spot_img
Home Blog Page 2675

ମୃତ ଝିଅର ସ୍କଲାରସିପ୍‌ ଓ ଏଲଆଇସିର ୫ଲକ୍ଷ ଟଙ୍କାକୁ ରେଡକ୍ରସକୁ ଦାନ କଲେ ମା’

ନବରଙ୍ଗପୁର: ମୃତ ଝିଅର ସ୍କଲାରସିପ୍‌ ଓ ଏଲଆଇସିର ୫ଲକ୍ଷ ଟଙ୍କାକୁ ରେଡ଼କ୍ରସକୁ ଦାନ କଲେ ମା । ମାର ବାତ୍ସଲ୍ୟ ମମତା ଦୁନିଆରେ ସମସ୍ତ ସ୍ନେହ ଠାରୁ ଉର୍ଦ୍ଧରେ । ଆଉ ଯେବେ ମା ଆଖି ଆଗରେ ଛୋଟ ଛୁଆର ମୃତ୍ୟୁ ହୋଇଯାଏ ତେବେ ସେ ମା ପାଇଁ ଦୁନିଆର ସବୁ ଦୁର୍ଲଭ ବସ୍ତୁ ତୁଚ୍ଛ ଲାଗେ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଚନ୍ଦନପାଲା ସ୍କୁଲରେ ଶିକ୍ଷକତା କରନ୍ତି ରଶ୍ମିତା ସେଠି ।

ତାଙ୍କର ଏକ ମାତ୍ର ଶିଶୁ କନ୍ୟା ଦିବ୍ୟମୟୀ ପାତିକା ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ରକ୍ତ ଜନିତ ସମସ୍ୟା ଦେଖା ଦେବାରୁ ତାଙ୍କର ମୃତ୍ୟ ଘଟିଥିଲା । ମୃତ ଦିବ୍ୟମୟୀ ମେଧାବୀ ଆଉ ମେଳାପି ଥିଲେ । ତାଙ୍କ ମୃତ୍ୟ ପରେ ମା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏହାସହ ଝିଅକୁ ମିଳିଥିବା ସ୍କଲାରସିପ୍‌ ସହ ତା ପାଇଁ ସୁକନ୍ୟା ଯୋଜନାରେ ଜମା କରିଥିବା ଟଙ୍କା ଆଉ ଏଲଆଇସିରେ ଜମା କରିଥିବା ମୋଟ ୫ ଲକ୍ଷ ଟଙ୍କା ଜିଲ୍ଲାପାଳଙ୍କୁ ଭେଟି ରେଡ଼କ୍ରସକୁ ଦାନ କରିଦେଇଛନ୍ତି । ତାଙ୍କ ଝିଅ ତ ଆଉ ନାହିଁ ଯାହା କିଛି ନିଜ ଝିଅ ପାଇଁ ସାଇତି ରଖିଥିଲି ସେସବୁକୁ ଦାନ କରିଥିବା କହିଛନ୍ତି ।

ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି

କଟକ: ଶପଥ ନେଲେ ଦୁଇ ନୂଆ ବିଚାରପତି । ହାଇକୋର୍ଟର ଦୁଇ ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍‌ ଶିବ ଶଙ୍କର ମିଶ୍ର ଓ ଜଷ୍ଟିସ୍‌ ଆନନ୍ଦ୍ର ଚନ୍ଦ୍ର ବେହେରା । ଶପଥ ପାଠ କରାଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ଦୁଇ ବିଚାରପତି ଦାୟିତ୍ବ ନେବା ପରେ ହାଇକୋର୍ଟରେ ମୋଟ ବିଚାରପତି ସଂଖ୍ୟା ୨୨ରେ ପହଞ୍ଚିଛି । ଆଇନଜୀବୀ ଶିବ ଶଙ୍କର ମିଶ୍ର ୧୯୯୧ ମସିହାରେ ଓକିଲାତି ପେସାକୁ ଆପଣାଇ ଥିଲେ । ଆଇନଜୀବୀ ଭାବେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି । ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କର ସ୍ବତନ୍ତ୍ର ଦକ୍ଷତା ରହିଛି ।

ଶିବ ଶଙ୍କର ମିଶ୍ର ଜୟପୁରରେ ୩ ମେ ୧୯୬୮ ମସିହାରେ ଜନ୍ମଗ୍ରହଣ କରିଥିଲେ । କୋରାପୁଟର ଜୟପୁର ଲ’ କଲେଜରୁ ସେ ଏଲଏଲବି ଡିଗ୍ରି ହାସଲ କରିଥିଲେ । ସେହିଭଳି ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଆନନ୍ଦ ଚନ୍ଦ୍ର ବେହେରା ୨୩ ମେ ୧୯୬୪ ମସିହାରେ ବାଲେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ।

ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ଆଦିତ୍ୟ L1, ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ

ନନ୍ଦିଘୋଷ ବ୍ୟୁରୋ: ସୂର୍ଯ୍ୟ ଅଭିମୁଖେ ଆଉ ପାଦେ ଆଗେଇଲା ଆଦିତ୍ୟ ଏଲ୧ । ସଫଳତାର ସହ ଦ୍ବିତୀୟ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ ୧ । ବିଳମ୍ବିତ ରାତିରେ କକ୍ଷ ପଥ ପରିବର୍ତ୍ତନ କରିବେ ନେଇ ଟ୍ବିଟ୍ କରି ସୂଚନା ଦେଇଛି ଇସ୍ରୋ । ଆସନ୍ତା ୧୦ ତାରିଖରେ ଆଦିତ୍ୟ ଏଲ ୧ ବଦଳାଇବ ତୃତୀୟ କକ୍ଷପଥ । ଗତ ରବିବାର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଥିଲା ଆଦିତ୍ୟ ଏଲ୧ । ବର୍ତ୍ତମାନ ନିଜ କକ୍ଷ ପଥରେ ଆଦିତ୍ୟ ଏଲ୧ ସମ୍ପୂର୍ଣ୍ଣ ସଫଳ ହେଉଛି ଏବଂ କମାଣ୍ଡ ଅନୁସାରେ କାର୍ଯ୍ୟ କରୁଛି । ବେଙ୍ଗାଳୁରୁସ୍ଥିତ ଆଇଏସଟିଆରଏସିରୁ ଆଦିତ୍ୟ ଏଲ୧ ସୁପରିଚାଳିତ ହେଉଛି ।

୧୬ ଦିନ ଯାଏ ଆଦିତ୍ୟ ଏଲ୧ ପୃଥିବୀଭିତ୍ତିକ କକ୍ଷପଥରେ ରହିବ । ଏହି ସମୟ କାଳ ମଧ୍ୟରେ ୫ଟି କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟା ରହିଛି । ପରେ ନିଜର ଯାତ୍ରା ଲାଗି ଏହା ସମ୍ପୂର୍ଣ୍ଣ ଗତିକ୍ଷମତା ଲାଭ କରିବ । ପରେ ଆଦିତ୍ୟ ଏଲ୧ ‘ଟ୍ରାନସ ଲାଗରେଞ୍ଜିଆନ୧ରେ ପ୍ରବେଶ କରିବ । ଏହା ପରେ ୧୧୦ ଦିନ ଲାଗି ଆଦିତ୍ୟ ଏଲ୧ ଗତି କରିବା ସହ ଏଲ୧ ପଏଣ୍ଟରେ ଅବସ୍ଥାପିତ ହେବ । ଏଲ୧ ପଏଣ୍ଟରେ ପ୍ରବେଶ କରିବା ପରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ରହିଥିବା ଭାରସାମ୍ୟମୂଳକ ପଏଣ୍ଟରେ ଏହା ଅବସ୍ଥାପିତ ହେବ । ପ୍ରାୟ ୪ ମାସ ପରେ ଏଲ୧ ଅବଜର୍ଭେସନ ପଏଣ୍ଟରେ ପହଞ୍ଚିବ ଯାହାକି ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ।

