ବ୍ରେକ ପାଇପ ଫାଟି ଯିବାରୁ ବାଇକକୁ ପିଟି କାରକୁ ଧକ୍କା ଦେଲା ଟ୍ରକ, ୨ ମୃତ

ବ୍ରହ୍ମପୁର: ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବ୍ରେକ ପାଇପ ଫାଟି ଯିବାରୁ ବାଇକକୁ ପିଟିବା ପରେ କାରକୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଟ୍ରକଟି ପଲାସାରୁ କାଜୁ ତେଲ ନେଇ କୋଲକାତା ଯାଉଥିବା ବେଳେ ଖଲ୍ଲିକୋଟ ବଡ଼ ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଫଳରେ ବାଇକରେ ଯାଉଥିବା ଭାଇ, ଭଉଣୀ ଓ ଭଣଜାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଭଉଣୀ ବିଷ୍ଣୁପ୍ରିୟାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ପରେ ଟ୍ରକଟି ଏକ କାରକୁ ଧକ୍କା ଦେଇଥିଲା ।

କାରରେ ଥିବା ବିକ୍ରମପୁର ଅଞ୍ଚଳର ଶଙ୍କର ପରିଡ଼ା, ରାଜେନ୍ଦ୍ର ପ୍ରଧାନ, ଶୁଭ୍ରଜିତ ମହାନ୍ତି ସାମାନ୍ୟ ଆହତ ହୋଇ ଖଲ୍ଲିକୋଟ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଟ୍ରକ ଡ୍ରାଇଭର ନରସିଂହ ରାଓଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ହେଲପର ଜୟରାମର ଅବସ୍ଥା ଗୁରୁତର ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।