କିଭଳି ରହିଛି ବୋରୱେଲରୁ ଉଦ୍ଧାର ନବଜାତ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା, ଜାଣନ୍ତୁ…

1 min read

ରେଙ୍ଗାଲୀ: ୮ ଘଣ୍ଟାରୁ ଅଧିକ ସମୟର ମାରାଥନ ଅପରେସନ ପରେ ବୋରଓ୍ବେଲରୁ ଜୀବିତ ଉଦ୍ଧାର ହୋଇଥିଲା ନବଜାତ ଶିଶୁକନ୍ୟା। ଉଦ୍ଧାର ପରେ ରେଙ୍ଗାଲୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ବୁର୍ଲା ଭୀମସାରର SNCUରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଶିଶୁର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି ।

ଶିଶୁକନ୍ୟାର ଦେହର କିଛି ସ୍ଥାନରେ ଆଘାତ ଲାଗିଥିବା ବେଳେ ଏହାକୁ ଅତି ଯତ୍ନ ସହକାରେ ଚିକିତ୍ସା କରାଯାଉଛି। ନବଜାତକକୁ ସୁସ୍ଥ ରଖିବା ପାଇଁ ଲାଗିଛନ୍ତି ଡାକ୍ତରୀ ଟିମ୍ । ଶିଶୁ କନ୍ୟାଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଉଦ୍ଧାର ହେଇଥିବା ନବଜାତ ଶିଶୁ କନ୍ୟା ୩ ଦିନର ବୋଲି ଜଣାପଡିଛି । ସେପଟେ ଶିଶୁଟି ପ୍ରିମ୍ୟାଚ୍ୟୁର ଭାବେ ଜନ୍ମ ହୋଇଥିଲା ବୋଲି ସୂଚନା ମିଳିଛି। ଶିଶୁ କନ୍ୟାର ଓଜନ ୧ କେଜି ୬୦୦ ଗ୍ରାମ ରହିଛି।

ସୂଚନା ଅନୁଯାୟୀ, ଏହି ବୋରଓ୍ବେଲଟି ୫୦ ବର୍ଷ ତଳେ ଖୋଳା ଯାଇଥିଲା। ବିଗତ ୨୫ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ଥିଲା ବୋରଓ୍ବେଲ। ରେଙ୍ଗାଲି ଅଞ୍ଚଳର ଶ୍ରୀରାମ ଅଗ୍ରୱାଲ କାଜୁ ଫିଲ୍ଡ ପାଇଁ ଖୋଲିଥିଲେ ବୋରଓ୍ବେଲ। ତେବେ ଶିଶୁଟିକୁ ଉଦ୍ଧାର କରାଯିବା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ । ଶିଶୁ କନ୍ୟାକୁ ହତ୍ୟା ଉଦ୍ୟମ କରିଥିବା ଅଜଣା ଅଭିଯୁକ୍ତ ବିରୋଧରେ ରେଙ୍ଗାଲି ଥାନାରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ । IPC 307 ଦଫାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଉଦ୍ଧାରକାରୀ ଦଳର କହିବା ଅନୁସାରେ, ବୋରଓ୍ବେଲ ନିକଟରେ ୧୭ରୁ ୧୮ ଫୁଟର ଗାତ ଖୋଳାଯାଇଥିଲା। ନବଜାତକଟି କେଉଁଠି ଅଛି ସେନେଇ ଭିକ୍ଟିମ ଲୋକେସନ କ୍ୟାମେରାରେ ଟ୍ରାକ କରାଯାଇଥିଲା । ପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପାଇପକୁ ତଳୁ କଟାଯାଇଥିଲା । ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପାଇପ ତଳେ ଏକ କନା ବିଛାଯାଇଥିଲା । ପାଇପ ଭିତରେ ଏକ କାଚ ବୋତଲ ଓ ତା ଉପରେ ଥିବା ଏକ ପ୍ଲାଷ୍ଟିକ ଉପରେ ଶିଶୁ କନ୍ୟାଟି ଅଟକି ରହିଥିଲା । ବୋତଲକୁ କାଢ଼ି ଦେବା ପରେ ଶିଶୁ କନ୍ୟାଟି ଉଦ୍ଧାରକାରୀ ଦଳଙ୍କ ହାତକୁ ଖସି ଆସିଥିଲା। ପରେ ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ଜିଲ୍ଲା ପ୍ରଶାସନର ରେସ୍କ୍ୟୁକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାରୁ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟୁଛି।