ପ୍ୟାରିସ ଏୟାରପୋର୍ଟରେ ସମୂହ ନମାଜ ପାଠ, ଭିଡିଓ ଭାଇରାଲ ହେବା ପରେ ହଙ୍ଗାମା

1 min read

ପ୍ୟାରିସ: ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ପୁଣି ଚର୍ଚ୍ଚାରେ ଫ୍ରାନ୍ସ । ଗାଜା ଯୁଦ୍ଧ ଆରମ୍ଭ ହେବା ପରଠାରୁ ଫ୍ରାନ୍ସରେ ଅସନ୍ତୋଷ ବଢ଼ି ଚାଲିଥିବା ବେଳେ ପ୍ୟାରିସ ଏୟାରପୋର୍ଟରେ ହୋଇଛି ନମାଜ ପାଠ । ନମାଜ ପାଠର ଭିଡିଓ ଭାଇରାଲ ହେବା ପରେ ବିବାଦ ବଢ଼ିବାରେ ଲାଗିଛି । ପ୍ୟାରିସ ସ୍ଥିତ ଚାର୍ଲସ ଡି ଗଲ ଏୟାରପୋର୍ଟରେ ସମୂହ ନମାଜ ପାଠରୁ ବିବାଦ ସୃଷ୍ଟି ହୋଇଛି । ବିବାଦ ବଢୁଥିବା ଦେଖି ଏୟାରପୋର୍ଟ ସଂଚାଳନ କରୁଥିବା ସଂସ୍ଥା ଏଡିପି ସିଇଓ ଘଟଣାକୁ ନିନ୍ଦା କରିଛନ୍ତି ।

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓରେ ଏକାଧିକ ମୁସଲିମ ଯାତ୍ରୀ ଜୋଡାନକୁ ବିମାନ ଯିବା ପୂର୍ବରୁ ପ୍ରସ୍ଥାନ ହଲରେ ନମାଜ ପାଠ କରିଥିଲେ । ଇସ୍ରାଏଲ ହମାସ ଯୁଦ୍ଧକୁ ନେଇ ଫ୍ରାନ୍ସରେ ଅସନ୍ତୋଷ ବଢୁଥିବା ସମୟରେ ଏମିତି ନମାଜ ପାଠକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ପ୍ରାୟ ୧ହ ମିନିଟ୍ ୩୦ରୁ ଅଧିକ ଯାତ୍ରୀ ଏମିତି ନମାଜ ପାଠ କରିଥିଲେ । ଫ୍ରାନ୍ସରେ ବହୁ ସଂଖ୍ୟାରେ ମୁସଲିମ ଓ ଇହୁଦି ସମ୍ପ୍ରଦାୟର ଲୋକ ରହୁଛନ୍ତି । ଏମିତି ସ୍ଥିତିରେ ନମାଜ ପାଠକୁ ଫ୍ରାନ୍ସ ସରକାର ଗମ୍ଭୀରତାର ସହ ନେଇଛନ୍ତି ।

ସୂଚନାଯୋଗ୍ୟ, ଫ୍ରାନ୍ସ ଏକ ଧର୍ମନିରପେକ୍ଷ ରାଷ୍ଟ ହୋଇଥିଲେ ବି ଏୟାରପୋର୍ଟ, ସ୍କୁଲ ଓ ସାର୍ବଜନୀନ ସ୍ଥାନରେ ଧାର୍ମିକ ପ୍ରଦର୍ଶନ ଉପରେ ରୋକ ଲାଗିଛି । ଏଠାରେ ସବୁ ଧର୍ମର ଲୋକଙ୍କୁ ପ୍ରଦର୍ଶନ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ ଦିଆଯାଇଛି ।

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଜ୍ୟାକ୍ସ ଶିରାକଙ୍କ କାର୍ଯ୍ୟକାଳରେ ମନ୍ତ୍ରୀ ଥିବା ନୋଏଲ ଲେନୋଇର ନମାଜ ପାଠର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହ ସରକାରଙ୍କୁ ଟାର୍ଗେଟ କରିବା ସହ ଏୟାରପୋର୍ଟକୁ ପ୍ରାର୍ଥନା ସ୍ଥଳରେ ପରିବର୍ତ୍ତନ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସେହିପରି ଶାସକ ଦଳର ସାଂସଦ ଏୟାରପୋର୍ଟ ସମେତ ପୂରା ଫ୍ରାନ୍ସରେ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଉପରେ ଜୋର ଦେଇଛନ୍ତି । ଘଟଣାକୁ ନେଇ ସରକାର ଓ ବିରୋଧୀ ଦଳଙ୍କ ମଧ୍ୟରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି । ଯାହାକୁ ନେଇ ବିବାଦ ଘନେଇବାରେ ଲାଗୁଛି ।