ଓଡ଼ିଶାରେ ସିନୋପସିସ୍ କେନ୍ଦ୍ରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

1 min read

ଭୁବନେଶ୍ୱର: ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଡିଜାଇନ ଅଟୋମେସନ ଉପକରଣ ଅଗ୍ରଣୀ ଯୋଗାଣକାରୀ ସଂସ୍ଥା ସିନୋପସିସର ଡିଜାଇନ, ଗବେଷଣା ଓ ବିକାଶ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ପୂର୍ବ ଭାରତରେ ସିନୋପସିସର ଏହା ପ୍ରଥମ ବୈଷୟିକ କେନ୍ଦ୍ର। ଏହାଦ୍ବାରା ଓଡ଼ିଶାରେ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ ଚିପ୍ ଡିଜାଇନ ଇକୋସିଷ୍ଟମ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉଚ୍ଚସ୍ତରୀୟ ନିଯୁକ୍ତି ସୃଷ୍ଟି ହୋଇପାରିବ। ରାଜ୍ୟରେ ସେମିକଣ୍ଡକ୍ଟର ଡିଜାଇନ, ଗବେଷଣା ଓ ବିକାଶ କ୍ଷେତ୍ରରେ ସଶକ୍ତ ହୋଇପାରିବ।

ଏହି ବୈଷୟିକ ଗବେଷଣା ଓ ବିକାଶ କେନ୍ଦ୍ରରେ ୩୦୦ରୁ ଊର୍ଦ୍ଧ୍ଵ ଦକ୍ଷତା ସମ୍ପର୍ଣ୍ଣ ଡିଜାଇନ୍ ଇଞ୍ଜିନିୟର କାର୍ଯ୍ୟ କରିବା ପାଇଁ ଭିତ୍ତିଭୂମିର ବ୍ୟବସ୍ଥା କରାଯାଇଛି। ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ଆମେରିକା ଗ୍ରସ୍ତ ଏବଂ ବିଶ୍ବର ପ୍ରମୁଖ ଆଇଟି ଓ ସେମିକଣ୍ଡକ୍ଟର କମ୍ପାନି ସହିତ ସଫଳ ଆଲୋଚନା ଦ୍ବାରା ବହୁରାଷ୍ଟ୍ରୀୟ କମ୍ପାନୀମାନେ ଭୁବନେଶ୍ବରରେ ସେମାନଙ୍କ କେନ୍ଦ୍ର ସ୍ଥାପନ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନୋପସିସକୁ ଓଡ଼ିଶାକୁ ସ୍ବାଗତ କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ । ବିଶ୍ବର ଅନ୍ୟତମ ଅତ୍ୟାଧୁନିକ ଚିପ୍ ଡିଜାଇନ ଟେକ୍ନୋଲୋଜି କମ୍ପାନି ସିନୋପସିସ ଭୁବନେଶ୍ବରରେ ଏହାର କେନ୍ଦ୍ର ସ୍ଥାପନ କରିଥିବାରୁ ମୁଁ ଆନନ୍ଦିତ ବୋଲି ନବୀନ କହିଛନ୍ତି। ଏହାଦ୍ବାରା ଓଡ଼ିଶାରେ ଏକ ବୃହତ୍ ଇ.ଏସ୍.ଡି.ଏମ୍. ଇକୋସିଷ୍ଟମର ବିକାଶ ଘଟିବା ସହ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଓଡ଼ିଶାରେ ଇଲେକ୍ଟ୍ରୋନିକ ଚିପ ଡିଜାଇନ ଅଟୋମେସନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ଦେବ । ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ବ ସ୍ତରରେ ସିନୋପସିସ୍ ଅଗ୍ରଣୀ କମ୍ପାନି ଭାବେ ସୁପରିଚିତ। ଲଜିକ୍ ସିନ୍ଥେସିସ ଏବଂ ଏକୀକୃତ ସର୍କିଟର ଭୌତିକ ଡିଜାଇନ୍ ପାଇଁ ଉପକରଣ, ବିକାଶ ପାଇଁ ସିମୁଲେଟର ଏବଂ ଡିବଗିଂ ପରିବେଶ ଏହାର ଉତ୍ପାଦଗୁଡ଼ିକ ମଧ୍ୟରେ ଅନ୍ତର୍ଭୁକ୍ତ, ଯାହା ଚିପ୍ସ ଏବଂ କମ୍ପ୍ୟୁଟର ସିଷ୍ଟମ ଡିଜାଇନ୍ର ସାହାଯ୍ୟ କରେ। ଉଦଘାଟନୀ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତ ବେହେରା, ଫାଇଭ-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍, ଇଲେକ୍ଟ୍ରୋନିକ୍ସ ତଥା ସୂଚନା ପ୍ରଯୁକ୍ତିବିଦ୍ୟା ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ସ୍ବତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା, ସିନୋପସିସର ଉପସଭାପତି ଶିବାନନ୍ଦ କୋଟେଶ୍ବର, ବରିଷ୍ଠ ଉପସଭାପତି ଅମିତ ସାନହଗନି ଏବଂ ସ୍ଥାନୀୟ ଗ୍ରୁପ ଡାଇରେକ୍ଟର ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି କେନ୍ଦ୍ର ପ୍ରତିଷ୍ଠା ଦିଗରେ ଓଡ଼ିଶା ସରକାରଙ୍କ ତ୍ବରାନ୍ବିତ ପଦକ୍ଷେପ ଓ ଦାୟିତ୍ବବୋଧକୁ ପ୍ରଶଂସା କରିବା ସହ ଏହାର ସହଯୋଗ ପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ସିନୋପସିସର ବରିଷ୍ଠ ଉପସଭାପତି ଅମିତ ସାନହଗନି।