ଅକ୍ଟୋବରରେ ଚୀନ ଗସ୍ତରେ ଯିବେ ପୁଟିନ୍

1 min read

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଅକ୍ଟୋବରରେ ଚୀନ ଗସ୍ତରେ ଯିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଅନ୍ତର୍ଜାତୀୟ ଆପରାଧିକ କୋର୍ଟ ବା ଆଇସିସି ପକ୍ଷରୁ ଗିରଫ ପରଓ୍ବାନା ଜାରି କରାଯିବା ପରେ ଏହା ହେବ ପୁଟିନଙ୍କ ପ୍ରଥମ ଚୀନ ଗସ୍ତ । ବେଜିଂରେ ଆୟୋଜିତ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେବା ଲାଗି ପୁଟିନଙ୍କୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଅନୁରୋଧ କରିଥିଲେ । ଅନୁରୋଧକୁ ଗ୍ରହଣ କରିବା ପରେ ଏହି ହାଇପ୍ରୋଫାଇଲ ଗସ୍ତ ଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହେଉଛି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି । ଆଇସିସି ପକ୍ଷରୁ ଗିରଫ ପରଓ୍ବାନା ଜାରି ହେବା ପରଠାରୁ ପୁଟିନ ଋଷର ଅନ୍ତର୍ଜାତୀୟ ସୀମା ପାର୍ ହୋଇନାହାନ୍ତି । ଏପିରିକି ସାଉଥଆଫ୍ରିକାରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ବି ଯୋଗ ଦେଇ ନଥିଲେ ପୁଟିନ । ଆସନ୍ତା ମାସରେ ନୂଆଦିଲ୍ଲୀରେ ହେବାକୁ ଯାଉଥିବା ଗ୍ରୁପ-୨୦ ସମ୍ମିଳନୀରେ ବି ଯୋଗ ନଦେବା ଲାଗି ଆଗୁଆ ସୂଚନା ଦେଇଛନ୍ତି ପୁଟିନ । ଗତବର୍ଷ ଫେବ୍ରୁଆରୀରେ ଋଷ-ୟୁକ୍ରେନ ଯୁଦ୍ଧ ପରେ ପୁଟିନ କେତେକ ସୋଭିଏତ ରାଷ୍ଟ୍ର ଓ ଇରାନ ବ୍ୟତୀତ ଅନ୍ୟ କୌଣସି ରାଷ୍ଟ୍ର ଗସ୍ତ କରିନାହାନ୍ତି ।