ପଥର ଚିରି ବାହାରିଲା ପାର୍ଥବୀ, ପ୍ଲାଷ୍ଟିକ ବୋତଲ ବଞ୍ଚାଇ ଦେଲା ଜୀବନ

ସମ୍ବଲପୁର: ରଖେ ହରି ତ ମାରେ କିଏ । ପଥର ଚିରି ବାହାରିଲା ପାର୍ଥବୀ । ଜଙ୍ଗଲ ଭିତରେ ଅନ୍ଧାରୁଆ ବୋରଓ୍ବେଲ ଭିତରେ ମୃତ୍ୟୁ ସହିତ ସଂଘର୍ଷ କରି ମୃତ୍ୟୁବିଜୟୀ ହୋଇଛି ନବଜାତକ । ୮ ଘଣ୍ଟାରୁ ଅଧିକ ସମୟର ମାରାଥନ ଅପରେସନ ପରେ ବୋରଓ୍ବେଲରୁ ଜୀବିତ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା । ସମ୍ବଲପୁର ରେଙ୍ଗାଲୀ ବ୍ଲକ ଲରିପାଲି ଜଙ୍ଗଲ ଭିତରେ ବୋରଓ୍ବେଲରେ ପଡ଼ିଥିବା ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ତାକୁ ରେଙ୍ଗାଲୀ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା  । ସେଠାରୁ ତାକୁ ନ୍ତ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି  । ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଡାକ୍ତରୀ ଦଳଙ୍କ ତତ୍ତ୍ବାବଧାନରେ ଶିଶୁକନ୍ୟାକୁ ଡାକ୍ତରଖାନା ନିଆଯାଉଛି । ସେଠାରେ ସ୍ପେଶାଲ ଟିମ୍ ତାର ଚିକିତ୍ସା କରିବେ । ଉଦ୍ଧାରକାରୀ ଦଳର କହିବା ଅନୁସାରେ, ବୋରଓ୍ବେଲ ନିକଟରେ ୧୭ରୁ ୧୮ ଫୁଟର ଗାତ ଖୋଳାଯାଇଥିଲା ।

ନବଜାତକଟି କେଉଁଠି ଅଛି ସେନେଇ ଭିକ୍ଟିମ ଲୋକେସନ କ୍ୟାମେରାରେ ଟ୍ରାକ କରାଯାଇଥିଲା । ପରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପାଇପକୁ ତଳୁ କଟାଯାଇଥିଲା । ଶିଶୁଟିକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ପାଇପ ତଳେ ଏକ କନା ବିଛାଯାଇଥିଲା । ପାଇପ ଭିତରେ ଏକ କାଚ ବୋତଲ ଓ ତା ଉପରେ ଥିବା ଏକ ପ୍ଲାଷ୍ଟିକ ଉପରେ ଶିଶୁ କନ୍ୟାଟି ଅଟକି ରହିଥିଲା । ବୋତଲକୁ କାଢ଼ିଦେବା ପରେ ଶିଶୁ କନ୍ୟାଟି ଉଦ୍ଧାରକାରୀ ଦଳଙ୍କ ହାତକୁ ଖସିଆସିଥିଲା । ପରେ ତାକୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା  । ଅଗ୍ନିଶମ ବାହିନୀ, ଓଡ୍ରାଫ ଓ ଜିଲ୍ଲା ପ୍ରଶାସନ ରେସ୍କ୍ୟୁକୁ ଅଦ୍ଭୁତପୂର୍ବ ସଫଳତା ମିଳିଥିବାରୁ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟୁଛି  ।