ନବଜାତ ଶିଶୁର ପରିବାରକୁ ଧମକାଇ ୧୫ ହଜାର ଟଙ୍କିଆ ବିଲେଇ ନେଇ ପଳାଇଲେ କିନ୍ନର

ଇନ୍ଦୋର: ମଧ୍ୟ ପ୍ରଦେଶର ଇନ୍ଦୋରରୁ ଆସିଛି ଅଜବ ମାମଲା । ଝିଅ ହୋଇଥିବା ଏକ ପରିବାର କିନ୍ନରଙ୍କୁ ଅଭିନନ୍ଦନ ଭେଟି (ନେଗ)ରେ ୫୧ ହଜାର ଟଙ୍କା ଦେଇ ନପାରିବାରୁ ଘରୁ ଏକ ବିଦେଶୀ ପ୍ରଜାତିର ବିଲେଇ ଉଠାଇ ନେଇଥିବା ହୋଇଛି ଅଭିଯୋଗ । ବିଲେଇଟିର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୫ ହଜାର ଟଙ୍କା ହେବ ।

ଘଟଣା ଇନ୍ଦୋର ଦ୍ବାରିକାପୁର ଅଞ୍ଚଳର । ଅମୋଧ ଗଡ଼କାରୀଙ୍କ ଘରକୁ ନନ୍ଦଲାଲାପୁରାର କିନ୍ନର କହି ଏକ ଦଳ ଅଭିନନ୍ଦନ ଭେଟି ନେବାକୁ ପହଞ୍ଚି ଥିଲେ । ଅପରାହ୍ଣରେ ସେମାନେ ଜୋର ଜବରଦସ୍ତ ଅମୋଧଙ୍କ ଘରେ ପଶି ଯାଇଥିଲେ । ଏହାପରେ ସେମାନେ ନାଚଗୀତ ଆରମ୍ଭ କରିବା ସହ ଝିଅ ଜନ୍ମ ହୋଇଥିବାରୁ ଅଭିନନ୍ଦନ ବାବଦକୁ ୫୧ ହଜାର ଟଙ୍କା ଦାବି କରିଥିଲେ ।

ଘରେ ଏତେ ଟଙ୍କା ନଥିବାରୁ ପରିବାର ଲୋକେ ଅସମର୍ଥତା ପ୍ରକାଶ କରିବା ସହ ଅଢେଇ ହଜାର ଟଙ୍କା ଦେବାକୁ କହିଥିଲେ । ହେଲେ କଳ୍ପନା ପାଲକ ଓ ବାଲ୍ ନାମକ ଦୁଇ କିନ୍ନର କ୍ୟୁଆର କୋଡରେ ଟଙ୍କା ପଠାଇବାକୁ କହିଥିଲେ । ହେଲେ ଏତେ ଟଙ୍କା ଯୋଗାଡ଼ ହୋଇ ନପାରିବାରୁ କିନ୍ନରମାନେ ନବଜାତ ଶିଶୁକୁ ନେଇ ଯିବାକୁ ବସିଥିଲେ ।

ଏହି ସମୟରେ ଘରେ କେହି ପୁରୁଷ ଲୋକ ଉପସ୍ଥିତ ନଥିଲେ । ଅମୋଧଙ୍କ ପରିବାରର ମହିଳାମାନେ କିନ୍ନରଙ୍କ ହାତଗୋଡ଼ ଧରି ଥିଲେ ବି ସେମାନେ କିଛି ଶୁଣି ନଥିଲେ । ଏହାପରେ ପିଲାକୁ ଜୀବନ୍ତ ପୋତି ଦେବାକୁ କିନ୍ନରମାନେ ଧମକାଇଥିଲେ । ଭୟରେ ମହିଳାମାନେ ଯାହା ଯେମିତି କରି ୨୧ ହଜାର ଟଙ୍କା ଯୋଗାଡ଼ କରିଥିଲେ । ଘରୁ ଯିବା ବେଳେ କିନ୍ନରମାନେ ଜାଣିବାକୁ ପାଇଥିଲେ ଘରେ ଏକ ଦାମୀ ବିଦେଶୀ ବିଲେଇ ଅଛି । ପରେ ସେମାନେ ଟଙ୍କା ବଦଳରେ ଜେନୀ ନାମକ ପର୍ଶିୟାନ ପ୍ରଜାତୀର ବିଲେଇଟିକୁ ଜୋର ଜବରଦସ୍ତ ନେଇ ଯାଇଥିଲେ । ବିଲେଇକୁ ଛାଡିବାକୁ କହିବାରୁ ୫୧ ହଜାର ଟଙ୍କା ଦିଅ ଓ ନେଇଯାଅ ବୋଲି କିନ୍ନରମାନେ କହିଥିବା ଥାନାରେ ଅଭିଯୋଗ ହୋଇଛି ।