୨୫ ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ: ‘ଗୁଗୁଲ’ରେ ସବୁଠୁ ଅଧିକ ଖୋଜା ଯାଇଥିବା କ୍ରିକେଟର ଓ ଆଥଲେଟ୍ ହେଲେ…

1 min read

ନୂଆଦିଲ୍ଲୀ: ‘ଗୁଗୁଲ୍’ ପକ୍ଷରୁ ବିଗତ ୨୫ ବର୍ଷର ସର୍ଚ୍ଚ ହିଷ୍ଟ୍ରି ପ୍ରକାଶ କରାଯାଇଛି । ଯେଉଁଥିରେ ରେକର୍ଡ କରିଛନ୍ତି ବିରାଟ କୋହଲି। ବିରାଟ କୋହଲି କ୍ରିକେଟ୍ ପଡ଼ିଆରେ ଅନେକ ରେକର୍ଡ ସୃଷ୍ଟି କରୁଥିବା ବେଳେ କ୍ରିକେଟ୍ ପଡ଼ିଆ ବାହାରେ ବି ରେକର୍ଡ କରୁଛନ୍ତି ।

ରିପୋର୍ଟ ଅନୁସାରେ କୋହଲି ଗତ ୨୫ ବର୍ଷ ମଧ୍ୟରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା କ୍ରିକେଟର ହୋଇପାରିଛନ୍ତି। ସଚିନ୍ ତେନ୍ଦୁଲକର, ଲାରା ଏବଂ ଅନ୍ୟ କ୍ରିକେଟରଙ୍କ ଅପେକ୍ଷା କୋହଲିଙ୍କୁ ସର୍ବାଧିକ ସର୍ଚ୍ଚ କ୍ରିକେଟର ଭାବରେ ଦର୍ଶାଯାଇଛି।

ସେହିପରି, ଗତ ୨୫ ବର୍ଷ ମଧ୍ୟରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ଆଥଲେଟ୍ ହେଉଛନ୍ତି ରୋନାଲଡୋ । ଏଥିସହିତ ମେସି, ରୋଜର ଫେଡେରର, ରାଫେଲ ନାଡାଲ ଏବଂ ଜୋକୋଭିକଙ୍କ ପରି କିମ୍ବଦନ୍ତୀ ଆଥଲେଟଙ୍କୁ ପଛରେ ପକାଇବାରେ ସଫଳ ହୋଇଛନ୍ତି ରୋନାଲଡୋ।  ବିଶ୍ୱର ସମସ୍ତ ନାମି ଦାମୀ ଖେଳାଳିଙ୍କ ମଧ୍ୟରୁ ରୋନାଲ୍ଡଙ୍କୁ ଲୋକେ ଅଧିକ ଗୁଗୁଲରେ ଖୋଜିଛନ୍ତି।

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ବିରାଟ କୋହଲି  ବ୍ରେକରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ କୋହଲି ପ୍ରତ୍ୟାବର୍ତ୍ତନ କରିବେ। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଟିମ୍ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ବର୍ତ୍ତମାନ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ସେଠାରେ ଟିମ୍ ଇଣ୍ଡିଆ ୩ଟି ଦିନିକିଆ ଓ ୩ T-20 ମ୍ୟାଚ୍ ଖେଳୁଛି । ଏହି ଦୁଇଟି ସିରିଜ୍ ପରେ ଭାରତୀୟ ଦଳ ଟେଷ୍ଟ ସିରିଜ୍ ଖେଳିବ।