୩୫୩ ଜାତୀୟ ରାଜପଥର ବଡ଼ମହେଶ୍ବର ଗାଁ ନିକଟରେ ଦୁର୍ଘଟଣା, ୨ ବୁଲେଟ ଆରୋହୀ ମୃତ

ନୂଆପଡ଼ା: ଖଡିଆଳରୁ ନୂଆପଡାକୁ ସଂଯୋଗ କରୁଥିବା ୩୫୩ ଜାତୀୟ ରାଜପଥର ବଡ଼ମହେଶ୍ବର ଗାଁ ନିକଟରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ ଜଣ ବୁଲେଟ ଆରୋହୀଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ଜଣେ ଗୁରୁତରଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁଇ ମୃତକ ହେଲେ ଗୋବିନ୍ଦ ନାଗ ଓ ସୁନିଲ ବେହେରା । ସେହିପରି ଗୁରୁତର ହେଲେ ବାରପଦର ଗାଁର ଆଲୋକ ରାଉତ । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ବଡମହେଶ୍ବର ଗାଁ ନିକଟରେ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଖଡିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଶିକ୍ଷାକ୍ଷେତ୍ରରେ ଉତ୍କର୍ଷ ପାଇଁ ଶିକ୍ଷକମାନଙ୍କୁ ନନ୍ଦିଘୋଷ ଟିଭି ଓ ସକାଳ ତରଫରୁ ପ୍ରଦାନ କରାଯିବ ଗୁରୁବ୍ରହ୍ମା ସମ୍ମାନ

ଭୁବନେଶ୍ୱର: ଆଜି ଗୁରୁଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଆଜିର ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରିବାକୁ ନନ୍ଦିଘୋଷ ଟିଭି ଓ ସକାଳ ପକ୍ଷରୁ ଆୟୋଜନ କରାଯାଉଛି ନିଆରା କାର୍ଯ୍ୟକ୍ରମ ଗୁରୁବ୍ରହ୍ମା । ଅପରାହ୍ମ ୩ଟାରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବ । ସମ୍ମାନ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ।

ପବିତ୍ର ଗୁରୁଦିବସ ଅବସରରେ ସମସ୍ତ ଗୁରୁଙ୍କୁ କୋଟି କୋଟି ପ୍ରଣାମ

ନନ୍ଦିଘୋଷ ବ୍ୟୁରୋ: “ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର।
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ”।। ପବିତ୍ର ଗୁରୁଦିବସ ଅବସରରେ ସମସ୍ତ ଗୁରୁଙ୍କୁ କୋଟି କୋଟି ପ୍ରଣାମ ।

ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି । ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିହୁଏ । ଯୁଗେ ଯୁଗେ ଗୁରୁ ଶିଷ୍ୟ ସମ୍ପର୍କ ଅତୁଟ ରହିଛି । ପ୍ରତିବର୍ଷ ସେପ୍ଟମ୍ବର ୫ ତାରିଖକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଗୁରୁଙ୍କୁ ପୂଜା କରି ଏହି ଦିନକୁ ପାଳନ କରିଥାନ୍ତି । ଗୁରୁଙ୍କୁ ପୂଜା କରିବା ସହ ତାଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି ଛାତ୍ରଛାତ୍ରୀ। ଏଥିସହ ଛାତ୍ରଛାତ୍ରୀମାନେ ଗୁରୁଙ୍କ ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ୧୮୮୮ ମସିହା ଆଜିର ତାରିଖ ଅର୍ଥାତ୍‌ ସେପ୍ଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରାଷ୍ଟ୍ରପତି ଡକ୍ଟର ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିନକୁ ଛାତ୍ରଛାତ୍ରୀମାନେ ‘ରାଧାକ୍ରିଷ୍ଣନ୍‌ ଦିବସ’ ରୂପେ ପାଳନ କରିବାକୁ ଅନୁମତି ମାଗିଥିଲେ । ହେଲେ ରାଧାକ୍ରିଷ୍ଣନ୍‌ ଏଥିରେ ରାଜି ହୋଇ ନଥିଲେ । ଜନ୍ମଦିନ ପାଳନ ନକରି ବରଂ ଗୁରୁ ଦିବସ’ ରୂପେ ପାଳନ କରାଯାଉ ବୋଲି ମତ ଦେଇଥିଲେ । ସେହିଦିନଠାରୁ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି । କୁହାଯାଏ, ଶିଷ୍ୟର ଚରିତ୍ର ଗଠନ କିମ୍ବା ଭଲ ମଣିଷ ରୂପେ ତାକୁ ଗଢ଼ି ତୋଳିବାରେ ଜଣେ ଗୁରୁର ପ୍ରମୁଖ ଭୂମିକା ରହିଥାଏ ।  ଜଣେ ପ୍ରକୃତ ଗୁରୁ ଶିଷ୍ୟକୁ ଉଚିତ୍ ମାର୍ଗ ଦେଖାଇଥାଏ । ଆଉ ଯେଉଁଥିରେ ଚଲାପଥ ସୁଗମ ହେବା ସହ ପିଲାଟି ଜୀବନରେ ସଫଳତା ପାଇଥାଏ।

ଆଜି ଲଘୁଚାପରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ

ନନ୍ଦିଘୋଷ ବ୍ୟୁରୋ: ଆଜି ଲଘୁଚାପରେ ପରିଣତ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ୧୩ ଜିଲ୍ଲା ରାୟଗଡା, କନ୍ଧମାଳ, ବୌଦ୍ଧ, ନୂଆପଡା, ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, ସୋନପୁର ଏବଂ ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏସବୁ ଜିଲ୍ଲାରେ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ। ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ ଆକସ୍ମିକ ବନ୍ୟା ସହ ଦୃଶ୍ୟମାନ କ୍ଷମତା କମିବ। ବର୍ଷା ସମୟରେ ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର। ୮ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ । ଜୁନ ୧ତାରିଖରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୧୪ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୨୦ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ଉପକୂଳ ଓଡ଼ିଶାର ୬ଟି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୪ଟି ଜିଲ୍ଲାରେ ଉତ୍କଟ ସ୍ଥିତି ଥିବା ବେଳେ ସାମ୍ଭାବ୍ୟ ଲଘୁଚାପରେ କେବଳ ଦକ୍ଷିଣ ଓଡ଼ିଶାର ନିଅଣ୍ଟିଆ ଭରଣା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।

Asia Cup-2023: ନେପାଳକୁ ୧୦ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ, ରୋହିତ-ଶୁବମନଙ୍କ ଅର୍ଦ୍ଧଶତକୀୟ ଇନିଂସ

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ୍ ଟପ୍ ଫୋରରେ ଭାରତ । ନେପାଳକୁ ୧୦ ଓ୍ବିକେଟରେ ହରାଇଛି ଟିମ୍ ଇଣ୍ଡିଆ । କ୍ୟାପଟେନ ରୋହିତ ଶର୍ମା ଓ ଗିଲଙ୍କ ଅର୍ଦ୍ଧଶତକ ହାସଲ କରିଛନ୍ତି । ରୋହିତ ୭୪ ରନ କରିଥିବାବେଳେ ଗିଲ କରିଛନ୍ତି ୬୭ ରନ । ଟସ ଜିତି ପ୍ରଥମେ ବୋଲିଂ କରିଥିଲା ଟିମ୍ ଇଣ୍ଡିଆ । ୪୮.୨ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୩୦ ରନ କରିଥିଲା ନେପାଳ । ଓପନର ଆସିଫ ଶେଖ ୫୮ ରନ କରିଥିବାବେଳେ ଗୁଲଶନ ଝା ୨୩ ରନ କରିଥିଲେ ।

ଭାରତ ପକ୍ଷରୁ ଜାଡେଜା ଓ ସିରାଜ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଶାମି, ହାର୍ଦ୍ଦିକ ଓ ଶାର୍ଦ୍ଦୁଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । ୨୩୧ ରନର ଟାର୍ଗେଟ ସହିତ ଭାରତ ପଡ଼ିଆକୁ ଓହ୍ଲାଇବା ପରେ ବର୍ଷା ବାଧା ଦେଇଥିଲେ । ଫଳରେ ଡିଏଲଏସ ନିୟମ ଅନୁସାରେ ଭାରତକୁ ୨୩ ଓଭରରେ ୧୪୫ ରନର ଟାର୍ଗେଟ ମିଳିଥିଲା । ୨୦ ଓଭର ଗୋଟିଏ ବଲରେ ମ୍ୟାଚକୁ ଜିତି ନେଇଥିଲା ଭାରତ ।

ମୁମ୍ବାଇ ପରେ ଆଜି ନୂଆଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଆଉ ପାଦେ ଆଗେଇଲା ବିରୋଧୀ ଏକତା । ଆଜି ନୂଆଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ଏହି ବୈଠକ ଡାକିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଦିଲ୍ଲୀ ବାସଭବନରେ ବସିବ ଏହି ବୈଠକ । ମୁମ୍ବାଇରେ ମେଗାମେଳି ପରେ ଏହି ବୈଠକ ଗୁରୁତ୍ବ ବହନ କରୁଛି । ଲୋକସଭା ନିର୍ବାଚନ ଲାଗି ବିରୋଧୀ ମେଳି ବାନ୍ଧୁଥିବାବେଳେ ପରବର୍ତ୍ତୀ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାରୁ ମେଣ୍ଟର ରଣନୀତି ନେଇ ବୈଠକ ଆହୂତ ହୋଇଥିବା ସୂଚନା ମିଳିଛି ।

ଆସନ୍ତା ୧୮ରୁ ୨୨ ତାରିଖ ଯାଏ ସଂସଦ ଅଧିବେଶନ ବସିବ ବୋଲି ସରକାର ଘୋଷଣା କରିଛନ୍ତି । ଇଣ୍ଡିଆ ମେଣ୍ଟର ବୈଠକ ଏହା ପୂର୍ବରୁ ପାଟନା, ବେଙ୍ଗାଳୁରୁ ଓ ମୁମ୍ବାଇରେ ବସିସାରିଛି । ସେପଟେ ସଂସଦର ସ୍ବତନ୍ତ୍ର ଅଧିବେଶନ ଲାଗି ରଣନୀତି । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାବେଳେ ଆଜି ବସିବ କଂଗ୍ରେସ ସଂସଦୀୟ ଦଳ ବୈଠକ । ସଂସଦରେ କଂଗ୍ରେସର ରଣନୀତି ନିର୍ଦ୍ଧାରଣ ଲାଗି କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଡାକିଛନ୍ତି ବୈଠକ । ସଂସଦର ଅଧିବେଶନରେ ଦଳ କେଉଁ କେଉଁ ପ୍ରସଙ୍ଗ ଉଠାଇବ ତାହାକୁ ନେଇ ଅଙ୍କକଷା କରାଯିବ ।

ଆସନ୍ତାକାଲି ଗୁରୁଦିବସ ଅବସରରେ ନନ୍ଦିଘୋଷ ଓ ସକାଳ ପକ୍ଷରୁ ସମ୍ମାନୀତ ହେବେ ଗୁରୁ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ଗୁରୁଦିବସ । ଗୁରୁଶିଷ୍ୟ ସମ୍ପର୍କର ପବିତ୍ର ଦିନ । ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । ଏହି ପବିତ୍ର ଦିନରେ ଗୁରୁଙ୍କୁ ସମ୍ମାନିତ କରିବାକୁ ନନ୍ଦିଘୋଷ ଟିଭି ଓ ସକାଳ ପକ୍ଷରୁ ଆୟୋଜନ କରାଯାଉଛି ନିଆରା କାର୍ଯ୍ୟକ୍ରମ ଗୁରୁବ୍ରହ୍ମା । ଆସନ୍ତାକାଲି ଅପରାହ୍ମ ୩ଟାରେ ଭୁବନେଶ୍ବରରେ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ରାଜ୍ୟର ପ୍ରାଥମିକ, ମାଧ୍ୟମିକ, ଓ ଉଚ୍ଚ ମାଧ୍ୟମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ମାନିତ କରାଯିବ । ସମ୍ମାନ ସହିତ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ । ଏହି ସମ୍ମାନୀତ କାର୍ଯ୍ୟକ୍ରମର ସିଧାପ୍ରସାରଣ ନନ୍ଦିଘୋଷ ଟିଭିରେ ହେବ ।