ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ସାଦା ପୋଷାକରେ ବୁଲିବେ ପୋଲିସ । ବିଭିନ୍ନ ସ୍ଥାନରେ କଡାକଡି ହେବ ମଦୁଆ ଧରା ଅଭିଯାନ । ମଦ ପିଇ ଉତ୍ପାତ କଲେ ଉଠାଇ ଆଣିବ ପୋଲିସ । ଶବ୍ଦ ପ୍ରଦୂଷଣକାରୀ ବାଣ ଫୁଟାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ପିସିଆର ସହ ଥାନା କର୍ମଚାରୀ ଗଳିକନ୍ଦିରେ କରିବେ ପାଟ୍ରୋଲିଂ । ରାତିରେ ସହରର ବିଭିନ୍ନ ସ୍ଥାନରେ କରାଯିବ ଚେକିଂ ବ୍ଲକିଂ । ଏଥିପାଇଁ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ଗଠନ ହୋଇଛି ସ୍ପେଶାଲ ଟିମ୍ । କୌଣସି ଦୁର୍ଘଟଣାକୁ ଆଶଙ୍କା କରି ଅଗ୍ନିଶମ ଓ ହସ୍ପିଟାଲ କର୍ମଚାରୀଙ୍କ ସହ ଆଲୋଚନା କରିଛି ପୋଲିସ । ଆଲୋକର ପର୍ବ ଖୁସି ଆଣୁ, କିନ୍ତୁ କାହାକୁ ଦୁଃଖ ନଦେଉ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ।
ସେନା ଜ୍ୟାକେଟରେ ପ୍ରଧାନମନ୍ତ୍ରୀ: ହିମାଚଳ ପ୍ରଦେଶର ଲେପଚାରେ ଯବାନଙ୍କ ସହ ପାଳିଲେ ଦୀପାବଳି
ଲେପଚା: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିମାଚଳ ପ୍ରଦେଶର ଲେପଚା ଯାଇ ସୁରକ୍ଷାବାହିନୀଙ୍କ ସହ ଦୀପାବଳି ପାଳନ କରିଛନ୍ତି ମୋଦି । ଏହି ଅବସରରେ ସେନା ଜ୍ୟାକେଟରେ ତାଙ୍କୁ ଦେଖିବାକୁ ମିଳିଥିଲା । ହିମାଚଳ ପ୍ରଦେଶରେ ପହଞ୍ଚିବା ପରେ ସୀମାନ୍ତ ଲେପଚାକୁ ଯାଇ ଯବାନଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ।
ଲେପଚାରେ ପହଞ୍ଚିବା ପରେ ସୁରକ୍ଷା କର୍ମୀଙ୍କ ସହ ଦୀପାବଳି ପାଳନ କରିଛନ୍ତି । ଯବାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହାସହ ଯବନାଙ୍କୁ ମୁଠା ଖୁଆଇଥିଲେ । ଏହି ଅବସରରେ ଯବାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିଲେ ।
ଲେପଚାରେ ପହଞ୍ଚିବା ପରେ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ କରି ଲେଖିଥିଲେ- ଆମ ବୀର ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ହିମାଚଳ ପ୍ରଦେଶରେ ପହଞ୍ଚି ଗଲିଣି ।
ସାରା ଦେଶ ଦୀପାବଳି ପାଳୁଥିବା ବେଳେ ସୀମା ସୁରକ୍ଷାରେ ମୁତୟନ ଯବାନ ସେମାନଙ୍କ ଡ୍ୟୁଟି କରୁଛନ୍ତି । ଏମିତି ସ୍ଥିତିରେ ଏହି ପବିତ୍ର ଦିନରେ ସେମାନେ ନିଜ ପରିବାରଠାରୁ ଦୂରରେ ରହୁଥିବାରୁ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଦୀପାବଳି ପାଳନ କରିବାକୁ ଯବାନଙ୍କ ପାଖକୁ ଯାଇଥାନ୍ତି ।
୨୦୧୪ରେ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ଦୀପାବଳି ପାଳନ କରିବାକୁ ସିୟାଚୀନରେ ମୁତୟନ ଯବାନଙ୍କ ପାଖକୁ ଯାଇଥିଲେ । ୨୦୧୫ରେ କାରଗିଲରେ ମୁତୟନ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ମୋଦି । ସେହିପରି ୨୦୧୬ରେଲଦାଖ ଯାଇ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ।
ISIS ଲିଙ୍କରେ ୩ ଛାତ୍ରଙ୍କ ସମେତ ୪ ଗିରଫ
ଅଲିଗଡ଼: ଆତଙ୍କବାଦୀ ସଂଗଠନ ISIS ଲିଙ୍କରେ ଉତ୍ତରପ୍ରଦେଶରୁ ୪ ଜଣ ଗିରଫ । ଗିରଫଙ୍କ ମଧ୍ୟରେ ରହିଛନ୍ତି ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟର ୩ ଛାତ୍ର । । ୟୁପି ପୋଲିସର ଆଣ୍ଟି ଟେରଟିଷ୍ଟ ସ୍କ୍ବାଡ୍ ଏମାନଙ୍କୁ ଗିରଫ କରିଛି । ଗିରଫ ଛାତ୍ର ସମ୍ଭଲ ଜିଲ୍ଲାର ବୋଲି ଜଣାପଡିଛି । ଏମାନେ ହେଲେ ନମାନ, ନାଜିମ ଏବଂ ନାଭେଦ ।
ISISର ଅଲିଗଡ଼ ମଡ୍ୟୁଲ ଲିଙ୍କରେ ସମସ୍ତେ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ପାଖରୁ ଆତଙ୍କବାଦ ପ୍ରଚାର ପ୍ରସାର କରୁଥିବା ଏକାଧିକ ଆପତ୍ତିଜନକ ଲିଫଲେଟ୍ ଜବତ ହୋଇଛି । ପୂର୍ବରୁ ଅଲିଗଡ଼ ମୁସଲିମ ବିଶ୍ବବିଦ୍ୟାଳୟରୁ ୨ ଜଣଙ୍କୁ ISIS ଲିଙ୍କରେ ଗିରଫ କରିଥିଲା ୟୁପି ଏଟିଏସ୍ । ଦୁଇ ଜଣଙ୍କୁ ଧରିବା ପରେ ISIS ଲିଙ୍କର ଚେର ଖୋଜି ବାହାର କରିଛି ଏଟିଏସ । ଲିଙ୍କରେ ଆଉ କିଏ ଅଛନ୍ତି ସେମାନଙ୍କୁ ଠାବ କରିବାକୁ ଏଟିଏସ୍ ଛାନବିନ ଚଳାଇଛି ।
୩ ଛାତ୍ରଙ୍କ ସହ ରକିଭ୍ ଇମାନ ଅନସାରୀ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆତଙ୍କବାଦୀ ଲିଙ୍କରେ ଗିରଫ ହୋଇଛି । ଗିରଫ ରକିଭ୍ ଭଦୋହି ଜିଲ୍ଲାର ବାସିନ୍ଦା । ଏମାନେ ISISର ଅଲିଗଡ଼ ଲିଙ୍କରେ ରହିଥିଲେ ।
ପାଲେଷ୍ଟାଇନ ଉପରେ କବଜାକୁ ଭାରତ ନାପସନ୍ଦ, ଇସ୍ରାଏଲ ବିରୋଧରେ ଦେଲା ଭୋଟ
ନୂଆଦିଲ୍ଲୀ: ଜାତିସଂଘ ପ୍ରସ୍ତାବକୁ ନେଇ ଇସ୍ରାଏଲକୁ ଭାରତର ବିରୋଧ । ପାଲେଷ୍ଟାଇନ ସହ ଇସ୍ରାଏଲର ଯୁଦ୍ଧ ଲାଗି ରହିଥିବାବେଳେ ପାଲେଷ୍ଟାଇନ ଉପରେ କବଜାକୁ ବିରୋଧ କରିଛି ଭାରତ । ପାଲେଷ୍ଟାଇନ ଉପରେ ଇସ୍ରାଏଲର କବଜାକୁ ନେଇ ଜାତିସଂଘରେ ଆଗତ ହୋଇଥିଲା ପ୍ରସ୍ତାବ । ଏହି ପ୍ରସ୍ତାବକୁ ବିରୋଧ କରି ଇସ୍ରାଏଲ ବିପକ୍ଷରେ ଭୋଟ ଦେଇଛି ଭାରତ । ତେବେ ଆମେରିକା ଓ କାନାଡା ସହ ୭ ଦେଶ ଇସ୍ରାଏଲ ସମର୍ଥନରେ ଭୋଟ ଦେଇଛନ୍ତି ।
ଜାତିସଂଘର ଏହି ପ୍ରସ୍ତାବ ଉପରେ ଭୋଟ ଦେବାରୁ ବିରତ ରହିଥିଲେ ୧୮ ଦେଶ । ପାଲେଷ୍ଟାଇନର ପୂର୍ବ ଜେରୁଜେଲମ ଏବଂ ସିରିଆ ସୀମାନ୍ତ ଗୋଲାନ ଅଂଚଳରେ ପ୍ରଭୁତ୍ବ ବିସ୍ତାର କରି ଚାଲିଛି ଇସ୍ରାଏଲ । ସେଠାରେ ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିବା ସହ ଅଂଚଳକୁ ନିଜ ଅକ୍ତିଆରକୁ ନେଇଛି । ଏହା ପୂର୍ବରୁ ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣକୁ ନେଇ ଜାତିସଂଘ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତାବ ଆଣିଥିଲା । ଏହି ପ୍ରସ୍ତାବରେ ଭୋଟ ଦେବାରୁ ବିରତ ରହିଥିଲା ଭାରତ ।
ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ପରଠାରୁ ଇସ୍ରାଏଲ ପାଲେଷ୍ଟାଇନ ଉପରେ ଆକ୍ରମଣ କରିଛି । ଉତ୍ତର ଗାଜାକୁ ନିଜ ଅକ୍ତିଆରକୁ ନେବା ସହ ହମାସ ଆତଙ୍କବାଦୀଙ୍କୁ ନିପାତ ନେଇ ଚଳାଇଛି ଗ୍ରାଉଣ୍ଡ ଅପରେସନ । ବର୍ତ୍ତମାନ ସୁଦ୍ଧା ଏହି ଅପରେସନରେ ପାଲେଷ୍ଟାଇର ୧୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ଯାଇଥିଲା ୧୪ ଶହ ଇସ୍ରାଏଲ ନାଗରିକଙ୍କ ଜୀବନ । ଏବେ ବି ୨ଶହରୁ ଅଧିକ ପଣବନ୍ଦୀଙ୍କୁ ନିଜ ପାଖରେ ରଖିଛନ୍ତି ହମାସ ଆତଙ୍କବାଦୀ । ସେମାନଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ଅଛନ୍ତି । ପଣବନ୍ଦୀଙ୍କୁ ଛାଡିବା ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ କହିଛନ୍ତି ।
ବିଶ୍ବକପ୍: ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ବେଙ୍ଗାଲୁରୁ: ଚଳିତ ବିଶ୍ବକପର ଶେଷ ଲିଗ୍ ମ୍ୟାଚ୍ । ଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଚାଲିଛି ଟକ୍କର । ଟସ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଆଜିର ମ୍ୟାଚ୍ ଜିତି ଅପରାଜେୟ ରହିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।
କୋହଲି ୫୦ତମ ଶତକ କରି ରେକର୍ଡ କରିବା ଲକ୍ଷ୍ୟ ରଖିଛନ୍ତି । ଆନ୍ତର୍ଜାତିକ ଦିନିକିଆରେ ୫୦ ତମ ଶତକ କଲେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବିରାଟ କୋହଲି । ସେପଟେ ବିଶ୍ବକପରେ ସମସ୍ତ ୮ ଲିଗ୍ ମ୍ୟାଚ ଜିତିଥିବା ଭାରତ ଆଜିର ମ୍ୟାଚ୍ ଜିତି ଅପରାଜେୟ ରହିବାକୁ ଲକ୍ଷ୍ୟ ରହିଛି । ଆଜିର ମ୍ୟାଚ୍ ଜିତି ସେମିଫାଇନାଲରେ ପୂର୍ଣ୍ଣ ଆତ୍ମବିଶ୍ବାସ ସହ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ସେମିରେ ନ୍ୟୁଜିଲାଣ୍ଡ ସହ ହେବ ଟକ୍କର । ଭାରତୀୟ ଟିମ ଅପରିବର୍ତ୍ତିତ ରହିଛି । ୪ ସ୍ପେଶାଲିଷ୍ଟ ବୋଲରଙ୍କୁ ନେଇ ଖେଳିୁଛି ଟିମ ଇଣ୍ଡିଆ ।
ଆସନ୍ତା ୧୫ ତାରିଖରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ କୁ ଭେଟିବ ଭାରତ । ୧୬ ନଭେମ୍ବରରେ ଦ୍ବିତୀୟ ସେମିଫାଇନାଲ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ସେହିପରି ବିଶ୍ବକପ ଫାଇନାଲ ୧୯ ନଭେମ୍ବରରେ ଖେଳାଯିବ ।

