ତେଲେଙ୍ଗାନାରେ BRSକୁ ହରାଇ କଂଗ୍ରେସକୁ କ୍ଷମତାକୁ ଆଣୁଥିବା ରେବନ୍ତ ରେଡ୍ଡିଙ୍କ ସମ୍ପର୍କରେ ଜାଣନ୍ତୁ ଅଜଣା କଥା

1 min read

ହାଇଦ୍ରାବାଦ: ତିନି ରାଜ୍ୟରେ ପରାଜୟ ପରେ ମଧ୍ୟ କଂଗ୍ରେସକୁ ଖୁସି ଦେଇଛି ତେଲେଙ୍ଗାନା ବିଜୟ । ତେଲେଙ୍ଗାନାରେ BRSକୁ ଗାଦିଚ୍ୟୁତ କରି କଂଗ୍ରେସ କ୍ଷମତାକୁ ଫେରୁଛି । ଦଳର ମଙ୍ଗ ସମ୍ଭାଳିଥିବା ରେଭାନ୍ତ ରେଡ୍ଡିଙ୍କ ନେତୃତ୍ବକୁ ନେଇ ଛୁଟୁଛି ଶୁଭେଚ୍ଚଶର ସୁଅ । ତେବେ ରେଭାନ୍ତ ରେଡ୍ଡି କିଏ? ଯିଏକି BRS ଭଳି ଶକ୍ତିଶାଳି ଦଳକୁ ହରାଇ ଗାଦି ହାତେଇବାକୁ ଯାଉଛନ୍ତି । କଂଗ୍ରେସ ୬୪ ଆସନରେ ଆଗୁଆ ରହିଥିବାବେଳେ BRS ୪୦ ଆସନରେ ଆଗୁଆ ରହିଛି । ଦଳ ଏଠାରେ ସରକାର ଗଠନ କରିବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ କିଏ ହେବ? ଏଭଳି ପ୍ରଶ୍ନ ଉଠିଥିବାବେଳେ ରେସରେ ଆଗରେ ରହିଛନ୍ତି ପିସିସି ସଭାପତି ରେଭାନ୍ତ ରେଡ୍ଡି ।

୧୯୬୯ ମସିହାରେ ଆନ୍ଧ୍ରପ୍ରଦେଶରେ ଜନ୍ମ ଗ୍ରହଣ କରିଥିବା ରେଭାନ୍ତ ଛାତ୍ର ରାଜନୀତିରୁ ବେଶ ସକ୍ରିୟ ରହିଥିଲେ । ଗ୍ରାଜୁଏସନ କରୁଥିବାବେଳୁ ସେ ରାଜନୀତି ମଇଦାନରେ ପାଦ ଦେବା ସହ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ । ଏବିଭିପିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ରେଭାନ୍ତ ଟିଡିପିରେ ସାମିଲ ହୋଇଥିଲେ ।

୨୦୦୯ ମସିହାରେ ପ୍ରଥମ କରି ଟିଡିପି ଟିକେଟରୁ ନିର୍ବାଚନ ଲଢିଥିଲେ ଏ ରେଭାନ୍ତ ରେଡ୍ଡୀ । ଏହି ନିର୍ବାଚନରେ ସେ ବିଜୟ ହାସଲ କରିବା ସହ ପ୍ରଥମ ଥର ବିଧାନସଭା ଯାଇଥିଲେ । ଏହାପରେ ୨୦୧୪ ମସିହାରେ ଟିଡିପି ତାଙ୍କୁ ବିଧାନସଭାର ନେତା ଭାବେ ଚୟନ କରିଥିଲା ।  କିନ୍ତୁ ୨୦୧୭ ମସିହାରେ ସେ ଟିଡିପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ଦଳକୁ ତୃଣମୂଳ ସ୍ତରରେ ଦୃଢ଼ କରିବା ପାଇଁ ନିଜର ଉଦ୍ୟମ ଜାରି ରଖିଥିଲେ ।

ଟିଡିପି ଛାଡି କଂଗ୍ରେସରେ ଯୋଗ ଦେବା ପରେ ୨୦୧୮ରେ ପୁଣି ଥରେ କୋଡାଙ୍ଗଲ ସିଟରୁ ନିର୍ବାଚନ ଲଢିଥିଲେ ରେଭାନ୍ତ ରେଡ୍ଡୀ । ରାଜ୍ୟରେ କଂଗ୍ରେସର ସ୍ଥିତି ଠିକ ନଥିବାରୁ ଏଥର କିନ୍ତୁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ହେଲେ ବିଧାନସଭା ନିର୍ବାଚନ ପରାଜୟର କ୍ଷତି, ସେ ଲୋକସଭା ନିର୍ବାଚନରେ ପୂରଣ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସେ ସାଂସଦ ପଦ ପାଇଁ ଲଢିବା ସହିତ ୧୦ ହଜାରରୁ ଅଧିକ ଭୋଟରେ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ୨୦୨୧ରେ କଂଗ୍ରେସ ତାଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲା । ଆଉ ଏବେ ରେଭାନ୍ତଙ୍କ ନେତୃତ୍ୱରେ ତେଲେଙ୍ଗାନା ବିଜୟ ହାସଲ କରିଛି ହାତ । ଏଣୁ ସେ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି ।