spot_img
Home Blog Page 2546

କୁକୁର କାମୁଡା ଓ ଗୋରୁଗାଈଙ୍କ ଆକ୍ରମଣ କ୍ଷେତ୍ରରେ କ୍ଷତିପୂରଣ ଦେବେ ସରକାର

ନୂଆଦିଲ୍ଲୀ: କୁକୁର କାମୁଡା କ୍ଷେତ୍ରରେ ପଞ୍ଜାବ ଓ ହରିଆଣା ହାଇକୋର୍ଟଙ୍କ ରାୟକୁ ନେଇ ହଲଚଲ। କୁକୁର କାମୁଡା ଓ ଗୋରୁଗାଈଙ୍କ ଆକ୍ରମଣ କ୍ଷେତ୍ରରେ ରାଜ୍ୟ ସରକାର କ୍ଷତିପୂରଣ ଦେବା ପାଇଁ ଦାୟୀ ବୋଲି କହିଛନ୍ତି ଅଦାଲତ। କୁକୁର କାମୁଡା କ୍ଷେତ୍ରରେ ଗୋଟିଏ ଦନ୍ତକ୍ଷତ ପାଇଁ ସର୍ବନିମ୍ନ ୧୦ ହଜାର ଟଙ୍କା ଏବଂ ୦ ଦଶମିକ ୨ ସେଣ୍ଟିମିଟରର କ୍ଷତ ଲାଗି ସର୍ବନିମ୍ନ ୨୦ ହଜାର ଟଙ୍କା ସହାୟତା ଦେବା ଜରୁରୀ ବୋଲି କହିଛନ୍ତି କୋର୍ଟ। କୁକୁର ଓ ଗାଈଗୋରୁଙ୍କ ଆକ୍ରମଣ ସଂକ୍ରାନ୍ତ ୧୯୩ଟି ପିଟିସନର ଶୁଣାଣି କରି ଏହା କହିଛନ୍ତି କୋର୍ଟ। ଦେଶରେ କୁକୁର କାମୁଡାକୁ ନେଇ ବିତର୍କ ଜାରି ରହିଥିବାବେଳେ ଅଦାଲତଙ୍କ ରାୟ ଗୁରୁତ୍ବପୂର୍ଣ୍ଣ ହୋଇଛି ।

ଗତ ଅକ୍ଟୋବରରେ ଓ୍ବାଘା ବକ୍ରି ଟି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ମୃତ୍ୟୁ ପରେ ସାରା ଦେଶରେ କୁକୁର କାମୁଡାକୁ ନେଇ ଝଡ ସୃଷ୍ଟି ହୋଇଥିଲା। ବୁଲାକୁକୁରଙ୍କଠାରୁ ରକ୍ଷା ପାଇବା ଲାଗି ଦୌଡିବା ବେଳେ ତଳେ ପଡିଯିବାରୁ ଦେଶାଇଙ୍କ ରକ୍ତକ୍ଷରଣ ହୋଇଥିଲା ଏବଂ ସେହି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା । ବୁଲା ଜୀବଜନ୍ତୁଙ୍କ ଆକ୍ରମଣ ଓ ସେମାନଙ୍କ ଯୋଗୁ ଘଟୁଥିବା ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା ସଂକ୍ରାନ୍ତରେ ଏକ କମିଟି ଗଠନ ଲାଗି ପଞ୍ଜାବ, ହରିଆଣା ଓ ଚଣ୍ଡୀଗଡ଼କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଏହି ପ୍ରାଣୀମାନଙ୍କ ମଧ୍ୟରେ ଅଛନ୍ତି ଗାଈ, ଷଣ୍ଢ, ବଳଦ, ଗଧ, କୁକୁର, ନୀଳଗାଈ, ପୋଢ଼ ଓ ଅନ୍ୟାନ୍ୟ ପୋଷା ପ୍ରାଣୀ ।

ସେମିଫାଇନାଲ ପାଇଁ ଏହି ନିୟମମାନ ଜାରି କରିଛି ମୁମ୍ବାଇ ପୋଲିସ

ମୁମ୍ବାଇ: ବୁଧବାର ବିଶ୍ବକପରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବାକୁ ଯାଉଛି । ଏହି ହାଇଭୋଲଟେଜ ମ୍ୟାଚରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତରେ ବିଶ୍ବକପ ଅନୁଷ୍ଟିତ ହେଉଥିବାବେଳେ ଖେଳ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି । ଗୋଟିଏ ଦିନରେ ସବୁ ଟିକେଟ ବିକ୍ରି ହୋଇଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେମିଫାଇନାଲ ମୁକାବିଲା ଦେଖିବା ପାଇଁ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିବାବେଳେ ଟିକେଟ କଳାବଜାରୀ ହେଉଥିବା ଅଭିଯୋଗ ଆସିଥିଲା । ମୁମ୍ବାଇ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଥିବାବେଳେ କଳା ବଜାରି କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି ।

ଡିସିପି ପ୍ରବୀଣ ମୁଣ୍ଡେ କହିଛନ୍ତି କି, ଏହି ମ୍ୟାଚ ସମୟରେ ଷ୍ଟାଡିୟମରେ ପୋଲିସ ଛାଉଣି କରାଯିବ । ୬ଶହରୁ ଅଧିକ ପୋଲିସ ଅଧିକାରୀ ନିୟୋଜିତ ହେବେ । ଯେଭଳି ଖେଳ ସମୟରେ ଦର୍ଶକମାନେ କିଛି ବିଭ୍ରାନ୍ତ ନଉପୁଜାନ୍ତି ସେ ଉପରେ ଗୁରୁତ୍ବ ଦିଆଯିବ । ବିନା ଟିକେଟରେ ଯେଭଳି କେହି ପ୍ରବେଶ ନକରନ୍ତି ଏବଂ ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେ ଉପରେ ଗୁରୁତ୍ବ ଦିଆଯିବ । ମ୍ୟାଚ ଅପରାହ୍ନ ୨ଟାରୁ ଆରମ୍ଭ ହେବାକୁ ଥିବାବେଳେ ୧୧ଟା୩୦ରୁ ଷ୍ଟାଡିୟମକୁ ଦର୍ଶକମାନେ ଯାଇପାରିବେ । ନିଷିଦ୍ଧ ସାମଗ୍ରୀ ନନେବାକୁ ଅନୁରୋଧ କରାଯାଇଥିବାବେଳେ ଶୀଘ୍ର ଯିବାକୁ କୁହାଯାଇଛି । ଅନେକ ସମୟରେ ଶେଷ ସମୟରେ ଦର୍ଶକମାନେ ଭିଡ଼ ଜମାଉଥିବାବେଳେ ସିଟ ପାଇଁ ଅସୁବିଧା ଉପୁଜିଥାଏ । ଏଣୁ ଶୀଘ୍ର ଯିବା ସହ ନିଜର ସିଟରେ ବସିବାକୁ କୁହାଯାଇଛି ।

ସୂଚନା ଥାଉକି, ଚଳିତ ବିଶ୍ବକପରେ ଭାରତ ୯ଟି ଯାକ ଲିଗ ମ୍ୟାଚ ଜିତିଥିବାବେଳେ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହ ସେମିରେ ପ୍ରବେଶ କରିଛି । ଚତୁର୍ଥ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡକୁ ଭାରତ ଭେଟୁଥିବାବେଳେ ଏହି ନକଆଉଟ ମ୍ୟାଚରେ ଭାରତର ପ୍ରଦର୍ଶନ କିଭଳି ହେବ ତାକୁ ନେଇ କ୍ରିକେଟପ୍ରେମୀମାନେ ଚିନ୍ତାରେ ରହିଛନ୍ତି । ପୂର୍ବରୁ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତ ନ୍ୟୁଜିଲାଣ୍ଡଠାରୁ ହାରିବାର ରେକର୍ଡ ରହିଛି । ସେ ୨୦୧୯ ଦିନିକିଆ ବିଶ୍ବକପର ସେମିଫାଇନାଲ ହେଉ ବା ଟେଷ୍ଟ ଚାମ୍ପିୟନସିପ୍ ।

ବଦ୍ରିନାଥ ଯାଇଥିବା ବେଳେ ବରିଷ୍ଠ ନାଗରିକଙ୍କ ଘରୁ ଚୋରି

ଭୁବନେଶ୍ବର: ବଦ୍ରିନାଥ ଯାଇଥିବା ବେଳେ ବରିଷ୍ଠ ନାଗରିକଙ୍କ ଘରୁ ଚୋରି । ପୁଣି ଥରେ ହାଇ ସିକ୍ୟୁରିଟି ଜୋନ ଆପାର୍ଟମେଣ୍ଟରେ କଳାକନା ବୁଲାଇଛନ୍ତି ଲୁଟେରା । ଭୁବନେଶ୍ବର ଭରତପୁର ନିକଟ ଏକ ଆପାର୍ଟମେଣ୍ଟର ତ୍ରିଲୋଚନ ଦାସଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରେ କେହି ନଥିବାବେଳେ ୫ ଲକ୍ଷ ଟଙ୍କାର ସୁନା ଗହଣା ଓ ଆସବାବପତ୍ର ନେଇଯାଇଛନ୍ତି ଲୁଟେରା । ଚୋରିବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ ଆରମ୍ଭ କରିଛି । ମାସେ ଭିତରେ ରାଜଧାନୀର ୨୨ଟି ଆପାର୍ଟମେଣ୍ଟରେ କଳାକନା ବୁଲାଇ ସାରିଲେଣି ଲୁଟେରା ।

ଶିଶୁ ଦିବସରେ ଶୁଭାରମ୍ଭ ହେଲା ନୂଆ ଯୋଜନା ’ଆମ କୁନିପିଲା’

ଭୁବନେଶ୍ବର: ଶିଶୁ ଦିବସରେ ଶୁଭାରମ୍ଭ ହେଲା ନୂଆ ଯୋଜନା ଆମ କୁନିପିଲା । ଯୋଜନାରେ ଶିଶୁମାନଙ୍କୁ ଘରେ ହିଁ ମିଳିବ ଆନନ୍ଦଦାୟକ ବନ୍ଧୁତ୍ଵପୂର୍ଣ୍ଣ ଅନୁକୂଳ ପରିବେଶ । ଘରର ପୁରୁଷ ସଦସ୍ୟମାନଙ୍କୁ କରାଯିବ ଶିଶୁ ଯତ୍ନରେ ସମ୍ପୃକ୍ତି । ପ୍ରତି ଶିଶୁର ପ୍ରଥମ ହଜାର ଦିନ ହେଉଛି ଗଭୀର ସମ୍ବେଦନଶୀଳ ସମୟ । ଏହି ଦିନରେ ଶିଶୁଙ୍କ ମସ୍ତିଷ୍କର ବିକାଶ ଓ ଶାରୀରିକ ବିକାଶ ଆରମ୍ଭ ହୋଇଥାଏ ଓ ଜୀବନବ୍ୟାପୀ ସ୍ବାସ୍ଥ୍ୟର ମୂଳଦୁଆ ପଡିଥାଏ । ଏହି ସମୟ ମଧ୍ୟରେ ଉଭୟ ମାଆ ଓ ଶିଶୁର ଯତ୍ନ ଏବଂ ପୁଷ୍ଟିକର ପୋଷଣ ଉପରେ ଶିଶୁର ବୃଦ୍ଧି ନିର୍ଭର କରିଥାଏ ।

ଶିଶୁ ଦିବସରେ ଶିଶୁ ମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିଶୁମାନେ ଦେଶର ଶକ୍ତି ଓ ପ୍ରଗତିର ସୂତ୍ରଧର । ଶୈଶବ କାଳରୁ ଶିଶୁମାନଙ୍କୁ ଉଚିତ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ପରିବେଶ ପ୍ରଦାନ କରାଗଲେ ସେମାନେ ଜଣେ ଜଣେ ସୁନାଗରିକ ହୋଇପାରିବେ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆମ କୁନିପିଲା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନିଜ ପରିବାରରେ ଶିଶୁର ଯତ୍ନ, ତିନି ବର୍ଷରୁ କମ ପିଲାମାନଙ୍କ ପାଳନରେ ଉଭୟ ପିତାମାତା ହାୟିତ୍ବ ସହ ସେମାନଙ୍କ ଶିଶୁ ଯତ୍ନ ଭିଭିକ ଦକ୍ଷତା ବୃଦ୍ଧି ଓ କମ୍ ମୂଲ୍ୟରେ ତିଆରି ଖେଳଣା ମାଧ୍ୟମରେ ଶିଶୁମାନଙ୍କ ମସ୍ତିଷ୍କ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି ।

ପିତାମାତା ଓ ପରିବାରର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କୁ ଶିଶୁର ପ୍ରାରମ୍ଭିକ ବର୍ଷ ପ୍ରତି ସମ୍ବେଦନଶୀଳ କରାଇବା, ପରିବାରର ପୁରୁଷ ମାନଙ୍କୁ ଶିଶୁ ଯତ୍ନରେ ସମ୍ପୃକ୍ତି କରିବା, ପିତାମାତା ଓ ପରିବାର ଅନ୍ୟ ଯତ୍ନ ପ୍ରଦାନକାରୀଙ୍କ ଦ୍ବାରା କମ୍ ମୂଲ୍ୟର ପରିବେଶ ଅନୁକୁଳ ସାମଗ୍ରୀ ଓ ଖେଳଣା ସହିତ ଶିଶୁ ମାନଙ୍କୁ ନିଯୋଜିତ କରିବା, ଅଙ୍ଗନବାଡିକର୍ମୀଙ୍କ ଦ୍ଵାରା ଖେଳଣା, ଗପ ଏବଂ ସ୍ନେହଭରା କଥା,ଭଲ ପାଇବା, ସ୍ପର୍ଶ ଓ ଖେଳ ଦ୍ଵାରା ଶିଶୁମାନଙ୍କୁ ଏକ ସକରାତ୍ମକ ପରିବେଶ ଦେବା ସହ ସେମାନଙ୍କୁ ସକ୍ରିୟ କରେଇବା ଆଦି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ।

ଏକ ଉତ୍ସାହଜନକ ପରିବେଶ ସୃଷ୍ଟି କରି ପିତାମାତାଙ୍କ ନେତୃତ୍ଵାଧୀନରେ ଘରେ ହିଁ ଆନନ୍ଦଦାୟକ ଶିଶୁ ବନ୍ଧୁତ୍ବପୂର୍ଣ୍ଣ ଶିକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଆମ କୁନି ପିଲା କାର୍ଯ୍ୟକଳାପ ଧାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସୁଦୃଢ କରିବା ପାଇଁ ବିଭିନ୍ନ ସୂଚନାତ୍ମକ ସାମଗ୍ରୀ ଯଥା ମୋ ବିକାଶ ପତ୍ର, କୁନି କାଲେଣ୍ଡର, ଆମ କୁନି ପିଲା ଫିଲ୍ମ୍ ବୁକ୍, ସୁଖଦ ଲାଳନ ପାଳନ ହାଣ୍ଡ ବୁକ୍ ଓ ଆମ କୁନି ପିଲା ଟିଏ କିଟ୍ ଆଦିକୁ ମଧ୍ୟ ପ୍ରସ୍ତୁତ କରାଯାଇଛି ।

ନଭେମ୍ବର ୨୧ରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ

ଭୁବନେଶ୍ବର: ନଭେମ୍ବର ୨୧ରେ ଉପବାଚସ୍ପତି ନିର୍ବାଚନ । ଓଡ଼ିଶା ବିଧାନସଭାର ଉପବାଚସ୍ପତି ନିର୍ବାଚନ ନେଇ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଚିଠି ପଠାଯାଇଛି । ୨୧ତାରିଖ ସକାଳ ୯ଟା ୩୦ରେ ନିର୍ବାଚନ ହେବ। ଏ ନେଇ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ବିଧାନସଭା ସଚିବ ଚିଠି ଲେଖିଛନ୍ତି।

୨୦ ତାରିଖ ମଧ୍ୟାହ୍ନ ୧୨ଟା ସୁ୍ଦ୍ଧା ନାମାଙ୍କନ ଦାଖଲ କରିବେ ସଦସ୍ୟ  । ୨୧ ତାରିଖ ନିର୍ବାଚନ ହେବ । ଉପ ବାଚସ୍ପତି ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଖାଲିପଡ଼ିଛି ଏହି ପଦ ।

ନୂଆବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ମନା; ନିୟମ ନ ମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ପୁରୀ: ଶ୍ରୀମନ୍ଦିରରେ କଡ଼ାକଡ଼ି ଭାବେ ପାନ ଓ ଗୁଟଖା ନିଷେଧ ହେବ । ଭକ୍ତ କି ସେବାୟତ କେହି ପାନ ଓ ଗୁଟଖା ସେବନ କରି ଶ୍ରୀମନ୍ଦିରକୁ ଯାଇପାରିବେନି । ବରାହ ପୁରାଣ ଆଧାରରେ ଏହି କଟକଣା କରାଯାଇଛି । ଜାନୁଆରୀ ୧ରୁ ଡ୍ରେସକୋଡ୍ ଲାଗୁ ସହିତ ପାନ ଗୁଟଖାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ । ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ପଡ଼ିବ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ ।

ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଛି । ମନ୍ଦିର ଭିତରେ ସେବାୟତ, ପୋଲିସ କି ଭକ୍ତ କେହି ପାନ ଗୁଟଖା ଖାଇପାରିବେ ନାହିଁ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମଧ୍ୟ ପାନ ଗୁଟଖା ବ୍ୟାନ୍ କଲା ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରରେ ପାନ ଗୁଟଖା ଉପରେ ପୂର୍ବରୁ ୫ଶହ ଟଙ୍କା ଜୋରିମାନା କରାଯାଇଥିଲେ ମଧ୍ୟ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା। ଏହା କୌଣସି କଟକଣା ନୁହେଁ, ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର । ବରାହ ପୁରାଣ ଓ ନୀଳାଦ୍ରି ମହୋଦୟରେ ଏନେଇ ଉଲ୍ଲେଖ ରହିଛି । ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି। ସେହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣାକୁ ଲାଗୁ କରିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, ଜଳିଗଲା ୨ ବଗି

ପୁରୀ: ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ । ଡିପୋରେ ଥିବା ଟ୍ରେନ୍ ବଗିରେ ଲାଗିଲା ନିଆଁ । ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି । କୋଚିଂ ଡିପୋରେ ଟ୍ରେନର ଏକ ଏସି ବଗି ମରାମତି ପାଇଁ ରହିଥିବା ବେଳେ ନିଆଁ ଲାଗିଥିଲା l ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

ନିଆଁ ଲାଗିବା ଦ୍ବାରା ଷ୍ଟେସନ ଅଞ୍ଚଳ ଧୂଆଁ ମୟ ହୋଇ ଉଠିଥିଲା l ବଗି ଇଲେକ୍ଟ୍ରି କାମ ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି l ଏନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି l ପୂର୍ବରୁ ମଧ୍ୟ ବହୁଥର ଟ୍ରେନରେ ନିଆଁ ଲାଗିଥିବା ନଜିର ରହିଛି ।

ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ଏ ନେଇ ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ।  ଉଦ୍ଧାର ପରେ ବୃଦ୍ଧାଙ୍କୁ ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଡିପ୍ ବୋରଓ୍ବେଲରେ ୨୦ ଫୁଟ ତଳେ ପଡ଼ିଯାଇଥିଲେ ବୃଦ୍ଧା । ଉଦ୍ଧାର ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସରେ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ଖବର ପାଇ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବୃଦ୍ଧା ପଡ଼ିଥିବା ଗାତ ଭିତରେ ଏକ ବିଷଧର ସାପ ମଧ୍ୟ ରହିଥିଲା । ତେବେ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ବହୁତ ଚ୍ୟାଲେଞ୍ଚପୂର୍ଣ୍ଣ ଥିବା କହିଛନ୍ତି ଟିମ୍ ।

ବୃଦ୍ଧା ଜଣଙ୍କ ଖଲିଆପାଲି ପଞ୍ଚାୟତ ଗୋବିନ୍ଦପୁର ଗାଁର ଦୁଃଖୀ ନେଗୀ । ଗତକାଲି ବୃଦ୍ଧା ଜଣକ ଝିଅ ଘର କଇଁଫୁଲ ଗାଁକୁ ଆସିଥିଲେ । ଆଉ ଗତକାଲି ହିଁ ବୋରଓ୍ବେଲରେ ପଡି ଯାଇଥିଲେ ।

ଡିପ୍ ବୋରଓ୍ବେଲର ପଡ଼ିଗଲେ ବୃଦ୍ଧା, ଉଦ୍ଧାର କାର୍ଯ୍ୟ ଜାରି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ କଇଁଫୁଲ ଗାଁରେ ଅଘଟଣ । ଡିପ୍ ବୋରଓ୍ବେଲରେ ପଡିଗଲେ ବୃଦ୍ଧା । ବୃଦ୍ଧା ଜଣକ ବୋରଓ୍ବେଲର ୨୦ ଫୁଟ ତଳେ ଥିବା ଜଣାପଡିଛି । ଖବର ପାଇ ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ବୃଦ୍ଧ ମହିଳା ଖଲିଆପାଲି ପଚଂୟତ ଗୋବିନ୍ଦପୁର ଗାଁର ୬୦ ବର୍ଷିୟା ଦୁଃଖୀ ନେଗୀ ବୋଲି ଜଣାପଡିଛି I ଗତ କାଲି ବୃଦ୍ଧା ନିଜ ଝିଅ ଘର କଇଁଫୁଲ ଗାଁକୁ ଆସିଥିଲେ I ଗତ କାଲି ରାତିରେ ଝିଅ ଘର ବାଡି ପଟେ ଏକ ବୋର ଓ୍ବେଲରେ ପଡିଯାଇଥିଲେ I ବୋରଓ୍ବେଲଟି ନୂଆକରି ଖୋଳା ଯାଇଥିବା ବେଳେ ପ୍ରାୟ ୨୦ଫୁଟ ଅଧିକ ଓସାରିଆ ଥିବାରୁ ମହିଳା ଖସି ପଡିଥିଲେ Iତେବେ ବର୍ତ୍ତମାନ ମହିଳା ୨୦ ଫୁଟ ତଳେ ଥିବା ବେଳେ ସୋନପୁର ଓ ତରଭା  ଅଗ୍ନିଶ୍ରମ ବାହିନୀ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି I ବର୍ତ୍ତମାନ ବୋଲଓ୍ବେଲ ଭିତରକୁ  ଅକ୍ସିଜେନ ଦିଆଯାଇଛି ଓ  ଜେସିବି ମେସିନ ଡକାଯାଇ ମହିଳାଙ୍କୁ ଉଦ୍ଧାର କରିବା ପ୍ରୟାସ କରାଯାଉଛି I

କଟକରେ ଚାଞ୍ଚଲ୍ୟ! କାଠଯୋଡ଼ି ବ୍ରିଜ୍ ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକ ଗୋପାଳପୁର ନିକଟରେ ଛାତ୍ରଙ୍କ ମୃତଦେହ ଉଦ୍ଧାର । କାଠଯୋଡ଼ି ବ୍ରିଜ ତଳୁ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଶବକୁ ଉଦ୍ଧାର କରି ଏସସିବି ପଠାଇଛି ଅଗ୍ନିଶମ ବିଭାଗ । ଛାତ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ଛାତ୍ର ଜଣକ ହେଉଛନ୍ତି କଲ୍ୟାଣନଗରର ସାହିଲ ଜେନା।

ସେ କଲ୍ୟାଣ ନଗର ସତସଙ୍ଗ ସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲେ । ଗତ ୧୦ ତାରିଖରେ ସେ ସ୍କୁଲକୁ ସାଇକେଲରେ ଯାଇ ଆଉ ଘରକୁ ଫେରି ନଥିଲେ। ଖୋଜାଖୋଜି ପରେ ସାହିଲ ନମିଳିବାରୁ ପରିବାର ଲୋକେ ମଧୁପାଟଣା ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ । କାଠଯୋଡ଼ି ବ୍ରିଜ ତଳୁ ସାଇକେଲଟି ମିଳିବା ପରେ ସକାଳୁ ଛାତ୍ରଙ୍କ ମୃତଦେହ ମିଳିଥିଲା । ପୋଲିସ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ଏସସିବି ପଠାଇଛି । ସିସିଟିଭି ଫୁଟେଜରୁ ଛାତ୍ର ଜଣକ ସ୍କୁଲରୁ ବାହାରି ଯାଉଥିବାର ଦୃଶ୍ଯ ଦେଖିବାକୁ ମିଳିଛି ।