ବିଶ୍ବକପ: ଆଫଗାନିସ୍ତାନ ହାତରୁ ବିଜୟ ଛଡ଼ାଇ ନେଲେ ମାକ୍ସଓ୍ବେଲ, ମାରିଲେ ଡବଲ ସେଞ୍ଚୁରୀ

ମୁମ୍ବାଇ: ଦିନିକିଆ ବିଶ୍ବକପରେ ଅଷ୍ଟ୍ରେଲିଆର ଦମଦାର ବିଜୟ । ଆଫଗାନିସ୍ତାନକୁ ୩ ଓ୍ବିକେଟରେ ହରାଇଲା କଙ୍ଗାରୁ ଦଳ । ୨୦୧ ରନ କରି ଦଳକୁ ଜିତାଇଥିବା ଗ୍ଲେନ ମାକ୍ସଓ୍ବେଲ ହେଲେ ମ୍ୟାଚ ଅଫ୍ ଦି ମ୍ୟାଚ୍ । ୨୯୨ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୪୬. ୫ ଓଭରରେ ୭ ଓ୍ବିକେଟ ହରାଇ ହାସଲ କରି ନେଇଥିଲା । ବିଜୟ ଲକ୍ଷ୍ୟ ୨୯୨ ଥିବା ବେଳେ ଏକା ମାକ୍ସଓ୍ବେଲ ୨୦୧ ରନର ଅପରାଜୟ ଇଂନିସ ଖେଳି ଆଫଗାନିସ୍ତାନ ହାତରୁ ନିଶ୍ଚିତ ବିଜୟକୁ ଛଡ଼ାଇ ନେଇଥିଲେ ।

ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆଫଗାନିସ୍ତାନର ଦୁଇ ଓପନର ଭଲ ଷ୍ଟ୍ରାଟ୍ ଦେଇପାରି ନଥିଲେ । ଗୁରୁବାଜ ମାତ୍ର ୨୧ ରନ୍ କରି ଆଉଟ୍ ହୋଇ ଯାଇଥିଲେ । ତେବେ ଅନ୍ୟତମ ଓପନର ବ୍ୟାଟ୍ସମ୍ୟାନ ଇବ୍ରାହିମ ୧୨୯ ରନର ପାରି ଖେଳି ଦଳକୁ ଏକ ଭଲ ସ୍କୋର ଦେଇଥିଲେ । ଛୋଟ ପାର୍ଟନରସିପ ହୋଇଥିଲେ ବି ରେହମତ, ସାହିଦ, ଆଜମତୁଲ୍ଲା ଏବଂ ରାସିଦ ଖାନ୍ ତାଙ୍କୁ ଭଲ ସାଥ ଦେଇଥିଲେ । ଦଳ ୫୦ ଓଭରରେ ୫ ଓ୍ବିକେଟ ହରାଇ ୨୯୧ ରନ୍ କରିଥିଲା । ଅଷ୍ଟ୍ରାଲିଆ ପକ୍ଷରୁ ଷ୍ଟାର୍କ, ମାକ୍ସଓ୍ବେଲ ଏବଂ ଜାମ୍ପା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ହାଜେଲଉଡ଼ ଦୁଇ ଓ୍ବିକେଟ୍ ନେବାକୁ ସକ୍ଷମ ହୋଇଥିଲେ ।

୨୯୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା କଙ୍ଗାରୁ ଦଳ ଆରମ୍ଭରୁ ଆଫଗାନିସ୍ତାନ ବୋଲରଙ୍କ ଆଗରେ ତାସ ଘର ପରି ଭାଙ୍ଗି ଯାଇଥିଲା । ଡେଭିଡ ଓ୍ବାର୍ନର ମାତ୍ର ୧୮ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ହେଡ ଖାତା ଖୋଲି ପାରି ନଥିଲେ । ସେହିପରି ମିଚେଲ ମାର୍ସ ୨୪, ମାରନୁସ ୧୪, ଇଙ୍ଗଲସ ଶୂନ, ମାର୍କସ ୬ ଏବଂ ଷ୍ଟାର୍କ ୩ ରନ୍ କରି ବ୍ୟାଭିଲିୟନ ଫେରି ଯାଇଥିଲେ । ହେଲେ ଗୋଟିଏ ପଟେ ମାକ୍ସଓ୍ବେଲ ଛିଡା ହୋଇ ୧୨୮ ବଲ୍ ଖେଳି ୨୦୧ ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ । ଆଉ ଅନ୍ୟପଟେ କମନ୍ସ ୬୮ ବଲ ଖେଳି ୧୨ ରନ୍ କରିବା ସହ ତାଙ୍କ ସାଥ ଦେଇଥିଲେ ।

ଆଫଗାନିସ୍ତାନ ପକ୍ଷରୁ ନଭିନ, ଉମରଜାଇ ଏବଂ ରାସିଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

୧୮. ୩ ଓଭରରେ ମାତ୍ର ୯୧ ରନ୍ କରି କଙ୍ଗାରୁ ଦଳର ୭ ଜଣ ବ୍ୟାଟ୍ସମ୍ୟାନ ଆଉଟ୍ ହୋଇଯାଇଥିଲେ । ଏମିତି ଲାଗୁଥିଲା ଅଷ୍ଟ୍ରେଲିଆ ଦଳ ୧୫୦ ରନ୍ ବି କରି ପାରିବ ନାହିଁ । ହେଲେ ମାକ୍ସଓ୍ବେଲ ପୂରା ଖେଳକୁ ବଦଳାଇ ଦେଇଥିଲେ । ଗୋଟିଏ ପଟେ ଛିଡ଼ା ହୋଇ ଆଫଗାନ ବୋଲରଙ୍କୁ ନିର୍ଦ୍ଦୟ ଭାବେ ପିଟି ଚାଲିଥିଲେ । ଆଫଗାନ ବୋଲରଙ୍କୁ ମାକ୍ସଓ୍ବେଲ ୨୧ଟି ଚୌକା ଏବଂ ୧୦ ଛକା ମାରିଥିଲେ ।