ସାବାଡ଼ ହେବେ ଅପରାଧୀ, ଆରମ୍ଭ ହେବ ‘ସହଭାଗିତା’

ଭୁବନେଶ୍ବର: ଏଣିକି ରାଜଧାନୀରେ ଅପରାଧ ଘଟାଇବା ପୂର୍ବରୁ ଶହେ ଥର ଚିନ୍ତା କରିବେ ଅପରାଧୀ । କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ସିସିଟିଭି ସର୍ଭେଲାନ୍ସରେ ରହିବ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି ।

ରାଜଧାନୀରେ ଥିବା ବିଭିନ୍ନ ସୁନା ଦୋକାନ, ସପିଂ ମଲ୍, ବଡ଼ ଦୋକାନମାନେ ଯୋଡ଼ି ହେବେ । କମିଶନରେଟ ପୋଲିସ ସହ ଦୋକାନ, ମଲଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ସେୟାର ହେବ । ଅପରାଧ ନିୟନ୍ତ୍ରଣ ଓ ଚିହ୍ନଟ କରିବାରେ ଏହି ସିସିଟିଭି ଫୁଟେଜ ହେବ ସହାୟକ । ଦୋକାନୀଙ୍କୁ ଅନୁରୋଧ କରାଯାଇଛି ଯେ ଲାଗିଥିବା ସିସିଟିଭି ମଧ୍ୟରୁ ଅତ୍ୟନ୍ତ ଗୋଟିଏ କ୍ୟାମେରା ରାସ୍ତା ଆଡ଼କୁ ରଖନ୍ତୁ । କ୍ୟାମେରା ରାସ୍ତା ଆଡ଼କୁ ରହିଲେ ଲୋକଙ୍କ ଗତିବିଧି ଉପରେ ନଜର ରଖିବାକୁ ସୁବିଧା ହେବ । ସିସିଟିଭିର ଆଇପି ଆଡ୍ରେସ ପୋଲିସ ସହ ସେୟାର କରିବାକୁ କୁହାଯାଇଛି । ସିସିଟିଭିର ତଥ୍ୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ ।

ନା ଇଣ୍ଡିଆ ନା ଏନଡିଏ: ଲୋକସଭା ନିର୍ବାଚନ ଏକା ଲଢ଼ବେ ମାୟାବତୀ

ନୂଆଦିଲ୍ଲୀ: ବିଜେପିକୁ ଚେକ୍ ଦେବାକୁ ବିରୋଧୀ ଗୋଟିଏ ଛାତ ତଳେ ଏକାଠି ହେବାକୁ ଚଲାଇଥିବା ଉଦ୍ୟମକୁ ଲାଗିଛି ଝଟକା । ଏହି ମେଣ୍ଟରେ ନ ରହି ୨୦୨୪ ନିର୍ବାଚନ ଏକା ଲଢ଼ିବାକୁ ବିଏସପି ସୁପ୍ରିମୋ ମାୟାବତୀ ନେଇଛନ୍ତି ନିଷ୍ପତ୍ତି । ଟ୍ବିଟ୍ କରି ଏନେଇ ସ୍ପଷ୍ଟ କରିଛନ୍ତି ମାୟାବତୀ ।

ଅନୁମାନ କରାଯାଉଥିଲା ବିଏସପି ଇଣ୍ଡିଆ ମେଣ୍ଟରେ ସାମିଲ ହେବ । ଏଥିପାଇଁ ଉଦ୍ୟମ ଜାରି ରହିଥିଲା । ହେଲେ ଟ୍ବିଟ କରି ମାୟାବତୀ ଏମିତି ଚର୍ଚ୍ଚାର ଅନ୍ତ ଘଟାଇଛନ୍ତି । ଟ୍ବିଟରରେ ପୋଷ୍ଟ କରି ସେ ଉଲ୍ଲେଖ କରିଛନ୍ତି, ‘ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ଗରିବ ବିରୋଧୀ । ଏହାସହ ଏହା ଜାତିବାଦ ଓ ପୁଞ୍ଜିବାଦ ନେତାଙ୍କ ଦଳ । ଏମିତି ନେତାଙ୍କ ବିରୋଧରେ ବିଏସପି ଲଢ଼େଇ କରୁଛି । ଏମିତି ସ୍ଥିତିରେ ଏହି ମେଣ୍ଟରେ ରହି ନିର୍ବାଚନ ଲଢ଼ିବାର ପ୍ରଶ୍ନ ଉଠୁନି ।’

ମାୟାବତୀଙ୍କ ମତ ଏମିତି ସୟମରେ ଆସିଛି, ଯେଉଁ ସମୟରେ ଇଣ୍ଡିଆ ମେଣ୍ଟର ବୈଠକ ହେବାକୁ ଯାଉଛି । ଗତକାଲି ୩୧ ଅଗଷ୍ଟରେ ମୁମ୍ବାଇରେ ମେଣ୍ଟର ତୃତୀୟ ବୈଠକ ବସିବ । ଏଥିପାଇଁ ବିରୋଧୀ ଦଳର ନେତାମାନେ ମୁମ୍ବାଇରେ ପହଞ୍ଚିବାକୁ ଲାଗିଲେଣି ।

ନବଜାତ ଶିଶୁର ପରିବାରକୁ ଧମକାଇ ୧୫ ହଜାର ଟଙ୍କିଆ ବିଲେଇ ନେଇ ପଳାଇଲେ କିନ୍ନର

ଇନ୍ଦୋର: ମଧ୍ୟ ପ୍ରଦେଶର ଇନ୍ଦୋରରୁ ଆସିଛି ଅଜବ ମାମଲା । ଝିଅ ହୋଇଥିବା ଏକ ପରିବାର କିନ୍ନରଙ୍କୁ ଅଭିନନ୍ଦନ ଭେଟି (ନେଗ)ରେ ୫୧ ହଜାର ଟଙ୍କା ଦେଇ ନପାରିବାରୁ ଘରୁ ଏକ ବିଦେଶୀ ପ୍ରଜାତିର ବିଲେଇ ଉଠାଇ ନେଇଥିବା ହୋଇଛି ଅଭିଯୋଗ । ବିଲେଇଟିର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୫ ହଜାର ଟଙ୍କା ହେବ ।

ଘଟଣା ଇନ୍ଦୋର ଦ୍ବାରିକାପୁର ଅଞ୍ଚଳର । ଅମୋଧ ଗଡ଼କାରୀଙ୍କ ଘରକୁ ନନ୍ଦଲାଲାପୁରାର କିନ୍ନର କହି ଏକ ଦଳ ଅଭିନନ୍ଦନ ଭେଟି ନେବାକୁ ପହଞ୍ଚି ଥିଲେ । ଅପରାହ୍ଣରେ ସେମାନେ ଜୋର ଜବରଦସ୍ତ ଅମୋଧଙ୍କ ଘରେ ପଶି ଯାଇଥିଲେ । ଏହାପରେ ସେମାନେ ନାଚଗୀତ ଆରମ୍ଭ କରିବା ସହ ଝିଅ ଜନ୍ମ ହୋଇଥିବାରୁ ଅଭିନନ୍ଦନ ବାବଦକୁ ୫୧ ହଜାର ଟଙ୍କା ଦାବି କରିଥିଲେ ।

ଘରେ ଏତେ ଟଙ୍କା ନଥିବାରୁ ପରିବାର ଲୋକେ ଅସମର୍ଥତା ପ୍ରକାଶ କରିବା ସହ ଅଢେଇ ହଜାର ଟଙ୍କା ଦେବାକୁ କହିଥିଲେ । ହେଲେ କଳ୍ପନା ପାଲକ ଓ ବାଲ୍ ନାମକ ଦୁଇ କିନ୍ନର କ୍ୟୁଆର କୋଡରେ ଟଙ୍କା ପଠାଇବାକୁ କହିଥିଲେ । ହେଲେ ଏତେ ଟଙ୍କା ଯୋଗାଡ଼ ହୋଇ ନପାରିବାରୁ କିନ୍ନରମାନେ ନବଜାତ ଶିଶୁକୁ ନେଇ ଯିବାକୁ ବସିଥିଲେ ।

ଏହି ସମୟରେ ଘରେ କେହି ପୁରୁଷ ଲୋକ ଉପସ୍ଥିତ ନଥିଲେ । ଅମୋଧଙ୍କ ପରିବାରର ମହିଳାମାନେ କିନ୍ନରଙ୍କ ହାତଗୋଡ଼ ଧରି ଥିଲେ ବି ସେମାନେ କିଛି ଶୁଣି ନଥିଲେ । ଏହାପରେ ପିଲାକୁ ଜୀବନ୍ତ ପୋତି ଦେବାକୁ କିନ୍ନରମାନେ ଧମକାଇଥିଲେ । ଭୟରେ ମହିଳାମାନେ ଯାହା ଯେମିତି କରି ୨୧ ହଜାର ଟଙ୍କା ଯୋଗାଡ଼ କରିଥିଲେ । ଘରୁ ଯିବା ବେଳେ କିନ୍ନରମାନେ ଜାଣିବାକୁ ପାଇଥିଲେ ଘରେ ଏକ ଦାମୀ ବିଦେଶୀ ବିଲେଇ ଅଛି । ପରେ ସେମାନେ ଟଙ୍କା ବଦଳରେ ଜେନୀ ନାମକ ପର୍ଶିୟାନ ପ୍ରଜାତୀର ବିଲେଇଟିକୁ ଜୋର ଜବରଦସ୍ତ ନେଇ ଯାଇଥିଲେ । ବିଲେଇକୁ ଛାଡିବାକୁ କହିବାରୁ ୫୧ ହଜାର ଟଙ୍କା ଦିଅ ଓ ନେଇଯାଅ ବୋଲି କିନ୍ନରମାନେ କହିଥିବା ଥାନାରେ ଅଭିଯୋଗ ହୋଇଛି ।

ସୂର୍ଯ୍ୟ ମିଶନର ପ୍ରଥମ ଫଟୋ ଜାରି କଲା ଇସ୍ରୋ, ଆପଣ ବି ଦେଖନ୍ତୁ

ଶ୍ରୀହରିକୋଟା: ଚନ୍ଦ୍ରାୟାନ-୩ ଚନ୍ଦ୍ରରେ ପ୍ରତିଦିନ କିଛି ନା କିଛି କରିସ୍ମା ଦେଖାଉଥିବା ବେଳେ ଏବେ ସବୁଠି ଭାରତର ସୂର୍ଯ୍ୟ ମିଶନ ଚର୍ଚ୍ଚା । ଏହାରି ଭିତରରେ ଦେଖିବାକୁ ମିଳିଛି ଆଦିତ୍ୟ ଏଲ-୧ର ପ୍ରଥମ ଝଲକ । ଟ୍ବିଟର ପେଜରେ ଇସ୍ରୋ ପୋଷ୍ଟ କରିଛି ଏହାର ପ୍ରଥ ଫଟୋ ।

ଆସନ୍ତା ୨ ତାରିଖରେ ଲଞ୍ଚିଂ ଥିବା ବେଳେ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ୧୧ଟା ୫୦ରେ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଧାର୍ଯ୍ୟ ହୋଇଥିବା ସ୍ଥାନରେ ପହଞ୍ଚିବା ପାଇଁ ଆଦିତ୍ୟ ଏଲ୧କୁ ପାଖାପାଖି ୧୨୭ ଦିନ ସମୟ ଲାଗିବ । ଯାହା ପୃଥିବୀରୁ ୧୫ ଲକ୍ଷ କିଲୋମିଟର ଦୂରତା । ଆଦିତ୍ୟ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବ । ସୋଲାର ସିଷ୍ଟମ ଉପରେ ମଧ୍ୟ ଗବେଷଣା କରିବ । ପୃଥିବୀର ଜୀବନ ଧାରଣ କ୍ଷମତା ପଛରେ ସୂର୍ଯ୍ୟର ଅବଦାନ ଉପରେ ଆହୁରି ଅଧିକ ଗବେଷଣା କରାଯିବ ।

ମନ୍ଦିର ଭାଙ୍ଗି ପୋତାଧନ ଖୋଜୁଥିଲେ, ଗ୍ରାମବାସୀ ଆସି ଯିବାରୁ ଚମ୍ପଟ ମାରିଲେ

ଟିଟିଲାଗଡ଼: ପୋତାଧନ ପାଇବା ଆଶାରେ ଭାଙ୍ଗୁଥିଲେ ପୁରାତନ ମନ୍ଦିର । ଗ୍ରାମବାସୀ ଘେରିବାରୁ ବାଇକ୍‌ ଛାଡି ଫେରାର ହୋଇଗଲେ ଦୁର୍ବୃତ୍ତ । ଘଟଣା ଘଟିଛି ଟିଟିଲାଗଡ ଥାନା କୁମ୍ଭେଇପଡା ଗାଁରେ ।

ରାତି ପ୍ରାୟ ୧୦ଟାରେ ଗାଁ ମୁଣ୍ଡରେ ଥିବା ବହୁ ପୁରାତନ ମନ୍ଦିରରୁ କିଛି ଶବ୍ଦ ଓ ଲାଇଟ ଦେଖିବାକୁ ପାଇଥିଲେ ଗ୍ରାମବାସୀ । କ’ଣ ହେଉଛି ହଠାତ ବୁଝିନପରି ସମସ୍ତେ ଏକତ୍ରିତ ହୋଇ ମନ୍ଦିର ନିକଟକୁ ପହଞ୍ଚିଥିଲେ । ଏହି ସମୟରେ ଗ୍ରାମବାସୀ ମନ୍ଦିର ନିକଟକୁ ଆସୁଥିବା ଦେଖି ଦୁର୍ବୃତ୍ତ ଘାଟଣାସ୍ଥଳରୁ ନିଜ ବାଇକ୍ ଓ ମନ୍ଦିର ଖୋଲିବା ପାଇଁ ଆଣିଥିବା ଅନ୍ୟାନ୍ୟ ଅସ୍ତ୍ର ଶସ୍ତ୍ର ଛାଡି ଅନ୍ଧାରର ସୁଯୋଗ ନେଇ ପଳାଇଥିଲେ । ଗ୍ରାମବାସୀ ଟିଟିଲାଗଡ ପୋଲିସକୁ ଖବର ଦେବା ପରେ ପୋଲିସ ଗାଁରେ ପହଞ୍ଚି ୩ଟି ବାଇକ୍ ଜବତ କରି ତଦନ୍ତ ଜାରି ରଖିଛି  ।