ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି

କଟକ: ଶପଥ ନେଲେ ଦୁଇ ନୂଆ ବିଚାରପତି । ହାଇକୋର୍ଟର ଦୁଇ ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ୍‌ ଶିବ ଶଙ୍କର ମିଶ୍ର ଓ ଜଷ୍ଟିସ୍‌ ଆନନ୍ଦ୍ର ଚନ୍ଦ୍ର ବେହେରା । ଶପଥ ପାଠ କରାଇଥିଲେ ହାଇକୋର୍ଟର ମୁଖ୍ୟ ବିଚାରପତି । ଦୁଇ ବିଚାରପତି ଦାୟିତ୍ବ ନେବା ପରେ ହାଇକୋର୍ଟରେ ମୋଟ ବିଚାରପତି ସଂଖ୍ୟା ୨୨ରେ ପହଞ୍ଚିଛି । ଆଇନଜୀବୀ ଶିବ ଶଙ୍କର ମିଶ୍ର ୧୯୯୧ ମସିହାରେ ଓକିଲାତି ପେସାକୁ ଆପଣାଇ ଥିଲେ । ଆଇନଜୀବୀ ଭାବେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି । ଦେୱାନୀ, ଫୌଜଦାରୀ ଓ ଚାକିରି ସଂପର୍କିତ ଆଇନରେ ତାଙ୍କର ସ୍ବତନ୍ତ୍ର ଦକ୍ଷତା ରହିଛି ।

ଶିବ ଶଙ୍କର ମିଶ୍ର ଜୟପୁରରେ ୩ ମେ ୧୯୬୮ ମସିହାରେ ଜନ୍ମଗ୍ରହଣ କରିଥିଲେ । କୋରାପୁଟର ଜୟପୁର ଲ’ କଲେଜରୁ ସେ ଏଲଏଲବି ଡିଗ୍ରି ହାସଲ କରିଥିଲେ । ସେହିଭଳି ଆନନ୍ଦ ଚନ୍ଦ୍ର ବେହେରା ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି । ଆନନ୍ଦ ଚନ୍ଦ୍ର ବେହେରା ୨୩ ମେ ୧୯୬୪ ମସିହାରେ ବାଲେଶ୍ଵରରେ ଜନ୍ମ ଗ୍ରହଣ କରିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ସେ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ।