ନଜର ପକାନ୍ତୁ ବାତ୍ୟା ଅପଡେଟ୍ ଉପରେ..

1 min read

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ମିଗଜାଉଁ । ୨୪ ଘଣ୍ଟା ଭିତରେ ନେବ ଭୀଷଣ ବାତ୍ୟାର ରୂପ । ବାତ୍ୟା ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ସୋମବାର ଅପରାହ୍ନ ବେଳକୁ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ୫ ତାରିଖ ପୂର୍ବାହ୍ନ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ । ବାତ୍ୟା ପ୍ରଭାବରେ ଓଡ଼ିଶାରେ କାଲିଠୁ ବର୍ଷା ସମ୍ଭାବନା ରହିଥିବାବେଳେ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାରେ ବ୍ୟସ୍ତ ଅଛନ୍ତି ଚାଷୀ ।

ଭୀଷଣ ରୂପ ନେଉଛି ବାତ୍ୟା । ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୫ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ମିଗଜାଉଁ । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ବାତ୍ୟା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଉପକୂଳ ନିକଟତର ହେବ। ୫ ତାରିଖ ପୂର୍ବାହ୍ନରେ ଅତି ଭୀଷଣ ବାତ୍ୟା ରୂପ ନେଇ ନେଲୋର ଏବଂ ମଚ୍ଛଲିପଟନମ୍ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବ । ବାତ୍ୟା ପ୍ରଭାବରେ ଓଡ଼ିଶାରେ ପାଗ ବଦଳିଛି । କାଲିଠାରୁ କିଛି ସ୍ଥାନରେ ହାଲୁକା ଓ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି । ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ।

ବାତ୍ୟା ନେଇ ଓଡ଼ିଶା ଚାଷୀଙ୍କ ଭିତରେ ଛନକା ପଶିଛି । ବର୍ଷା ପୂର୍ବରୁ ଅମଳକ୍ଷମ ଫସଲ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ସଚେତନ କରୁଛି ପ୍ରଶାସନ। ବର୍ଷାରେ ଫସଲ ନଷ୍ଟ ହେବା ଆଶଙ୍କା ଥିବାରୁ ଅମଳକ୍ଷମ ଫସଲକୁ ସୁରକ୍ଷିତ ରଖୁଛନ୍ତି ଚାଷୀ । ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ାର ଚାଷୀ ତତ୍ପର ହୋଇ ଉଠିଛନ୍ତି ।