spot_img
Home Blog Page 25

ମୁମ୍ବାଇରେ ଭାରତ-ଆମେରିକା ବୈଠକ, ଜୟଶଙ୍କର-ରୁବିଓ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ : ଆଜି ମୁମ୍ଵାଇରେ ଆମେରିକା ଓ ଭାରତ ମଧ୍ୟରେ ଏକ ବଡ଼ ବୈଠକ ହେବ। ଦୁଇ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ। ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଏସ୍ ଜୟଶଙ୍କର ଓ ମାର୍କୋ ରୁବିଓଙ୍କ ମଧ୍ୟରେ ହେବ ଆଲୋଚନା। ତା ପୂର୍ବରୁ ମାର୍କୋ ରୁବିଓ କହିଛନ୍ତି, ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ଖୁବ ନିକଟତର। ରୁଷିଆର ତେଲ ଉପରେ କଟକଣା, ବିଶ୍ୱକୁ ଶକ୍ତି ଯୋଗାଣ, ତେଲ ଦାମ୍ ଓ ଏବଂ ଜାତୀୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ଆମେରିକା ବିଚାରକୁ ନେଉଥିବା ସେ କହିଛନ୍ତି। ରୁଷିଆର ତେଲ ଉପରେ କଟକଣାକୁ କିଛି ମାତ୍ରାରେ କୋହଳ କରିଛି ଆମେରିକା। ଏହାକୁ ନେଇ ମାର୍କୋ କହିଛନ୍ତି, ବିଶ୍ୱସ୍ତରରେ ଶକ୍ତି ଯୋଗାଣ ଓ ଦାମ ବୃଦ୍ଧି ଉପରେ ଏହାର ପ୍ରଭାବକୁ ଦେଖିବାକୁ ପଡୁଛି। ରୁବିଓଙ୍କ ଅନୁଯାୟୀ, ଜାତୀୟ ସୁରକ୍ଷା ସମ୍ପର୍କିତ ନିଷ୍ପତ୍ତି ନେବାବେଳେ ଆମେରିକା ବିଭିନ୍ନ ଦିଗକୁ ବିଚାର କରିଥାଏ। କେତେକ ଦେଶ ପାଇଁ ବିକଳ୍ପ ଉତ୍ସରୁ ଶକ୍ତି ହାସଲ କରିବା କଷ୍ଟକର ହୋଇଥିବାରୁ ଭୌଗୋଳିକ ପରିସ୍ଥିତିକୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ଏହି ପରିସ୍ଥିତିରେ ବିଦେଶ ନୀତିରେ ଏକ ବାହାନା ଭାବେ ନୁହେଁ, ବରଂ ଅନ୍ୟାନ୍ୟ ଦିଗ ସହ ସନ୍ତୁଳନ ରଖି ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତ ସହ ଚାଲିଥିବା ବାଣିଜ୍ୟ ଆଲୋଚନାକୁ ମଧ୍ୟ ଏହି ବ୍ୟାପକ ବିଚାର ସହ ଯୋଡ଼ିଛନ୍ତି ରୁବିଓ।

ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା ଜାରି ରହିଛି। କିଛି ଦିନ ତଳେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ହୋଇଛି ଏବଂ ବର୍ତ୍ତମାନ ଏହାର ଆଇନଗତ ଦସ୍ତାବିଜ ପ୍ରସ୍ତୁତି ଚାଲିଛି। ଗତ ଫେବୃଆରୀରେ ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ପାଇଁ ପ୍ରାରମ୍ଭିକ ଘୋଷଣା କରିଥିଲେ। କିନ୍ତୁ ଦୀର୍ଘ ଆଲୋଚନା ଯୋଗୁଁ ଏହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ। ବାଣିଜ୍ୟ ଚୁକ୍ତିକୁ ଛାଡ଼ି ଜୟଶଙ୍କର ଓ ରୁବିଓଙ୍କ ମଧ୍ଯରେ ଶକ୍ତି, ବାଣିଜ୍ୟ ଓ ପ୍ରତିରକ୍ଷା ଉପରେ ଆଲୋଚନା ବି ହେବ। ଉଭୟ ଦେଶ ବାଣିଜ୍ୟ ଆଲୋଚନାକୁ ଆଗକୁ ବଢ଼ାଇବା ସହ ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବାକୁ ଉଦ୍ୟମ କରୁଛନ୍ତି ।

ଦରଦାମ ନିଆଁରେ ଜଳୁଛି ବିଦେଶ

ଭୁବନେଶ୍ବର: ଦରଦାମ ନିଆଁରେ ଜଳୁଛି ବିଦେଶ । ଓଡିଶାକୁ ବି ବ୍ୟାପିଲାଣି ନିଆଁ । ବଜାର ନିୟନ୍ତ୍ରଣରେ ସରକାର ବିଫଳ । ବ୍ୟବସାୟୀ ସଂଘର ଯୁକ୍ତି-ଆଗକୁ ସ୍ଥିତି ଭୟାନକ ।…ଏବେ ଅତ୍ୟାବଶ୍ୟକ ଜିନିଷର ମୂଲ୍ୟ ଆକାଶ ଛୁଆଁ । ଚାଉଳ, ଡାଲି, ତେଲ, ଚିନି ଠାରୁ ଆରମ୍ଭ କରି ପନିପରିବା ଯାଏଁ ଦର ହୁହୁ ହୋଇ ବଢିଚାଲିଛି । ଦରଦାମ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି । ଏପରି ସ୍ଥିତି ଲାଗି ରହିଲେ ଆଗକୁ ଫ୍ରାନ୍ସ, ନେପାଳ ପରି ସ୍ଥିତି ସୃଷ୍ଟି ହୋଇପାରେ । ଅନେକ ଦେଶରେ ଦରଦାମ ନିଆଁ ବ୍ୟାପୁଥିବାରୁ ବେଳ ଥାଉ ଥାଉ ରାଜ୍ୟ ସରକାର ସାବଧାନ ହେବା ଆବଶ୍ୟକ ବୋଲି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ ଚେତାଇ ଦେଇଛନ୍ତି । ଦେଶରେ ଦରଦାମ ବୃଦ୍ଧି ପାଇଁ ଓଡିଶା ସର୍ବାଧିକ ଭାବେ ପ୍ରଭାବିତ ଥିବାରୁ ସାଧାରଣ ଲୋକମାନେ ହନ୍ତସନ୍ତ ହେଉଛନ୍ତି ।  ସରକାର କାହିଁକି ଦରଦାମକୁ ନିୟନ୍ତ୍ରଣକୁ ଆଣୁନାହାନ୍ତି ବୋଲି ବିଜେଡି ଓ କଂଗ୍ରେସ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଦରଦାମ ବୃଦ୍ଧି ପାଇଁ ଏଫଡିଆଇ ଓ ପୁଞ୍ଜିପତିଙ୍କୁ ଦାୟୀ କରିଛି ବ୍ୟବସାୟୀ ମହାସଂଘ । ଏଫଡିଆଇ ପ୍ରତ୍ୟାହାର ହେଲେ ଦରଦାମ ଧୀରେ ଧୀରେ  ନିୟନ୍ତ୍ରଣକୁ ଆସିବ ବୋଲି ସଂଘ ଯୁକ୍ତି ବାଢିଛି । ଓଡ଼ିଶାରେ ଦରଦାମ ଅହେତୁକ ବୃଦ୍ଧି ହେବା, ହୋଲସେଲ ଓ ବଜାର ଦର ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଏପରି ଦର ବୃଦ୍ଧି ହୋଇ ଚାଲିଛି ବୋଲି ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି । ହୋଲସେଲରେ ଚିନି ଦର କେଜି ପ୍ରତି ୫୪ ଟଙ୍କା ଥିବା ବେଳେ ବଜାରେ ଏହା ୭୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ତେଲ, ଡାଲିରେ ମଧ୍ୟ ହୋଲସେଲ ଠାରୁ ବହୁ ଅଧିକ ଦରରେ ବଜାରରେ ବିକ୍ରି କରାଯାଉଛି ବୋଲି ସଂଘ କହିଛି । ରାଜ୍ୟ ସରକାର ଯଦି ବଜାରକୁ ନିୟନ୍ତ୍ରଣ ନକରିନ୍ତି ତେବେ ଦର ଆହୁରି  ବୃଦ୍ଧି ପାଇବ ବୋଲି ସଂଘ କହିଛି ।

ଦରଦାମ ଓ ବେକାରୀ ସମସ୍ୟାକୁ ନେଇ ବିଶ୍ବ ଜଳୁଥିବା ବେଳେ ଓଡିଶାରେ ଏହାକୁ ନେଇ ଭାଳେଣି ପଡିଲାଣି । ସରକାର ଯଦି ଦରଦାମକୁ ନିୟନ୍ତ୍ରଣ ନକରନ୍ତି ତେବେ ଆଗାମୀ ପରିସ୍ଥିତ ଭୟାନକ ହେବ ବୋଲି ଆଶଙ୍କା କରିଛନ୍ତି ବ୍ୟବସାୟୀ ଓ ବିରୋଧୀ ।

 

 

ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା

ଭୁବନେଶ୍ବର : ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା । ମିଛ ପ୍ରଚାର କଲେ କାର୍ଯ୍ୟାନୁଷ୍ଠାନ। ପଞ୍ଜିକୃତ ଦାନ୍ତ ଡାକ୍ତରଙ୍କ ପାଇଁ ଲାଗୁ ହେଲା କଟକଣା । ଅନୈତିକ ପ୍ରଚାର ଲାଗି ଟଣା ହେଲା ଲକ୍ଷ୍ମଣରେଖା । ରୋଗୀଙ୍କ ସମ୍ମାନ, ଗୋପନୀୟତାକୁ ଗୁରୁତ୍ବ ଦେଇ ନ୍ୟାସନାଲ ଡେଣ୍ଟାଲ କମିଶନ-ଏନ୍ଡିସି ଏକ ଆଡଭାଇଜରୀ ଜାରି କରିଛି । ସାମାଜିକ ଗଣମାଧ୍ୟମରେ ସାଧାରଣ ଲୋକଙ୍କୁ ଭ୍ରମିତ କଲାଭଳି ଭିଡିଓ ବା ଫଟୋ ଜାରି କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ଆବଶ୍ୟ ହେଲେ ପଞ୍ଜୀକରଣ ବି ବାତିଲ ହେବ । ଦାନ୍ତ ଡାକ୍ତରମାନେ ବିଭିନ୍ନ ସମୟରେ ଚିକିତ୍ସା ନେଇ ମିଛ ବିଜ୍ଞାପନ ଦେଉଥିବା ଅଭିଯୋଗ ହେଉଛି । ନିଜର ପ୍ରଶଂସାମୂଳକ ପ୍ରଚାର କରୁଛନ୍ତି । ହେଲେ କୌଣସି ବି ଡାକ୍ତର ବି ଅନୈତିକ ଭିଡିଓ କି ଫଟୋ ଛାଡ଼ନ୍ତି ନାହିଁ ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ ସ୍ପଷ୍ଟ କରିଛି । କାଁ ଭାଁ ଡାକ୍ତରଙ୍କ ପାଇଁ ସମସ୍ତ ଦାନ୍ତ ଡାକ୍ତରଙ୍କୁ ଦାୟୀ କରିବା ଠିକ ନୁହେଁ ।

ଡାକ୍ତର, ଓକିଲ ଓ ଇନଫ୍ଲୁଏନସରଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ନୀତି ନିର୍ଦ୍ଧାରଣର ଆବଶ୍ୟକତାକୁ ଅନୁଭବ କରିଛନ୍ତି ସାଇବର ବିଶେଷଜ୍ଞ । ମୁଖ କର୍କଟ ରୋଗୀଙ୍କ ଚିକିତ୍ସା ପୂର୍ବ ଓ ପର ଭିଡିଓକୁ ଦାନ୍ତ ଡାକ୍ତର ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ଏହା ଦ୍ବାରା ସେମାନେ ନିଜ ବେପାର ବୃଦ୍ଧି କରିବା ସହ ସମୟ ସମୟରେ ସୋସିଆଲ ମିଡିଆରୁ ରୋଜଗାର ବି କରନ୍ତି । ହେଲେ ଅର୍ଥ ଉପାର୍ଜନ ହେଉ ହେଉ ସଂପୃକ୍ତ ରୋଗୀଙ୍କ ସମ୍ମାନ ହାନୀ ବି ହୋଇଥାଏ । ବିଭିନ୍ନ ସମୟରେ କାଇରୋପ୍ରାକ୍ଟରମାନେ ହାଡ଼ ଚିକିତ୍ସାର ଭିଡିଓ ସେୟାର କରନ୍ତି । ଯେଉଁଥିରେ ଅଧିକ ଭିଡିଓ ମହିଳା ରୋଗୀଙ୍କୁ ନେଇ ହୋଇଥାଏ । ଯାହାକୁ ବିଭିନ୍ନ ମହଲରେ ଆପତ୍ତିଜନକର ଆଖ୍ୟା ଦିଆଯାଇଛି ।

ଏଣିକି ପ୍ରଯୁଜ୍ୟ ବୈଧାନିକ ପ୍ରାବଧାନ ଓ ସଂଶୋଧିତ ଡେଣ୍ଡିଷ୍ଟ କୋଡ୍ ଅଫ୍ ଏଥିକ୍ସ ରେଗୁଲେସନ୍ସ ୨୦୧୪ ଅନୁସାରେ ସମସ୍ତ ପଞ୍ଜିକୃତ ଦନ୍ତ ଚିକିତ୍ସକଙ୍କୁ ବିଜ୍ଞାପନ, ରୋଗୀ ଆକର୍ଷିତ କରିବା, ଗୋପନୀୟତା, ପ୍ରଚାର ସମ୍ବନ୍ଧୀୟ ବ୍ୟବସାୟିକ ନୈତିକତା ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ। ରୋଗୀଙ୍କ ସମ୍ମାନ, ଗୋପନୀୟତା ଓ ପେଶାର ଗରିମା ବଜାୟ ରଖିବାକୁ ଏନ୍ଡିସି ପରାମର୍ଶ ଦେଇଛି ।..

ଚାଲିଛି ମାଆ ବିମଳାଙ୍କ ଷୋଡ଼ଶ ଉପଚାର ପୂଜା

ପୁରୀ: ଚାଲିଛି ମାଆ ବିମଳାଙ୍କ ଷୋଡ଼ଶ ଉପଚାର ପୂଜା । ମନ୍ତ୍ରଧ୍ବନିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ପରିସର । ବିମଳାଙ୍କ ସମେତ ବିଭିନ୍ନ ଗୋଷାଣୀଙ୍କ ପୀଠରେ ପାଳନ ହେଉଛି ମହାନବମୀ । ସ୍ଵତନ୍ତ୍ର ନୀତିକାନ୍ତିରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ନିଶାର୍ଦ୍ଧରେ ମହାପୂଜା ବସିବା ସହ ଚଣ୍ଡୀପାଠ, ତ୍ରିକାଳ ପୂଜା ସହ ଚାଲିଛି ଅନେକ ଗୁପ୍ତନୀତି । ଦୁର୍ଗା ମାଧବ ଉପାସନାର ଏହି କ୍ଷେତ୍ରରେ ଗୋଷାଣୀ ରୂପେ ପୂଜା ପାଆନ୍ତି ମାଆ ଦୁର୍ଗା । ଜହ୍ନି ଖାଇ, ବାରବାଟୀ, ଶୂନ୍ୟଗୋଶାଣୀ, ବେଲବାଇ, ଗେଲବାଇ, ଭୋଗଯାଗା, ଶଙ୍ଖେଶ୍ବରୀ, ମା ବାସେଳୀ, ଦକ୍ଷିଣକାଳୀ, ବାଟ ମଙ୍ଗଳା, ଶ୍ୟାମାକାଳୀ, ଚକ୍ରକୋଟ, କାକୁଡିଖାଇ, ଝଡ଼େଶ୍ୱରୀ, ବିଶେଶ୍ୱରୀ, ରାମଚଣ୍ଡୀ, ମଶାଣିଚଣ୍ଡୀ, ଆଲାମଚଣ୍ଡୀ ଆଦି ଗୋଷାଣୀଙ୍କ ନିକଟରେ ଚାଲିଛି ପୂଜାର୍ଚ୍ଚନା ।…

ଅନ୍ୟପଟେ ବିଭିନ୍ନ ମଣ୍ଡପରେ ଚାଲିଛି ସ୍ଵତନ୍ତ୍ର ପୂଜାର୍ଚ୍ଚନା । ସନ୍ଧ୍ୟାରେ ସନ୍ଧିପୂଜା ସହ ନିଶାର୍ଦ୍ଧରେ କରାଯିବ ଅନେକ ପୂଜା । ସହରର ବିଭିନ୍ନ ଗୋଶାଣୀ ଓ ପୀଠ ମାନଙ୍କରେ ଦେବୀଙ୍କୁ ପାରମ୍ପରିକ ଭାବେ ପୂଜା କରାଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । …

ଶ୍ରୀକ୍ଷେତ୍ରର ନିଆରା ଗୋଶାଣୀ ପୂଜାରେ ପାରମ୍ପରିକ ସୋଲ ଓ ଜରି ଜମ୍ବୁରା ମେଢ ଭରା ମାଆଙ୍କ ବେଶ ଦେଖିବାକୁ ଭିଡ଼ ଜମୁଛି ।

