spot_img
Home Blog Page 2438

ଦର୍ଶକ ଗ୍ୟାଲେରିରୁ ଲୋକସଭାକୁ ଡେଇଁଲେ ଦୁଇ ଯୁବକ, କାବୁ କଲେ ସାଂସଦ

ନୂଆଦିଲ୍ଲୀ : ସଂସଦ ଉପରେ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଦିବସରେ ବୁଧବାର ବଡ଼ ଧରଣର ସୁରକ୍ଷାଗତ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରିରୁ ଅଚାନକ ଲୋକସଭା ମଧ୍ୟକୁ ଡେଇଁ ପଡ଼ିଥିଲେ। ଉଭୟ ଗୃହ ମଧ୍ୟଭାଗକୁ ଯିବା ବେଳେ ସେମାନଙ୍କୁ କିଛି ସାଂସଦ କାବୁ କରିଥିଲେ। ଏହି ଘଟଣା ଘଟିବା ବେଳେ ଗୃହରେ ଆଲୋଚନା ଚାଲୁଥିଲା।

ପଶ୍ଚିମବଙ୍ଗରୁ ବିଜେପି ସାଂସଦ ସ୍ୱଗେନ ମୁର୍ମୁ ନିଜ କଥା ଗୃହରେ ରଖୁଥିଲେ। ଅଚାନକ ଘଟିଥିବା ଏହି ଘଟଣାରେ ସମସ୍ତେ ଚକିତ ହୋଇ ପଡ଼ିଥିଲେ। ଗୃହ ମାଇକରୁ ଶୁଣିବାକୁ ମିଳିଥିଲା ଯେ, କେହି ଦର୍ଶକ ଗ୍ୟାଲେରିରୁ ଖସି ପଡ଼ିଛନ୍ତି। ଏହା ପରେ .. ଧର.. ଧରର ସ୍ୱର ଶୁଣିବାକୁ ମିଳିଥିଲା। ଗୃହ ମଧ୍ଯରେ ଦୌଡୁଥିବା ବେଳେ ଯୁବକଙ୍କୁ କିଛି ସାଂସଦ କାବୁ କରିଥିଲେ। ଯୁବକଙ୍କର ନାମ ସାଗର ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ସଂସଦ ବାହାରେ ମଧ୍ଯ ବିରୋଧ ପ୍ରଦର୍ଶନ କରୁଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ଯରେ ଜଣେ ଯୁବତୀ ଅଛନ୍ତି । ସେମାନଙ୍କର ନାମ ହେଉଛି ଅମୋଲ ସିନ୍ଦେ ଓ ନିଲମ । ଉଭୟ ସ୍ମୋକ୍ ବମ୍ ରଖିଥିଲେ ଓ ସେଥିରୁ ହଳଦିଆ ରଙ୍ଗର ଧୂଆଁ ବାହାରୁଥିଲା। ଅଭିଯୁକ୍ତଙ୍କୁ ସଂସଦ ମାର୍ଗ ଥାନାକୁ ନିଆଯାଇଛି । ସେଠାରେ ସେମାନଙ୍କୁ ପଚରାଉଚରା କରାଯାଉଛି ।

ଏହି ଘଟଣାକୁ ବିରାଟ ସୁରକ୍ଷାଗତ ତ୍ରୁଟି ବୋଲି କୁହାଯାଉଥିବା ବେଲେ ସାଂସଦ ଅଭିଯୋଗ କରିଛନ୍ତି ଯେ, ଯୁବକ ଦୁଇଜଣଙ୍କୁ ଧରିବା ସମୟରେ ସୁରକ୍ଷାକର୍ମୀଙ୍କ ଚିହ୍ନବର୍ଣ୍ଣ ନଥିଲା । ସାଂସଦ ମାନେ ମେଳିକରି ଏହି ଯୁବକ ଦ୍ୱୟଙ୍କୁ ଧରିଥିଲେ ।

ସଂସଦ ସୁରକ୍ଷାରେ ତ୍ରୁଟି, ଜାଣନ୍ତୁ ଏନେଇ କ’ଣ କହିଲେ ଓଡ଼ିଆ ସାଂସଦ?

ନୂଆଦିଲ୍ଲୀ: ସଂସଦ ଅଧିବେଶନ ଚାଲିଥିବାବେଳେ ସୁରକ୍ଷା ବ୍ୟବସ୍ଥାରେ ବଡ଼ଧରଣର ତ୍ରୁଟି। ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଲେ ଦୁଇ ବ୍ୟକ୍ତି। ସଂସଦ ଆକ୍ରମଣର ୨୨ ତମ ବାର୍ଷିକୀରେ ଘଟିଛି ଅଘଟଣ। ଏହି ଘଟଣା ପରେ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଛି। ଜାଣନ୍ତୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ ଓଡ଼ିଆ ସାଂସଦ ମାନେ କ’ଣ କହିଛନ୍ତି…

କେଉଁ ସାଂସଦଙ୍କ ପାସ୍‌ରେ ସଂସଦ ଭିତରକୁ ପ୍ରବେଶ କଲେ ସମ୍ପୃକ୍ତ ଯୁବକ ମାନେ, ତାହା ତଦନ୍ତ ସାପେକ୍ଷ। କଡ଼ାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଭଳି ଅଘଟଣ କାହିଁକି ଘଟିଲା । ସୁରକ୍ଷାରେ ମେଟାଲ୍ ଡିଟେକ୍ଟର ଥାଇ ମଧ୍ୟ କିଭଳି ଜଣାପଡିଲାନାହିଁ। ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ପ୍ରକାଶ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

ଆଜିର ଦିନରେ ଏଭଳି ଘଟଣା ଘଟିବା ଆଦୌ ସମୀଚିନ ନୁହେଁ। ଦର୍ଶକ ଗ୍ୟାଲେରିରୁ ଡେଇଁଥିଲେ ଦୁଇ ଯୁବକ। ପରେ ତାଙ୍କୁ କାବୁ କରାଯାଇଥିଲା। ସେମାନେ କଲର ସ୍ପ୍ରେ ମାରି ବୋଧହୁଏ ଖସିଯିବାକୁ ପ୍ଲାନ କରୁଥିଲେ କିନ୍ତୁ ଧରା ପଡିଗଲେ। ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ।

‘ପ୍ରଥମେ ଜଣେ ଡେଇଁଲା ତା’ ପରେ ଆଉ ଜଣେ, ଗୃହ ଭିତରେ ଏପରି ବିଲକୁଲ ଘଟିବା କଥା ନୁହେଁ’। ଗୃହ ମଧ୍ୟକୁ ଦୁଇ ଯୁବକ ଡେଇଁବା ପରେ ପାଖରେ ଥିବା କିଛି ଜିନିଷକୁ ଅଚାନକ ଖୋଲିଥିଲେ, ଯାହା ପରେ ସାରା ପରିବେଶ ଧୂଆଁମୟ ହୋଇପଡିଥିଲା। ପରବର୍ତ୍ତୀ ସମୟରେ ଗୃହକୁ ମୁଲତବି କରାଯାଇଥିଲା ବୋଲି କହିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ।

ଉଲ୍ଲେଖଯୋଗ୍ୟ, ଭିଜିଟର୍ସ ଗ୍ୟାଲେରିରୁ ଜଣେ ଯୁବକ ଲମ୍ଫ ପ୍ରଦାନ କରୁଥିବା ସମୟରେ ବିଜେପି ସାଂସଦ ଖାର୍ଗେନ ମୁର୍ମୁ ଭାଷଣ ଦେଉଥିଲେ । ଡେଇଁଥିବା ଯୁବକଙ୍କ ମଧ୍ୟରୁ ଜଣେ ଗାଢ ନୀଳ ସାର୍ଟ ପିନ୍ଧିଥିବା ଦେଖାଯାଉଛି । କିଛିଦିନ ତଳେ ଶିଖସ ଫର ଜଷ୍ଟିସ ନେତା ଗୁରୁ ପତଓ୍ବନ୍ତ ସିଂ ପନ୍ନୁର ସଂସଦ ଭବନ ଆକ୍ରମଣ ଲାଗି ଧମକ ଦେଇଥିଲେ। ଡେଇଁଥିବା ବ୍ୟକ୍ତି ହଳଦିଆ ଗ୍ୟାସ ପ୍ରୟୋଗ କରିଥିବା ସୂଚନା ମିଳିଛି । ଏହି କାଣ୍ଡ ଘଟାଉଥିବାବେଳେ ସେମାନେ କିଛି ସ୍ଲୋଗାନ ଦେଉଥିବା ଜଣାଯାଇଛି । ଏହି ଦୁଇ ବ୍ୟକ୍ତି ଜୋତା ଭିତରେ କିଛି ଲୁଚାଇ ରଖିଥିବା ବେଳେ ଗୃହ ଭିତର ଧୂଆଁମୟ ହୋଇପଡିଥିଲା । ତେବେ ଦୁଇ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷା କର୍ମୀ ।

