ନୂଆଦିଲ୍ଲୀ: ସୋମବାରଠୁ ସଂସଦର ଶୀତକାଳୀନ ଅଧିବେଶନ। ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ। ଅଧିବେଶନରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ୧୯ଟି ବିଧେୟକ ଓ ୨ଟି ବିତ୍ତୀୟ ଚିଠା ରହିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି ।ବିଧାନସଭା ଗଣତିର ପ୍ରଭାବ ଏଥର ଶୀତକାଳୀନ ଅଧିବେଶନ ଉପରେ ପଡିବ। ସଂସଦର ଶୀତ ଅଧିବେଶନରେ ଗୁରୁତ୍ବପୂର୍ଣ୍ଣ ବିଲ୍ ଉପରେ ହେବ ଆଲୋଚନା । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟର ସ୍ଥାନ ନେଇପାରେ ନୂତନ ବିଧେୟକ । ସେହିପରି ଦେଶର ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ମଧ୍ୟ ବିଲ୍ ଅଟକି ରହିଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ଆଗତ ହୋଇଥିଲା । ଆଜି ପ୍ରଥମ ଦିନରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଉପସ୍ଥାପନ ହେବ । ଏହାକୁ ନେଇ ଗୃହ ସରଗରମ ହୋଇପାରେ ।
ବାତ୍ୟା ପ୍ରଭାବରେ ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ମିଗଜାଉଁ। ସୋମବାର ଅପରାହ୍ନ ବେଳକୁ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ମଙ୍ଗଳବାର ପୂର୍ବାହ୍ନ ବେଳକୁ ବାତ୍ୟାଟି ଅତି ଭୀଷଣ ବାତ୍ୟାର ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିବ। ବାତ୍ୟା ପ୍ରଭାବରେ ଓଡ଼ିଶାରେ ଆଜିଠୁ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। କିଛି ଜିଲ୍ଲାରେ ହାଲୁକା ଏବଂ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର। ଆଜି ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ମଙ୍ଗଳବାର ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଏବଂ ଗଜପତିକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ନବରଙ୍ଗପୁର, କଳହାଣ୍ଡି, କନ୍ଧମାଳ ଏବଂ ପୁରୀକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି ୬ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଏବଂ ନୟାଗଡରେ ପ୍ରବଳ ବର୍ଷା ହେବ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ ଏବଂ ଝଟକା ପବନ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ବହିବ। ସମୁଦ୍ର ଅଶାନ୍ତ ରହିବା କାରଣରୁ ୬ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏହାସହ ସବୁ ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ ଜାରି କରିଛି ପାଣିପାଗ କେନ୍ଦ୍ର। ପ୍ରବଳରୁ ଅତି ପ୍ରବଳ ବର୍ଷାରେ ବ୍ୟାପକ ଖରିଫ ଫସଲ ନଷ୍ଟହେବାର ସମ୍ଭାବନା ଥିବାରୁ ଅମଳ ଫସଲକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି।
ଆଜି ଆସିବ ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ
ନୂଆଦିଲ୍ଲୀ: ଆଜି ଆସିବ ମିଜୋରାମ ବିଧାନସଭା ନିର୍ବାଚନର ରେଜଲ୍ଟ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲଟ ଗୁଡିକର ଗଣତି ହେବ । ଏହାପରେ ସମସ୍ତ ଦଳର ପ୍ରତିନିଧିଙ୍କ ସାମନାରେ ଆରମ୍ଭ ହେବ ଇଭିଏମର ଭୋଟ ଗଣତି । ୪୦ ଆସନ ବିଶିଷ୍ଟ କ୍ଷୁଦ୍ର ରାଜ୍ୟ ମିଜୋରାମ। ସଂଖ୍ୟା ଗରିଷ୍ଠତା ଲାଗି ୨୧ ଆସନ ଦରକାର ହେଉଥିବାବେଳେ ଏକଜିଟ ପୋଲରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ଆଶା ଦେଖାଯାଇନାହିଁ । ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ସର୍ବନିମ୍ନ ୧୦ରୁ ସର୍ବାଧିକ ୧୮ ଆସନ ମିଳିବା ଆଶା ରହିଛି । କଂଗ୍ରେସକୁ ସର୍ବାଧିକ ୨ରୁ ସର୍ବାଧିକ ୧୦ ଆସନ ମିଳିବ ବୋଲି କୁହାଯାଇଛି ।
ସେହିପରି ଜେଡପିଏମକୁ ସର୍ବନିମ୍ନ ୧୨ରୁ ସର୍ବାଧିକ ୨୫ ଆସନ ମିଳିବ ବୋଲି କୁହାଯାଇଛି। ବିଜେପିକୁ ସର୍ବାଧିକ ୨ ଆସନ ମିଳିବ ବୋଲି ଏକଜିଟ ପୋଲରେ ଦର୍ଶାଯାଇଛି । ଗତକାଲି ଅନ୍ୟ ୪ ରାଜ୍ୟ ସହ ମିଜୋରାମର ଫଳାଫଳ ବାହାରିବାର ଥିଲା। ମାତ୍ର ରବିବାର ପଡ଼ୁଥିବାରୁ ଏକାଧିକ ସଂଗଠନ ବିରୋଧ କରିଥିଲେ। ମିଜୋରାମରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ। ରବିବାର ୩ ତାରିଖ ହେଉଛି ଇଷ୍ଟର। ତେଣୁ ଖ୍ରୀଷ୍ଟିୟାନଙ୍କ ପାଇଁ ଏହା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଦିନ। ତେଣୁ ଦାବି ଅନୁସାରେ ତାରିଖ ବଦଳାଇଥିଲେ ନିର୍ବାଚନ କମିଶନ।
ଆଜି ସରୁଛି ବାଲିଯାତ୍ରା, ବଢ଼ିପାରେ ଅବଧି
କଟକ: ସୋମବାର ସରିଯିବ ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ୮ ଦିନିଆ ମହାମେଳାର ଆଜି ଶେଷଦିନ। ଆଜି ଶେଷଦିନରେ ବାଲିଯାତ୍ରାରେ ଅସମ୍ଭବ ଭିଡ଼ ହେବାର ଆଶଙ୍କା ରହିଛି । ଗତ ଦୁଇଦିନ ହେଲା ବାଲିଯାତ୍ରାରେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି । ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ ।
ସେପଟେ ବାଲିଯାତ୍ରାର ଅବଧିକୁ ଦୁଇଦିନ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ। ସରକାର ମେଳାରେ ହେଉଥିବା ଭିଡ, ଆଇନଶୃଙ୍ଖଳା, ବ୍ଯବସାୟୀଙ୍କ ସ୍ବାର୍ଥ ଏବଂ ସମ୍ଭାବ୍ଯ ବର୍ଷାକୁ ଦେଖି ବାଲିଯାତ୍ରା ବଢାଇବା ପାଇଁ ନିଷ୍ପତ୍ତି ନେବେ ବୋଲି ଆଶା ରହିଥିବା କହିଛନ୍ତି ମେୟର।