ଧରାପୃଷ୍ଠରେ ମହାମାୟା । ମଣ୍ଡପେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା

ଭୁବନେଶ୍ଵର ଓ କଟକ: ଧରାପୃଷ୍ଠରେ ମହାମାୟା । ମଣ୍ଡପେ ଚାଲିଛି ମାଆଙ୍କ ମହାଷ୍ଟମୀ ପୂଜା । ହୋମଯଜ୍ଞ, ମନ୍ତ୍ର ଧ୍ବନିରେ କମ୍ପୁଛି ପୂଜା ମଣ୍ଡପ । ଦୁର୍ଗାପୂଜା ପାଇଁ ଦୁଲୁକୁଛି ଭୁବନେଶ୍ଵର । ସମସ୍ତ ପେଣ୍ଡାଲରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପଟିଆଗଡ଼ରେ ଉତ୍ତରାଖଣ୍ଡ କେଦାରନାଥ ତୋରଣରେ ପୂଜା ପାଉଛନ୍ତି ମାଆ । ଲୋକଙ୍କ ମନମୋହୁଛି ଡମଣା ପୂଜା ପେଣ୍ଡାଲ । ତୋରଣରେ ଚାରିଧାମ ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଜମୁନେତ୍ରୀ ମନ୍ଦିରର ଛାପ ଦିଆଯାଇଛି । ତୋରଣ ପାହାଚରେ ଚଢି ସେଲ୍ଫି ଉଠାଉଛନ୍ତି ଦର୍ଶକ । ଏହା ସହ ମୀନାବଜାରର ମଜା ନେଉଛନ୍ତି । ଝାରପଡ଼ାରେ ବି ଲାଗିଛି ଲୋକଙ୍କ ଭିଡ଼ । …

ସେପଟେ ଦୁର୍ଗାପୂଜା ପାଇଁ କମ୍ପୁଛି କଟକ । ସହରର ବିଭିନ୍ନ ପେଣ୍ଡାଲରେ ପୂଜା ପାଉଛନ୍ତି ମାଆ ଦୁର୍ଗା ଓ ଶିବ ପାର୍ବତୀ । ଆଜି ବିଭିନ୍ନ ପୂଜା ମଣ୍ଡପରେ ମହାଷ୍ଟମୀ ପୂଜା ପାଳିତ ହୋଇଯାଇଛି । ସକାଳୁ ଭୋଗ ଓ ବ୍ରତ ଧରି ମାଆଙ୍କ ନିକଟରେ ପୂଜାର୍ଚ୍ଚନା କରିଛନ୍ତି ମହିଳା ଭକ୍ତ । ପରିବାର ଓ ଜଗତର ମଙ୍ଗଳ କାମନା କରିଛନ୍ତି । ପରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା । ସେପଟେ କଟକ ଚଣ୍ଡୀ ଓ ଗଡଚଣ୍ଡୀଙ୍କ ପାଖରେ ଆଜି ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି । …

ମାଆଙ୍କୁ ଦର୍ଶନ କରିବାକୁ ସବୁ ମଣ୍ଡପରେ ଲାଗିଛି ଖଚାଖଚ ଭିଡ଼ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ମଣ୍ଡପ କର୍ମକର୍ତ୍ତା ଓ ପୋଲିସ ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତର ୨୫ ଦିନ ପରେ ବି ମିଳିନି କ୍ଷତିପୂରଣ

ନନ୍ଦିଘୋଷ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତକୁ ବିତିଲାଣି ୨୫ ଦିନ । ହେଲେ ଏଯାଏଁ ଅନେକ ଚାଷୀଙ୍କୁ ମିଳିନି କ୍ଷତିପୂରଣ । ଗତ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର କୋଟପାଡ଼, କୁନ୍ଦୁରା ସମେତ ବୋରିଗୁମ୍ମା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହେଲେ ଏବେ ବି ବହୁ ଚାଷୀଙ୍କୁ କ୍ଷତିପୂରଣ ମିଳିନଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଲଗାଣ ବର୍ଷା ପରେ ଜମିରେ ୫ ଦିନ ଧରି ବନ୍ୟା ପାଣି ଜମି ରହିଥିଲା । ଫଳରେ ବ୍ୟାପକ ଚାଷ ନଷ୍ଟ ହୋଇଯାଇଛି । ହେଲେ ଏବେ ବି ଅନେକ ଚାଷୀଙ୍କୁ କ୍ଷତିପୂରଣ ମିଳିପାରିନାହିଁ । ଯାହାକୁ ମିଳିଛି ତାହା କେବଳ ନାମକୁ ମାତ୍ର । ଗୋଟିଏ ଏକର ଚାଷ କରିବାକୁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସରକାର ୬୫୦୦ ରୁ ୮୫୦୦ ଟଙ୍କା ଦେଉଛନ୍ତି । ଏତେ କମ୍ ଟଙ୍କାରେ ଚାଷୀ କିପରି ଋଣ ସୁଝିବେ ? କିପରି ପରିବାର ପ୍ରତିପୋଷଣ କରିବେ ? ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହ ଋଣ ଛାଡ଼ ନେଇ ଦାବି କରାଯାଉଛି । ଅନ୍ୟପଟେ ପ୍ରାୟ ୭୦ ଭାଗ ଚାଷୀଙ୍କୁ କ୍ଷତିପୂରଣ ଦିଆସରିଲାଣି । ବଳକା ଚାଷୀଙ୍କୁ ଖୁବଶୀଘ୍ର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । କ୍ଷତିଗ୍ରସ୍ତ ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।

 

 

ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ପୁଣି ଏନକାଉଣ୍ଟର l ଝାରସୁଗୁଡା ସ୍ଥିତ ଆମଦର ଜଙ୍ଗଲରେ ଏନକାଉଣ୍ଟର  l ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ଆହତ l ଆଜି ସକାଳେ ଆମଦର ଜଙ୍ଗଲ ନିକଟରେ ଚାଲିଥିବା ଏକ ସର୍ଚ୍ଚ ଅପରେସନ୍‌ ବେଳେ ଓରିଏଣ୍ଟ ପୋଲିସ ବଣ୍ଟି ପ୍ରସାଦ ସାମ୍ନାସାମ୍ନି ହୋଇଥିଲେ । ଅପରେସନ୍ ସମୟରେ ବଣ୍ଟି ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିଲା । ଜବାବରେ ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇଥିଲା । ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିଛି । ତାକୁ ବ୍ରଜରାଜନଗର ସିଏଚ୍‌ସି ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ହନୁମାନ ନଗରର ବାସିନ୍ଦା ବଣ୍ଟି । ତା ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଏବଂ ବେଆଇନ ବନ୍ଧୁକ କାରବାର ଭଳି ୧୭ଟି ସଙ୍ଗୀନ ମାମଲା ରହିଛି । ଘଟଣାସ୍ଥଳରୁ ବେଆଇନ ମାରଣାସ୍ତ୍ର ଜବତ କରାଯାଇଛି । ଏନକାଉଣ୍ଟର ପରେ ପୋଲିସ ପକ୍ଷରୁ କଡ଼ା ପାଟ୍ରୋଲିଂ ଜାରି ରହିଛି ।….

ଧର୍ମୋପଦେଶ ବେଳେ ପାଦ୍ରୀଙ୍କ ଉପରେ ପଡ଼ିଲା କ୍ରୁଶ

ନନ୍ଦିଘୋଷ ବ୍ୟୁରୋ: ଇକ୍ୱେଡରରେ ଲାଇଭ୍‌ ମାସ୍‌ ବେଳେ ଅଘଟଣ । ଧର୍ମୋପଦେଶ ଦେଉଥିବା ସମୟରେ ପାଦ୍ରୀଙ୍କ ଉପରେ ପଡ଼ିଲା ବିଶାଳ କ୍ରୁଶ, ଚାଲିଗଲା ଜୀବନ । ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ଫାଦର ପାଟ୍ରିସିଓ ଆଲଫ୍ରେଡୋ ସାଞ୍ଚେଜ୍ ମୋଲିନାରି ଜୀବନର କ୍ଷଣସ୍ଥାୟୀତା ଉପରେ ଦେଇଥିଲେ ମୂଲ୍ୟବାନ ବାର୍ତ୍ତା ।

ଗୁଆକିଲ୍‌ର ଚର୍ଚ୍ଚ ଅଫ୍ ଆୱାର୍ ଲେଡି ଅଫ୍ ପର୍ପେଚୁଆଲ୍ ହେଲ୍ପରେ ଲାଇଭ୍‌ଷ୍ଟ୍ରିମ୍‌ ମାଧ୍ୟମରେ ଚାଲିଥିବା ପ୍ରାର୍ଥନା ସଭାରେ ଏହି ଅଘଟଣ ଘଟିଥିଲା । ପାଦ୍ରୀ ବେଦୀ ପଛରେ ଠିଆ ହୋଇ ଧର୍ମୋପଦେଶ ଦେଉଥିବା ବେଳେ ତାଙ୍କ ପଛରେ ଲାଗିଥିବା ବଡ଼ କ୍ରୁଶଟି ହଠାତ୍ ତାଙ୍କ ଉପରେ ପଡ଼ିଯାଇଥିଲା । ଘଟଣା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ତାଙ୍କୁ ସହାୟତା କରିବା ସହ ଆମ୍ବୁଲାନ୍ସ ଡାକିଥିଲେ । ତେବେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ସବୁଠାରୁ ଦୁଃଖଦ ବିଷୟ ହେଉଛି, ଦୁର୍ଘଟଣାର କିଛି ମୁହୂର୍ତ୍ତ ପୂର୍ବରୁ ପାଦ୍ରୀ ଜୀବନର ମୂଲ୍ୟ ଓ ମୃତ୍ୟୁର ଅନିଶ୍ଚିତତା ବିଷୟରେ କହୁଥିଲେ । ସେ ଶ୍ରଦ୍ଧାଳୁମାନଙ୍କୁ ମୋବାଇଲ୍‌ରେ ଅଧିକ ସମୟ ନଷ୍ଟ ନକରି ଈଶ୍ୱର ଓ ନିଜ ପରିବାର ସହ ଅଧିକ ସମୟ ବିତାଇବାକୁ ଆହ୍ୱାନ ଦେଇଥିଲେ । ତାଙ୍କର ଏହି ଶେଷ ବାର୍ତ୍ତା ଏବେ ଘଟଣାଟିକୁ ଆହୁରି ମର୍ମସ୍ପର୍ଶୀ କରିଛି ।

ଚାଲିଛି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ନବରାତ୍ର ପୂଜା

ଗଞ୍ଜାମ : ଚାଲିଛି ଗଞ୍ଜାମ ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ନବରାତ୍ର ପୂଜା । ଆଜି ନବମୀ ତିଥିରେ ସିଦ୍ଧିଦାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା। ଗତକାଲି ମହାଷ୍ଟମୀରେ ୨ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା। ରବିବାର ଭୋରରୁ ମାଁଙ୍କ ଦ୍ବାରଫିଟା ନୀତି ପରେ ମାଁଙ୍କୁ ମହାଗୌରୀ ବେଶରେ ସଜ୍ଜିତ କରାଯାଇଥିଲା । ମଙ୍ଗଳ ଆଳତୀ, ମଇଲମଲାଗି, ପଞ୍ଚସୂତ୍ର ଅଭିଶେକ ପରେ ମାଁ ମହାଗୌରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।  ସୂର୍ଯ୍ୟାସ୍ତ ସମୟରେ ମାଁଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା । ପରେ ମଧ୍ୟରାତ୍ରୀରେ ମାଁଙ୍କ ମହାଦୀପ ଉଠିଥିଲା । ସାରା ବିଶ୍ବର କଲ୍ୟାଣ ନିମନ୍ତେ ଓ ସମସ୍ତଙ୍କୁ ନିରୋଗ ରଖିବା ପାଇଁ ମହାଦୀପ ଉଠିଥିଲା।

ସେପଟେ ମାଁଙ୍କ ଏହି ବେଶ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ମାଁଙ୍କ ମହାଗୌରୀ ଓ ମହାକାଳୀ ବେଶ ଦର୍ଶନ କରି କୃତ୍ୟକୃତ୍ୟ ହୋଇଥିଲେ ଭକ୍ତ । ମଧ୍ୟରାତ୍ରରେ ମନ୍ଦିରରେ ମହାଦୀପ ଉଠିବାର ଅପୂର୍ବ ଦୃଶ୍ୟ ଦେଖିବାକୁ ଜମିଥିଲା ପ୍ରବଳ ଭିଡ଼ । ନବରାତ୍ର ପୂଜା ଚାଲୁଥିବା ବେଳେ ମାଁଙ୍କୁ ଦର୍ଶନ କଲେ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିପାଇଁ ମନ୍ଦିରକୁ କାହିଁ କେଉଁ ଆଡୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି।

ସେପଟେ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସରିଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା

ଭବାନୀପାଟଣା : ଆସ୍ଥା ଓ ପରମ୍ପରାର ମହାପର୍ବ। ଶାକ୍ତ ଉପାସନାର ପ୍ରମୁଖ ପୀଠ କଳାହାଣ୍ଡି। ଘଣ୍ଟ, ଶଙ୍ଖ, ଢୋଲ ଓ ନିଶାନର ଗର୍ଜନ ଭିତରେ ଭକ୍ତଙ୍କୁ ଦର୍ଶନ ଦେଲେ କଳାହାଣ୍ଡିର ଅଧିଷ୍ଠାତ୍ରୀ ମାଁ ମାଣିକେଶ୍ୱରୀ। ସମ୍ପନ୍ନ ହେଲା ଭବାନୀପାଟଣାର ପ୍ରସିଦ୍ଧ ଛତର ଯାତ୍ରା।  ଭବାନୀପାଟଣାରେ ଶ୍ରଦ୍ଧାଳୁଙ୍କ ଜନସମୁଦ୍ର।  ଘୁମୁରାର ତାଳେ ତାଳେ ମାଙ୍କ ଆଗମନ । ଭୋରରୁ  ଭକ୍ତିମୟ ହୋଇଥିଲା ପରିବେଶ। ପରମ୍ପରା ଅନୁଯାୟୀ, ମହାଷ୍ଟମୀର ରୀତିନୀତି ପରେ ମାଁଙ୍କ ବିଜୟ ପ୍ରତିମା ଛତରଙ୍କୁ ଫାଶୀଡଙ୍ଗରରେ ଥିବା ଜେନାଖାଲକୁ ନିଆଯାଇଥିଲା। ସେଠାରେ ଗୁପ୍ତ ରୀତିନୀତି ତନ୍ତ୍ର ବିଧି ପରେ ଆଜି ନବମୀ ତିଥିର ପ୍ରତ୍ୟୁଷରୁ ମାଙ୍କ ମନ୍ଦିର ବାହୁଡ଼ା ଯାତ୍ରା ହୋଇଥିଲା।

ଜେନାଖାଲରୁ ଭୋର୍ ୫ଟାରେ ମନ୍ଦିର ଅଭିମୁଖେ ବାହାରିଥିଲା  ମାଁ ମାଣିକେଶ୍ୱରୀଙ୍କ ବିଜୟ ପ୍ରତିମା ଛତର। ଜେନା ବାଦ୍ୟ ଓ ବୀରବାଦ୍ୟ ଘୁମୁରା ତାଳେ ତାଳେ ମାଆଙ୍କୁ ପାଛୋଟି ନେଇଥିଲେ ଶ୍ରଦ୍ଧାଳୁ ।  ମାଙ୍କ ଦର୍ଶନ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ରାସ୍ତାରେ ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ମାଙ୍କୁ ସ୍ୱାଗତ କରିଥିଲେ। ମାନସିକଧାରୀଙ୍କ ପଶୁ ବଳିରେ ରକ୍ତରଞ୍ଚିତ ହେଲା ଜେନାଖାଲ। ବୋଦା, ଛେଳି ଓ କୁକୁଡ଼ା  ବଳିରେ ରକ୍ତରଞ୍ଜିତ ହେଲା ଜେନାଖାଲରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର ରାସ୍ତା। ନିର୍ଦ୍ଧାରିତ ସମୟର ପ୍ରାୟ ୪ଘଣ୍ଟା ପୂର୍ବରୁ ଛତର ମନ୍ଦିର ଭିତରକୁ ପ୍ରବେଶ କରିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨୫ଟି ସିସିଟିଭି କ୍ୟାମେରା ଓ ଡ୍ରୋନ୍ ମାଧ୍ୟମରେ ନଜର ରଖାଯାଇଥିଲା । ପ୍ରଶାସନର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସମ୍ପନ୍ନ ହୋଇଛି ମାଁ ମାଣିକେଶ୍ୱରୀଙ୍କ ଏହି ପ୍ରସିଦ୍ଧ ଛତର ଯାତ୍ରା।

ଏହି ମହାପର୍ବରେ ପଶୁବଳିକୁ ନେଇ ପୁଣି ଉଠିଛି ପ୍ରଶ୍ନ। ପରମ୍ପରାର ସୁରକ୍ଷା ଓ ସମୟ ସହ ପରିବର୍ତ୍ତନ ଭିତରେ ସମନ୍ୱୟ କେବେ ହେବ, ତାହା ଉପରେ  ନଜର।