spot_img
Home Blog Page 2637

ବିଶ୍ବବାସୀଙ୍କ ମନ କିଣିଲେ ଗୋତମା ଗାଁର ଝିଅ, ନେଦରଲ୍ୟାଣ୍ଡରେ ଭାରତରୁ କରୁଛନ୍ତି ପ୍ରତିନିଧିତ୍ବ

ନୂଆପଡା: ଓଡ଼ିଶା ପାଇଁ ଗୌରବ ସାଜିଲେ ନୂଆପଡାର ଝିଅ । ନେଦରଲ୍ୟାଣ୍ଡରେ ଜଳବାୟୁ ପରିବର୍ତ୍ତନ ଓ କିଶୋରୀଙ୍କ ସମସ୍ୟା ଉପରେ ସଚେତନ ବାର୍ତ୍ତା ଦେଇ ବିଶ୍ବବାସୀଙ୍କ ମନ କିଣିଲେ ଗୋତମା ଗାଁର ଝିଅ ଦୀପାଞ୍ଜଳି । ଗୋତମା ଗାଁର ଆନନ୍ଦ ସାହୁ ଓ ମନସ୍ବିନୀ ସାହୁ ଙ୍କ ଝିଅ ଦୀପାଞ୍ଜଳି । ସେ ସେପ୍ଟେମ୍ବର ୭ରେ ନେଦରଲ୍ୟାଣ୍ଡରେ ଆୟୋଜିତ ହୋଇଥିବା ‘ସେଭ ଦି ଚିଲଡ୍ରେନ’ କାର୍ଯ୍ୟକ୍ରମରେ ଭାରତରୁ ପ୍ରତିନିଧିତ୍ଵ କରିଥିଲେ ।

ନେଦରଲ୍ୟାଣ୍ଡର ହଗ୍ ସହରରେ ବିଶ୍ଵ ସ୍ତରୀୟ ତିନି ଦିନିଆ କର୍ମଶାଳାରେ ଭାରତ ପକ୍ଷରୁ ପେନାଲିଷ୍ଟ ଭାବରେ ଯୋଗ ଦେଇଥିଲେ ଦୀପାଞ୍ଜଳି । ଦୀପଞ୍ଜଳି ଜଳବାୟୁ ପରିବର୍ତ୍ତନ ଓ କିଶୋରୀଙ୍କ ସମସ୍ୟା ଆଦି ଶୀର୍ଷକ ଆଲୋଚନା ଚକ୍ରରେ ବିଶ୍ୱକୁ ସମ୍ବୋଧିତ କରିଥିଲେ । ୨୧ ବର୍ଷର ଦୀପାଞ୍ଜଳି ଭାରତର ପ୍ରତିନିଧିତ୍ଵ କରି ବିଶ୍ବ ବାସୀଙ୍କ ମନ କିଣି ପାରିଛନ୍ତି । ଗତ ଜୁନ ୨୦ ରେ ମଧ୍ୟ ଦୀପାଞ୍ଜଳି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ମାତୃତ୍ବ ଓ ନବଜାତ ଶିଶୁ ସ୍ୱାସ୍ଥ୍ୟକୁ ନେଇ ଆୟୋଜିତ ଜି-20 ସମ୍ମିଳନୀରେ ଯୋଗ ଦେଇଥିଲେ ।

ଆସନ୍ତା ନଭେମ୍ବର ମାସରେ ପୁଣି ମାଲେସିଆରେ ଗ୍ଲୋବାଲ ଫୋରମ୍ ଏଜେଣ୍ଡା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି ଦୀପାଞ୍ଜଳି ।

ଦଧିମାଛ ଗାଡ଼ିଆରେ ଭୂତ ଭୟ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କାଇପଦର ପଞ୍ଚାୟତ ଦଧିମାଛ ଗାଡ଼ିଆରେ ମାତିଛି ଭୂତ। ଗୁଣିଗାରେଡ଼ି ଭୟରେ ଲୋକେ ଆତଙ୍କିତ । ପିଲାଙ୍କ ଶରୀରରେ ସବାର ହେଉଛି ଭୂତ। ଭୟରେ ଲୋକେ ଝିଅମାନଙ୍କ ଗୁଣିଆ ଦ୍ବାରା ଝାଡ଼ିବାକୁ ଡରୁଛନ୍ତି । ଭୂତ ଭୟରେ ନିଜ ଘରେ ନରଖି ବନ୍ଧୁବାନ୍ଧବଙ୍କ ଘରକୁ ପଠାଇ ଦେଉଛନ୍ତି । ଗୁଣିଗାରେଡିରୁ ବର୍ତ୍ତିବାକୁ ପୂଜାପାଠର ସହାୟତା ନେଉଛନ୍ତି ଲୋକେ । ତେବେ ଏହା ଏକ ଅନ୍ଧବିଶ୍ବାର ଓ ଏଥିପାଇଁ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ଥିବା କହିଛି ପ୍ରଶାସନ ।

ଭୂତ ଡରରେ ଛାତ୍ରଛାତ୍ରୀ ସ୍କୁଲକୁ ଯାଉନଥିବା ଅଭିଯୋଗ ହୋଇଛି । ଖାଁ ଖାଁ ସ୍କୁଲ ଓ ଗାଁ ଦାଣ୍ଡ । ଭୂତ ଭୟ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ଗଛ ଉପର ନାଗରାଜ । ସ୍କୁଲ, କଲେଜରୁ ଫେରିବା ପରେ ପିଲାଙ୍କ ଶରୀରରେ ଦେଖାଯାଉଛି ଅସ୍ବାଭାବିକ ଲକ୍ଷଣ । ଯାହାକୁ ନେଇ ଆତଙ୍କିତ ହୋଇ ପଡିଛନ୍ତି ଗାଁଲୋକ । ଗୁଣି ଗାରେଡ଼ି ଯୋଗୁଁ ଏପରି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ଆତଙ୍କ ଭିତରେ ଗଛ ଉପେର ନାଗରାଜକୁ ଦେଖି ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି ନୂଆ ଭୟ । ଏନେଇ ଗ୍ରାମବାସୀ କଣ କହୁଛନ୍ତି ଶୁଣନ୍ତୁ ।

ଗୁଣିଆ ଭୟରେ ଲୋକ ଝିଅ ମାନଙ୍କୁ ଝଡ଼ାଫୁଙ୍କା କରିବାକୁ ଡରୁଛନ୍ତି । ଏପରିକି ଗାଁରେ ରହିଲେ ସେମାନଙ୍କ ପିଲାଙ୍କ କ୍ଷତି ହେବ ଭାବି ନିଜ ସମ୍ପର୍କୀୟଙ୍କ ଘରେ ଛାଡ଼ି ଆସୁଛନ୍ତି । ସଂଧ୍ୟା ନଇଁରେ ଗାଁରେ ଗୁଣିର ପ୍ରଭାବ ଦେଖା ଯାଉଥିବା କହୁଛନ୍ତି ଲୋକେ । ଏଥିରୁ ବର୍ତ୍ତିବାକୁ ଲୋକ ପୂଜାପାଠର ଆଶ୍ରୟ ନେଇଛନ୍ତି । ସେପଟେ ଏହି ଘଟଣା ପରେ ଗାଁରେ ପୋଲିସ୍ ଓ ନିଜେ ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ଏପରି ଅନ୍ଧବିଶ୍ବାସରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ।

 

ସୁଦୃଢ ହେବ ଛତିଶଗଡ଼ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ, ଓଡିଶାରେ ନେଲେ ତାଲିମ

0

ଭୁବନେଶ୍ବର: ଛତିଶଗଡ଼ ସରକାରଙ୍କ ଦ୍ୱାରା ଆଦିବାସୀ କଲ୍ୟାଣ ବିଭାଗରେ ୧୧ ଜଣ ନବ ନିଯୁକ୍ତ ସହକାରୀ ନିର୍ଦ୍ଦେଶକଙ୍କ ତିନି ଦିନିଆ ଦିଗଦର୍ଶନ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ସେପ୍ଟେମ୍ବର ୧୦ ରୁ ସେପ୍ଟେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଉନ୍ନୟନ ଓ ପଛୁଆ କଲ୍ୟାଣ ବର୍ଗ ବିଭାଗର କମିଶନର ତଥା ଶାସନ ସଚିବ ରୂପା ରୋଶନ ସାହୁ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ସମ୍ବୋଧିତ କରିବା ସହ ସେମାନଙ୍କୁ ଏକ ସ୍ମାରକୀ ପ୍ରଦାନ କରିଥିଲେ। ଆଦିବାସୀ କଲ୍ୟାଣ ବିଭାଗ ଆଦିବାସୀ ସମ୍ପ୍ରଦାୟର ବିକାଶରେ କିଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ସେ ସମ୍ପର୍କରେ କମିଶନର ତଥା ଶାସନ ସଚିବ ପରାମର୍ଶ ଦେବା ସହ ଗୁରୁତ୍ୱାରୋପ କରିଥିଲେ।

ସେ ସହକାରୀ ନିର୍ଦ୍ଦେଶକମାନଙ୍କୁ ଭବିଷ୍ୟତରେ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ପୂର୍ଣ୍ଣ ନିଷ୍ଠା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପ୍ରଶିକ୍ଷଣ ପ୍ରତିଷ୍ଠାନ ରାଜ୍ୟରେ ପ୍ରଶିକ୍ଷଣ ପ୍ରଦାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ ପ୍ରଥମ ଥର ପାଇଁ ରାଜ୍ୟ ବାହାରର ଅଧିକାରୀମାନଙ୍କୁ ତାଲିମ୍ ଦିଆଯାଇଛି । ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଦିଗଦର୍ଶନ ତାଲିମ କାର୍ଯ୍ୟକ୍ରମ ଆଦିବାସୀ ସଂସ୍କୃତି ଓ ଐତିହ୍ୟକୁ ଲୋକାଭିମୁଖି କରିବା ସହ ଆଦିବାସୀ କଲ୍ୟାଣ ବିଭାଗର ଲକ୍ଷ୍ୟକୁ ପୂରଣ କରିବ ।

ଏହି ତାଲିମ୍ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ସହ ଜଡ଼ିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଆଦିବାସୀ ସମ୍ପ୍ରଦାୟର ଇତିହାସ, ସଂସ୍କୃତି ଓ ବିକାଶ ପାଇଁ ସରକାରଙ୍କ ଯୋଜନା ଏବଂ ଆଦିବାସୀ ଅଧିକାରକୁ ନେଇ ସରକାରଙ୍କ କାର୍ଯ୍ୟକାରିତା ବିଷୟରେ ସୂଚନା ଦିଆଯାଇଥିଲା । ନବ ନିଯୁକ୍ତ ସହକାରୀ ନିର୍ଦ୍ଦେଶକଙ୍କୁ ରାଜ୍ୟ ଆଦିବାସୀ ସଂଗ୍ରହାଳୟ, ପାଠାଗାର ଓ ପିଭିଟିଜି ପରିସର ଆଦି ବୁଲି ଦେଖିଥିଲେ। ଅଧିକାରୀ ମାନଙ୍କୁ ଲିଙ୍ଗରାଜ ମନ୍ଦିର, ଧଉଳି ଓ ଖଣ୍ଡଗିରି ଆଦି ସ୍ଥାନ ପରିଦର୍ଶନରେ ନିଆଯାଇଥିଲା । ଅଂଶଗ୍ରହଣକାରୀମାନେ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରିବା ସହିତ ବିଶେଷଜ୍ଞମାନଙ୍କ ଅଭିଜ୍ଞତାରୁ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥିଲେ।

ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ସମୀକ୍ଷା ବୈଠକ

ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ବୁଧବାର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୋଟର ତାଲିକାରେ ନାମ ପଞ୍ଜିକରଣ ସମୟରେ ଜଣେ ହେଲେ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନପଡ଼ନ୍ତି ସେଥିପ୍ରତି ସଜାଗ ରହିବାକୁ ନିର୍ବାଚନ ଆୟୋଗଙ୍କ ଡେପୁଟି କମିଶନର ସମୀକ୍ଷା ବୈଠକରେ ଗୁରୁତ୍ବାରୋପ କରିଥିଲେ । ସେହିପରି ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ ଦେବାକୁ ବୈଠକରେ ଉପସ୍ଥିତ ଜିଲ୍ଲାପାଳଙ୍କ ସହ ଆଲୋଚନ କରାଯାଇଛି ।

ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଆଉ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତର ହେଲେ ଭୋଟରଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ବୁଥସ୍ତରୀୟ ଅଧିକାରୀଙ୍କ ଜରିଆରେ ଦାଖଲ କରିବାକୁ ପଡ଼ିବ । କିମ୍ବା ଭୋଟରମାନେ ନିଜେ ଭୋଟର ହେଲପ ଲାଇନ ଆପ କିମ୍ବା ଏନଭିଏସପି ପୋର୍ଟାଲରେ ଅନଲାଇନ ମାଧ୍ୟମରେ ଘରେ ରହି ତାଲିକାରେ ଯୋଗ ଏବଂ ବାଦ କରିପାରିବେ । ଏକ ସଠିକ୍ ଏବଂ ତୃଟିପୂର୍ଣ୍ଣ ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ବାରୋପ କରାଯାଇଥିଲା ।

‘ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା’ରେ ସଞ୍ଚୟ କରି ଭବିଷ୍ୟତ ସୁରକ୍ଷିତ ରଖିବାକୁ ଆହ୍ବାନ ଦେଲେ ମନ୍ତ୍ରୀ

0

ଭୁବନେଶ୍ବର: ଓଡ଼ିଶା ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା ଏ.ଟି. ସିରିଜ୍‌ ଉଠାଣ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତ୍ୟେକ ବ୍ୟକ୍ତି ପାଇଁ ସଞ୍ଚୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଜନସାଧାରଣଙ୍କୁ ସ୍ୱଳ୍ପ ସଞ୍ଚୟ ଯୋଜନା ଭଳି ସୁରକ୍ଷିତ ଜମା ଯୋଜନା ପ୍ରତି ଆକର୍ଷିତ କରିବା ପାଇଁ ‘ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା’ ଏକ ଅଭିନବ ପ୍ରୟାସ ।

ସ୍ୱଳ୍ପ ସଞ୍ଚୟ ଯୋଜନା ଭଳି ସରକାରୀ ଯୋଜନା ଉପରେ ଜନସାଧାରଣଙ୍କ ଅତୁଟ ଆସ୍ଥା ଓ ବିଶ୍ୱାସ ରହିଥିବାବେଳେ ପ୍ରତ୍ୟେକ ବ୍ୟକ୍ତି ଏବଂ ତାଙ୍କ ପରିବାରର ଭବିଷ୍ୟତ ଆବଶ୍ୟକତା ପୂରଣ ପାଇଁ ଏହି ସୁରକ୍ଷିତ ସରକାରୀ ଜମାରେ ଅର୍ଥ ସଞ୍ଚୟ କରିବାକୁ ସେ ପରାମର୍ଶ ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶାକୁ ଦେଶର ଏକ ଅଗ୍ରଣୀ
ରାଜ୍ୟରେ ପରିଣତ କରିବା ପାଇଁ ଯେଉଁ ସ୍ୱପ୍ନ ରହିଛି, ତାହାକୁ ସାକାର କରିବା ପାଇଁ ସରକାର ଉଦ୍ୟମ ଜାରିରଖିଛନ୍ତି । ରାଜ୍ୟର ବ୍ୟାଙ୍କ ନଥିବା ସମସ୍ତ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ  ପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାକ୍ଷରତା ଅଭିଯାନର ସଫଳତା ପାଇଁ ସ୍ୱଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ନିମନ୍ତେ ଅଧିକାରୀମାନେ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ । ସ୍ୱଳ୍ପ ସଞ୍ଚୟ ଯୋଜନାରେ ଲୋକମାନେ ତାଙ୍କର କଷ୍ଟଲବ୍ଧ ଅର୍ଥକୁ ସୁରକ୍ଷିତ ରଖିପାରୁଛନ୍ତି ବୋଲି ସେ ମତବ୍ୟକ୍ତ କରିଥିଲେ । ସଞ୍ଚୟ ଓ ଆର୍ଥିକ ସେବା ନିର୍ଦ୍ଦେଶିକା ଡକଫର ପ୍ରଜ୍ଞାସ୍ମିତା ସାହୁ ସ୍ୱାଗତ ଭାଷଣ ଦେବା ସଙ୍ଗେ ସଙ୍ଗେ ସଞ୍ଚୟର ବାର୍ତ୍ତା ଯେଭଳି ସାମାଜର ତୃଣମୂଳ ସ୍ତର ପର୍ଯ୍ୟନ୍ତ ପହଞ୍ଚି ପାରିବ ଏବଂ ଆର୍ଥିକ ଅନଗ୍ରସର ଶ୍ରେଣୀର ଜନସାଧାରଣ ଏହି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ
କିପରି ବିଶେଷ ଭାବେ ଲାଭବାନ ଓ ଉପକୃତ ହୋଇପାରିବେ ସେଥିପ୍ରତି ଗୁରୁତ୍ୱାରୋପ କରିଥିଲେ ।

ପ୍ରେମରାଜ ବହିଦାର, ନରୋତ୍ତମ ବେହେରା ଓ ପ୍ରଫେସର ଡକଫର ପ୍ରେମାନନ୍ଦ ମହାପାତ୍ରଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଠାଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଉକ୍ତ ଉଠାଣରେ ୨୭୭୧ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ, ୮ଟି ବର୍ଗରେ, ସର୍ବାଧିକ ୫ ଲକ୍ଷ ଏବଂ ସର୍ବନିମ୍ନ ୪୦୦୦ ଟଙ୍କା ହିସାବରେ
ସମୁଦାୟ ୧ କୋଟି ୫୦ଲକ୍ଷ ଟଙ୍କା ମୂଲ୍ୟର ପୁରସ୍କାର ରାଶି ପ୍ରୋତ୍ସାହନ ସ୍ୱରୂପ ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି ।

କାର୍ଯ୍ୟକ୍ରମ ଶେଷରେ ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ପ୍ରଶାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ଉଠାଣର ଫଳାଫଳ, ବିଧିବଦ୍ଧ ବିଜ୍ଞପ୍ତି ମାଧ୍ୟମରେ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଘନୀଭୁତ ହେଉଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନେବ ଓ୍ବେଲମାର୍କ ଲୋପ୍ରେସରର ରୂପ । ପରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଅତିକ୍ରମ କରିବ । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବୁଧବାର ଅତି ଭୀଷଣ ବର୍ଷା ନେଇ ୫ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗିରରେ ୨ଶହ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ୭୦ ରୁ ୨୦୦ ମିଲିମିଟର ବର୍ଷା ନେଇ ନବରଙ୍ଗପୁର, ନୂଆପଡା, ବରଗଡ, ସମ୍ବଲପୁର, ନୟାଗଡ, କଟକ, ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପ୍ରବଳ ବର୍ଷା ନେଇ ଉପକୂଳ ଓଡ଼ିଶାର ପୁରୀ, ଖେର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଦେବଗଡ, ଝାରସୁଗୁଡା, ଗଜପତି, ରାୟଗଡା, ଢେଙ୍କାନାଳ ଏବଂ କୋରାପୁଟକୁ ସତର୍କତା ଜାରି କରାଯାଇଛି । ଆସନ୍ତା କାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କଳହାଣ୍ଡି, ନୂଆପଡା, ବଲାଙ୍ଗିର, ବରଗଡ, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ନବରଙ୍ଗପୁର ଏବଂ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବ । ୧୭ ଏବଂ ୧୮ ତାରିଖରେ ବର୍ଷାର ପରିମାଣ କମିବା ସହ ପୁଣି ୧୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ରେଡ ଏବଂ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲା ଗୁଡିକରେ ଫ୍ଳାସ ଫ୍ଳଡ୍ ସହ ଜଳମଗ୍ନ ପରିସ୍ଥିତି ଦେଖାଦେବ । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା କମିବା ସହ ଦକ୍ଷିଣ ଓଡ଼ିଶାରେ ନଦୀ ଫୁଲିବ । କିଛି ସ୍ଥାନରେ ଭୂସ୍ଖଳନ ହେବା ନେଇ ସତର୍କତା ଜାରି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩.୩ ମିଲିମିଟର ବର୍ଷା ହୋଇଥିବା ବେଳେ ଏହା ସ୍ବାଭାବିକ ତୁଳନାରେ ୧୫୮ ପ୍ରତିଶତ ଅଧିକ ।

ରାୟଗଡାର ଆମ୍ବାଦୋଳାରେ ୧୮୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ କଳାହାଣ୍ଡିର ଲାଞ୍ଜିଗଡରେ ୧୫୬.୪, କନ୍ଧମାଳର ଦାରିଂବାଡିରେ ୧୨୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲାରେ ୨୦ ରୁ ୩୮ ପ୍ରତିଶତ ପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୨୧ ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଆତଙ୍କବାଦୀଙ୍କ ଗୁଳିର ସାମ୍ନା କରି ଯବାନଙ୍କ ଜୀବନ ବଞ୍ଚାଇ ସହିଦ ହେଲା କୁକୁର

ନୂଆଦିଲ୍ଲୀ: ଦେଶ ପାଇଁ ଜୀବନ ଦେଲା କୁକୁର। ଆତଙ୍କବାଦୀଙ୍କ ଗୁଳିକୁ ଭୟ ନକରି ସାମ୍ନାକୁ ବଢ଼ି ସାଥୀଯବାନଙ୍କ ଜୀବନ ବଞ୍ଚାଇ ସହିଦ ହୋଇଛି କୁକୁର ‘କେଣ୍ଟି’। ଜଣେ ଯବାନଙ୍କ କହିବାନୁସାରେ,  ଆତଙ୍କବାଦୀଙ୍କୁ ଖୋଜୁଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଲାଇଥିଲେ । ଏହି ସମୟରେ କେଣ୍ଟ ନିଜ ଜୀବନକୁ ଖାତିର ନକରି ଆତଙ୍କବାଦୀଙ୍କୁ କାବୁ କରିବା ପାଇଁ ଆଗକୁ ଆଗକୁ ବଢ଼ି ଚାଲିଥିଲା। ଯେମିତି କି ସେ ଆମ ପାଇଁ ବିପଦ କବଚ ସାଜିଛି। କେଣ୍ଟ ନିଜେ ଆଗକୁ ବଢ଼ୁଥିବା ବେଳେ ଆମକୁ ଆଗକୁ ବଢ଼ିବାକୁ ଦେଉ ନଥିଲା। ସେ ଆଗକୁ ଯାଇ ଯେତେବେଳେ ଜାଣେ ଆମ ଜୀବନ ପ୍ରତି ବିପଦ ନାହିଁ ତା’ପରେ ଯାଇ ଯିବାକୁ ଦିଏ।

ଏତିକି ବେଳେ ଆତଙ୍କବାଦୀଙ୍କ ଏକ ଗୁଳି କେଣ୍ଟ୍ ଶରୀରରେ ଆସି ବାଜିଥିଲା। ଆଉ ସେ ଘଟଣାସ୍ଥଳରେ ହଁ ଟଳି ପଡ଼ିଥିଲା। ତେବେ ସେ ଯଦି ଏହି ଗୁଳିର ସାମ୍ନା କରି ନଥାଆନ୍ତା  ତାହାଲେ ତା’ ସହିତ ଥିବା ହ୍ୟାଣ୍ଡେଲର୍ ଏବଂ ସାଥୀ ଯବାନଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଥିଲା। କେଣ୍ଟର ମୃତ ଶରୀରକୁ ଦେଖିଲେ ସେ ଯେମିତି ହସିହସି ଦେଶ ପାଇଁ ଜୀବନ ଦେଇ ଦେଇଛି ଭଳି ଅନୁଭବ ହେଉଛି। ଆମର ଟିମ କେଣ୍ଟକୁ ସବୁଦିନ ମନେ ରଖିବ। ତାହାର ସ୍ଥାନ କେହି ନେଇ ପାରିବେ ନାହିଁ।’

ଜମ୍ମୁର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ମୁକେଶ ସିଂ ଏହି ଘଟଣାକୁ ନେଇ କହିଛନ୍ତି, ‘ ଜମ୍ମୁକାଶ୍ମୀର ରଜୋରୀ ଜିଲ୍ଲାର ଏକ ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ବିଶେଷ ସୂତ୍ରରୁ ଖବର ମିଳିଥିଲା । ଖବର ମିଳିବା ପରେ ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଥିଲେ।  ଏହି ସର୍ଚ୍ଚ ଅପରେସନ୍ ଚାଲିଥିବାବେଳେ କିଛି ସଂଦିଗ୍ଧ ଲୋକଙ୍କ ଉପରେ ନଜର ପଡ଼ିବାରୁ ସେନା ଗୁଳି କରିବା ଆରମ୍ଭ କରିଥିଲା । କିନ୍ତୁ ସେମାନେ ସେଠାରୁ  ଖସି ପଳାଇଥିଲେ । ଏହି ଘଟଣା ପରେ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲା।  ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ୨୧ଟି ଡଗ୍ ୟୁନିଟିକୁ ଏହି ସର୍ଚ୍ଚ ଅପରେସନରେ ସାମିଲ କରାଯାଇଥିଲା । ଗୋଟିଏ ୟୁନିଟ୍ ସେନାଙ୍କ ନେତୃତ୍ୱ ନେଇଥିଲା କୁକୁର କେଣ୍ଟ୍ ।

ପାକିସ୍ତାନକୁ ବଡ଼ ଝଟକା, ଏସିଆ କପରୁ ବିଦା ହେଲେ ଏହି ଖେଳାଳି

କଲମ୍ବୋ: ଶ୍ରୀଲଙ୍କା ବିପକ୍ଷରେ ଏସିଆ କପର ସୁପର-୪ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ । ଗୁରୁବାର ଏହି ମ୍ୟାଚ ଖେଳାଯିବାକୁ ଥିବାବେଳେ କର ବା ମର ସ୍ଥିତି ରହିଛି । ଯଦି ପାକିସ୍ତାନ ଏହି ମ୍ୟାଚରେ ପରାଜୟ ହୁଏ ତାହେଲେ ଫାଇନାଲରେ ସ୍ଥାନ ପକ୍କା କରିପାରିବ ନାହିଁ । ଅନ୍ୟପଟେ ଯଦି ବର୍ଷା ହୁଏ ତାହେଲେ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବ । ଏଣୁ ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଟିମ ପ୍ରସ୍ତୁତ ରହିଥିବାବେଳେ ଦଳକୁ ଲାଗିଛି ବଡ଼ ଝଟକା ।  ଆହତ କାରଣରୁ ପାକିସ୍ତାନର ଦ୍ରୃତ ବୋଲର ନସିମ ଶାହା ଏସିଆ କପରୁ ବାଦ ପଡ଼ିଛନ୍ତି । ଭାରତ ବିପକ୍ଷ ମ୍ୟାଚ ସମୟରେ ସେ ଆହତ ହୋଇଥିଲେ । ନସିମଙ୍କ ସ୍ଥାନରେ ଯୁବ ବୋଲର ଜମାନ ଖାନଙ୍କୁ ଦଳରେ ସ୍ଥାନ ମିଳିଛି ।

ପତ୍ନୀ ସହ ମିଶି ପ୍ରେମିକାକୁ ପାଣିରେ ବୁଡାଇ ମାରିଦେଲା ଗ୍ରାଫିକ୍ସ ଡିଜାଇନର

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଏକ ବୀଭତ୍ସ ହତ୍ୟା । ନିଜର ଗର୍ଲପ୍ରେଣ୍ଡଙ୍କୁ ପାଣିରେ ବୁଡାଇ ହତ୍ୟା କରିଛି ଜଣେ ଗ୍ରାଫିକ୍ସ ଡିଜାଇନର । ମହାରାଷ୍ଟ୍ରର ନାଇଗାଁରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ହତ୍ୟାରେ ସହଯୋଗ କରିଥିଲେ ହତ୍ୟାକାରୀଙ୍କ ପତ୍ନୀ । ବଡ଼କଥା ହେଉଛି ହତ୍ୟାକାଣ୍ଡ ପରେ ଶବକୁ ଏକ ସ୍କୁଟରରେ ସୁଟକେଶରେ ନେଇ ସେମାନେ ୧୫୦ କିଲୋମିଟର ଦୂର ଗୁଜରାଟ ଭାଲସାଦରେ ଫୋପାଡିଥିବା ସୂଚନା ମିଳିଛି ।

ତେବେ ଏହି ଲୋମହର୍ଷକ କାଣ୍ଡକୁ ସର୍ବସାଧାରଣରୁ ଦୂରେଇ ରଖିବା ଲାଗି ସେମାନେ ସ୍କୁଟରରେ ୨ ବର୍ଷର ସନ୍ତାନକୁ ନେଇଥିଲେ । ଅଭିଯୁକ୍ତ ମନୋହର ଶୁକ୍ଲାକୁ ଭାସାଇରୁ ଗିରଫ କରାଯାଇଛି । ତା ସହ ବି ଗିରଫ ହୋଇଛି ପତ୍ନୀ ପୂର୍ଣ୍ଣିମା । ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କ୍ରମେ ତଦନ୍ତ ହେବା ପରେ ସତ ସାମନାକୁ ଆସିଛି । ଏହି ହତ୍ୟାକାଣ୍ଡ ଘଟିଥିଲା ଗତ ଅଗଷ୍ଟ ୯ରେ । ମୃତକ ନୈନା ମହାତ ଜଣେ ହେୟାର ଷ୍ଟାଇଲିଷ୍ଟ । ଅଭିଯୁକ୍ତ ମନୋହର ଓ ନୈନା ବିଭିନ୍ନ କ୍ଷେତ୍ରରେ ଏକତ୍ର କାର୍ଯ୍ୟ କରୁଥିଲେ । ତେବେ ଗତ ୨୦୧୯ରେ ମନୋହର ବିରୋଧରେ ନୈନା ଗୋଟିଏ ବଳାତ୍କାର ଓ ଆକ୍ରମଣ ମାମଲା ଦାୟର କରିଥିଲେ ।

ଭାସାଇରେ ୨୦୧୩ରେ ଦୁହେଁ ପଡୋଶୀ ଭାବେ ବାସ କରୁଥିବାବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢିଥିଲା । ୨୦୧୮ରେ ମନୋହର ପୂର୍ଣ୍ଣିମାକୁ ବିବାହ କରିଥିଲେ ବି ନୈନା ସହ ସମ୍ପର୍କ ରଖୁଥିଲା । ବିବାହ ବିଷୟ ଜାଣିବା ପରେ ମନୋହର ବିରୋଧରେ ନୈନା ଏଫଆଇଆର ଦାୟର କରିଥିଲେ । ଗତ ଅଗଷ୍ଟ ୯ ତାରିଖରେ ମନୋହର ଘରକୁ ନୈନା ଆସିବା ପରେ କଳହ ଉପୁଜିଥିଲା । ଏପରିକି କୀଟନାଶକ ଖାଇ ଆତ୍ମହତ୍ୟା କରିବେ ବୋଲି ନୈନା ଧମକ ଦେଇଥିଲେ ।

ଏହାକୁ ନେଇ ଏକ ପାଣି ଭର୍ତ୍ତି ପାତ୍ରରେ ନୈନାର ମୁଣ୍ଡକୁ ବୁଡାଇ ମନୋହର ତାଙ୍କୁ ହତ୍ୟା କରିଥିଲା । ସେହିଦିନ ରାତିରେ ଏକ ଟ୍ରଲି ବ୍ୟାଗରେ ନୈନାର ଶବକୁ ଏକ ସ୍କୁଟରରେ ନେଇ ଫୋପାଡି ଦେଇଥିଲେ । ଲୋକଙ୍କୁ ଭୁଆଁ ବୁଲାଇବା ଲାଗି ପୂର୍ଣ୍ଣିମା ନିଜ ଛୁଆକୁ କୋଳରେ ରଖି ବସିଥିବାର ସିସିଟିଭିର ଭିଜୁଆଲ କଏଦ ହୋଇଥିଲା ।

ସପ୍ତମ ଦିନରେ ଗଦର-୨ ପଛରେ ପଡ଼ିଲା ଯବାନ

ମୁମ୍ବାଇ: ବକ୍ସ ଅଫିସରେ ଭଲ ରୋଜଗାର କରୁଛି ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ଯବାନ । ପ୍ରଥମ ଦିନରେ ଅଧିକ ବ୍ୟବସାୟ କରି ରେକର୍ଡ କରିଛି । କିନ୍ତୁ ସପ୍ତମ ଦିନର ଆଦାୟ ଗଦର-୨ଠାରୁ ପଛରେ ରହିଛି । ସନ୍ନି ଦେଓଲଙ୍କ ଫିଲ୍ମ ସପ୍ତମ ଦିନରେ ୨୩.୮୦ କୋଟି ଟଙ୍କା ବ୍ୟବସାୟ କରିଥିବାବେଳେ ଯବାନ ୨୧.୫୦ କୋଟି ଟଙ୍କା ସଂଗ୍ରହ କରିଛି ।

  • ‘ଯବାନ’ ପ୍ରଥମ ଦିନରେ ବକ୍ସ ଅଫିସରେ ୭୫ କୋଟି ଟଙ୍କା ସଂଗ୍ରହ କରିଥିଲା।ଏହା ସହିତ ଫିଲ୍ମ ହିନ୍ଦୀ ସିନେମାର ସର୍ବୋଚ୍ଚ ଓପନିଂ ଫିଲ୍ମ ପାଲଟିଛି |
  • ଦ୍ବିତୀୟ ଦିନରେ ଶାହାରୁଖ ଖାନଙ୍କ ଫିଲ୍ମ ୨୩ କୋଟି ଟଙ୍କା ରୋଜଗାର କରିଥିଲା।
  • ରିଲିଜ୍ ହେବାର ତୃତୀୟ ଦିନରେ ‘ଯବାନ୍’ ୭୭.୮୩ କୋଟି ଟଙ୍କା ବ୍ୟବସାୟ କରିଥିଲା।
  • ଚତୁର୍ଥ ଦିନରେ ୮୦ କୋଟି ଟଙ୍କା ରୋଜଗାର କରି ‘ଯବାନ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା।ଗୋଟିଏ ଦିନରେ ଏତେ ରୋଜଗାର କରିଥିବା ‘ଯବାନ’ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହେଲା |
  • ‘ଯବାନ’  ପଞ୍ଚମ ଦିନରେ ୯୨ କୋଟି ଏବଂ ଷଷ୍ଠ ଦିନରେ ୨୬ କୋଟି ଟଙ୍କା ସଂଗ୍ରହ କରିଛି।
  • ରିଲିଜ୍ ହେବାର ସପ୍ତମ ଦିନରେ ଯଦି ‘ଯବାନ୍’ ୨୧.୫୦ କୋଟି ଟଙ୍କା ରୋଜଗାର କରେ, ତେବେ ଫିଲ୍ମର ମୋଟ ସଂଗ୍ରହ ୩୬୬.୦୮ କୋଟି ହେବ।