ଶୀତ ଭିତରେ ଆସୁଛି ବର୍ଷା, ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ

1 min read

ଭୁବନେଶ୍ୱର : ଶୀତ ଭିତରେ ଆସୁଛି ବର୍ଷା । ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ । ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଲଘୁଚାପ ରୂପନେବା ସମ୍ଭାବନା ରହିଛି । ପ୍ରଭାବରେ ୧୬ତାରିଖରୁ ରାଜ୍ୟରେ ବର୍ଷା ହେବ । ଦକ୍ଷିଣ ସମେତ ଉତ୍ତର ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି ।

ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ମଧ୍ୟମଧରଣର ବର୍ଷା ହେବ । ଉପକୂଳ ଓଡିଶାର ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର ଏବଂ ନୟାଗଡ଼ରେ ହାଲୁକା ବର୍ଷା ହେବାନେଇ ଆକଳନ କରାଯାଇଛି ।

ଅନ୍ୟପଟେ ଓଡ଼ିଶାକୁ ପ୍ରବେଶ କରିବ ପୂର୍ବାଳି ଗରମ ଶୁଷ୍କ ପବନ । ଫଳରେ ରାତିର ତାପମାତ୍ରା ବୃଦ୍ଧି ପାଇପାରେ । ଏବେ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ । ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।