ଖାଦ୍ୟରେ ବିଷ ମିଶାଇ ଦେବି; ଖରାପ ରିଭ୍ୟୁ ଯୋଗୁଁ ମହିଳାଙ୍କୁ ଏଭଳି ଧମକ ଦେଲେ ଡେଲିଭରୀ ବୟ

ହଂକଂ: ଖରାପ ରିଭ୍ୟୁ ଦେବା ଯୋଗୁଁ ଫୁଡ୍ ଡେଲିଭରୀ ବୟ ଜଣେ ମହିଳାଙ୍କୁ ଧମକାଇବାକୁ ପଛାଇ ନାହାଁନ୍ତି । ଖାଲି ଏତିକି ନୁହେଁ ସେ  ଏକ ବାଡ଼ି ଧରି ମହିଳାଙ୍କ ଘର ବାହାରେ ଠିଆ ହେବା ସହ ତାଙ୍କୁ ବିଷ ଦେଇ ମାରିବାକୁ ଧମକ ଦେଇଛନ୍ତି । ‘ଖାଇବାରେ ବିଷ ମିଶାଇ ଦେବି, ତୁମେ ଖାଲି ମୃତ୍ୟୁକୁ ଅପେକ୍ଷା କର’ ବୋଲି ମହିଳାଙ୍କୁ ଧମକ ଦେଇଛନ୍ତି । ଏହି ଘଟଣା ଚାଇନାର ଫୁଜିଆନ୍ ଅଞ୍ଚଳର। ପୀଡିତା ମହିଳାଙ୍କ ବନ୍ଧୁ ଲି ସୋସିଆଲ ମିଡିଆରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଡେଲିଭରି ବୟ ଜଣଙ୍କ ମହିଳାଙ୍କ ଘର ବାହାରେ ଛିଡା ହୋଇ ପାଟି କରୁଥିବା ଦେଖିବାକୁ ମିଳିଥିଲା।

ସାଉଥ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ସମ୍ପୃକ୍ତ ଡେଲିଭରୀ ବୟ ଜଣଙ୍କ ମହିଳାଙ୍କୁ ଧମକ ଦେବାକୁ ଯାଇ କହିଛି, ପରବର୍ତ୍ତୀ ସମୟରେ ତୁମେ ଖାଦ୍ୟ ଅର୍ଡର କର, ମୁଁ ସେଥିରେ ମୂଷା ମାରିବା ଔଷଧ ପକାଇଦେବି । ତୁମେ କେବଳ ତୁମର ମୃତ୍ୟୁକୁ ଅପେକ୍ଷା କର | ଲି କହିଛନ୍ତି ଯେ ଏହା ପଛର କାରଣ ହେଉଛି ତାଙ୍କ ସାଙ୍ଗ ଫୁଡ୍ ଡେଲିଭରୀ ବୟଙ୍କ ବ୍ୟବହାର ପାଇଁ ତାଙ୍କୁ ଖରାପ ରିଭ୍ୟୁ ଦେଇଥିଲେ । କାରଣ ଡେଲିଭରି ବୟ ଜଣଙ୍କ ଖାଦ୍ୟ ଆଣିବାରେ ବିଳମ୍ବ କରିଥିଲେ। ଏବଂ ସେ ନଜଣାଇ କବାଟ ବାହାରେ ଖାଦ୍ୟ ରଖି ଚାଲିଯାଇଥିଲା । ତା’ର ଏଭଳି କାର୍ଯ୍ୟକଳାପ ଯୋଗୁଁ ସମ୍ପୃକ୍ତ ମହିଳା ଜଣଙ୍କ ତା’ ନାଁରେ କମ୍ପାନୀକୁ ଅଭିଯୋଗ କରିଥିଲେ ।  ଏହା ପରେ କମ୍ପାନୀ ମ୍ୟାନେଜର ତାଙ୍କୁ କ୍ଷମା ମାଗିବାକୁ ପଠାଇଥିଲେ। ମ୍ୟାନେଜର ନିଜେ ମଧ୍ୟ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।

ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ଅନେକ ଲୋକ ଡେଲିଭରି ବୟକୁ ସମାଲୋଚନା କରୁଥିବା ବେଳେ ଆଉ କିଛି ଲୋକ ମହିଳାଙ୍କୁ ଖରାପ କହିଛନ୍ତି । ଜଣେ ୟୁଜର୍ସ କହିଛନ୍ତି ଯେ ଖରାପ ରିଭ୍ୟୁ ଦେବା ପୂର୍ବରୁ ଗ୍ରାହକମାନେ ଚିନ୍ତା କରନ୍ତି କି ଏହା ଯୋଗୁଁ ଡେଲିଭରୀ ବୟଙ୍କ ଉପରେ କି ପ୍ରଭାବ ପଡ଼ିବ? ତେବେ ଏହା ପ୍ରଥମ ଖବର ନୁହେଁ | ଏଭଳି ମାମଲା ଚାଇନାରେ ଅନେକଥର ସାମ୍ନାକୁ ଆସିଛି।

କିଭଳି ରହିଛି ବୋରୱେଲରୁ ଉଦ୍ଧାର ନବଜାତ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା, ଜାଣନ୍ତୁ…

ରେଙ୍ଗାଲୀ: ୮ ଘଣ୍ଟାରୁ ଅଧିକ ସମୟର ମାରାଥନ ଅପରେସନ ପରେ ବୋରଓ୍ବେଲରୁ ଜୀବିତ ଉଦ୍ଧାର ହୋଇଥିଲା ନବଜାତ ଶିଶୁକନ୍ୟା। ଉଦ୍ଧାର ପରେ ରେଙ୍ଗାଲୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ବୁର୍ଲା ଭୀମସାରର SNCUରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଶିଶୁର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ।

ଶିଶୁକନ୍ୟାର ଦେହର କିଛି ସ୍ଥାନରେ ଆଘାତ ଲାଗିଥିବା ବେଳେ ଏହାକୁ ଅତି ଯତ୍ନ ସହକାରେ ଚିକିତ୍ସା କରାଯାଉଛି। ନବଜାତକକୁ ସୁସ୍ଥ ରଖିବା ପାଇଁ ଲାଗିଛନ୍ତି ଡାକ୍ତରୀ ଟିମ୍ । ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର ହେଇଥିବା ନବଜାତ ଶିଶୁ କନ୍ୟା ୩ ଦିନର ବୋଲି ଜଣାପଡିଛି । ସେପଟେ ଶିଶୁଟି ପ୍ରିମ୍ୟାଚ୍ୟୁର ଭାବେ ଜନ୍ମ ହୋଇଥିଲା ବୋଲି ସୂଚନା ମିଳିଛି। ଶିଶୁ କନ୍ୟାର ଓଜନ ୧ କେଜି ୬୦୦ ଗ୍ରାମ ରହିଛି।

ସୂଚନା ଅନୁଯାୟୀ, ଏହି ବୋରଓ୍ବେଲଟି ୫୦ ବର୍ଷ ତଳେ ଖୋଳା ଯାଇଥିଲା। ବିଗତ ୨୫ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ଥିଲା ବୋରଓ୍ବେଲ। ରେଙ୍ଗାଲି ଅଞ୍ଚଳର ଶ୍ରୀରାମ ଅଗ୍ରୱାଲ କାଜୁ ଫିଲ୍ଡ ପାଇଁ ଖୋଲିଥିଲେ ବୋରଓ୍ବେଲ। ତେବେ ଶିଶୁଟିକୁ ଉଦ୍ଧାର କରାଯିବା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ଶିଶୁ କନ୍ୟାକୁ ହତ୍ୟା ଉଦ୍ୟମ କରିଥିବା ଅଜଣା ଅଭିଯୁକ୍ତ ବିରୋଧରେ ରେଙ୍ଗାଲି ଥାନାରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ । IPC 307 ଦଫାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଉଦ୍ଧାରକାରୀ ଦଳର କହିବା ଅନୁସାରେ, ବୋରଓ୍ବେଲ ନିକଟରେ ୧୭ରୁ ୧୮ ଫୁଟର ଗାତ ଖୋଳାଯାଇଥିଲା। ନବଜାତକଟି କେଉଁଠି ଅଛି ସେନେଇ ଭିକ୍ଟିମ ଲୋକେସନ କ୍ୟାମେରାରେ ଟ୍ରାକ କରାଯାଇଥିଲା । ପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପାଇପକୁ ତଳୁ କଟାଯାଇଥିଲା । ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପାଇପ ତଳେ ଏକ କନା ବିଛାଯାଇଥିଲା । ପାଇପ ଭିତରେ ଏକ କାଚ ବୋତଲ ଓ ତା ଉପରେ ଥିବା ଏକ ପ୍ଲାଷ୍ଟିକ ଉପରେ ଶିଶୁ କନ୍ୟାଟି ଅଟକି ରହିଥିଲା । ବୋତଲକୁ କାଢ଼ି ଦେବା ପରେ ଶିଶୁ କନ୍ୟାଟି ଉଦ୍ଧାରକାରୀ ଦଳଙ୍କ ହାତକୁ ଖସି ଆସିଥିଲା। ପରେ ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ଜିଲ୍ଲା ପ୍ରଶାସନର ରେସ୍କ୍ୟୁକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାରୁ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟୁଛି।

 

ମଧ୍ୟପ୍ରଦେଶରେ ଆଜିଠୁ ରାଜ୍ କରିବେ ମୋହନ ଯାଦବ, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ଭୋପାଳ: ମଧ୍ୟପ୍ରଦେଶରେ ଆଜିଠୁ ନୂଆ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଯାଦବ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ। ଏହି ଶପଥ ଗ୍ରହଣ ଉତ୍ସବ ଭୋପାଳର ଲାଲ ପରେଡ୍ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଜଗଦୀଶ ଦେବଡା ଓ ରାଜେନ୍ଦ୍ର ଶୁକ୍ଲା।

ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ମଧ୍ୟ ନେଇଛନ୍ତି ଶପଥ । ରାଜେନ୍ଦ୍ର ଶୁକ୍ଲା ଓ ଜଗଦୀଶ ଦେଓଡ଼ା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର ପ୍ରମୁଖ ନେତା ଉପସ୍ଥିତ ଥିଲେ। ବିଜେପି ଶାସିତ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀ ମଧ୍ୟ ଶପଥଗ୍ରହଣ ସମାରୋହରେ ସାମିଲ ହୋଇଥିଲେ । ଭୋପାଳର ମୋତିଲାଲ ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା ଏହି ଶପଥଗ୍ରହଣ ସମାରୋହ । ମୋହନ ଯାଦବ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଶିବରାଜ ସିଂ ଚୌହ୍ବାନଙ୍କ ସରକାରରେ ଥିଲେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ।

ତେବେ ଅପରାହ୍ନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଶପଥ ନେବେ । ଛତିଶଗଡ଼ର ରାୟପୁରରେ ଅପରାହ୍ମ ଦୁଇଟାରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେବା ସୂଚନା ମିଳିଛି । ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ସହ ଦଳର ପ୍ରମୁଖ ନେତା ମଧ୍ୟ ସାମିଲ ହେବେ । ବିଷ୍ଣୁଦେବ ସାଏ ଛତିଶଗଡ଼ର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ। ମୋହନ ଯାଦବ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଶିବରାଜ ସିଂ ଚୌହ୍ବାନଙ୍କ ସରକାରରେ ଥିଲେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ ।

ସାନ ବୋହୂକୁ ଅସଦାଚରଣ ଅଭିଯୋଗ ପରେ ଭାଇକୁ ଆକ୍ରମଣ କଲା ଭାଇ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବଶପୁର ପଞ୍ଚାୟତ ଆରିପଦ ଗାଁରେ ଅଭାବନୀୟ ଘଟଣା। ସାନ ବୋହୂକୁ ସାନ ଦେଢ଼ଶୁର ଅସଦାଚରଣ କରିବାକୁ ନେଇ ଗଣ୍ଡଗୋଳ ହୋଇଛି। ଅସଦାଚରଣକୁ ପ୍ରତିବାଦ କରିବାରୁ ବଡ଼ ଦେଢ଼ଶୁରକୁ ଆକ୍ରମଣ କରିଛି ସାନ ଦେଢ଼ଶୁର। ଏପରିକି ବଡ଼ ଭାଇର ଓଠକୁ କାମୁଡି ଛିଣ୍ଡାଇ ଦେଇଛି ସାନ ଭାଇ।

ସୂଚନା ଅନୁସାରେ, ରାକେଶ ମଲ୍ଲିକଙ୍କ ସ୍ତ୍ରୀ ଗାଧୋଇବାକୁ ଯାଇଥିବା ବେଳେ, ସାନ ଦେଢ଼ଶୁର ନଦୀ ତୁଠରେ ଅସଦାଚରଣ କରିଥିଲେ। ଏନେଇ ମହିଳା ଜଣକ ବଡ଼ ଦେଢ଼ଶୁରଙ୍କୁ କହିଥିଲେ। ଘଟଣା ସମ୍ପର୍କରେ ବଡ଼ ଦେଢ଼ଶୁର ଦାଦା ପୁଅ ପ୍ରଭାତଙ୍କୁ ପଚାରିବାରୁ ବଡ଼ ଭାଇଙ୍କୁ ଆକ୍ରମଣ କରିଥିଲା ସାନ ଭାଇ।

ବଡ଼ ଦେଢ଼ଶୁରଙ୍କୁ ସାନ ଦେଢ଼ଶୁର ଆକ୍ରମଣ କରିବା ସହ ଓଠ କାମୁଡି ଛିଣ୍ଡା ଦେଇଥିଲା। ଗୁରୁତର ଅବସ୍ଥାରେ ବଡ ଦେଢ଼ଶୁର କାଳନ୍ଦୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ କେନ୍ଦ୍ରାପଡ଼ା ସଦର ଥାନାରେ ଏତଲା ଦିଆଯିବା ପରେ ପୋଲିସ ତଦନ୍ତ ଜାରି ରଖିଛି।

୩୦ ବର୍ଷ ପରେ ଫେରିଲେ ନିଖୋଜ ସ୍ୱାମୀ

ଦେବଗଡ଼: ୩୦ ବର୍ଷ ପରେ ସ୍ୱାମୀଙ୍କୁ ପାଇଲେ ସ୍ତ୍ରୀ। ଦେବଗଡ଼ ଥାନା ସୁବନପାଲି ମାକରମୁଣ୍ଡା ସାହିର କପିଳ ସାହୁ ୧୯୯୨ ମସିହାରୁ ରୋଜଗାର ପାଇଁ ବାହାରକୁ ଚାଲିଯାଇଥିଲେ ହେଲେ ଅର୍ଥ ରୋଜଗାରରେ ସମର୍ଥ ନହେବାରୁ ନିଜ ଘର ପରିବାରକୁ ନ ଫେରି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଘୁରିବୁଲୁଥିଲେ।

ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ନିଜ ସ୍ତ୍ରୀ, ପିଲା ଛୁଆ ତଥା ସମ୍ପର୍କୀୟଙ୍କ ଠାରୁ ଦୁରେଇ ରହିବା ପରେ ଶେଷରେ ଗତକାଲି ନିଜ ଗାଁକୁ ଫେରି ଆସିଛନ୍ତି। ଯୁବ ଅବସ୍ଥାରେ ଟଙ୍କା ରୋଜଗାର ନିଶାରେ ହଜି ଯାଇଥିବା ବ୍ୟକ୍ତି ଆଜି ଘରକୁ ଫେରିଛନ୍ତି। ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ବସିଥିବା ସ୍ତ୍ରୀଙ୍କ ଆଖିରୁ ଝରି ଯାଉଛି ଲୁହ।

ସେହିପରି ତାଙ୍କର ପିଲା ଛୋଟ ଥିବା ବେଳେ ଏବେ ବିବାହିତ। ନିଜ ବାପକୁ ପାଇ ଅତୀତକୁ ମନେ ପକାଉଛନ୍ତି ପିଲାମାନେ। ବିଚ୍ଛେଦ ଓ ମିଳନର ଏଭଳି ଦୃଶ୍ୟ ଦେଖି ଭାବ ବିହ୍ଵଳ ହୋଇ ପଡିଛନ୍ତି ଗ୍ରାମବାସୀ।

୨୫ ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ: ‘ଗୁଗୁଲ’ରେ ସବୁଠୁ ଅଧିକ ଖୋଜା ଯାଇଥିବା କ୍ରିକେଟର ଓ ଆଥଲେଟ୍ ହେଲେ…

ନୂଆଦିଲ୍ଲୀ: ‘ଗୁଗୁଲ୍’ ପକ୍ଷରୁ ବିଗତ ୨୫ ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରାଯାଇଛି । ଯେଉଁଥିରେ ରେକର୍ଡ କରିଛନ୍ତି ବିରାଟ କୋହଲି। ବିରାଟ କୋହଲି କ୍ରିକେଟ୍ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରୁଥିବା ବେଳେ କ୍ରିକେଟ୍ ପଡ଼ିଆ ବାହାରେ ବି ରେକର୍ଡ କରୁଛନ୍ତି ।

