ଆଜି ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର

1 min read

ବଲାଙ୍ଗୀର: ଆଜି ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟିଦେବେ ରାଜ୍ୟ ସରକାର। ଲୋକାର୍ପିତ ହେବ ବଲାଙ୍ଗୀରର ଜୀବନ ରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ବଲାଙ୍ଗୀର ଯାଇ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୭୨୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ।

୫ହଜାର ୨୮୪ କିମି ବିଶିଷ୍ଟ ଦୀର୍ଘ ଜଳସେଚନ ବ୍ୟବସ୍ଥା ପ୍ରସ୍ତୁତ ହୋଇଛି। ପ୍ରକଳ୍ପ ଦ୍ବାରା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲାର ୨୦୬ଟି ଗାଁର ୮୦ ହଜାର କୃଷକ ଉପକୃତ ହେବେ। ଭୂତଳ ପାଇପ ଯୋଗେ ଜଳସେଚନ ବ୍ୟବସ୍ଥା କରାଯାଉଛି। ପ୍ରକଳ୍ପରୁ ପ୍ରାୟ ଲକ୍ଷେ ଏକର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ବଲାଙ୍ଗୀର ଜିଲ୍ଲାର ୨ଟି ସହରାଞ୍ଚଳର ୭୦ ହଜାର ଲୋକଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କରାଯାଉଛି। ଡ୍ୟାମର ଜଳଧାରଣ କ୍ଷମତା ରହିଛି ୩୨୦.୨୮ ଲକ୍ଷ କ୍ୟୁବିକ ମିଟର।

୧୯୯୮ ମସିହାରେ ଲୋୟର ସୁକତେଲ ଜଳସେଚନ ପାଇଁ ଯୋଜନା ହୋଇଥିଲା। ୨୦୨୧ ମସିହାରେ ପ୍ରକଳ୍ପଟି 5Tକୁ ଅଧୀନକୁ ଆସିବା ପରେ ତୀକ୍ର ବେଗରେ ଆଗେଇଥିଲା କାମ। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗ୍ରାଉଣ୍ଡ ସମୀକ୍ଷା କରିବା ସହ ସପ୍ତାହକୁ ସପ୍ତାହ ଅପଡେଟ୍ ନେଇଥିଲେ। ଗତ ଅଗଷ୍ଟ ମାସରେ ବଲାଙ୍ଗୀର ଯାଇ ପ୍ରକଳ୍ପ ଅଗ୍ରଗତି ତଦାରଖ କରିଥିଲେ। ଲୋୟର ସୁକତେଲର ପାଣିକୁ ମୁଣ୍ଡରେ ମାରି ପ୍ରଣାମ କରିଥିଲେ ପାଣ୍ଡିଆନ। 5T ଉପକ୍ରମରେ ତ୍ବରିତ କାର୍ଯ୍ୟଯୋଗୁ ମାତ୍ର ୩ ବର୍ଷରେ ପ୍ରକଳ୍ପଟି ସମ୍ପୂର୍ଣ୍ଣ ହୋଇଛି। ଲୋୟର ସୁକତେଲ ଛଡ଼ା ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ।

୩୦୫ କୋଟି ଟଙ୍କାର ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ହେବାକୁ ଥିବାବେଳେ ୨ ହଜାର ୨୨୦ କୋଟି ଟଙ୍କାର ୧୧୨ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୯ ପ୍ଲାଟୁନ ପୋଲିସ ଫୋର୍ସ ଓ ଗୃହରକ୍ଷୀ ବାହିନୀ ମୁତୟନ ହେବେ।