spot_img
Home Blog Page 2558

ବଙ୍ଗୋପସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଓଡ଼ିଶାକୁ ଆସୁଛି ବଡ ବର୍ଷା ! ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ। ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଲଘୁଚାପ ରୂପନେବା ସମ୍ଭାବନା ରହିଛି। ପ୍ରଭାବରେ ୧୬ତାରିଖରୁ ରାଜ୍ୟରେ ବର୍ଷା ହେବ।  ଦକ୍ଷିଣ ସମେତ ଉତ୍ତର ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି।

ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ମଧ୍ୟମ ଧରଣର ବର୍ଷା ହେବ। ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ ନୟାଗଡ଼ରେ ହାଲୁକା ବର୍ଷା ହେବା ନେଇ ଆକଳନ କରାଯାଇଛି। ଲଘୁଚାପ ସୃଷ୍ଟି ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲେ ମଧ୍ୟ ତାହା ପ୍ରଭାବରେ କେତେ ପରିମାଣର ବର୍ଷା ହେବ ସେନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ଅନ୍ୟପଟେ ଓଡ଼ିଶାକୁ ପ୍ରବେଶ କରିବ ପୂର୍ବାଳି ଗରମ ଶୁଷ୍କ ପବନ। ଫଳରେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ। ଏହାର ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ସର୍ବନିମ୍ନ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ସେମିଳିଗୁଡାର ତାପମାତ୍ରା ୧୧.୧ ଡିଗ୍ରୀ ରହିଥିବାବେଳେ କୋରାପୁଟରେ ୧୧.୬, କେନ୍ଦୁଝରରେ ୧୨.୮, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୩, କିରେଇରେ ୧୩.୭, ଭବାନୀପାଟଣାରେ ୧୫ ଓ ନବରଙ୍ଗପୁରରେ ୧୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ବିଏସ୍‌କେୱାଇରେ ସାମିଲ ଘରୋଇ ସୁପରସ୍ପେସାଲିଟି ହସ୍ପିଟାଲ୍‌ ସଂଖ୍ୟା ୭୬୫କୁ ବୃଦ୍ଧି

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିଏସକେୱାଇ ଯୋଜନାରେ ସାମିଲ ହୋଇଥିବା ଘରୋଇ ସୁପରସ୍ପେସାଲିଟି ବିଶ୍ଵସ୍ତରୀୟ ହସ୍ପିଟାଲ୍‌ ସଂଖ୍ୟା ୭୬୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶାଳିନୀ ପଣ୍ଡିତ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ବାସ୍ଥ୍ୟସେବା ପ୍ରତିଶୃତି ସମିତି ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।

ଗୁଣାତ୍ମକ ସ୍ବାସ୍ଥ୍ୟସେବା ନିଶ୍ଚିନ୍ତ କରାଇବା ଦିଗରେ ସମିତିର ବିଭିନ୍ନ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ରାଜ୍ୟ ସରକାରଙ୍କ ସହ ସହଭାଗିତାରେ ଅନୁବନ୍ଧିତ ଘରୋଇ ହସ୍ପିଟାଲ୍‌ମାନଙ୍କରେ ଉପଲବ୍ଧ ରୋଗୀ-କେନ୍ଦ୍ରିକ ସେବା ଯୋଗାଣ ଉପରେ ନିୟମିତ ନଜର ରଖିବା ସହ ଚିକିତ୍ସା ବାବଦରେ ସେମାନେ ଅନ୍‌ଲାଇନରେ ଦାଖଲ କରିଥିବା ବିଲ ଗୁଡିକର ସମୟାନୁବନ୍ଧିତ ପଇଠ ନିଶ୍ଚିତ କରାଇବା ପାଇଁ ଶ୍ରୀମତୀ ପଣ୍ଡିତ ସମିତିର ନୋଡାଲ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୯ ରାଜ୍ୟର ପ୍ରମୁଖ ସହର ମାନଙ୍କରେ ଅବସ୍ଥିତ ୧୧୫ ଟି ସୁପର ସ୍ପେସାଲିଟି ବିଶ୍ଵସ୍ତରୀୟ ହସ୍ପିଟାଲ୍‌ ବିଏସ୍‌କେୱାଇରେ ସାମିଲ ହୋଇଛନ୍ତି।

ଭେଲୋରର ଖିଷ୍ଟିଆନ୍‌ମେଡିକାଲ୍‌ କଲେଜ, ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନସର ପ୍ରତିଷ୍ଠାନ, କଲିକତାର ଟାଟା ମେଡିକାଲ୍‌ ସେଣ୍ଟର,ଭାଇଜାକ୍‌ ଓ ସାନାଗୁରର ହୋମିବାବା କ୍ୟାନସର ହସ୍ପିଟାଲ୍‌, ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟ କ୍ୟାନସର ହସ୍ପିଟାଲ୍‌, ମୁମ୍ବାଇର ଆଡଭାନ୍ସ କ୍ୟାନସର ଚିକିତ୍ସା ଓ ଗବେଷଣା ପ୍ରତିଷ୍ଠାନ, ଟାଟା ମେମୋରିଆଲ ହସ୍ପିଟାଲ ଆଦି ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ପ୍ରତିଷ୍ଠାନମାନେ ବିଏସ୍‌କେୱାଇରେ ସାମିଲ ହୋଇଛନ୍ତି ।

ଏହାଛଡା ଚେନ୍ନାଇ,ଡେରାଡୁନ୍‌, ବାଶି, ବେଙ୍ଗାଲୁରୁ, ମୁମ୍ବାଇ, କଲିକତା, ଅମ୍ରିତସର, ଫରିଦାବାଦ, ଗୁରଗାଓଁ, ଜୟପୁର, ନଇଡା, ଲୁଧିଆନା, ନୂଆଦିଲ୍ଲୀ ଆଦି ସ୍ଥାନରେ ଥିବା ଫୋର୍ଟିସ୍‌ ଗୃପର ୨୪ଟି ହସ୍ପିଟାଲ ଏବଂ ନାରାୟଣ ହୃଦୟାଳୟର ୭ଟି ବିଶ୍ଵସ୍ତରୀୟ ହସ୍ପିଟାଲ୍‌ମାନେ ମଧ୍ୟ ବିଏସ୍‌କେୱାଇ ସହ ସହଭାଗିତା ସୂତ୍ରରେ ସଂଯୁକ୍ତ ହୋଇଛନ୍ତି ।

ବିଶାଖାପାଟଣା, ରାଇପୁର, ଜାମସେଦପୁର, ସୁରଟ, ସିରିକାକୁଲମ, ମଦୁରାଇ, ହାଇଦ୍ରାବାଦ, ରାଇଘର, ଦ୍ଵାରକାନଗର, ବିଜୟନଗରମ ଆଦି ସହରର ପ୍ରମୁଖ ସୁପର ସ୍ପେସାଲିଟି ହସ୍ପିଟାଲମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଜାନୁଆରୀରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟ ବାହାର ହସ୍ପିଟାଲମାନଙ୍କରେ ପ୍ରାୟ ୯୧,୫୦୦ ଓଡିଆ ଲୋକମାନେ ମାଗଣାରେ ଜଟିଳ ରୋଗର ଅତ୍ୟାଧୁନିକ ଚିକିତ୍ସା ପାଇଛନ୍ତି ।

 

ଲୋକଙ୍କୁ ଆକୃଷ୍ଟ କରୁଛି ମିଲେଟରେ ପ୍ରସ୍ତୁତ ଖାଦ୍ୟ, ବଢୁଛି ଚାହିଦା

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ଆନ୍ତର୍ଜାତିକ ପୃଷ୍ଟି ଶସ୍ୟ ସମ୍ମିଳନୀରେ ମାଣ୍ଡିଆରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ଖାଦ୍ୟ ଦେଖିବାକୁ ମିଳିଛି। ମାଣ୍ଡିଆ କାକରା ପିଠା, ମାଣ୍ଡିଆର ମଣ୍ଡା ପିଠା, ମାଣ୍ଡିଆ ଦହିବରା, ମାଣ୍ଡିଆ ରୋଲ୍, ଅନାର ଦାନା ମାଣ୍ଡିଆ ଦହିବରା, ମାଣ୍ଡିଆ ରାଗି ଭିଜିଟେବୁଲ ସୁପ୍, ମାଣ୍ଡିଆ ଛାଞ୍ଚ୍, ମାଣ୍ଡିଆ କ୍ଷୀର ପୋଡ଼ ପିଠା ଭଳି ଅନେକ ସୁସ୍ବାଦୁ ଖାଦ୍ୟ ସମ୍ମିଳନୀରେ ପସାରା ମେଲିଛି। ଏହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାରୁ ଛୋଟ ଠାରୁ ବଡ଼ ସମସ୍ତେ ଏହାକୁ ଖାଉଛନ୍ତି।

ପୋଷକ ତତ୍ତ୍ବରେ ଭରପୁର ରହିଛି ମାଣ୍ଡିଆ। ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଉଛି। ଦେଶର ପ୍ରଥମ ରାଜ୍ୟଭାବେ ଓଡ଼ିଶା ମାଣ୍ଡିଆ ଦିବସ ପାଳନ କରୁଛି । ୭ଟି ଜିଲ୍ଲାରୁ ଆରମ୍ଭ ହୋଇଥିବା ମିଲେଟ ମିଶନ ଏବେ ୩୦ ଜିଲ୍ଲାର ୧୭୭ ବ୍ଲକରେ କାର୍ଯ୍ୟକାରୀ ହେଉଛି ।

ମାଣ୍ଡିଆକୁ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚାଇବା ସହ ପୂରା ବିଶ୍ବରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମାଣ୍ଡିଆ ଦିବସ ପାଳନ କରୁଛି ଓଡ଼ିଶା । ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ସ୍ବତନ୍ତ୍ର ପ୍ରୋତ୍ସାହନ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ଚାଉଳ ଓ ଗହମ ଭଳି ୧୫ଟି ଜିଲ୍ଲାରେ ରାସନରେ ମାଣ୍ଡିଆ ପ୍ରଦାନ କରାଯାଉଛି । ଏହାସହ ପ୍ରତି ଥାଳିରେ ମାଣ୍ଡିଆକୁ ବ୍ୟବହାର କରିବା ପାଇଁ ସ୍କୁଲର ମଧ୍ୟାହ୍ନଭୋଜନ, ଡାକ୍ତରଖାନା କ୍ୟାଣ୍ଟିନ, ସରକାରୀ କାର୍ଯ୍ୟାଳୟ ଓ ବୈଠକ, ହୋଟେଲ ମାନଙ୍କରେ ମାଣ୍ଡିଆକୁ ସାମିଲ କରାଯାଉଛି । ପୋଷକତତ୍ତ୍ବରେ ଭରା ମାଣ୍ଡିଆର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ପ୍ରଥମ ରାଜ୍ୟଭାବେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜନ କରି ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରୁଛି ।

ATM କ୍ୟାସ ଲୋଡିଂ ଭ୍ୟାନରୁ ଟଙ୍କା ଭର୍ତ୍ତି ଟ୍ରଙ୍କ୍‌ ଲୁଟ୍

କଟକ: ATM କ୍ୟାସ ଲୋଡିଂ ଭ୍ୟାନରୁ ଟଙ୍କା ଭର୍ତ୍ତି ଟ୍ରଙ୍କ୍‌ ଲୁଟ୍ । କଟକ ତିଗିରିଆ ଥାନା କଲିମ୍ ବଗିଚା ରାଇସ୍ ମିଲ୍ ନିକଟରେ ଏହି ଲୁଟ ହୋଇଛି । ATM ଟଙ୍କା ଲୋଡିଂ ଭ୍ୟାନରୁ ଦୁର୍ବୃତ୍ତମାନେ ଟଙ୍କା ଭର୍ତ୍ତି ଟ୍ରଙ୍କ୍‌ ଲୁଟ୍ କରିଛନ୍ତି । ଏକ ସ୍କୁଟି ଓ ଏକ ସ୍କର୍ପିଓ ଗାଡ଼ିରେ ୮ ଜଣ ମୁଖାପିନ୍ଧା ଲୁଟେରା କରିଛନ୍ତି ଲୁଟ୍। ଡ୍ରାଇଭରକୁ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି ଦୃର୍ବୃତ୍ତ। କେତେ ଟଙ୍କା ଲୁଟ୍‌ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ।

ଆଠଗଡ଼ ଓ ତିଗିରିଆ ଥାନା ପୋଲିସ ତନାଘନା ଆରମ୍ଭ କରିଛନ୍ତି। ଆଠଗଡର ବିଭିନ୍ନ ପଏଣ୍ଟକୁ ନାକାବନ୍ଦି କରିଛି ଆଠଗଡ ପୋଲିସ। ଗତ କିଛ ମାସ ତଳେ ଆଠଗଡ ଅଞ୍ଚଳରୁ ଏଭଳି ଏଟିଏମ ଭ୍ୟାନକୁ ଲୁଟିଥିଲେ ଦୁର୍ବୃତ୍ତ।

ଓଡ଼ିଶାରେ ସିନୋପସିସ୍ କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଡିଜାଇନ ଅଟୋମେସନ ଉପକରଣ ଅଗ୍ରଣୀ ଯୋଗାଣକାରୀ ସଂସ୍ଥା ସିନୋପସିସର ଡିଜାଇନ, ଗବେଷଣା ଓ ବିକାଶ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ପୂର୍ବ ଭାରତରେ ସିନୋପସିସର ଏହା ପ୍ରଥମ ବୈଷୟିକ କେନ୍ଦ୍ର। ଏହାଦ୍ବାରା ଓଡ଼ିଶାରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଚିପ୍ ଡିଜାଇନ ଇକୋସିଷ୍ଟମ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉଚ୍ଚସ୍ତରୀୟ ନିଯୁକ୍ତି ସୃଷ୍ଟି ହୋଇପାରିବ। ରାଜ୍ୟରେ ସେମିକଣ୍ଡକ୍ଟର ଡିଜାଇନ, ଗବେଷଣା ଓ ବିକାଶ କ୍ଷେତ୍ରରେ ସଶକ୍ତ ହୋଇପାରିବ।

ଏହି ବୈଷୟିକ ଗବେଷଣା ଓ ବିକାଶ କେନ୍ଦ୍ରରେ ୩୦୦ରୁ ଊର୍ଦ୍ଧ୍ଵ ଦକ୍ଷତା ସମ୍ପର୍ଣ୍ଣ ଡିଜାଇନ୍ ଇଞ୍ଜିନିୟର କାର୍ଯ୍ୟ କରିବା ପାଇଁ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ଆମେରିକା ଗ୍ରସ୍ତ ଏବଂ ବିଶ୍ବର ପ୍ରମୁଖ ଆଇଟି ଓ ସେମିକଣ୍ଡକ୍ଟର କମ୍ପାନି ସହିତ ସଫଳ ଆଲୋଚନା ଦ୍ବାରା ବହୁରାଷ୍ଟ୍ରୀୟ କମ୍ପାନୀମାନେ ଭୁବନେଶ୍ବରରେ ସେମାନଙ୍କ କେନ୍ଦ୍ର ସ୍ଥାପନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନୋପସିସକୁ ଓଡ଼ିଶାକୁ ସ୍ବାଗତ କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ । ବିଶ୍ବର ଅନ୍ୟତମ ଅତ୍ୟାଧୁନିକ ଚିପ୍ ଡିଜାଇନ ଟେକ୍ନୋଲୋଜି କମ୍ପାନି ସିନୋପସିସ ଭୁବନେଶ୍ବରରେ ଏହାର କେନ୍ଦ୍ର ସ୍ଥାପନ କରିଥିବାରୁ ମୁଁ ଆନନ୍ଦିତ ବୋଲି ନବୀନ କହିଛନ୍ତି। ଏହାଦ୍ବାରା ଓଡ଼ିଶାରେ ଏକ ବୃହତ୍ ଇ.ଏସ୍.ଡି.ଏମ୍. ଇକୋସିଷ୍ଟମର ବିକାଶ ଘଟିବା ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଓଡ଼ିଶାରେ ଇଲେକ୍ଟ୍ରୋନିକ ଚିପ ଡିଜାଇନ ଅଟୋମେସନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ଦେବ । ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ବ ସ୍ତରରେ ସିନୋପସିସ୍ ଅଗ୍ରଣୀ କମ୍ପାନି ଭାବେ ସୁପରିଚିତ। ଲଜିକ୍ ସିନ୍ଥେସିସ ଏବଂ ଏକୀକୃତ ସର୍କିଟର ଭୌତିକ ଡିଜାଇନ୍ ପାଇଁ ଉପକରଣ, ବିକାଶ ପାଇଁ ସିମୁଲେଟର ଏବଂ ଡିବଗିଂ ପରିବେଶ ଏହାର ଉତ୍ପାଦଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ, ଯାହା ଚିପ୍ସ ଏବଂ କମ୍ପ୍ୟୁଟର ସିଷ୍ଟମ ଡିଜାଇନ୍ର ସାହାଯ୍ୟ କରେ। ଉଦଘାଟନୀ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ସିନୋପସିସର ଉପସଭାପତି ଶିବାନନ୍ଦ କୋଟେଶ୍ବର, ବରିଷ୍ଠ ଉପସଭାପତି ଅମିତ ସାନହଗନି ଏବଂ ସ୍ଥାନୀୟ ଗ୍ରୁପ ଡାଇରେକ୍ଟର ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି କେନ୍ଦ୍ର ପ୍ରତିଷ୍ଠା ଦିଗରେ ଓଡ଼ିଶା ସରକାରଙ୍କ ତ୍ବରାନ୍ବିତ ପଦକ୍ଷେପ ଓ ଦାୟିତ୍ବବୋଧକୁ ପ୍ରଶଂସା କରିବା ସହ ଏହାର ସହଯୋଗ ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ସିନୋପସିସର ବରିଷ୍ଠ ଉପସଭାପତି ଅମିତ ସାନହଗନି।

ଆସୁଛି ଦୀପାବଳି, ଅଘଟଣ ରୋକିବା ପାଇଁ ବାଣ ଦୋକାନରେ ଚାଲିଛି ଯାଞ୍ଚ

କଟକ: ଦୀପାବଳିରେ ବାଣ ବ୍ୟବସାୟ ବେଳେ ସତର୍କତା ପାଇଁ ପଦକ୍ଷେପ। ଅଘଟଣ ରୋକିବା ପାଇଁ କଟକର ବିଭିନ୍ନ ସ୍ଥାନରେ ବାଣ ଦୋକାନରେ ଅଗ୍ନିଶମ ବିଭାଗ ଯାଞ୍ଚ କରୁଛି। ଚଳିତବର୍ଷ କଟକ ସହରରେ ମୋଟ ୩୧ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନକୁ ଲାଇସେନ୍ସ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ବେଆଇନ ଭାବେ ହୋଇଥିବା ବାଣ ଦୋକାନକୁ ସିଲ୍ କରାଯାଉଛି।

ସେହିଭଳି ବାଣ ଦୋକାନ ଗୁଡିକ ସୁରକ୍ଷା ସଂପର୍କିତ ସମସ୍ତ ନିୟମ ପାଳନ କରୁଛନ୍ତି କି ନା, ସେ ଦିଗରେ ମଧ୍ୟ ଅଗ୍ନିଶମ ବିଭାଗ ଯାଞ୍ଚ କରୁଛି। ମୁଖ୍ୟତଃ ପ୍ରଦୂଷଣ ମୁକ୍ତ ବାଣ ବିକ୍ରି, ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ବିକ୍ରି ଉପରେ ନିଷେଧାଦେଶ ରହିଛି। ତେଣୁ ସେଭଳି ବାଣ ଯଦି ବିକ୍ରି କରାଯାଉଛି ତେବେ ତାକୁ ଜବତ କରାଯିବ। ବିଭିନ୍ନ ନିୟମକୁ ପାଳନ କରାଯାଉଛି କି ନାହିଁ, ସେ ଦିଗରେ ଆସିଷ୍ଟାଣ୍ଟ ଫାୟାର ଅଫିସରଙ୍କ ନେତୃତ୍ୱରେ ଚାଲିଛି ଯାଞ୍ଚ୍‌।

୧୪ ଟିକିଆ ହାତୀପଲରେ ଧସ୍ତାଧସ୍ତି, ଚାଲିଗଲା ଦନ୍ତାର ଜୀବନ

କେନ୍ଦୁଝର: ତେଲକୋଇ ବନାଞ୍ଚଳରେ ଦନ୍ତାହାତୀର ମୃତ୍ୟୁ । ଗୋଳାବନ୍ଧ ଫରେଷ୍ଟ ବିଟ୍‌ ସାଲେଇକେନା ପଞ୍ଚାୟତ ଭାଡ଼ିମରା ଗାଁ ନିକଟରୁ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଙ୍କ ଉପସ୍ଥିତି ସମ୍ପର୍କରେ ଯାଞ୍ଚ କରିବା ବେଳେ ମୃତଦେହକୁ ଠାବ କରିଛି ବନ ବିଭାଗ ।

ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ତଦନ୍ତ କରୁଥିବା ବେଳେ ପରସ୍ପର ମଧ୍ୟରେ ଲଢ଼େଇରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତିନି ଦିନ ତଳେ ଦେବଗଡ଼ ବନଖଣ୍ଡ ପାଲଲହଡାପଟୁ ୧୪ ଟିକିଆ ହାତୀପଲ ଗୋଳାବନ୍ଧ ରିଜର୍ଭ ଫରେଷ୍ଟକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ୫ଟି ଛୁଆ, ୬ଟି ମାଈ ଓ ୩ଟି ଦନ୍ତାହାତୀ ।

ଗତକାଲି ରାତିରେ ହାତୀପଲକୁ ବନ କର୍ମଚାରୀ ଓ ସ୍ଥାନୀୟ ଲୋକ ସାଲେଇକେନା ଆଡ଼କୁ ଘଉଡ଼ାଇ ଦେଇଥିଲେ । ଆଜି ସେହି ହାତୀପଲର ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀର ଶରୀରରେ କ୍ଷତ ଚିହ୍ନ ରହିଛି । ଏଣୁ ଅନ୍ୟ ଦନ୍ତାହାତୀ ଆକ୍ରମଣରେ ଏହି ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଲସ୍କର-ଏ-ତଏବାର ପୂର୍ବତନ କମାଣ୍ଡରକୁ ପାକିସ୍ତାନରେ ଗୁଳିକରି ହତ୍ୟା

ନୂଆଦିଲ୍ଲୀ : ଭାରତ ବିରୋଧରେ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ଲକସର-ଏ-ତଏବାର ଜଣେ ପୂର୍ବତନ କମାଣ୍ଡରକୁ ପାକିସ୍ତାନରେ ଗୁଳିକରି ହତ୍ୟା । ପାକିସ୍ତାନର ବାଜାଉର ଜିଲ୍ଲାରେ ଆକ୍ରାମ ଖାନକୁ ଗୁଳି କରି ହତ୍ୟା କରିଛନ୍ତି କେତେକ ଅଜଣା ଦୁର୍ବୃତ୍ତ । ଖାଇବର ପାଖତୁନଖଓ୍ବାରେ ଥିବାବେଳେ ଆକ୍ରାମ ଖାନ ଓରଫ ଆକ୍ରାମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି ।

୨୦୧୮ରୁ ୨୦୨୦ରୁ ଯାଏଁ ଲସକର ସଂଗଠନର ରିକ୍ରୁଟମେଣ୍ଟ ସେଲରେ କାମ କରୁଥିଲା ଆକ୍ରାମ । ସେ ସର୍ବଦା ଭାରତ ବିରୋଧରେ ଭାଷଣ ଦେଇ ଚର୍ଚ୍ଚାରେ ଥିଲେ । ବିଭିନ୍ନ ଆତଙ୍କୀ କାର୍ଯ୍ୟକଳାପ ସହ ସେ ଥିଲା ଜଡିତ । ଗତ ଅକ୍ଟୋବରରେ ପଠାନକୋଟ ଆକ୍ରମଣ ମାମଲାରେ ସାମିଲ ଥିବା ସାହିଦ ଲତିଫକୁ ବି ଗୁଳି କରି ହତ୍ୟା କରାଯାଇଥିଲା । ସେ ଭାରତର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିଲା । ଗତ ସେପ୍ଟେମ୍ବରରେ ବି ଲସକର ସଂଗଠନର କମାଣ୍ଡର ରିୟାଜ ଅହମ୍ମଦ ଓରଫ ଆବୁ କାସିମକୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା ।

‘ରାଜ୍ୟର ୭୦ ଲକ୍ଷ ମା’ଙ୍କୁ ମିଶନ ଶକ୍ତି ଦେଇଛି ସ୍ବତନ୍ତ୍ର ପରିଚୟ’

ଭୁବନେଶ୍ୱର : ମିଶନ ଶକ୍ତି ମାଆଙ୍କ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ରାଜ୍ୟର ୭୦ ଲକ୍ଷ ମାଆ ମାନଙ୍କୁ ମିଶନ ଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତିର ମାଆ ମାନେ ବହୁତ ଭଲ କାମ କରୁଛନ୍ତି । ମା’ମାନେ ଆଗକୁ ବଢ଼ିବା ସହିତ ଏକ ସାମାଜିକ ପୁଞ୍ଜି ହୋଇପାରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମାଆମାନେ ଆଗକୁ ବଢିବା ସହ ଉନ୍ନତି କରିଛନ୍ତି । ସେମାନେ SHGରୁ MSMEକୁ ଉନ୍ନୀତ ହୋଇପାରିଛନ୍ତି । କଠିନ ପରିଶ୍ରମ ପାଇଁ ଏହା ସମ୍ଭବ ହୋଇପାରିଛି । ମାଆ ମାନଙ୍କର ଏହି ପ୍ରଗତି ଦେଖି ମୁଁ ବହୁତ ଖୁସି । ମା’ମାନେ ମିଲେଟକୁ ସହର ଓ ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି । ମାଆ ମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଶନ ଶକ୍ତି ୭୦ ଲକ୍ଷ ମାଆଙ୍କ ପରିବାର । ମିଶନ ଶକ୍ତିର ଶକ୍ତି ସଂଖ୍ୟାରେ ନୁହେଁ, ମାଆଙ୍କ ଦୃଢ଼ ପରିଶ୍ରମ ଓ ସମର୍ପଣ ହିଁ ମିଶନ ଶକ୍ତିର ଶକ୍ତି । ମିଶନ ଶକ୍ତିର ଶକ୍ତି ହେଉଛନ୍ତି ଆମ ମାଆମାନେ । ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀରେ ଏପରି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ । ମାଣ୍ଡିଆର ପ୍ରଚାର ପ୍ରସାରରେ ଓଡ଼ିଶା ସୁନାମ ଆଣିଛି । ଯେଉଁଥିରେ ହକଦାର ସାଜିଛନ୍ତି ମିଶନ ଶକ୍ତି ମାଆ । କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ମାଆମାନେ ସଶକ୍ତ ହୋଇଛନ୍ତି ।

ପଞ୍ଚାୟତର ପୋଖରୀରେ ମାଆମାନେ ମାଛଚାଷ କରୁଛନ୍ତି, ବିଭିନ୍ନ ଫସଲ ଚାଷ କରୁଛନ୍ତି ମିଶନ ଶକ୍ତିମାଆ । ନୂଆପଡ଼ାରେ ଷ୍ଟ୍ରବେରୀ ଓ କୋରାପୁଟରେ କଫିଚାଷ ମିଶନ ଶକ୍ତି ମାଆମାନଙ୍କ ପାଇଁ ସମ୍ଭବ ହୋଇଛି । ଏସଏଚଜିରୁ ଏମଏସଏମଇର ଯାତ୍ରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନ ସଫଳ ହୋଇଛି । ମହିଳାମାନେ ଉଦ୍ୟୋଗୀ ବନିଛନ୍ତି । ଯୁଗଯୁଗରୁ ମାଟି ସହିତ ମାଆମାନଙ୍କର ସମ୍ପର୍କ ରହିଛି । ସୃଷ୍ଟିର ଆରମ୍ଭରୁ ମାଆ ଓ ମାଟିର ସମ୍ପର୍କ ରହିଛି । ଘରେ ରୋଷେଇ କ’ଣ ହେବ ଓ ପରିବାର କେମିତି ଚଳିବ ତାହା ମଧ୍ୟ ମାଆଙ୍କ ହାତରେ ରହିଛି ।

ନୂତନ ଓଡ଼ିଶାରେ ମାଆର ସମ୍ପର୍କକୁ ବ୍ୟାପକ କରିଛି ମିଶନ ଶକ୍ତି । ମାଟି ଓ ହାଣ୍ଡିଶାଳରୁ ବାହାରି ମାଆମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସ୍ବର ଉତ୍ତୋଳନ କରି ଏସଏଚଜିରୁ ଏମଏସଏମଇ ପାଟଲିଛନ୍ତି ମାଆ । ମାଆମାନେ ମାଣ୍ଡିଆ ଚାଷ କରିବା ସହ ଏହାର ପ୍ରୋସେସିଂ ମଧ୍ୟ କରୁଛନ୍ତି । ଏହାକୁ ବଡ଼ବଡ଼ ଜାଗାରେ ପହଞ୍ଚାଇ ମାଣ୍ଡିଆ ମାଧ୍ୟମରେ ମାଆମାନେ ସ୍ବତନ୍ତ୍ର ପରିଚୟ ପାଇପାରିଛନ୍ତି । ଏକାଧିକ ମାଆଙ୍କ ଉଦାହରଣ ଦେଇ ମିଲେଟ କିପରି ମାଆଙ୍କୁ ସଶକ୍ତ କରିଛି ତାହାର ଉଦାହରଣ ଦେଇଥିଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।

 

ଶୀତ ଭିତରେ ଆସୁଛି ବର୍ଷା, ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର : ଶୀତ ଭିତରେ ଆସୁଛି ବର୍ଷା । ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ । ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଲଘୁଚାପ ରୂପନେବା ସମ୍ଭାବନା ରହିଛି । ପ୍ରଭାବରେ ୧୬ତାରିଖରୁ ରାଜ୍ୟରେ ବର୍ଷା ହେବ । ଦକ୍ଷିଣ ସମେତ ଉତ୍ତର ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି ।

ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ମଧ୍ୟମଧରଣର ବର୍ଷା ହେବ । ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ ନୟାଗଡ଼ରେ ହାଲୁକା ବର୍ଷା ହେବାନେଇ ଆକଳନ କରାଯାଇଛି ।

ଅନ୍ୟପଟେ ଓଡ଼ିଶାକୁ ପ୍ରବେଶ କରିବ ପୂର୍ବାଳି ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ବୃଦ୍ଧି ପାଇପାରେ । ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।