ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । କାର୍ତ୍ତିକ କୃଷ୍ଣ ଦଶମୀ ମଳ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ସେଥିପାଇଁ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବାୟତ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆପାତତଃ ଅପରାହ୍ମ ୫ଟାରୁ ରାତି ୯ଟା ଯାଏଁ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
୧୨ ବର୍ଷର ସମ୍ପର୍କ ଶେଷ: ହନି ସିଂ-ଶାଲିନୀ ତଲଓ୍ବାରଙ୍କ ଛାଡ଼ପତ୍ର ମଞ୍ଜୁର
ନୂଆଦିଲ୍ଲୀ: ରାପର ହନି ସିଂଙ୍କ ପତ୍ନୀ ଶାଲିନୀଙ୍କ ସହ ଛାଡ଼ପତ୍ର । ଦୀର୍ଘଦିନ ହେଲା ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ହନି । ଶେଷରେ ଦିଲ୍ଲୀ ଫ୍ୟାମିଲି କୋର୍ଟ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି । ଦେଢ଼ ବର୍ଷ ହେଲା ଚାଲିଥିଲା ଏହି ବହୁ ଚର୍ଚ୍ଚିତ ଛାଡ଼ପତ୍ର ମାମଲାର ବିଚାର ।
ଶାଲିନୀ ହନିଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଛାଡ଼ପତ୍ରକୁ ମଞ୍ଜୁରୀ ଦେବା ପୂର୍ବରୁ ପତ୍ନୀ ସହ ରହିବାକୁ ଚାହୁଁଛ କି ବୋଲି କୋର୍ଟ ହନିଙ୍କୁ ପଚାରିଥିଲେ । ଯାହାର ଉତ୍ତରରେ ହନି କହିଥିଲେ, ଏବେ ଏକାଠି ରହିବା ସମ୍ଭବ ହେବନି । ହନିଙ୍କ ଉତ୍ତରରେ ଶାଲିନୀ ମଧ୍ୟ ସହମତ ହୋଇଥିଲେ ।
ଏହାସହ ହନି ଏବଂ ଶାଲିନୀ ପରସ୍ପର ଉପରେ ଲଗାଇ ଥିବା ଆରୋପ ପ୍ରତ୍ୟାହାର କରି ନେଇଥିଲେ । ହେଲେ କେଉଁ ସର୍ତ୍ତରେ ଉଭୟଙ୍କୁ ଛାଡ଼ପତ୍ର ମିଳିଛି ତାହା ଏକ ବନ୍ଦ ଲଫାପାରେ ରଖାଯାଇଛି ।
ସୂଚନାଯୋଗ୍ୟ, ଗତବର୍ଷ, କୋର୍ଟଙ୍କ ରାୟ ଅନୁସାରେ ହନି ଶାଲିନୀଙ୍କୁ ଏକ କୋଟି ଟଙ୍କାର ଡ୍ରାଫ୍ଟ ଚେକ୍ ପ୍ରଦାନ କରିଥିଲେ । ସେପଟେ ଶାଲିନୀ ହନିଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେ ଭୟର ବାତାବରଣରେ ରହୁଛନ୍ତି । କାରଣ ହନି ଓ ତାଙ୍କ ପରିବାର ପକ୍ଷରୁ ମାନସିକ, ଶାରୀରିକ, ଯୌନ ଓ ଆର୍ଥିକ ନିର୍ଯାତନା ଦିଆଯାଉଛି ।
ଏଠାରେ କହି ରଖିବାକୁ ଚାହୁଁଛି, ହନି ଏବଂ ଶାଲିନ ପ୍ରେମ ବିବାହ କରିଥିଲେ । ଉଭୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରୁଥିଲେ । ଏହାପରେ ୨୦୧୧ ରେ ଦିଲ୍ଲୀର ଏକ ଗୁରୁଦ୍ବାରରେ ଶିଖ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ହେଲେ ଏହା ପ୍ରକାଶ କରି ନଥିଲେ । ପରେ ଉଭୟଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିବା ପରେ ବିବାହ କଥା ହନି ସ୍ବୀକାର କରିଥିଲେ ।
ନୀତିଶ କୁମାରଙ୍କ ‘ଯୌନ କ୍ରିୟା’ ମନ୍ତବ୍ୟ, କ୍ଷମା ଦେବେନି ମହିଳା
ପାଟନା: ବିହାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଯାହା କହିଲେ ତାହା ସର୍ବଦା କଳଙ୍କିତ ହୋଇ ରହିବ । ଜନସଂଖ୍ୟା ଉପରେ ମତ ଦେବା ବେଳେ ଯୌନ କ୍ରିୟାକୁ ନେଇ ମହିଳାଙ୍କ ପ୍ରତି ଅପମାନଜନକ ଶବ୍ଦର ବ୍ୟବହାର କରିଛନ୍ତି ନୀତିଶ । ଯେ କେହିବି ତାଙ୍କର ଏହି ମନ୍ତବ୍ୟ ଶୁଣୁଛନ୍ତି ତାଙ୍କ ମୁଣ୍ଡ ତଳକୁ ହୋଇଯାଉଛି । ନୀତିଶଙ୍କ ଏପରି ମନ୍ତବ୍ୟ ପାଇଁ ମହିଳା ସମାଜ କେବେ ତାଙ୍କୁ କ୍ଷମା ଦେବେନି ।
ବିହାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ସରକାରଙ୍କ ପ୍ରଶଂସା କରିବା ବେଳେ ନୀତିଶ ଏମିତି କିଛି କହିଗଲେ ଯାହା ତାଙ୍କ ଛବିକୁ କେବଳ ଖରାପ କରିନି, ନାରୀ ଜାତିଙ୍କୁ ଅପମାନିତ କରିଛି ।
ଝିଅମାନେ ପାଠ ପଢ଼ିଲେ ଜନସଂଖ୍ୟା ଆପେ ଆପେ କମିଯିବ ବୋଲି ନୀତିଶ କହିବାକୁ ଚାହୁଁଥିଲେ । ଏହାକୁ ବୁଝାଇବାକୁ ଯାଇ ଯୌନ କ୍ରିୟାକୁ ଏଥିରେ ସାମିଲ କରିଥିଲେ । କହୁ କହୁ ନୀତିଶ କହି ଥିଲେ, ଆଗରୁ ମହିଳାମାନେ ସହଜରେ ଗର୍ଭବତି ହୋଇ ଯାଉଥିଲେ । ହେଲେ ଏବେକାର ପାଠୁଆ ମହିଳା ଯୌନ କ୍ରିୟାରେ ଭିନ୍ନ ଆଚରଣ କରୁଛନ୍ତି । ନୀତିଶ କୁମାର ଭାବ ଭଙ୍ଗିର ସହ ବିଧାନସଭା ପରି ପବିତ୍ର ଗୃହରେ ଏମିତି ଅପମାନ ଜନକ ଶବ୍ଦ ବ୍ୟବହାର କରୁଥିବା ବେଳେ ନିଜ ଦଳର ସଦସ୍ୟ ବି ଅସହଜ ହୋଇଯାଇଥିଲେ । ନୀତିଶଙ୍କ ଏପରି ମନ୍ତବ୍ୟ ଶୁଣି ବିଧାୟକ ଓ ମନ୍ତ୍ରୀମାନେ ପରସ୍ପରର ମୁହଁକୁ ବଲ ବଲ କରି ଅନାଉଥିବା ବେଳେ ଆଉ କିଏ ମୁଣ୍ଡ ତଳକୁ କରିଦେଇଥିଲେ ।
ସୂଚନାଯୋଗ୍ୟ, ସେକ୍ସକୁ ନେଇ ଏମିତି ମନ୍ତବ୍ୟ ଦେବା ନୀତିଶ କୁମାରଙ୍କ ପାଇଁ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ବିଧାନସଭାରେ ପୁରୁଷଙ୍କ ସେକ୍ସକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଥିଲେ । ଗତ ମାର୍ଚ୍ଚରେ ବିଧାନସଭାରେ ପୁରୁଷଙ୍କ ସେକ୍ସକୁ ନେଇ କହିଥିଲେ, ଯେତେ ପରିଶ୍ରମ କଲେ ବି ପୁରୁଷ ଭୁଲ କରିଥାଏ । ଯେବେ ମୁଁ ସାଂସଦ ଥିଲି ସେ ସମୟରେ ଦିନେ ସକାଳେ ଜଣେ ପୁରୁଷ ଲୋକ ଗୋଟିଏ ପଶୁ ସହ ଯୌନ କ୍ରିୟା କରୁଥିବା ଦେଖିଥିଲି । ସେ ସମୟରେ ବି ନୀତିଶ କେବଳ କଥାରେ କଥାରେ ଏମିତି କହି ନଥିଲେ, ପୂରା ଭାବ ଭଙ୍ଗିର ସହ ଆକ୍ସନ କରି ଦେଖାଇଥିଲେ ।
ପ୍ୟାରିସ ଏୟାରପୋର୍ଟରେ ସମୂହ ନମାଜ ପାଠ, ଭିଡିଓ ଭାଇରାଲ ହେବା ପରେ ହଙ୍ଗାମା
ପ୍ୟାରିସ: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ପୁଣି ଚର୍ଚ୍ଚାରେ ଫ୍ରାନ୍ସ । ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଫ୍ରାନ୍ସରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ପ୍ୟାରିସ ଏୟାରପୋର୍ଟରେ ହୋଇଛି ନମାଜ ପାଠ । ନମାଜ ପାଠର ଭିଡିଓ ଭାଇରାଲ ହେବା ପରେ ବିବାଦ ବଢ଼ିବାରେ ଲାଗିଛି । ପ୍ୟାରିସ ସ୍ଥିତ ଚାର୍ଲସ ଡି ଗଲ ଏୟାରପୋର୍ଟରେ ସମୂହ ନମାଜ ପାଠରୁ ବିବାଦ ସୃଷ୍ଟି ହୋଇଛି । ବିବାଦ ବଢୁଥିବା ଦେଖି ଏୟାରପୋର୍ଟ ସଂଚାଳନ କରୁଥିବା ସଂସ୍ଥା ଏଡିପି ସିଇଓ ଘଟଣାକୁ ନିନ୍ଦା କରିଛନ୍ତି ।
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ଏକାଧିକ ମୁସଲିମ ଯାତ୍ରୀ ଜୋଡାନକୁ ବିମାନ ଯିବା ପୂର୍ବରୁ ପ୍ରସ୍ଥାନ ହଲରେ ନମାଜ ପାଠ କରିଥିଲେ । ଇସ୍ରାଏଲ ହମାସ ଯୁଦ୍ଧକୁ ନେଇ ଫ୍ରାନ୍ସରେ ଅସନ୍ତୋଷ ବଢୁଥିବା ସମୟରେ ଏମିତି ନମାଜ ପାଠକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ପ୍ରାୟ ୧ହ ମିନିଟ୍ ୩୦ରୁ ଅଧିକ ଯାତ୍ରୀ ଏମିତି ନମାଜ ପାଠ କରିଥିଲେ । ଫ୍ରାନ୍ସରେ ବହୁ ସଂଖ୍ୟାରେ ମୁସଲିମ ଓ ଇହୁଦି ସମ୍ପ୍ରଦାୟର ଲୋକ ରହୁଛନ୍ତି । ଏମିତି ସ୍ଥିତିରେ ନମାଜ ପାଠକୁ ଫ୍ରାନ୍ସ ସରକାର ଗମ୍ଭୀରତାର ସହ ନେଇଛନ୍ତି ।
ସୂଚନାଯୋଗ୍ୟ, ଫ୍ରାନ୍ସ ଏକ ଧର୍ମନିରପେକ୍ଷ ରାଷ୍ଟ ହୋଇଥିଲେ ବି ଏୟାରପୋର୍ଟ, ସ୍କୁଲ ଓ ସାର୍ବଜନୀନ ସ୍ଥାନରେ ଧାର୍ମିକ ପ୍ରଦର୍ଶନ ଉପରେ ରୋକ ଲାଗିଛି । ଏଠାରେ ସବୁ ଧର୍ମର ଲୋକଙ୍କୁ ପ୍ରଦର୍ଶନ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ଦିଆଯାଇଛି ।
ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜ୍ୟାକ୍ସ ଶିରାକଙ୍କ କାର୍ଯ୍ୟକାଳରେ ମନ୍ତ୍ରୀ ଥିବା ନୋଏଲ ଲେନୋଇର ନମାଜ ପାଠର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିବା ସହ ଏୟାରପୋର୍ଟକୁ ପ୍ରାର୍ଥନା ସ୍ଥଳରେ ପରିବର୍ତ୍ତନ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସେହିପରି ଶାସକ ଦଳର ସାଂସଦ ଏୟାରପୋର୍ଟ ସମେତ ପୂରା ଫ୍ରାନ୍ସରେ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଉପରେ ଜୋର ଦେଇଛନ୍ତି । ଘଟଣାକୁ ନେଇ ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଯାହାକୁ ନେଇ ବିବାଦ ଘନେଇବାରେ ଲାଗୁଛି ।


