ପାଖେଇ ଆସୁଛି ଦୀପାବଳି, ଦୀପ ତିଆରିରେ ବ୍ୟସ୍ତ କୁମ୍ଭାର

ନୟାଗଡ଼: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚାରିଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦୀପାବଳିରେ ଘରେ ଘରେ ଦୀପ ଜାଳିବାର ପରମ୍ପରା ରହିଥୁବାରୁ ଦୀପ କାମରେ ବ୍ୟସ୍ତ କାରିଗର। ନୟାଗଡ଼ ରଣପୁର ବ୍ଲକ ସୁର୍କାବାଡି ଗାଁରେ କାରିଗରମାନେ ଭିନ୍ନ ଭିନ୍ନ ପ୍ରକାର ଦୀପ ତିଆରି କରିବାରେ ଲାଗିଛନ୍ତି । ୨୫ରୁ ଉର୍ଦ୍ଧ୍ବ ପରିବାର ତିଆରି କରୁଛନ୍ତି ଦୀପ ।

ଆସୁଛି ଆଲୋକର ପର୍ବ ଦୀପାବଳି। ରଙ୍ଗିଲ ଲାଇଟ ଏବଂ ଦୀପରେ ସଜେଇହେବ ଘର । ଦୀପ ପ୍ରସ୍ତୁତ କରି  ଭଲ ବ୍ୟବସାୟ ଲକ୍ଷ୍ୟରେ ନୟାଗଡ଼ ରଣପୁର ସୁର୍କାବାଡି ଗାଁର କାରିଗର। ପୁରୁଷ ଓ ମହିଳା ଉଭୟ ଦୀପ ପ୍ରସ୍ତୁତିରେ ଲାଗିପଡିଛନ୍ତି। କିଏ ମାଟି ଚକଟି ସୁନ୍ଦର ଦୀପ ତିଆରି କରିବାରେ ଲାଗିପଡିଛି ତ କିଏ ଦୀପକୁ ଶୁଖେଇବାରେ ବ୍ଯସ୍ତ । ପୁଣି କିଏ ଭାଟିରେ ଦୀପକୁ ପୋଡୁଛି।

ସୁର୍କାବାଡି ଗାଁର କିଛି କୁମ୍ଭକାର ମାନେ ସେମାନଙ୍କ ବୃତ୍ତି ଛାଡ଼ିବାକୁ ବସିଥିବାବେଳେ ଆଉ କିଛି ବୟସ୍କବ୍ୟକ୍ତି ନିଜ ପାରମ୍ପରିକ ବେଉସାକୁ ଜାବୁଡି ଧରିଛନ୍ତି। ବର୍ଷ ତମାମ ରହିଥାଏ ଏହି ମାଟି ଦୀପର ଚାହିଦା। କିନ୍ତୁ ଦୀପାବଳି ଆସିଲେ ଏହି ଦୀପର ଚାହିଦା ଆହୁରି ବଢିଯାଏ । ବଜାର ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ 5ରୁ 7 ପ୍ରକାର ଦୀପ ପ୍ରସ୍ତୁତ କରିଛନ୍ତି କାରିଗର। ସୁର୍କାବାଡି ଗାଁର ୨୫ରୁ ଉର୍ଦ୍ଧ୍ବ ପରିବାର ଦୀପ ପ୍ରସ୍ତୁତ କରୁଛନ୍ତି। ଗତବର୍ଷ ଅପେକ୍ଷା ଏ ବର୍ଷ ବ୍ୟବସାୟ ଭଲ ହେବା ନେଇ କୁମ୍ଭକାର ପରିବାର ଆଶାବାଦୀ ରହିଛନ୍ତି ।