ଦୁଇ ଶହ ନୁହେଁ ଆହୁରି କମିବାର ଥିଲା ଗ୍ୟାସ ଦର: ବିଜେଡି

1 min read

ଭୁବନେଶ୍ବର: କେନ୍ଦ୍ର ସରକାର ଗ୍ୟାସ ଦର ଦୁଇ ସହ ଟଙ୍କା କମାଇଛନ୍ତି । କିନ୍ତୁ ଏହା ଆହୁରି କମିବାର ଥିଲା । ଗ୍ୟାସ ଦର ଆହୁରି ହ୍ରାସ କରିବାକୁ ବିଜେଡି ଦାବି କରୁଛି ବୋଲି କହିଛନ୍ତି ଦଳୀୟ ବିଧାୟକ ଦେବୀ ମିଶ୍ର ।

ସେ କହିଛନ୍ତି, ‘ଗ୍ୟାସ ଦର ସୀମା ବାହାରେ ଥିଲା । ଲୋକଙ୍କୁ ମାଗଣା ଗ୍ୟାସ ପ୍ରତିଶ୍ରୁତି ଦେଇଥିଲେ ବି ଦର ଦୁର୍ବିସହ ହୋଇଥିଲା । ସାଧାରଣ ଲୋକଙ୍କୁ ଏହା ବହୁତ ବାଧୁଥିଲା । ୨୦୦ ଟଙ୍କା କମାଇଲେ ମଧ୍ୟ ଏହା ସାଧାରଣ ଜୀବନକୁ ପ୍ରଭାବିତ କରିବ ନାହିଁ । ବର୍ତ୍ତମାନ ସ୍ଥିତିରେ ଦରଦାମ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ରାକ୍ଷୀ ପୂର୍ବ ଦିନ ଯେତେବେଳେ ନିଷ୍ପତ୍ତି ହୋଇଛି ତାକୁ କେନ୍ଦ୍ର ସରକାର ରକ୍ଷା ବନ୍ଧନ ଉପହାର କହିପାରନ୍ତି । କିନ୍ତୁ ମହିଳାଙ୍କୁ ଯେମିତି ନ ବାଧିବ ସେମିତି ଦରଦାମକୁ ନିୟନ୍ତ୍ରଣ କରାଯିବା ଦରକାର ।’

ସେପଟେ କଡ଼ା ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଆଗକୁ ନିର୍ବାଚନ ପାଇଁ ଗ୍ୟାସ ଦର କମାଇଛନ୍ତି କେନ୍ଦ୍ର ସରକାର ବୋଲି କହିଛନ୍ତି ସୁର l ରାଜସ୍ଥାନ, ମଧ୍ଯ ପ୍ରଦେଶ, ଛତିଶଗଡ, ତେଲେଙ୍ଗାନାରେ ବିଜେପିର ସ୍ଥିତି ଭଲ ନାହିଁ । ତେଣୁ ସେମାନେ ଦର ଦାମ କମାଇ ମହିଳା ଭୋଟରଙ୍କ ମନ ଜିଣିବାକୁ ଚାହୁଁଛନ୍ତି l ଏହାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିବନି ବୋଲି ସୁର କହିଛନ୍ତି । ଏହାସହ କୁଆଡେ ଗଲା ମାଗଣାରେ ମହିଳାଙ୍କ ପାଇଁ ଗ୍ୟାସ ଯୋଜନା ବୋଲି ପ୍ରଶ୍ନ ଉଠାଇଛନ୍ତି ସୁର  । ଯଦି ଦର କମାଉଛ ତେବେ ପୂର୍ବ ପରି ୪ ଶହ କି ୫ ଶହ ଟଙ୍କାରେ ଗ୍ୟାସ ଦର ସୀମିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, କଂଗ୍ରେସ ସରକାର ଥିବା ସମୟରେ ଗ୍ୟାସ ଦର ୪୫୦ ଟଙ୍କା ଥିଲା। ବିଜେପି ଉଜ୍ଜ୍ୱଳା ଯୋଜନାରେ ପ୍ରଥମେ ମାଗଣା ଗ୍ୟାସ ଦେଇ ପରେ ସିଲିଣ୍ଡର ପିଛା ୧୧ ଶହ ଟଙ୍କାରେ ପହଂଚାଇଲା । ଆଉ ଏବେ ନିର୍ବାଚନକୁ ଦେଖି ୨ ଶହ ଟଙ୍କା କମାଇଛନ୍ତି । ହେଲେ ନିର୍ବାଚନ ସରିବା ପରେ ପୁଣି ୪ ଗୁଣ ବଢିବ । ଏଥିରୁ ଜଣାପଡ଼ିଛି ବିଜେପିର ମହିଳାଙ୍କ ପ୍ରତି କେତେ ସମ୍ମାନ ଅଛି ? କେନ୍ଦ୍ର ସରକାର ଏବେ ଲୋକଙ୍କ ବିଶ୍ୱାସ ହରାଇ ସାରିଛି । କଂଗ୍ରେସ ସପକ୍ଷରେ ଭୋଟ ଯିବ ।’