୪-୧ ରେ ଟି-୨୦ ସିରିଜ୍ ଜିତିଲା ଭାରତ
ନନ୍ଦିଘୋଷ ବ୍ୟୁରୋ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-20 ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିଲା | ଏହି ମ୍ୟାଚକୁ ଭାରତୀୟ ଦଳ ୬ ରନରେ ଜିତି ନେଇଛି। ଏହି ବିଜୟ ସହିତ ସେମାନେ ଟି-୨୦ ସିରିଜକୁ ୪-୧ରେ କବଜା କରିଛନ୍ତି | ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୧୬୧ ରନ୍ ଲକ୍ଷ୍ୟ ରଖିଥିଲା ଭାରତ, ମାତ୍ର ଆଠ ୱିକେଟ୍ ରେ ୧୫୪ ରନ୍ ସ୍କୋର କରିପାରିଥିଲା ଅଷ୍ଟ୍ରେଲିଆ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିବା ପରେ ଯଶ୍ୱସି ଜସୱାଲ ଭାରତୀୟ ଦଳକୁ ଭଲ ସ୍କୋରରେ ଦେଇଥିଲେ। ଯଶ୍ୱସି ରିତୁରାଜଙ୍କ ସହ ୩୩ ରନର ଭାଗିଦାରୀ କରିଥିଲେ। ଯସନ ବେହେରେଣ୍ଡର୍ଫଙ୍କ ଦ୍ୱାରା ଯଶଶ୍ୱି ଆଉଟ ହୋଇଥିଲେ । ଯଶଶ୍ୱି ଦୁଇଟି ଛକା ଓ ଗୋଟିଏ ଚାରି ସହାୟତାରେ ୧୫ ବଲରେ ୨୧ ରନ୍ ସଂଗ୍ରହ କରିଥିଲେ | ଯଶଶ୍ୱିଙ୍କ ପରେ ଭାରତୀୟ ବ୍ୟାଟ୍ସମ୍ୟାନ ରିତୁରାଜ, ସୂର୍ଯ୍ୟକୁମାର ଯାଦବ ଏବଂ ରିଙ୍କୁ ସିଂଙ୍କ ୱିକେଟ ଯାଇଥିଲା । ଶ୍ରେୟାସ୍ ଅର୍ଦ୍ଧଶତକ ହାସଲ କରିଥିଲେ ।
୫୫ ରନ୍ରେ ଚାରି ୱିକେଟ୍ ଯିବା ପରେ ଶ୍ରେୟସ୍ ଆୟର ଏବଂ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମା ୪୨ ରନର ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରି ଭାରତୀୟ ଦଳକୁ ଅାଗକୁ ନେଇଥିଲେ । ୩ଟି ୪ରି ଏବଂ ଗୋଟିଏ ୬ ସହାୟତାରେ ଜିତେଶ ୨୪ ରନ୍ କରିଥିଲେ | ଏହା ପରେ ଶ୍ରେୟସ୍ ଅକ୍ଷାର ପଟେଲଙ୍କ ସହ ୪୬ ରନ୍ କରିଥିଲେ। ଏହି ଦୁଇଟି ସହଭାଗିତା ଯୋଗୁଁ ଭାରତ ଆଠ ୱିକେଟ୍ ହରାଇ ୧୬୦ ରନ୍ ସ୍କୋରରେ ପହଞ୍ଚିବାରେ ସଫଳ ହୋଇଥିଲେ। ଶ୍ରେୟସ୍ ଆୟର ୩୭ ଟି ବଲରେ ୫୩ ରନ୍ ସଂଗ୍ରହ କରି ଇନିଂସ ଖେଳିଥିଲେ, ଯେଉଁଥିରେ ପାଞ୍ଚଟି ୪ ଓ ଦୁଇଟି ଛକା ଥିଲା।
ନଜର ପକାନ୍ତୁ ବାତ୍ୟା ଅପଡେଟ୍ ଉପରେ..
ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ମିଗଜାଉଁ । ୨୪ ଘଣ୍ଟା ଭିତରେ ନେବ ଭୀଷଣ ବାତ୍ୟାର ରୂପ । ବାତ୍ୟା ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ସୋମବାର ଅପରାହ୍ନ ବେଳକୁ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ୫ ତାରିଖ ପୂର୍ବାହ୍ନ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ । ବାତ୍ୟା ପ୍ରଭାବରେ ଓଡ଼ିଶାରେ କାଲିଠୁ ବର୍ଷା ସମ୍ଭାବନା ରହିଥିବାବେଳେ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାରେ ବ୍ୟସ୍ତ ଅଛନ୍ତି ଚାଷୀ ।
ଭୀଷଣ ରୂପ ନେଉଛି ବାତ୍ୟା । ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ମିଗଜାଉଁ । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ବାତ୍ୟା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ୫ ତାରିଖ ପୂର୍ବାହ୍ନରେ ଅତି ଭୀଷଣ ବାତ୍ୟା ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ୍ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବ । ବାତ୍ୟା ପ୍ରଭାବରେ ଓଡ଼ିଶାରେ ପାଗ ବଦଳିଛି । କାଲିଠାରୁ କିଛି ସ୍ଥାନରେ ହାଲୁକା ଓ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।
ବାତ୍ୟା ନେଇ ଓଡ଼ିଶା ଚାଷୀଙ୍କ ଭିତରେ ଛନକା ପଶିଛି । ବର୍ଷା ପୂର୍ବରୁ ଅମଳକ୍ଷମ ଫସଲ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସଚେତନ କରୁଛି ପ୍ରଶାସନ। ବର୍ଷାରେ ଫସଲ ନଷ୍ଟ ହେବା ଆଶଙ୍କା ଥିବାରୁ ଅମଳକ୍ଷମ ଫସଲକୁ ସୁରକ୍ଷିତ ରଖୁଛନ୍ତି ଚାଷୀ । ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ାର ଚାଷୀ ତତ୍ପର ହୋଇ ଉଠିଛନ୍ତି ।
କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିବା ପଡ଼ିଲା ମହଙ୍ଗା, ନିଲମ୍ବିତ ହେଲେ ଡିଜିପି
ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଆରଏସକୁ ହରାଇ ସରକାର ଗଢିବାକୁ ଯାଉଛି । ଏହି ବିଜୟ ପରେ କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଭୋଟ ସମୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷଙ୍କୁ ଭେଟିଥିବା ଘଟଣାକୁ ନେଇ ଡିଜିପିଙ୍କୁ ମହଙ୍ଗା ପଡ଼ିଛି । ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ସଂହିତା ନିୟମ ଉଲଂଘନ କରିଥିବାକୁ କେନ୍ଦ୍ର କରି ପୋଲିସ ଡିଜି ଅଞ୍ଜନି କୁମାରଙ୍କୁ ନିଳମ୍ବିତ କରିଛନ୍ତି । ରବିବାର ସକାଳେ ଡିଜିପି ରାଜ୍ୟ ପୋଲିସର ନୋଡାଲ ଅଧିକାରୀ ସଞ୍ଜୟ ଜୈନ ଓ ମହେଶ ଭାଗବତଙ୍କ ସହିତ ଭେଟ ଗଣତି ସମୟରେ ହାଇଦ୍ରାବଦରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ରେଭନ୍ତ ରେଡ୍ଡୀଙ୍କୁ ଭେଟିବା ସହିତ ଫୁଲତୋଡ଼ା ଦେଇଥିଲେ । ଏହି ସାକ୍ଷାତକାର ସମୟ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା । ଏହାପରେ ନିର୍ବାଚନ ଆୟୋଗ ଡିଜିପି କୁମାରଙ୍କୁ ନିଲମ୍ବିତ କରିବା ପାଇଁ ଆଦେଶ ଦେଇଥିଲେ । ଚର୍ଚ୍ଚା ହେଉଛି ରେଭନ୍ତ ରେଡ୍ଡି ତେଲେଙ୍ଗାନାରେ ମୁଖ୍ୟମନ୍ତ୍ରୀ ହେବେ ।
ତିନି ରାଜ୍ୟରେ କଂଗ୍ରେସର ପରାଜୟ ପରେ ଭାଇରାଲ ହେଉଛି ରାହୁଲ ଗାନ୍ଧୀଙ୍କ ଏହି ଭିଡିଓ
ନୂଆଦିଲ୍ଲୀ: ସୋସିଆଲ ମିଡିଆ ଏକ୍ସରେ ଭାଇରାଲ ହେଇଛି ରାହୁଲ ଗାନ୍ଧୀଙ୍କ ଭିଡିଓ । କେନ୍ଦ୍ରମନ୍ତ୍ରୀ ପିୟୁସ ଗୋଏଲ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ପୋଷ୍ଟ କରିଥିବାବେଳେ ଏହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ବିଭିନ୍ନ କମେଣ୍ଟମାନ ଦେଖିବାକୁ ମିଳୁଛି । ଏକ ପ୍ରେସମିଟରେ ରାହୁଲ ଗାନ୍ଧୀଙ୍କ ପାଟିରୁ ଭୁଲରେ ବାହାରି ଯାଇଥିଲା କି, ରାଜସ୍ଥାନ ଏବଂ ଛିତଶଗଡ଼ରୁ ସରକାର ଯାଉଛି । ଯେଉଁ ଭିଡିଓଟିକୁ ପିୟୂସ ଗୋଏଲ ସେୟାର କରିଛନ୍ତି । ତିନି ରାଜ୍ୟରେ କଂଗ୍ରେସର ପରାଜୟ ପରେ ରାଜନୀତି ଟ୍ରେଣ୍ଡରେ ରହିଥିବାବେଳେ ବିଜେପି ସମର୍ଥକମାନେ ଏହାକୁ ବହୁ ମାତ୍ରାରେ ସେୟାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।
सच हुई राहुल जी की भविष्यवाणी pic.twitter.com/lXQJCmdHG4
— Piyush Goyal (@PiyushGoyal) December 3, 2023
ପିୟୂସ ଗୋଏଲ ଏହି ଭିଡିଓରେ କ୍ୟାପସନ ଦେଇଛନ୍ତି କି, ସତ ହେଲା ରାହୁଲଙ୍କ ଭବିଷ୍ୟବାଣୀ । ତେବେ ରାଜସ୍ଥାନରେ କଂଗ୍ରେସ ସରକାର ରହିଥିବାବେଳେ ଶେଷ ଖବର ସୁଦ୍ଧା ଆଗରେ ରହିଛି ବିଜେପି । ୧୧୫ ଆସନରେ ବିଜେପି ଆଗରେ ରହିଥିବାବେଳେ କଂଗ୍ରେସ ୬୯ଟି ଆସନରେ ଆଗୁଆ ରହିଛି । ସେପଟେ ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ ମଧ୍ୟ ପୁଣିଥରେ ବିଜେପି ସରକାର ଗଢ଼ିବାକୁ ଯାଉଛି । କେବଳ ତେଲେଙ୍ଗାନାରେ BRS ହାତରୁ କ୍ଷମତା ଛଡ଼ାଇବାରେ ସକ୍ଷମ ହୋଇଛି କଂଗ୍ରେସ । କଂଗ୍ରେସର ପରାଜୟ ପରେ ବହୁ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
https://twitter.com/RashtrawadiVeer/status/1731197156399395318?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1731197156399395318%7Ctwgr%5E47821243ab5e359b8424b1efe7f80149f0d7a878%7Ctwcon%5Es1_&ref_url=https%3A%2F%2Fhindi.news18.com%2Fnews%2Fnation%2Fassembly-election-result-2023-piyush-goal-other-bjp-supporters-trolled-rahul-gandhi-congress-on-big-defeat-in-rajasthan-chhattisgarh-7873418.html
ମୁଖ୍ୟମନ୍ତ୍ରୀ କେସିଆର ଏବଂ ଭାବି ମୁଖ୍ୟମନ୍ତ୍ରୀ ରେବନ୍ତଙ୍କୁ ହରାଇଥିବା କଟିପଲ୍ଲୀ ରେଡ୍ଡି କିଏ ? ଜାଣନ୍ତୁ ବିଜୟ ପଛର ମୁଖ୍ୟ କାରଣ
ହାଇଦ୍ରାବାଦ: ସାମନାକୁ ଆସିଛି ତେଲେଙ୍ଗାନା ନିର୍ବାଚନ ଫଳାଫଳ । BRSକୁ ହରାଇ କଂଗ୍ରେସ ସରକାର ଗଢ଼ିବାକୁ ଯାଉଛି । ତେବେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ଏବଂ ଭାବି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କୁ ପରାସ୍ତା କରିଛନ୍ତି ବିଜେପି ପ୍ରାର୍ଥୀ କଟିପଲ୍ଲୀ ରେଡ୍ଡ୍ଡି । ଯାହାକି ଏବେ ରାଜେନୖତିକ ମହଲରେ ଏକ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି । ତେଲେଙ୍ଗାନା ରାଜନୀତିର ଦୁଇ ବଡ଼ ଚେହେରା ଗୋଟିଏ ଆସନରେ ଲଢ଼ୁଥିବାବେଳେ ଫଇଦା ଉଠାଇଛି ବିଜେପି । କଟିପଲ୍ଲୀ ରେଡ୍ଡି କାମାରେଡ୍ଡି ଆସନରେ ଉଭୟ ହେବିଓ୍ବେଟଙ୍କୁ ହରାଇ ବିଜୟ ବାନା ଉଡ଼ାଇଛନ୍ତି । ଯାହାକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରୀ ସୋସିଆଲ ମିଡିଆରେ କଟିପଲ୍ଲୀଙ୍କ ଫଟୋକୁ ପୋଷ୍ଟ କରି ଲେଖିଛନ୍ତି କି, ତାଙ୍କ ସମ୍ପର୍କରେ ଆଲୋଚନା କରାଯିବା ଉଚିତ ।
ଉତ୍ତର ତେଲେଙ୍ଗାନାର ଏହି ଆସନରେ ଦୁଇ ମୁଖ୍ୟମନ୍ତ୍ରୀ ଚେହେରାର ଫାଇଦା ଉଠାଇଛନ୍ତି କଟିପଲ୍ଲୀ । ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସେ ୩ ହଜାର ଭୋଟରେ ପରାସ୍ତ କରିଥିବାବେଳେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରେବନ୍ତ ତୃତୀୟ ସ୍ଥାନରେ ରହିଛନ୍ତି । ୨୦୧୪ ଏବଂ ୨୦୧୮ରେ ଏହି ଆସନ କଂଗ୍ରେସ ହାତରେ ରହିଥିଲା । ତେବେ ଦୁଇ ହେବିଓ୍ବେଟ ତଥା ମୁଖ୍ୟମନ୍ତ୍ରୀ ଚେହେରାଙ୍କୁ ପରାସ୍ତ କରିଥିବା କଟିପଲ୍ଲୀ ରେଡ୍ଡିକୁ ଛୁଟୁଛି ଶୁଭେଚ୍ଛାର ସୁଅ ।
କଟିପଲ୍ଲୀ ରେଡ୍ଡି କିଏ?
କିଏ ଏହି କଟିପଲ୍ଲୀ ରେଡ୍ଡି? ଯିଏକି ଦୁଇ ହେବିଓ୍ବେଟଙ୍କୁ ହରାଇ ବିଜୟର ଧ୍ବଜା ଉଡ଼ାଇଛନ୍ତି । ତେବେ କଟିପଲ୍ଲୀଙ୍କ ପ୍ରକୃତ ନାମ ହେଉଛି କଟିପଲ୍ଲୀ ଭେଙ୍କଟ ରମଣ ରେଡ୍ଡି । ତାଙ୍କ ବୟସ ଏବେ ୫୩ ବର୍ଷ ହୋଇଥିବାବେଳେ ସେ ଜଣେ ବ୍ୟବସାୟୀ । ସେ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବାବେଳେ ସାଧାରଣ ଲୋକଙ୍କ ପାଇଁ ବହୁ କାମ କରି ଚର୍ଚ୍ଚାକୁ ଆସିଥିଲେ । ସେ ଏହି ଆସନରେ ଲଢ଼ିଥିବାବେଳେ ଦୁଇ ହେବିଓ୍ବେଟଙ୍କ ଅପେକ୍ଷା ତାଙ୍କ ପଲ୍ଲା ଭାରି ରହିବା ପଛର ମୁଖ୍ୟ କାରଣ ହେଉଛି ସେ ସେଠାକାର ମୂଳ ବାସିନ୍ଦା । ଡାକ୍ତରଖାନା, ମନ୍ଦିର ଏବଂ ବିଦ୍ୟାଳୟ ଭଳି ଅନେକ ଜନମଙ୍ଗଳ କାର୍ଯ୍ୟ ନିଜ ଟଙ୍କା ଖର୍ଚ୍ଚ କରି ଲୋକଙ୍କ ପାଇଁ କରିଥିବାବେଳେ ଏହା ତାଙ୍କ ପାଇଦା ସାବ୍ୟସ୍ତ ହୋଇଛି ।
ତେଲେଙ୍ଗାନାରେ BRSକୁ ହରାଇ କଂଗ୍ରେସକୁ କ୍ଷମତାକୁ ଆଣୁଥିବା ରେବନ୍ତ ରେଡ୍ଡିଙ୍କ ସମ୍ପର୍କରେ ଜାଣନ୍ତୁ ଅଜଣା କଥା
ହାଇଦ୍ରାବାଦ: ତିନି ରାଜ୍ୟରେ ପରାଜୟ ପରେ ମଧ୍ୟ କଂଗ୍ରେସକୁ ଖୁସି ଦେଇଛି ତେଲେଙ୍ଗାନା ବିଜୟ । ତେଲେଙ୍ଗାନାରେ BRSକୁ ଗାଦିଚ୍ୟୁତ କରି କଂଗ୍ରେସ କ୍ଷମତାକୁ ଫେରୁଛି । ଦଳର ମଙ୍ଗ ସମ୍ଭାଳିଥିବା ରେଭାନ୍ତ ରେଡ୍ଡିଙ୍କ ନେତୃତ୍ବକୁ ନେଇ ଛୁଟୁଛି ଶୁଭେଚ୍ଚଶର ସୁଅ । ତେବେ ରେଭାନ୍ତ ରେଡ୍ଡି କିଏ? ଯିଏକି BRS ଭଳି ଶକ୍ତିଶାଳି ଦଳକୁ ହରାଇ ଗାଦି ହାତେଇବାକୁ ଯାଉଛନ୍ତି । କଂଗ୍ରେସ ୬୪ ଆସନରେ ଆଗୁଆ ରହିଥିବାବେଳେ BRS ୪୦ ଆସନରେ ଆଗୁଆ ରହିଛି । ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ? ଏଭଳି ପ୍ରଶ୍ନ ଉଠିଥିବାବେଳେ ରେସରେ ଆଗରେ ରହିଛନ୍ତି ପିସିସି ସଭାପତି ରେଭାନ୍ତ ରେଡ୍ଡି ।
୧୯୬୯ ମସିହାରେ ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ରେଭାନ୍ତ ଛାତ୍ର ରାଜନୀତିରୁ ବେଶ ସକ୍ରିୟ ରହିଥିଲେ । ଗ୍ରାଜୁଏସନ କରୁଥିବାବେଳୁ ସେ ରାଜନୀତି ମଇଦାନରେ ପାଦ ଦେବା ସହ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ଏବିଭିପିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ରେଭାନ୍ତ ଟିଡିପିରେ ସାମିଲ ହୋଇଥିଲେ ।
୨୦୦୯ ମସିହାରେ ପ୍ରଥମ କରି ଟିଡିପି ଟିକେଟରୁ ନିର୍ବାଚନ ଲଢିଥିଲେ ଏ ରେଭାନ୍ତ ରେଡ୍ଡୀ । ଏହି ନିର୍ବାଚନରେ ସେ ବିଜୟ ହାସଲ କରିବା ସହ ପ୍ରଥମ ଥର ବିଧାନସଭା ଯାଇଥିଲେ । ଏହାପରେ ୨୦୧୪ ମସିହାରେ ଟିଡିପି ତାଙ୍କୁ ବିଧାନସଭାର ନେତା ଭାବେ ଚୟନ କରିଥିଲା । କିନ୍ତୁ ୨୦୧୭ ମସିହାରେ ସେ ଟିଡିପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ଦଳକୁ ତୃଣମୂଳ ସ୍ତରରେ ଦୃଢ଼ କରିବା ପାଇଁ ନିଜର ଉଦ୍ୟମ ଜାରି ରଖିଥିଲେ ।
ଟିଡିପି ଛାଡି କଂଗ୍ରେସରେ ଯୋଗ ଦେବା ପରେ ୨୦୧୮ରେ ପୁଣି ଥରେ କୋଡାଙ୍ଗଲ ସିଟରୁ ନିର୍ବାଚନ ଲଢିଥିଲେ ରେଭାନ୍ତ ରେଡ୍ଡୀ । ରାଜ୍ୟରେ କଂଗ୍ରେସର ସ୍ଥିତି ଠିକ ନଥିବାରୁ ଏଥର କିନ୍ତୁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ହେଲେ ବିଧାନସଭା ନିର୍ବାଚନ ପରାଜୟର କ୍ଷତି, ସେ ଲୋକସଭା ନିର୍ବାଚନରେ ପୂରଣ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସେ ସାଂସଦ ପଦ ପାଇଁ ଲଢିବା ସହିତ ୧୦ ହଜାରରୁ ଅଧିକ ଭୋଟରେ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ୨୦୨୧ରେ କଂଗ୍ରେସ ତାଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲା । ଆଉ ଏବେ ରେଭାନ୍ତଙ୍କ ନେତୃତ୍ୱରେ ତେଲେଙ୍ଗାନା ବିଜୟ ହାସଲ କରିଛି ହାତ । ଏଣୁ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି ।

