spot_img
Home Blog Page 2593

ଶ୍ରୀମନ୍ଦିରରେ ଆଜି ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ, ସନ୍ଧ୍ୟା ଧୂପ ପରେ ସ୍ୱତନ୍ତ୍ର ନୀତି

ପୁରୀ: ଶ୍ରୀମନ୍ଦିରରେ ଆଜି ପାଳିତ ହେବ ମହାପ୍ରଭୁଙ୍କର ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ନୀତି । ଏଥିପାଇଁ ଆଜି ସକାଳୁ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଛି । ସକାଳ ଧୂପ ଓ ଭୋଗମଣ୍ଡପ ପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯାଇ ନୂଆଲୁଗା ଓ ଚନ୍ଦନ ଲାଗି କରାଯିବ ।

ଆଜି ଶୟନ ଗୃହରେ ହରି ଶୟନ ଏକାଦଶୀ ଠାରୁ ନିଦ୍ରାରେ ରହିଥିବା ମହାପ୍ରଭୁ କଡ଼ ଲେଉଟାଇଥାନ୍ତି ବୋଲି ବିଶ୍ୱାସ ଥିବାରୁ ଏହି ସ୍ୱତନ୍ତ୍ର ନୀତି ସନ୍ଧ୍ୟା ଧୁପ ପରେ ଅନୁଷ୍ଠିତ ହେବ ।

କୁକୁଡ଼ା ଫାର୍ମରେ ଅଜଗର ଆତଙ୍କ, ଏକାସାଙ୍ଗରେ ମାରି ଖାଇଲା ୧୪ କୁକୁଡା

ଅନୁଗୁଳ: କୁକୁଡ଼ା ଫାର୍ମରେ ଅଜଗର ଆତଙ୍କ। ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଧୋକୁଟା ଗାଁର ଜନକ ସାହୁଙ୍କ କୁକୁଡ଼ା ଫାର୍ମରେ ୧୪ଟି କୁକୁଡାଙ୍କୁ ମାରି ଖାଇଛି ଅଜଗର । ଜନକ ଫାର୍ମ ଭିତରକୁ ପଶିବା ବେଳକୁ କିଛି କୁକୁଡ଼ା ମରି ପଡି ଥିବାର ଦେଖିଥିଲେ ।

ଫାର୍ମ ଭିତରେ ଏକ ଅଜଗର ଥିବା ଦେଖି ସେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ କୁମାର ସାହୁ ଏବଂ ବିଶ୍ବରଂଜନ ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ । ଅଜଗରଟିକୁ ସାତକୋଶିଆ ଅଭୟାରଣ୍ୟରେ ଭିତରେ ଛାଡ଼ି ଦିଆଯାଇଥିଲା । ସେପଟେ ଏତେ ସଂଖ୍ୟକ କୁକୁଡ଼ା ମରିବା ଯୋଗୁଁ କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି କୁକୁ଼ଡା ଫାର୍ମର ମାଲିକ ।

ବିରୋଧୀଙ୍କ ହଟ୍ଟଗୋଳରେ ଚାଲି ପାରଲାନି ପ୍ରଶ୍ନକାଳ, ସାଢେ ୧୧ ଯାଏଁ ମୂଲତବୀ

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ ଆରମ୍ଭରୁ ହୋହଲ୍ଲା । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ବିଜେପି ସଦସ୍ୟ ପ୍ରଥମେ ଗୃହର ମଧ୍ୟଭାଗକୁ ଆସି ନାରବାଜି ଦେଇଥିଲେ । NH- 55ର ବିପର୍ଯ୍ୟସ୍ତ ପ୍ରସଙ୍ଗ ଉଠାଇଥିଲା ବିଜେଡି ।

ନିଜ ଆସନ ନିକଟରେ ଛିଡ଼ା ହୋଇ କେନ୍ଦ୍ର ବିରୋଧୀ ନାରା ଦେଇଥିଲେ ସରକାରୀ ଦଳ ସଦସ୍ୟ । ସେହିପରି କୋଷ୍ଟାଲ ହାଇଓ୍ବେ ପ୍ରସଙ୍ଗ ବି ଉଠାଇଥିଲା ବିଜେଡି । ହୋହଲ୍ଲା ଯୋଗୁ ପ୍ରଶ୍ନକାଳ ଚାଲି ପାରନଥିଲା । ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ରାଜ୍ୟ ପ୍ରତି କେନ୍ଦ୍ର ସରକାର ବାରମ୍ବାର ଅଣଦେଖା କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ ।

ସେପଟେ ବିଜେପି ବିଧାୟିକା କୁସୁମ ଟେଟେ ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର କ’ଣ କରିଛନ୍ତି ବୋଲି ପ୍ରଶ୍ନ ହେବାରୁ ଉତ୍ତର ଦେଇ ପାରିନାହାନ୍ତି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେପି ଠିକ୍‌ କରିନି । କେନ୍ଦ୍ର ଅବହେଳାର ଉତ୍ତର ବିଜେପି ଦେବା କଥା ବୋଲି ସୁରେଶ ରାଉତରାୟ କହିଛନ୍ତି ।

ଚୋରଙ୍କ ଅମାନବୀୟ କାଣ୍ଡ, ସୁନା ଟଙ୍କା ଲୁଟି କୁକୁରକୁ ମାରିଦେଲେ

କେନ୍ଦ୍ରାପଡା:  ଚୋରଙ୍କ ଅମାନବୀୟ କାଣ୍ଡ । ଡେରାବିଶ ଥାନା ଅଞ୍ଚଳରେ ଚୋରି ଉଦ୍ୟମ ବେଳେ କୁକୁର ଭୁକିବାରୁ କୁକୁରକୁ ବିଷ ଦେଇ ଜୀବନରୁ ମାରିଦେଲେ ଦୁର୍ବୃତ୍ତ । ଡେରାବିଶ ବ୍ଲକର ଛଞ୍ଚିଣା ଓ ନୀଳକଣ୍ଠପୁରର ଏକାଧିକ ଲୋକଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା, ଆସବାବପତ୍ର ଲୁଟ୍‌ କରିଛନ୍ତି ଲୁଟେରା ।

ନୀଳକଣ୍ଠପୁରର ରଶ୍ମିକାନ୍ତ ପାଢ଼ୀଙ୍କ ଘରେ କେହି ନଥିବା ବେଳେ ଦୁଆରେ ଶୋଉଥିବା କୁକୁର ଭୁକିବାରୁ ତାକୁ ମାରି ଦେଇଥିଲେ ଚୋର । ପରେ ଘର ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍‌ କରିଥିଲେ । ଅନ୍ୟପଟେ ସେହି ଗାଁର ବିଭିନ୍ନ ଲୋକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଡେରାବିଶ ଥାନାରେ ଏକାଧିକ ଅଭିଯୋଗ ପରେ ପୋଲିସ ସନ୍ଧlନୀ କୁକୁରକୁ ଆଣି ତଦନ୍ତ ଆରମ୍ଭ କରିଛି ।

ବ୍ରେକ ପାଇପ ଫାଟି ଯିବାରୁ ବାଇକକୁ ପିଟି କାରକୁ ଧକ୍କା ଦେଲା ଟ୍ରକ, ୨ ମୃତ

ବ୍ରହ୍ମପୁର: ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରେକ ପାଇପ ଫାଟି ଯିବାରୁ ବାଇକକୁ ପିଟିବା ପରେ କାରକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଟ୍ରକଟି ପଲାସାରୁ କାଜୁ ତେଲ ନେଇ କୋଲକାତା ଯାଉଥିବା ବେଳେ ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଫଳରେ ବାଇକରେ ଯାଉଥିବା ଭାଇ, ଭଉଣୀ ଓ ଭଣଜାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଭଉଣୀ ବିଷ୍ଣୁପ୍ରିୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ଟ୍ରକଟି ଏକ କାରକୁ ଧକ୍କା ଦେଇଥିଲା ।

କାରରେ ଥିବା ବିକ୍ରମପୁର ଅଞ୍ଚଳର ଶଙ୍କର ପରିଡ଼ା, ରାଜେନ୍ଦ୍ର ପ୍ରଧାନ, ଶୁଭ୍ରଜିତ ମହାନ୍ତି ସାମାନ୍ୟ ଆହତ ହୋଇ ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଟ୍ରକ ଡ୍ରାଇଭର ନରସିଂହ ରାଓଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହେଲପର ଜୟରାମର ଅବସ୍ଥା ଗୁରୁତର ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଖୁଦୁରୁକୁଣି ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ, ବୋମାମାଡ଼ରେ ୩ ଆହତ

କଟକ: ତିଗିରିଆ ଥାନା ବିଷ୍ଣୁପୁର ଗାଁରେ ଗୋଷ୍ଠୀ ସଂଘର୍ଷ । ଖୁଦୁରୁକୁଣି ଓଷାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଖୁଦୁରୁକୁଣି ଓଷାକୁ ନେଇ ପ୍ରଥମେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ୪ଟି ବୋମାମାଡ଼ ହୋଇଥିଲା । ବୋମା ମାଡ଼ରେ ୩ ଜଣ ଯୁବକ ଆହତ ହୋଇଛନ୍ତି ।

ସେମାନଙ୍କୁ ସଙ୍ଗେ ସଙ୍ଗେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ହେଲେ ଶ୍ରୀନିବାସ ସାମଲ, ନିଲିଆ ରାଉତ ଓ ସାଗର ଗୋଛି  । ଶାନ୍ତି ବଜାୟ ରଖିବା ପାଇଁ ବିଷ୍ଣୁପୁର ଗାଁରେ ପୋଲିସ ମୁତୟନ ହୋଇଛନ୍ତି । ଘଟଣାସ୍ଥଳରେ ତଦନ୍ତ କରୁଛି ତିଗିରିଆ ପୋଲିସ ।

ଏସିଆନ ଗେମ୍ସରେ ଏୟାର ରାଇଫଲ୍ସ ଟିମ୍ ଜିତିଲା ସ୍ବର୍ଣ୍ଣ, ପଦକ ସଂଖ୍ୟା ୭ ଛୁଇଁଲା

ହାଞ୍ଜହୁ: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଛି ଗୋଲ୍ଡ ମେଡାଲ । ସେହିପରି ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି ।

ଅନ୍ୟପଟେ ଏସିଆନ ଗେମ୍ସରେ ଆଜି ଭାରତୀୟ ମହିଳା କ୍ରିକେଟ ଟିମ୍ ସହ ଶ୍ରୀଲଙ୍କାର ହେବ ଟକ୍କର । ଜିତିଲେ ଭାରତକୁ ମିଳିବ ସ୍ବର୍ଣ୍ଣପଦକ । ତେବେ ଏଭଳି ସୁଯୋଗ ହାତ ଛଡା ନକରିବାକୁ ମହିଳା ଟିମ୍ ସ୍ବତନ୍ତ୍ର ରଣନୀତି ଆପଣେଇଛି । ଏଥିସହ ଅନ୍ୟ ଖେଳରେ ମଧ୍ୟ ମେଡାଲ ପାଇଁ ସଂଘର୍ଷ କରିବ ଭାରତ । ବକ୍ସିଂ, ବାସ୍କେଟବଲ, ଚେସ, ଟେନିସ, ସୁଟିଂ, ସୁଇମିଂରେ ଭାରତ ପାଇଁ ପଦକ ପାଇଁ ଲଢେଇ କରିବ ।

ଏସିଆନ ଗେମ୍ସରେ ଆଜି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ

ହାଞ୍ଜହୁ: ଏସିଆନ ଗେମ୍ସରେ ଆଜି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ । ଭାରତୀୟ ମହିଳା କ୍ରିକେଟ ଟିମ୍ ସହ ଆଜି ଶ୍ରୀଲଙ୍କାର ହେବ ଟକ୍କର । ଜିତିଲେ ଭାରତକୁ ମିଳିବ ସ୍ବର୍ଣ୍ଣପଦକ । ଏଭଳି ସୁଯୋଗ ହାତ ଛଡା ନକରିବାକୁ ମହିଳା ଟିମ୍ ସ୍ବତନ୍ତ୍ର ରଣନୀତି ଆପଣେଇଛନ୍ତି । ଏଥିସହ ଅନ୍ୟ ଖେଳରେ ମଧ୍ୟ ମେଡାଲ ପାଇଁ ସଂଘର୍ଷ କରିବ ଭାରତ ।

ବକ୍ସିଂ, ବାସ୍କେଟବଲ, ଚେସ, ରୋଇଂ, ଟେନିସ, ସୁଟିଂ, ସୁଇମିଂରେ ଭାରତ ପାଇଁ ପଦକ ପାଇଁ ଲଢେଇ କରିବ । ଏସିଆନ ଗେମ୍ସର ପ୍ରଥମ ଦିନରେ ଭାରତ ଭାଗରେ ୫ଟି ପଦକ ପଡିଥିବା ବେଳେ ଆଜି ଏକାଧିକ ପଦକ ଜିତିବ ବୋଲି ଆଶା କରାଯାଉଛି । ପ୍ରଥମ ଦିନରେ ୩୦ଟି ମେଡାଲ ଜିତି ଏକ ନମ୍ବର ସ୍ଥାନରେ ଚୀନ୍ ଥିବା ବେଳେ ଭାରତ ୫ଟି ପଦକ ଜିତି ସପ୍ତମ ସ୍ଥାନରେ ରହିଛି ।

ଇନ୍ଦୋର ଦିନିକିଆ ସହିତ ସିରିଜ ଜିତିଲା ଟିମ୍ ଇଣ୍ଡିଆ, ୯୯ ରନର ବଡ଼ ବ୍ୟବଧାନରେ ହାରିଲା ଅଷ୍ଟ୍ରେଲିଆ

ଇନ୍ଦୋର: ଅଷ୍ଟ୍ରେଲିଆ ବିରୋଧରେ ଭାରତର ବିଶାଳ ବିଜୟ । ଇନ୍ଦୋର ଦିନିକିଆ ସହିତ ସିରିଜ ବିଜୟ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୯୯ ରନର ବଡ଼ ବ୍ୟବଧାନରେ ହରାଇ ୩ଟିକିଆ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ଭାରତ ପ୍ରଥମରେ ବ୍ୟାଟିଂ କରି କଙ୍ଗାରୁ ଟିମ୍ ଆଗରେ ୪୦୦ ରନର ବିଶାଳ ଟାର୍ଗେଟ ରଖିଥିଲା । ତେବେ ବର୍ଷା ପାଇଁ ଅଷ୍ଟ୍ରେଲିଆକୁ ଡିଏଲଏସ ନିୟମ ଆଧାରରେ ୩୩ ଓଭରରେ ୩୧୭ ରନର ଟାର୍ଗେଟ ଦିଆଯାଇଥିଲା । ଏହାକୁ ପିଛା କରି ମାତ୍ର ୨୧୭ ରନରେ ଅଲଆଉଟ୍ ହୋଇଯାଇଥିଲା ଅଷ୍ଟ୍ରେଲିଆ ।

ଇନ୍ଦୋର ଦିନିକିଆରେ ଦେଖିବାକୁ ମିଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବଦବା । ଶୁଭମନ୍ ଗିଲ ଓ ଶ୍ରେୟସ୍ ଆୟର ଶତକ ହାସଲ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଓ ଅଧିନାୟକ କେ.ଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୧୬ ରନ ଥିବାବେଳେ ମାତ୍ର ୮ ରନ କରି ଋତୁରାଜ ଗାୟକଓ୍ବାର୍ଡ ପାଭିଲିଅନ ଫେରିଥିଲେ । ଏହାପରେ ଗିଲଙ୍କ ସାଥ ଦେଇଥିଲେ ଶ୍ରେୟସ ଆୟର । ଉଭୟ କଙ୍ଗାରୁ ବୋଲରଙ୍କୁ ଧୁଲେଇ କରିଥିଲେ । ଶ୍ରେୟସ ଆୟର ୯୦ ବଲରେ ୧୦୫ ରନ କରିଥିବାବେଳେ ଶୁଭମନ୍ ଗିଲ୍ ୯୭ଟି ବଲ ଖେଳି ୧୦୪ ରନ କରିବାରେ ସକ୍ଷମ ହୋଇଥିଲେ ।

ଉଭୟଙ୍କ ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ ଅଧିନାୟକ ଲୋକେଶ ରାହୁଲ ଓ ଇଶାନ କିଷନ । ଇଶାନ କିଷନ ୩୧ ରନ କରି ଜାମ୍ପାଙ୍କ ବଲର ଶିକାର ହୋଇଥିଲେ । ଏହାପରେ ରାହୁଲଙ୍କ ସାଥ ଦେଇଥିଲେ ସୂର୍ଯ୍ୟ କୁମାର ଯାଦବ । ରାହୁଲ ୩୮ ବଲରେ ୫୨ ରନ କରି ଆଉଟ ହୋଇଥିଲେ । ତେବେ ସୂର୍ଯ୍ୟକୁମାର ଯାଦବ ୩୭ ବଲରେ ୭୨ ରନ କରିଥିଲେ ।

ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଦଳ ୫ ଓ୍ବିକେଟ ହରାଇ ୩୯୯ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ପଡ଼ିଆକୁ ଓହ୍ଲାଇବା ପରେ ଅଷ୍ଟ୍ରେଲିଆର ନିୟମିତ ବିପର୍ଯ୍ୟୟ ହୋଇଥିଲା । ଶେଷରେ ୨୮ ଓଭର ୨ଟି ବଲରେ ଦଳ ଅଲଆଉଟ ହୋଇଯାଇଥିଲା । ଆର ଅଶ୍ବିନୀ ଓ ଜାଡେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ପ୍ରସିଦ୍ଧ କ୍ରୀଷ୍ଣା ୨ଟି ଓ ମହମ୍ମଦ ସାମି ଗୋଟିଏ ଓ୍ବିକେଟ ନେଇଥିଲେ ।

୧୯ ପଳାତକ ଖାଲିସ୍ତାନୀ ଆତଙ୍କବାଦୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିବାଦୀୟ ବୟାନ ପରେ ଆକ୍ସନ ମୋଡରେ ଭାରତ । ଖାଲିସ୍ତାନୀ ଆତଙ୍କୀଙ୍କ ବିରୋଧରେ ଖଡଗହସ୍ତ ତଦନ୍ତକାରୀ ସଂସ୍ଥା ଏନଆଇଏ । କାନାଡା, ବ୍ରିଟେନ, ଆମେରିକା, ଦୁବାଇ, ପାକିସ୍ତାନ ଓ ଅନ୍ୟାନ୍ୟ ଦେଶରେ ରହୁଥିବା ୧୯ ପଳାତକ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ । ସମସ୍ତ ଆତଙ୍କୀଙ୍କ ସମ୍ପତ୍ତି ହେବ ବାଜ୍ୟାପ୍ତ । ଆତଙ୍କବାଦୀ ନିରୋଧ ଆଇନ ୟୁଏପିଏ ଅଧୀନରେ କାର୍ଯ୍ୟାନୁଷ୍ଠାନ ନେବ ଏନଆଇଏ ।

ତାଲିକାରେ ରହିଛିନ୍ତି ପରମଜିତ ସିଂ ପାମ୍ମା, ଓ୍ବାଧା ସିଂ ବାବର, କୁଲଓ୍ବନ୍ତ ସିଂ ମୁଥ୍ରା, ଜୟ ଧାଲିଓ୍ବାଲ, ସୁଖପାଲ ସିଂ ପ୍ରମୁଖ । ପୂର୍ବରୁ କାନାଡାର ବ୍ରିଟିଶ କଲମ୍ବିଆରେ ନିହତ ଖାଲିସ୍ତାନ ଟାଇଗର ଫୋର୍ସ ନେତା ହରଦୀପ ସିଂ ନିଜାରର ଜଳନ୍ଧରସ୍ଥିତ ଘର ଓ ଅନ୍ୟତମ ଖଲିସ୍ତାନୀ ଗୁରପତଓ୍ବନ୍ତ ସିଂ ପାନ୍ନୁର ସମ୍ପତ୍ତି ଜବତ କରିଛି ଏନଆଇଏ । ପାନ୍ନୁର ନାମରେ ରହିଛି ୨୨ରୁ ଅଧିକ ଦେଶଦ୍ରୋହ ସମେତ ଅନ୍ୟାନ୍ୟ ମାମଲା ।

ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରର ହତ୍ୟା ନେଇ ପୁଣି ବଢିଛି ବିବାଦ । ହତ୍ୟା ସମ୍ପର୍କରେ ଆମେରିକା, ବ୍ରିଟେନ, କାନାଡା, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ ଫାଇଭ ଆଇଜ୍ ପାର୍ଟନରର ସୂଚନା ଆଧାରରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଭାରତକୁ ଟାର୍ଗେଟ କରିଛନ୍ତି ବୋଲି କହିଛନ୍ତି ଆମେରିକାର ଜଣେ କୂଟନୀତିଜ୍ଞ । ତେଣେ ଭାରତୀୟ କୂଟନୀତିଜ୍ଞଙ୍କୁ ହତ୍ୟା କରିବା ଲାଗି କାନାଡାର ସୁରେର ଏକ ଗୁରୁଦ୍ବାରାରେ ଲଗାଯାଇଥିବା ପୋଷ୍ଟରକୁ ନେଇ ବଢିଛି ଆଶଙ୍କା ।