ରିପୋର୍ଟ ଅନୁସାରେ କୋହଲି ଗତ ୨୫ ବର୍ଷ ମଧ୍ୟରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା କ୍ରିକେଟର ହୋଇପାରିଛନ୍ତି। ସଚିନ୍ ତେନ୍ଦୁଲକର, ଲାରା ଏବଂ ଅନ୍ୟ କ୍ରିକେଟରଙ୍କ ଅପେକ୍ଷା କୋହଲିଙ୍କୁ ସର୍ବାଧିକ ସର୍ଚ୍ଚ କ୍ରିକେଟର ଭାବରେ ଦର୍ଶାଯାଇଛି।

ସେହିପରି, ଗତ ୨୫ ବର୍ଷ ମଧ୍ୟରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ଆଥଲେଟ୍ ହେଉଛନ୍ତି ରୋନାଲଡୋ । ଏଥିସହିତ ମେସି, ରୋଜର ଫେଡେରର, ରାଫେଲ ନାଡାଲ ଏବଂ ଜୋକୋଭିକଙ୍କ ପରି କିମ୍ବଦନ୍ତୀ ଆଥଲେଟଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି ରୋନାଲଡୋ।  ବିଶ୍ୱର ସମସ୍ତ ନାମି ଦାମୀ ଖେଳାଳିଙ୍କ ମଧ୍ୟରୁ ରୋନାଲ୍ଡଙ୍କୁ ଲୋକେ ଅଧିକ ଗୁଗୁଲରେ ଖୋଜିଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ବିରାଟ କୋହଲି  ବ୍ରେକରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ କୋହଲି ପ୍ରତ୍ୟାବର୍ତ୍ତନ କରିବେ। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟିମ୍ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ସେଠାରେ ଟିମ୍ ଇଣ୍ଡିଆ ୩ଟି ଦିନିକିଆ ଓ ୩ T-20 ମ୍ୟାଚ୍ ଖେଳୁଛି । ଏହି ଦୁଇଟି ସିରିଜ୍ ପରେ ଭାରତୀୟ ଦଳ ଟେଷ୍ଟ ସିରିଜ୍ ଖେଳିବ।

ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗରେ ଜାତିସଂଘରେ ଭୋଟ: ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଦାବି

ଗାଜା : ଇସ୍ରାଏଲ-ହମାସ ଯୁଦ୍ଧ ପ୍ରସଙ୍ଗ। ମାନବିକ ସହାୟତା ନେଇ ତୁରନ୍ତ ଅସ୍ତ୍ରବିରତି ସଂକ୍ରାନ୍ତ ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଆଗତ ପ୍ରସ୍ତାବ ସପକ୍ଷରେ ଭୋଟ ଦେଲା ଭାରତ। ଅସ୍ତ୍ରବିରତି ଓ ସମସ୍ତ ପଣବନ୍ଦୀଙ୍କ ନିଃସର୍ତ୍ତ ମୁକ୍ତି ନେଇ ଆଗତ ହୋଇଥିଲା ପ୍ରସ୍ତାବ। ଆଲଜେରିଆ, ବାହାରିନ, ଇରାକ, କୁଏତ, ଓମାନ, କତାର, ସାଉଦିଆରବ, ୟୁଏଇ ଓ ପାଲେଷ୍ଟାଇନ ଆଦି ରାଷ୍ଟ୍ର ଏହି ପ୍ରସ୍ତାବ ଆଗତ କରିଥିଲେ । ଆମେରିକା ଓ ଇସ୍ରାଏଲ ସମେତ ୧୦ଟି ରାଷ୍ଟ୍ର ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିଲେ। ୨୩ ରାଷ୍ଟ୍ର ଭୋଟ ଦାନରୁ ବିରତ ରହିଥିଲେ। ୧୯୩ ସଦସ୍ୟ ବିଶିଷ୍ଟ ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଗୃହୀତ ପ୍ରସ୍ତାବ ସପକ୍ଷରେ ୧୫୩ ରାଷ୍ଟ୍ର ଭୋଟ ଦେଇଥିଲେ। ପ୍ରସ୍ତାବ ସପକ୍ଷରେ ଭୋଟକୁ ସ୍ବାଗତ କରିଛନ୍ତି ଜାତିସଂଘ ସ୍ଥିତ ପାଲେଷ୍ଟାଇନ ରାଷ୍ଟ୍ରଦୂତ ରିୟାଦ ମନସୁର।

ତେବେ ଏହି ପ୍ରସ୍ତାବରେ ହମାସର ନାଁ ଦର୍ଶାଯାଇ ନଥିଲା। ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ କହିଛନ୍ତି- ଜାତିସଂଘ ସାଧାରଣ ଆସେମ୍ବ୍ଲିରେ ଆଗତ ପ୍ରସ୍ତାବ ସପକ୍ଷରେ ଭାରତ ଭୋଟ ଦେଇଛି। ଗତ ୭ ଅକ୍ଟୋବରରେ ଇସ୍ରାଏଲରେ ଘଟିଥିବା ଆକ୍ରମଣ ଏକ ଆତଙ୍କବାଦୀ ଆକ୍ରମଣ ଥିଲା । ଏହି ସଂଘର୍ଷର ସ୍ଥାୟୀ ସମାଧାନ ଭାରତ ଚାହେଁ ।

ବୋରଓ୍ବେଲରୁ କେମିତି ଉଦ୍ଧାର ହେଲେ ନବଜାତକ? ଜାଣନ୍ତୁ କ’ଣ ଥିଲା ପୂରା ଘଟଣା…

ରେଙ୍ଗାଲୀ: ସମ୍ବଲପୁର ରେଙ୍ଗାଲୀ ବ୍ଲକ ଲରିପାଲି ଜଙ୍ଗଲ ଭିତରେ ବୋରଓ୍ବେଲରେ ପଡ଼ିଥିବା ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ରେଙ୍ଗାଲୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ନବଜାତକର ପିଠିରେ ଆଘାତ ଲାଗିଥିବାରୁ ଚିକିତ୍ସା କରାଯାଉଛି । ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଆସନ୍ତୁ ନଜର ପକାଇବା କଣ ଥିଲା ପୂରା ଘଟଣା। ମଙ୍ଗଳବାର ଅପରାହ୍ମରେ ସମ୍ବଲପୁର ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ସ୍ଥାନୀୟ ଲୋକ ଏକ ଛୁଆର କଅଁଳା କାନ୍ଦ ଶୁଣିବାକୁ ପାଇଥିଲେ। ଜଙ୍ଗଲରେ ୫୦ ବର୍ଷ ହେବ ରହିଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରୁ ଶିଶୁଟିର କାନ୍ଦ ଶୁଣି ତୁରନ୍ତ ପୋଲିସକୁ ଖବର ଦେଇଥିଲେ।

ଖବର ପାଇବା କ୍ଷଣି ପୋଲିସ, ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ୩ଟି ଜେସିବି ସହାୟତାରେ ସମାନ୍ତରାଳ ଗାତ ଖୋଳିବା ଆରମ୍ଭ ହୋଇଥିଲା । ଡାକ୍ତରୀ ଦଳ ପହଞ୍ଚି ନବଜାତକର ପାଖକୁ ଅକ୍ସିଜେନ ପାଇପ ପଠାଇଥିଲେ । ତୁରନ୍ତ ଝାରସୁଗୁଡ଼ାରୁ ଓଡ୍ରାଫ ଟିମ୍ ଯାଇ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା । ଗାତ ଖୋଲି ପାଇପ ନିକଟରେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ।

ଅଧିକ ପଢନ୍ତୁ:- ପଥର ଚିରି ବାହାରିଲା ପାର୍ଥବୀ, ପ୍ଲାଷ୍ଟିକ ବୋତଲ ବଞ୍ଚାଇ ଦେଲା ଜୀବନ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମରେ ଘଟଣାସ୍ଥଳକୁ ଭୁବନେଶ୍ବରରୁ ବିମାନ ଯୋଗେ ଭିକ୍ଟିମ ଲୋକେସନ କ୍ୟାମେରା ପଠାଯାଇଥିଲା। ଶିଶୁଟି ଉପରେ ନଜର ରଖିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ଏଡିଏମ, ଉପଜିଲ୍ଲାପାଳ, ଏସପିଙ୍କ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ରେସ୍କ୍ୟୁ ଅପରେସନର ତଦାରଖ କରିଥିଲେ। ଶେଷରେ ୮ ଘଣ୍ଟାର ମାରାଥନ ଅପରେସନ ପରେ ସଫଳତା ମିଳିବା ସହ ଶିଶୁକନ୍ୟାଟିକୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଥିଲା ।