spot_img
Home Blog Page 24

ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକକୁ ମରଣାନ୍ତକ ଆକ୍ରମଣ; ୨୧ ଜଣ ଗିରଫ

ନନ୍ଦିଘୋଷ ବ୍ୟୁରୋ : ପୂର୍ବ ଶତୃତାକୁ କେନ୍ଦ୍ର କରି ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରିବା ଓ ଗୋଷ୍ଠୀ ସଂଘର୍ଷ ଘଟଣାରେ ସମ୍ପୃକ୍ତ ଥିବା ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ସେକ୍ଟର ୭ ଥାନା ପୋଲିସ। ୩୫ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ୨୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜାମଟୋଲି ବସ୍ତି ଓ ଆନନ୍ଦ ମାର୍ଗ ବସ୍ତିର ଦୁଇଗୋଷ୍ଠୀ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଅଗଷ୍ଟ ୩୦ ତାରିଖରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଜଣେ ଯୁବକକୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ସେକ୍ଟର ୭ ଥାନା ପୋଲିସ ଦୁଇଟି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ଜନ୍ତର ମନ୍ତର ଆକ୍ରମଣ ମାମଲା: ଆଜି ସ୍ୱତନ୍ତ୍ର ଭରଦ୍ୱାଜଙ୍କ ଜାମିନ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଜନ୍ତର ମନ୍ତରରେ ସିଜେପି ଆନ୍ଦୋଳନ ସମୟରେ ନିଶୁ ଆଜାଦଙ୍କ ବାପା ସଞ୍ଜୟ ଆଜାଦଙ୍କୁ ଆକ୍ରମଣ ଅଭିଯୋଗ ମାମଲାରେ ଆଜି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜଙ୍କ ଜାମିନ ଆବେଦନର ଶୁଣାଣି ହେବ। ପଟିଆଲା ହାଉସ କୋର୍ଟର ସ୍ପେଶାଲ ଜଜ୍‌ଙ୍କ ନିକଟରେ ଏହି ମାମଲାର ଶୁଣାଣି ହେବାକୁ ଧାର୍ଯ୍ୟ ହୋଇଛି। ସ୍ୱତନ୍ତ୍ର ବର୍ତ୍ତମାନ ବିଚାର ବିଭାଗୀୟ ହେପାଜତରେ ଅଛନ୍ତି ଏବଂ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ତାଙ୍କୁ ଜୁଡିସିଆଲ୍ କଷ୍ଟଡିରେ ରଖାଯାଇଛି। ସ୍ୱତନ୍ତ୍ର ନିଜ ଜାମିନ ଆବେଦନରେ ନିଜ ବିରୋଧରେ ଲଗାଯାଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଜନ୍ତର ମନ୍ତର ଘଟଣା ପରେ ଏକ ପଡକାଷ୍ଟରେ ସେ ସଞ୍ଜୟ ଆଜାଦଙ୍କୁ ଆକ୍ରମଣ କରିଥିବା ଦାବି କରିଥିବା ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶର ବୁଲନ୍ଦସହରରୁ ତାଙ୍କୁ ଗିରଫ କରିଥିଲା।

ଏହି ମାମଲାରେ SC/ST ଆଇନ ସମେତ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଥିବା ରିପୋର୍ଟ ରହିଛି। ତେବେ ଘଟଣାକୁ ନେଇ ପୋଲିସର ତଦନ୍ତ ଓ ଉଭୟ ପକ୍ଷର ଦାବି ନେଇ ବିଭିନ୍ନ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ପକ୍ଷରୁ ସଞ୍ଜୟ ଆଜାଦଙ୍କ ଆଘାତ ସମ୍ପର୍କରେ କିଛି ଦାବିକୁ ଖଣ୍ଡନ ମଧ୍ୟ କରାଯାଇଛି।

ମୋହସିନ ନକଭିଙ୍କ ହାତରୁ ଟ୍ରଫି ନେଲାନି ଭାରତୀୟ ମହିଳା ଟିମ୍

ନନ୍ଦିଘୋଷ ବ୍ୟୁରୋ : ଏସିଆ କପ୍ ଚାମ୍ପିଅନ୍ ହେବା ପରେ ପୁରସ୍କାର ବିତରଣୀ ଉତ୍ସବରେ ଏସୀୟ କ୍ରିକେଟ୍ କାଉନସିଲ୍ (ACC) ସଭାପତି ମୋହସିନ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍। ବାରମ୍ବାର ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ଦଳ ନକଭିଙ୍କଠାରୁ ଟ୍ରଫି ନେଇନଥିଲା। ଟ୍ରଫି ଗ୍ରହଣ ନକରି ଭାରତୀୟ ଦଳ ନିଜସ୍ୱ ଢଙ୍ଗରେ ବିଜୟ ଉତ୍ସବ ପାଳନ କରିଥିଲା। ଏହା ପୂର୍ବରୁ ପୁରୁଷ ଭାରତୀୟ ଟିମ୍ ମଧ୍ୟ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିଥିବା ଦାବି କରାଯାଇଥିଲା।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଫାଇନାଲରେ ଭାରତ ୭୨ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଶେଫାଲୀ ବର୍ମା ୬୮ ଓ ସ୍ମୃତି ମନ୍ଧାନା ୫୯ ରନ୍ କରିଥିଲେ। ଜବାବରେ ଶ୍ରୀଲଙ୍କା ୧୧୧ ରନ୍‌ରେ ଅଲଆଉଟ୍ ହୋଇଥିଲା। ଭାରତ ପକ୍ଷରୁ ଶ୍ରୀଚରଣି ୪ଟି ଓ ଦୀପ୍ତି ଶର୍ମା ୩ଟି ୱିକେଟ୍ ନେଇଥିଲେ।

ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ସ୍ୱାମୀ-ସ୍ତ୍ରୀ ନିଖୋଜ, ବୁଡ଼ିଯାଇଥିବା ସନ୍ଦେହ

ନନ୍ଦିଘୋଷ ବ୍ୟୁରୋ : ଯାଜପୁର ଜିଲ୍ଲା ଚଣ୍ଡିଖୋଲ ନିକଟ ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ସ୍ୱାମୀ-ସ୍ତ୍ରୀ ନିଖୋଜ ହୋଇଛନ୍ତି। ନିଖୋଜ ଦମ୍ପତି ହେଲେ ବାଲିକୁଦା ଗ୍ରାମର ସୁଧାକର ଓଝା ଓ ସୁଲୋଚନା ଓଝା। ଆଜି ଭୋରୁ ସେମାନେ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ପରେ ମଧ୍ୟ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନଥିଲା। ନଦୀକୂଳରେ ବାଲ୍ଟି, ଲୁଗାପଟା ଓ ଚପଲ ପଡ଼ିଥିବାରୁ ଦମ୍ପତି ନଦୀରେ ବୁଡ଼ିଯାଇଥିବା ନେଇ ସନ୍ଦେହ କରାଯାଉଛି। ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ସାଲେପୁର ଓ ଟାଙ୍ଗୀରେ ଦଳବଦଳ, ବିଜେଡିରେ ସାମିଲ ହେଲେ ଶତାଧିକ ବିଜେପି କର୍ମୀ

ନନ୍ଦିଘୋଷ ବ୍ୟୁରୋ : କଟକ ଜିଲ୍ଲା ସାଲେପୁର ଓ ଟାଙ୍ଗୀ ନିର୍ବାଚନମଣ୍ଡଳୀରେ ବିଜେଡିର ସଂଗଠନ ମଜବୁତ ହେଉଥିବା ଦାବି କରାଯାଇଛି। ବିଜେପି ଛାଡ଼ି ୧୦୦ରୁ ଅଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ଯୋଗ ଦେଇଥିବା କହିଛନ୍ତି। ନୂଆକରି ସାମିଲ ହୋଇଥିବା କର୍ମୀମାନେ ତୃଣମୂଳସ୍ତରରେ ବିଜେଡି ସଂଗଠନକୁ ମଜବୁତ କରିବା ସହ ଦଳ ପାଇଁ କାମ କରିବେ ବୋଲି ପ୍ରକାଶ କରିଛନ୍ତି। ବିଧାୟକ ପ୍ରଶାନ୍ତ ବେହେରା ସେମାନଙ୍କୁ ଦଳୀୟ ଉତ୍ତରୀୟ ପକାଇ ଓ ମିଠା ଖୁଆଇ ସ୍ୱାଗତ କରିଥିଲେ। ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହୋଇ ସାମୁହିକ ବିକାଶ ପାଇଁ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ, ଭକ୍ତି ଓ ଉତ୍ସାହରେ ପାଳନ ହେଉଛି ଗଣେଶ ପୂଜା

ନନ୍ଦିଘୋଷ ବ୍ୟୁରୋ : ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ। ବିଘ୍ନ ବିନାଶକ, ବିଦ୍ୟାର ଦେବତା ତଥା ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ସାରା ଦେଶ। ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନରେ ଭକ୍ତି ଓ ଶ୍ରଦ୍ଧାର ସହ ଗଣେଶ ପୂଜା ପାଳନ କରାଯାଉଛି। ଆଲୋକମାଳାରେ ସଜେଇ ହୋଇଥିବା ତୋରଣ ଓ ସୁସଜ୍ଜିତ ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ମନ୍ତ୍ରପାଠ ଓ ଘଣ୍ଟଘଣ୍ଟାର ଧ୍ୱନିରେ ମୁଖରିତ ହେଉଛି ପରିବେଶ। କେବଳ ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଗଣେଶ ଉତ୍ସବକୁ ଭକ୍ତି ଓ ଉତ୍ସାହର ସହ ପାଳନ କରାଯାଉଛି। ବିଶେଷକରି ମହାରାଷ୍ଟ୍ର ସମେତ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା।

କାବେରୀ ଜଳ ବିବାଦ: ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନନ୍ଦିଘୋଷ ବ୍ୟୁରୋ : ଆଜି ସୁପ୍ରିମକୋର୍ଟରେ କାବେରୀ ନଦୀ ଜଳ ବିବାଦ ମାମଲାର ଶୁଣାଣି ହେବ। ତାମିଲନାଡୁକୁ ଦୈନିକ ୬ ହଜାର କ୍ୟୁସେକ ଜଳ ଛାଡ଼ିବା ପାଇଁ କର୍ଣ୍ଣାଟକକୁ କାବେରୀ ଜଳ ପରିଚାଳନା କର୍ତ୍ତୃପକ୍ଷ (CWMA) ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। କାବେରୀ ଜଳ ନିୟାମକ କମିଟିର ସୁପାରିସକୁ କାଏମ ରଖି CWMA ଜଳ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ତାମିଲନାଡୁକୁ ଏତେ ପରିମାଣର ଜଳ ଛାଡ଼ିଲେ କର୍ଣ୍ଣାଟକର ଚାଷ ଓ ଜଳସମ୍ପଦ ଉପରେ ବ୍ୟାପକ ପ୍ରଭାବ ପଡ଼ିବ ବୋଲି ରାଜ୍ୟ ସରକାର ଯୁକ୍ତି ଦର୍ଶାଇଛନ୍ତି। କର୍ଣ୍ଣାଟକର କୋଦାଗୁ ଜିଲ୍ଲାରୁ ବାହାରିଥିବା କାବେରୀ ନଦୀର ଜଳ ତାମିଲନାଡୁ ସମେତ କେରଳ ଓ ପୁଡୁଚେରୀକୁ ଯାଇଥାଏ। ଜଳ ବଣ୍ଟନକୁ ନେଇ ଦୀର୍ଘଦିନ ଧରି କର୍ଣ୍ଣାଟକ ଓ ତାମିଲନାଡୁ ମଧ୍ୟରେ ବିବାଦ ଜାରି ରହିଛି।

ଭାରତର ଦମଦାର ବିଜୟ, ଏସିଆ କପ୍ ଟାଇଟଲ୍ ଦଖଲ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ମହିଳା ଦଳ ହାତେଇଛି ଏସିଆ କପ୍ ଟାଇଟଲ୍। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଶ୍ରୀଲଙ୍କାକୁ ୭୨ ରନ୍‌ରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ୍ ଚାମ୍ପିଅନ୍ ହୋଇଛି ଟିମ୍ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା। ଶେଫାଲୀ ବର୍ମା ୩୯ ବଲ୍‌ରେ ୬୮ ଓ ସ୍ମୃତି ମନ୍ଧାନା ୩୫ ବଲ୍‌ରେ ୫୯ ରନ୍‌ର ଦମଦାର ଇନିଂସ ଖେଳିଥିଲେ। ୧୮୪ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଶ୍ରୀଲଙ୍କା ମହିଳା ଦଳ ୧୧୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଯୁବ ଲେଫ୍ଟ ଆର୍ମ ସ୍ପିନର୍ ଶ୍ରୀଚରଣି ୪ ୱିକେଟ୍ ଏବଂ ଅଭିଜ୍ଞ ଦୀପ୍ତି ଶର୍ମା ୩ ୱିକେଟ୍ ନେଇ ଭାରତର ବିଜୟକୁ ସୁନିଶ୍ଚିତ କରିଥିଲେ। ଏହି ବିଜୟ ସହ ୨୦୨୪ ଫାଇନାଲର ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ।

ଦୁର୍ଗାପୂଜା ପାଇଁ ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପ ଗୁଡିକୁ ପୂଜା ପୂର୍ବରୁ ବିଭିନ୍ନ ବିଭାଗଠାରୁ ଅନୁମତି ବା ପ୍ରମାଣପତ୍ର ପତ୍ର ଆଣିବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : କଟକ ଦୁର୍ଗାପୂଜା ପାଇଁ ପାଖେଇ ଆସିଲାଣି ସମୟ । ପ୍ରଶାସନ ପକ୍ଷରୁ ପୂଜା ମଣ୍ଡପ ଗୁଡିକୁ ପୂଜା ପୂର୍ବରୁ ବିଭିନ୍ନ ବିଭାଗଠାରୁ ଅନୁମତି ବା ପ୍ରମାଣପତ୍ର ପତ୍ର ଆଣିବାକୁ ନିର୍ଦ୍ଦେଶ । ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପୂଜା ପାଳନ ପାଇଁ ଏ ସବୁର ଆବଶ୍ୟକତା ରହିଛି । ପୂଜା ପେଣ୍ଡାଲ ନିର୍ମାଣ ପାଇଁ ଆରଏଣ୍ଡବି ଠାରୁ ପ୍ରମାଣପତ୍ର, ଅଗ୍ନୀଶମ ବିଭାଗ ଠାରୁ ଅଗ୍ନୀ ନିରାପତ୍ତା ପ୍ରମାଣପତ୍ର, ଟିପିସିଓଡିଏଲଠାରୁ ବିଦ୍ୟୁତ ପ୍ରମାଣପତ୍ର ନେବାକୁ କୁହାଯାଇଛି । ଏ ସବୁ ଅନୁମତି ଟିକେ କଷ୍ଟକର ଓ ସମୟ ସାପେକ୍ଷ। ଏଥି ସହିତ ବିଭିନ୍ନ ସ୍ଥାନ ବୁଲି ପ୍ରମାଣପତ୍ର ହାସଲ ଟିକେ ଜଟିଳ ପ୍ରକ୍ରିୟା । ଏଥି ସହିତ ପୂଜା ମଣ୍ଡପ ଗୁଡିକ ପୂଜା ପୂର୍ବ ରୁ ଯେଉଁ ଅଗ୍ରୀମ ଅର୍ଥ ବିଦ୍ୟୁତ ଦେୟ ଭାବେ ଟିପିସିଓଡିଏଲ ପାଖରେ ଜମା କରୁଛନ୍ତି, ସେ ସଂପର୍କରେ ପୂଜା ପରେ ବଳକା ଟଙ୍କା ଫେରା ଯାଉନି କି ଅତିରିକ୍ତ ଟଙ୍କା ନିଆ ଯାଉନି । ଯାହାକୁ ନେଇ କମିଟି ଗୁଡିକ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ଏ ସବୁ ସମସ୍ୟା ର ସମାଧାନ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଏକ ବୈଠକ ଡକାଯାଇ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାରେ ପୂଜା ମଣ୍ଡପ ଗୁଡିକୁ ତ୍ବରିତ ଅନୁମତି ଦେବାକୁ ସ୍ଥିର କରାଯାଇଛି । ଏଥିରେ  ସମସ୍ତ ସମ୍ପୃକ୍ତ ବିଭାଗର ଜଣେ ଲେଖାଏଁ ନୋଡାଲ ଅଧିକାରୀ ନିଯୁକ୍ତ କରି ପୂଜା କମିଟିଗୁଡ଼ିକର ଆବେଦନକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଦାରଖ କରି  ନିଷ୍ପତ୍ତି ନେବାକୁ କୁହାଯାଇଛି । କଟକ ଜିଲ୍ଲାପାଳ କହିଛନ୍ତି ଯେ ଗତବର୍ଷ ଠାରୁ ପ୍ରକ୍ରିୟା ସରଳ କରାଯାଇଛି । ତେଣୁ ପୂଜା ମଣ୍ଡପ ଗୁଡିକ ପାଇଁ  କିଛି ସମସ୍ୟା ହେବନି ବୋଲି କହିଛନ୍ତି ଜିଲ୍ଲାପାଳ ।

ପୂଜାକୁ ମାସେ ଥିବା ବେଳେ ଖୁବଶୀଘ୍ର ବାରବାଟୀ ପ୍ୟାଲେସଠାରେ ମଣ୍ଡପ ଗୁଡିକୁ ଅନୁମତି ଦେବା ପାଇଁ ସିଙ୍ଗଲ ୱିଣ୍ଡୋ ସିଷ୍ଟମ ବ୍ୟବସ୍ଥା ଖୋଲାଯିବ

ପୁରୀ ପୋଲିସକୁ ବଡ ସଫଳତା

ନନ୍ଦିଘୋଷ ବ୍ୟୁରୋ : ପୁରୀ ପୋଲିସକୁ ବଡ ସଫଳତା । କବଜାରେ ହାଇୱେ ଲୁଟେରା ଗ୍ୟାଙ୍ଗ । ପୁରୀ ଚନ୍ଦନପୁର ଓ  ସତ୍ୟବାଦୀ ଥାନା ତଥା ସ୍ପେଶାଲ ସ୍କ୍ୱାଡ଼ର ମିଳିତ ଚଢାଉରେ ୬ ଜଣ ହାଇୱେ ଲୁଟେରା ଗିରଫ ହୋଇଛନ୍ତି । ଲୁଟେରା ମାନଙ୍କ ଠାରୁ ତିନି ଲକ୍ଷ ଦଶ ହଜାର ନଗଦ ଟଙ୍କା ସହ ବିପୁଳ ପରିମାଣର ସୁନା ଅଳଙ୍କାର ଜବତ କରାଯାଇଛି । ବିଶେଷ କରି ଲୁଟେରା ମାନେ ସ୍ପିଡ୍ ବାଇକ ବ୍ୟବହାର କରି ମହିଳା ମାନଙ୍କୁ ଟାର୍ଗେଟ କରୁଥିଲେ । ପୋଲିସ ୧୩ଟି ସୁନାଚେନ୍, ଗୋଟିଏ ହାର, କାନଫୁଲ, ୯ଟି ମୋବାଇଲ ଜବତ କରିଛି । ପୋଲିସ ଲୁଟେରା ମାନଙ୍କ ସହ ଚାରିଜଣ ରିସିଭରଙ୍କୁ ମଧ୍ୟ ଗିରଫ କରିଛି । ଲୁଟେରା ମାନେ ନୟାଗଡ଼ ଓ ବେଗୁନିଆ ଅଞ୍ଚଳରେ ଲୁଟ ଅଳଙ୍କାର ବିକ୍ରି କରୁଥିଲେ । ଅନ୍ୟ ଜିଲ୍ଲାରେ ଏହି ଲୁଟେରା ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ସେମାନଙ୍କ ନାମରେ ୧୫ଟି ମାମଲା ରହିଥିବା ପୁରୀ ଏସପି ସୂଚନା ଦେଇଛନ୍ତି।.