spot_img
Home Blog Page 23

ଶିଳ୍ପ ଶୋଷୁଛି ଭୂତଳ ଜଳ

ନନ୍ଦିଘୋଷ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାରେ କ୍ରମାଗତ ଭାବେ ଖସୁଛି ଭୂତଳ ଜଳସ୍ତର । ବେଧଡ଼କ ଭାବେ ଚାଲିଛି ପାଣିର ଅପବ୍ୟବହାର ଏବଂ ପରିବେଶ ପ୍ରଦୂଷଣ । ବଡ଼ ବଡ଼ ଶିଳ୍ପ ସଂସ୍ଥା ମାତ୍ରାଧିକ କରୁଛନ୍ତି ଭୂତଳ ଜଳ ଉତ୍ତୋଳନ ।  ଜିଲ୍ଲାରେ ଏବେ ଟ୍ୟୁବୱେଲ୍ ଓ କୂଅଗୁଡ଼ିକ ଶୁଖିଯାଉଥିବା ଅଭିଯୋଗ । ଫଳରେ ସାଧାରଣ ଲୋକ ତଥା ଭବିଷ୍ୟତ ପିଢ଼ି ପାଇଁ ପାନୀୟ ଜଳର ଘୋର ସଙ୍କଟ ସୃଷ୍ଟି ହୋଇଛି । ଏହି ସଙ୍ଗିନ ଅଭିଯୋଗକୁ ନେଇ ଓଡ଼ିଶା ସରକାରଙ୍କ ବିଧାନସଭା ଷ୍ଟାଣ୍ଡିଂ କମିଟି-୨ର ଅଧ୍ୟକ୍ଷ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ତଥା ଅନ୍ୟ ବିଧାୟକମାନେ ବାଲେଶ୍ୱର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲାର ପ୍ରମୁଖ ଶିଳ୍ପସଂସ୍ଥା ଇମାମୀ ପେପର ମିଲ୍ସ ଏବଂ ବାଲେଶ୍ୱର ଆଲଏଜ୍ କାରଖାନା ପରିଦର୍ଶନ କରି ଭୂତଳ ଜଳ ଉତ୍ତୋଳନର ଫ୍ଲୋମିଟର ଏବଂ ଏଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲି ଦେଖିଥିଲେ।  “ଇମାମି” ଭଳି ବଡ଼ କମ୍ପାନୀ ଦୈନିକ ୧୨ ହଜାରରୁ ଉର୍ଦ୍ଧ୍ୱ କ୍ୟୁବିକ୍ ମିଟର ପାଣି ନେଉଛି । ତଳୁ ପାଣି ଟାଣିବା ଦ୍ୱାରା ଫ୍ଲୋରାଇଡ୍ ଓ ରାସାୟନିକ ଅପଦ୍ରବ୍ୟ ବଢ଼ୁଛି । ଏହା ସହ କମ୍ପାନୀ ଗୁଡିକ ବର୍ଜ୍ୟଜଳ ନଦୀକୁ ଛାଡୁଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଏହା ସହ ଆସନ୍ତା ଜାନୁଆରୀ ମାସ ସୁଦ୍ଧା ଭୂତଳ ଜଳ ଉଠାଣ ବନ୍ଦ କରି ନିଜସ୍ୱ ସର୍ଫେସ୍ ୱାଟର ବ୍ୟବହାର କରିବାକୁ କଡ଼ା ଚେତାବନୀ ଦେଇଛି କମିଟି।…

ବଜାରରେ ସାଧାରଣରେ ସ୍ବଚ୍ଛ ପାନୀୟ ଜଳର ଦାମ ଲିଟର ପିଛା ୨୦ ଟଙ୍କାରେ ବିକ୍ରି ହେଉଛି ।  ଶିଳ୍ପାନୁଷ୍ଠାନ ଗୁଡ଼ିକ ପାଇଁ ଭୂତଳ ସ୍ୱଚ୍ଛ ପାନୀୟ ଜଳର କ୍ରୟ ମୂଲ୍ୟ ଲିଟର ପିଛା ମାତ୍ର ୧ ରୁ ୧.୩ ପଇସା । ତଥାପି ସରକାରଙ୍କୁ ବର୍ଷରେ ମିଳୁଛି ୧ ହଜାର କୋଟି। ଯାହା ସରକାରଙ୍କୁ କୋଟି କୋଟି ଠକି ଦୀର୍ଘ ୩୦ରୁ ୪୦ ବର୍ଷ ଧରି ଶିଳ୍ପାନୁଷ୍ଠାନଗୁଡ଼ିକ ନିଜସ୍ୱ ଜଳ ଉତ୍ସ ତିଆରି ନକରି ଅତି ଶସ୍ତାରେ ପ୍ରଚୁର ଭୂତଳ ଜଳ ଶୋଷଣ କରୁଛନ୍ତି । ସେପଟେ ଷ୍ଟାଣ୍ଡିଂ କମିଟିର ଏହି ଅଭିଯୋଗ ଉପରେ ଶିଳ୍ପ ସଂସ୍ଥା ପ୍ରତିକ୍ରିୟା ରଖିଛନ୍ତି । ସରକାରଙ୍କ ସମସ୍ତ ଗାଇଡ୍‌ଲାଇନ୍ ମାନି ଅନଲାଇନ୍ ଫ୍ଲୋ-ମିଟର ଜରିଆରେ ଜଳ ଉଠାଣ ହେଉଛି। ଏବଂ ଜିରୋ ଡିସଚାର୍ଜ ନିୟମ ପାଳନ କରୁଥିବା ଦାବି କରିଛନ୍ତି । ଏପରିକି ବର୍ଜ୍ୟଜଳକୁ ରିସାଇକ୍ଲିଂ କରାଯାଇ ଚାଷୀଙ୍କୁ ଯୋଗାଯାଉଛି । ଖୁବ୍ ଶୀଘ୍ର ଇଡ୍‌କୋ ମାଧ୍ୟମରେ ସର୍ଫେସ୍ ୱାଟର ଗ୍ରହଣ କରିବାକୁ ଆବେଦନ କରାଯାଇଥିବେ ସୂଚନା ଦିଆଯାଇଛି । …

ପୁଣି ତେଜିଲା ଭୁବନେଶ୍ବର ଗାଡକଣ ଡମ୍ପିୟାର୍ଡ ବିବାଦ

ନନ୍ଦିଘୋଷ ବ୍ୟୁରୋ : ପୁଣି ତେଜିଲା ଭୁବନେଶ୍ବର ଗାଡକଣ ଡମ୍ପିୟାର୍ଡ ବିବାଦ । ଅଳିଆ ପକାଇବାକୁ ଉଦ୍ୟମ କଲେ ଆନ୍ଦୋଳନ ଚେତାବନୀ । ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ଚିଠି ପରେ ଅଞ୍ଚଳବାସୀଙ୍କୁ ଆଶ୍ୱସ୍ତି  । ଆଉ ସହରରୁ ହଟିବନି ସୈନିକ ସ୍କୁଲ ।….ପୁଣି ତୀବ୍ର ରୂପ ଧାରଣ କରିଛି ଦୀର୍ଘଦିନ ଧରି ଚାଲି ଆସୁଥିବା ଗାଡକଣ ଡମ୍ପିୟାର୍ଡ ଓ ସୈନିକ ସ୍କୁଲ ବିବାଦ। ଭୁବନେଶ୍ୱର ସହରର ମଧ୍ୟରେ ୧୯୬୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁ ପଟ୍ଟନାୟକ ଏବଂ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଉଦ୍ୟମରେ ସୈନିକ ସ୍କୁଲ ପ୍ରତିଷ୍ଠା ହୋଇଛି । ଅନେକ ଛାତ୍ରଛାତ୍ରୀ ଏଠାରେ ପାଠ ପଢି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସଫଳତା ସହ ଯୋଗ ଦେଇଛନ୍ତି ‌। କିନ୍ତୁ ଗତ କିଛି ବର୍ଷ ହେବ ସୈନିକ ସ୍କୁଲ ପାଠ ପଢାରେ ବଡ଼ ବାଧକ ସାଜିଛି କ୍ୟାମ୍ପସ ନିକଟରେ ଥିବା ବିଏମସିର ଅଳିଆ ଗଦା। ପ୍ରଥମେ ଟିଟିଏସ୍ ପ୍ଲାଣ୍ଟ ପାଇଁ ବିଏମସି ଯୋଜନା କରୁଥିବା ବେଳେ ପରେ ଏହା ଅଳିଆ ଗଦାରେ ପରିଣତ ହୋଇଛି । ଯାହା ସୈନିକ ସ୍କୁଲ ସହ ସ୍ଥାନୀୟ ଅଞ୍ଚଳରେ ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି କରିଛି  । ତେବେ ୨୦୨୫ ମସିହାରେ ସରକାର ସୈନିକ ସ୍କୁଲକୁ ରାଜଧାନୀ ଭିତରୁ ଉଠାଇବାକୁ ଯୋଜନା କରୁଥିବା ବେଳେ ଏହାକୁ ବିରୋଧ ଆରମ୍ଭ କରିଥିଲେ “ସେଭ୍ ଆୱାର‌ ସୈନିକ ସ୍କୁଲ” କମିଟି। ଏବେ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀ ସଞ୍ଜୟ ସେଠ୍ ଙ୍କ ସୈନିକ ସ୍କୁଲ ସପକ୍ଷରେ ଚିଠି ପରେ ସାମାନ୍ୟ ଆଶ୍ବସ୍ତୀ ମିଳିଛି। ଘଟଣା ସଂପର୍କରେ ନଗର ଉନ୍ନୟନ କମିଶନର ଉଷା ପାଢ଼ୀଙ୍କୁ ଭେଟି ଅଳିଆ ଗଦା ଭିତରକୁ ଅଳିଆ ଗାଡ଼ି ପ୍ରବେଶ ଉପରେ ରୋକ ଲଗାଇବାବାକୁ ଅନୁରୋଧ କରିଛି କମିଟି । ଏହାସହ ଆଗାମୀ ଦିନରେ ଅଳିଆ ଗାଡ଼ି ପ୍ରବେଶ କଲେ ଆନ୍ଦୋଳନର ଚେତାବନୀ ଦିଆଯାଇଛି ।

ଅନ୍ୟପଟେ ଅଳିଆ ଗଦା ଏବେ ଅଳିଆ ପାହାଡ଼ର ରୂପ ନେଇଛି। ଏପରିକି ବର୍ଷା ହେଲେ ଅଳିଆ ଗଦାରୁ ବର୍ଷା ପାଣି ବହି ସ୍ଥାନୀୟ ବସ୍ତିରେ ପଶୁଥିବା ଅଭିଯୋଗ ଆଣିଛନ୍ତି ବସ୍ତି ବାସିନ୍ଦା। ଅଳିଆଗଦାର ଗନ୍ଧରେ ମଧ୍ୟ ସ୍ଥାନୀୟ ବାସିନ୍ଦା ନାନାଦି ରୋଗର ସମସ୍ୟା ସାମ୍ନା କରୁଥିବା କହିଛନ୍ତି । ବିଜେପି ବିରୋଧୀ ଦଳରେ ଥିବା ସମୟରେ ଅଳିଆ ଗଦା ହଟାଇବାକୁ ଆନ୍ଦୋଳନ କରୁଥିଲା । ହେଲେ ଶାସନକୁ ଆସିବା ପରେ ଏହାକୁ ଭୁଲି ଯାଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।  ତେଣୁ ରାଷ୍ଟ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ଚିଠିକୁ ସ୍ଵାଗତ କରିବା ସହ ତୁରନ୍ତ ସହର ମଧ୍ୟରୁ ଅଳିଆ ଗଦା ହଟାଇବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ ଏ ସଂପର୍କରେ ବିଏମସିର ବିକଳ୍ପ ବ୍ୟବସ୍ଥା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ବର୍ଷାର ଦେଖା ନାହିଁ। ଚାଷ ଜମି ଫାଟି ଆଁ କରିଛି।

ନନ୍ଦିଘୋଷ ବ୍ୟୁରୋ : ବର୍ଷାର ଦେଖା ନାହିଁ। ଚାଷ ଜମି ଫାଟି ଆଁ କରିଛି।   ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଏ ଦୃଶ୍ୟ ହେଉଛି କୋରାପୁଟ ପଟାଙ୍ଗୀ ବ୍ଲକର ପେଟୁର ଓ କାନ୍ଦିଲି ଗାଁର। ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି । କେଉଁଠି ଧାନ ଗଛ ଶୁଖିଗଲାଣି, ତ ଆଉ କେଉଁଠି ଚାଷ ହୋଇପାରିନାହିଁ। ଜମିରେ ଝାଳ ବୁହାଇ ବିହନ ବୁଣିଲା, ରୁଆ ପକାଇଲା ଚାଷୀ। ଭାବିଥିଲା ଫସଲ ଅମଳ ହେବ।  ପରିବାର ମୁହଁରେ ହସ ଫୁଟିବ। ହେଲେ ଏବେ ବର୍ଷା ଅଭାବରେ ତା’ର ସବୁ ଆଶା ଧୂଳିସାତ୍ ହେବାକୁ ବସିଛି।

ଏହି ଅଞ୍ଚଳର ପ୍ରାୟ ୧୦୦ ହେକ୍ଟର ଜମିରେ ଚାଷ ହୋଇଥାଏ। ଅଧିକାଂଶ ପରିବାରର ଧାନ ଚାଷ ଉପରେ ନିର୍ଭରଶୀଳ। ବର୍ଷା ନହେବାରୁ ରୁଆ ରୋଇ ହେଲା ନାହିଁ। ପାଣି ନଥିବାରୁ ଧାନ ଶୁଖିଗଲାଣି।  ଆଖି ଆଗରେ ନଷ୍ଟ ହେଉଛି  ବର୍ଷକର ଆହାର। ଯାହାକୁ ନେଇ ଚିନ୍ତାରେ ପଡିଛି ଚଷାପୁଅ।

କଥାରେ ଅଛି ଚାଷ ସଅଳ , ବଣିଜ ମଠ। ଚଷାପୁଅ ତତ୍ପର ହେଲେ କଣ ହେବ ଯଦି ବର୍ଷାର ଦେଖା ନାହିଁ।

ରାଜରାସ୍ତାରେ ମାଳ ମାଳ ବୁଲା ଗାଈ ଗୋରୁ । ରାସ୍ତା ପାଲଟିଛି ଆଶ୍ରୟସ୍ଥଳୀ

ନନ୍ଦିଘୋଷ ବ୍ୟୁରୋ : ରାଜରାସ୍ତାରେ ମାଳ ମାଳ ବୁଲା ଗାଈ ଗୋରୁ । ରାସ୍ତା ପାଲଟିଛି ଆଶ୍ରୟସ୍ଥଳୀ । ଅସୁରକ୍ଷିତ ଏନଏଚ ୨୦ । ବୁଲା ଗାଈ ଗୋରୁ ସାଜୁଛନ୍ତି ଦୁର୍ଘଟଣାର କାରଣ। ଗୋ-ଶାଳା ନିର୍ମାଣ ପାଇଁ ଦାବି । କେନ୍ଦୁଝର ଜିଲ୍ଲା ହସନପୁର ଟୋଲ ପ୍ଲାଜା ଠାରୁ ରାମଚନ୍ଦ୍ରପୁର ଥାନା ଯାଏଁ ପ୍ରତ୍ୟେକ ଦିନ ଘଟୁଛି ଦୁର୍ଘଟଣା। ହାନି ହେଉଛି ଧନ ଜୀବନ । ଚଳିତ ବର୍ଷ ୩ ଶହରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟିଥିବା ବେଳେ ୪୦ ଜଣଙ୍କର ଜୀବନ ଯାଇଥିବା ତଥ୍ୟ କହୁଛି।  ଏବେ ମଧ୍ୟ ଅନେକ ବ୍ୟକ୍ତି ମେଡିକାଲରେ ଜୀବନ ମରଣ ସହିତ ସଂଗ୍ରାମ କରୁଛନ୍ତି। ସେହିଭଳି ଦୁର୍ଘଟଣାରେ ୧୦୦ରୁ ଅଧିକ ଗୋରୁଙ୍କ ଜୀବନ ଯାଇଛି।

ଯାତାୟାତରେ ବାଧକ ସାଜୁଛନ୍ତି ଖୋଲାରେ ବୁଲୁଥିବା ଗୋରୁ । ଗୋରୁଙ୍କ ପାଇଁ ଗୁହାଳ ଘର ନଥିବାବେଳେ ମାଲିକ ମାନେ ରାଜରାସ୍ତାରେ ଖୋଲା ଛାଡି ଦେଉଛନ୍ତି । ଏକ ଗୋଶାଳା ନିର୍ମାଣ ସହିତ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ପ୍ରତିରୋଧ ବାଡା ଲଗାଇବାକୁ ଉପଜିଲ୍ଲାପାଳଙ୍କ ନିକଟରେ ଦାବି ରଖିଛନ୍ତି ସ୍ଥାନୀୟବାସୀ। ଏଥି ସହିତ ସାଇଁକୁଳରେ ଏକ ଉନ୍ନତମାନର ପଶୁ ଚିକିତ୍ସାଳୟ ଖୋଲିବାକୁ ମଧ୍ୟ ଦାବି ହୋଇଛି। ଅନ୍ୟପଟେ ସମସ୍ୟାର ଖୁବଶୀଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ଉପଜିଲ୍ଲାପାଳ ।

ଦୁର୍ଘଟଣାକୁ କମ୍ କରିବାକୁ ସରକାର ବିଭିନ୍ନ ନିୟମ ଆଣୁଛନ୍ତି । ହେଲେ ବୁଲା ଗାଈଗୋରୁଙ୍କ ପାଇଁ ଅକାଳରେ ଝଡିଯାଉଛି ନିରୀହ ଜୀବନ।

ଗୋଆ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ବରିଷ୍ଠ ସାମ୍ବାଦିକ ତଥା ତେହେଲକା ମାଗାଜିନର ପୂର୍ବତନ ସଂପାଦକ ତରୁଣ  ତେଜପାଲ

ନନ୍ଦିଘୋଷ ବ୍ୟୁରୋ : ଗୋଆ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ବରିଷ୍ଠ ସାମ୍ବାଦିକ ତଥା ତେହେଲକା ମାଗାଜିନର ପୂର୍ବତନ ସଂପାଦକ ତରୁଣ  ତେଜପାଲ। ଅନ୍ୟପଟେ ସୁପ୍ରିମକୋର୍ଟ ଯିବାକୁ ସୂଚନା ଦେଇଛନ୍ତି ତେଜପାଲ। ୨୦୧୩ ଦୁଷ୍କର୍ମ ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେ ଗୋଆ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦୁଇସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବା ଲାଗି ତେଜପାଲଙ୍କୁ ଗତ ଅଗଷ୍ଟ ୨୫ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଆତ୍ମସମର୍ପଣ ପରେ ତାଙ୍କୁ ଗୋଆର କୋଲଭାଲେ ଜେଲକୁ ପଠାଇ ଦିଆଯାଇଛି।  ଯୌନନିର୍ଯାତନା ମାମଲାରେ ବମ୍ଵେ ହାଇକୋର୍ଟ ଗତ ଅଗଷ୍ଟ ୬ ତାରିଖରେ ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ କାରାଦଣ୍ଡାଦେଶ ଦେଇଥିଲେ। ୨୦୧୩ ନଭେମ୍ଵର ୭ ତାରିଖରେ ନିଜର ଜଣେ ଜୁନିଅର ସହଯୋଗୀଙ୍କୁ ତରୁଣ ତେଜପାଲ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ସେହିବର୍ଷ ନଭେମ୍ବର ୩୦ରେ ତେଜପାଲଙ୍କୁ ଗିରଫ କରାଯାଇଥିଲା। ୨୦୨୧ରେ ଟ୍ରାଏଲ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ। ଚଳିତବର୍ଷ ଅଗଷ୍ଟରେ ବମ୍ଵେ ହାଇକୋର୍ଟର ଗୋଆ ଖଣ୍ଡପୀଠ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।  …

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜୋତା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଜୋତା ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅଧୀନ ବେଲଗଢିଆ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪୫ଜଣ ଛାତ୍ରଛାତ୍ରୀ ପଢ଼ନ୍ତି l ଅଙ୍ଗନବାଡ଼ିରେ ୧୨ଜଣ ପିଲା ପାଠ ପଢ଼ୁଥିବା ବେଳେ ସମସ୍ତଙ୍କୁ ଜୋତା ବଦଳରେ ଚପଲ ଦିଆଯାଇଥିବା ନେଇ ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଫୁଲ୍ ଜୋତା ଦେବା ପାଇଁ ନିୟମ ଥିବାବେଳେ ଟଙ୍କା ହଡ଼ପ ଉଦ୍ଦେଶ୍ୟରେ ଏହି ନିୟମକୁ ବେଖାତିର କରି ଛାତ୍ରଛାତ୍ରୀଙ୍କୁ ଚପଲ ବଣ୍ଟନ କରାଯାଇଛି। ବର୍ଷା ଦିନରେ ଏହି ଚପଲ ପିନ୍ଧିକି ଛାତ୍ରଛାତ୍ରୀ ମାନେ ସ୍କୁଲ ଗଲେ କାଦୁଅ ଛିଟା ପଡ଼ି ଡ୍ରେସ କାଦୁଅ ହେବା ସହ ଛାତ୍ରଛାତ୍ରୀଙ୍କ ଅନେକ ସମସ୍ୟା ହେବ ବୋଲି କହିବା ସହ ତୁରନ୍ତ ଏହାକୁ ଫେରସ୍ତ ନେଇ ଫୁଲ୍ ଜୋତା ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ମହାନ୍ତି ଏବଂ ବ୍ଲକ ବି ଆର୍ ସି ସି ଙ୍କୁ ଅଭିଯୋଗ କରିଥିଲେ ବି ଏହାର ସମାଧାନ କରାଯାଇନାହିଁ। ଆଗାମୀ ଦିନରେ ଏହାର ସମାଧାନ କରା ନଗଲେ ସ୍କୁଲ ଆଗରେ ଧାରଣାରେ ବସିବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି l ଏ ବିଷୟରେ ବ୍ଲକ ଶିକ୍ଷାଧିକାରୀ ସୂର୍ଯ୍ୟଶିକ୍ଷା ମହାନ୍ତି ଙ୍କୁ ପଚାରିବାରୁ ଏହା ଠିକ ହୋଇନାହିଁ l ଯଦି ଜୋତା ବଦଳରେ ଚପଲ ଦିଆଯାଇଥାଏ ତାହେଲେ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ହେବା ନେଇ ପ୍ରକାଶ କରିଥିଲେ l ଅନ୍ୟ ପଟେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି ଙ୍କୁ ପଚାରିବାରୁ ଚପଲ ଫେରାଇ ନେବା ପାଇଁ ମୁଁ କହିଛି l ଯଦି ନଫେରାନ୍ତି ତାହେଲେ ବିଲ ଦିଆଯିବନି ବୋଲି କହିଥିଲେ l

ଖୁବଶୀଘ୍ର ବଜାରକୁ ଆସିବ ଓମଫେଡ ଆଇସକ୍ରିମ୍ ଓ ପାଣି, ବୋର୍ଡ ଅନୁମୋଦନକୁ ଅପେକ୍ଷା

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ବଜାରକୁ ଆସିପାରେ ଓମଫେଡ ଆଇସକ୍ରିମ ଓ ପ୍ୟାକେଜ୍ଡ ପାଣି। ଏନେଇ ଓମଫେଡ ବୋର୍ଡରେ ଆଲୋଚନା ଚାଲିଥିବାବେଳେ ବୋର୍ଡର ଅନୁମୋଦନ ପରେ ଉଭୟ ଉତ୍ପାଦ ବଜାରରେ ଉପଲବ୍ଧ ହେବ। ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଓମଫେଡର ଉତ୍ପାଦର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ରହିଛି। ଅପମିଶ୍ରଣ ଧରାପଡ଼ିଲେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଅନ୍ୟପଟେ, ଓମଫେଡ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବାରୁ ଏହାର ଲାଭ ଚାଷୀମାନେ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।

ଗଣେଶ ପୂଜାରେ ଗାଁରେ ଶୋକ, ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବେ ରାମାରାଓ

ନନ୍ଦିଘୋଷ ବ୍ୟୁରୋ : ଗାଁରେ ଫିକା ପଡ଼ିଲା ଗଣେଶ ଚତୁର୍ଥୀର ଖୁସି। ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ। ତାମିଲନାଡୁକୁ ଦାଦନ ଖଟିବାକୁ ଯାଇ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଖଜୁରୀଗୁଡ଼ା ଗାଁର ରାମାରାଓ କୁଲସିକାଙ୍କ ମୃତ୍ୟୁ ହୋଇଛି । ମାତ୍ର ୧୫ ଦିନ ତଳେ ଶ୍ରମିକ ଭାବେ କାମ କରିବାକୁ ଏରୋଡୁ ଯାଇଥିଲେ ରାମାରାଓ । ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ କୌଣସି କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ତାମିଲନାଡୁରେ ମୃତଦେହ ପଡ଼ିଥିବା ବେଳେ ଗାଁକୁ କିଭଳି ଶବ ଫେରିବ, ସେନେଇ ଚିନ୍ତାରେ ପରିବାର । ଏପଟେ ପୁଅର ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଛନ୍ତି ବୃଦ୍ଧା ମାଆ । ମୃତଦେହ ଗାଁକୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସହାୟତା ନିବେଦନ କରିଛନ୍ତି ପରିବାର। ଅନ୍ୟପଟେ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ରନାଥ ତ୍ରିପାଠୀ କହିଛନ୍ତି, ତାମିଲନାଡୁରୁ ମୃତଦେହ ଆଣିବା ପାଇଁ ଆମ୍ବୁଲାନ୍ସ ଭଡ଼ା ରେଡକ୍ରସ ପାଣ୍ଠିରୁ ପ୍ରଦାନ କରିବାର ବ୍ୟବସ୍ଥା ରହିଛି ।

ବାରମ୍ବାର ଗୋଡ଼ ଫୁଲୁଛି କି? ହୋଇପାରେ ଗମ୍ଭୀର ରୋଗର ସଙ୍କେତ

ନନ୍ଦିଘୋଷ ବ୍ୟୁରୋ: ଯଦି ଗୋଡ଼ରେ ବାରମ୍ବାର ଫୁଲା ଆସୁଥାଏ କିମ୍ବା ଦୀର୍ଘ ସମୟ ଧରି ରହୁଥାଏ, ତେବେ ଏହାକୁ ଆଦୌ ଅବହେଳା କରିବା ଉଚିତ୍ ନୁହେଁ। କିଛି ସାଧାରଣ କାରଣ, ଯେପରିକି ଅଧିକ ଲୁଣ ଖାଇବା, ଦୀର୍ଘ ସମୟ ଧରି ଗୋଟିଏ ଜାଗାରେ ବସିବା କିମ୍ବା ଛିଡ଼ା ହେବା ଏବଂ ଗର୍ଭାବସ୍ଥା ଯୋଗୁଁ ମଧ୍ୟ ଗୋଡ଼ ଫୁଲିପାରେ।

ତେବେ, ଯଦି ଫୁଲା ବାରମ୍ବାର ହେଉଥାଏ, ଗୋଟିଏ ଗୋଡ଼ରେ ଅଧିକ ଫୁଲା ଥାଏ, ଯନ୍ତ୍ରଣା, ଲାଲ୍‌ପଡ଼ିବା, ଶ୍ୱାସକ୍ରିୟାରେ କଷ୍ଟ କିମ୍ବା ଅନ୍ୟ କୌଣସି ଲକ୍ଷଣ ଦେଖାଯାଏ, ତେବେ ଏହା କୌଣସି ଶାରୀରିକ ସମସ୍ୟାର ସଙ୍କେତ ହୋଇପାରେ। ଏପରି ପରିସ୍ଥିତିରେ କେବଳ ଘରୋଇ ଉପଚାର ଉପରେ ନିର୍ଭର ନକରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ସମୟ ସୂଚୀରେ ଯାଞ୍ଚ କରାଇବା ଦ୍ୱାରା ସଠିକ୍ କାରଣ ଜଣାପଡ଼ିଥାଏ ଏବଂ ଆବଶ୍ୟକ ସ୍ଥଳେ ଚିକିତ୍ସା ଆରମ୍ଭ କରାଯାଇପାରେ।

ଆସନ୍ତୁ ଜାଣିବା ଗୋଡ଼ରେ ବାରମ୍ବାର ଫୁଲା କେଉଁସବୁ ରୋଗର ସଙ୍କେତ ହୋଇପାରେ, ଡାକ୍ତର କେଉଁସବୁ ଯାଞ୍ଚ କରିବାକୁ ପରାମର୍ଶ ଦେଇପାରନ୍ତି ଏବଂ ଏହି ସମସ୍ୟାକୁ କମ୍‌ କରିବା ପାଇଁ କ’ଣ କରିବା ଉଚିତ୍।

ଗୋଡ଼ରେ ବାରମ୍ବାର ଫୁଲା କେଉଁସବୁ ରୋଗର ସଙ୍କେତ ହୋଇପାରେ?

MedlinePlus ଅନୁସାରେ, ଗୋଡ଼ରେ ବାରମ୍ବାର ଫୁଲା ହେବା ଅନେକ ରୋଗ ସହ ଜଡ଼ିତ ହୋଇପାରେ:

  • ହୃଦ୍‌ରୋଗ (Heart Failure): ହାର୍ଟ ଫେଲ୍ୟୁଅର ହେଲେ ହୃଦୟ ଶରୀରରେ ରକ୍ତକୁ ସଠିକ୍ ଭାବେ ପମ୍ପ କରିପାରେ ନାହିଁ, ଯାହା ଦ୍ୱାରା ଗୋଡ଼ ଏବଂ ଗୋଡ଼ ଗୋଠ (Ankles) ରେ ପାଣି ଜମା ହେବାକୁ ଲାଗେ।

  • କିଡ୍‌ନୀ ରୋଗ (Kidney Disease): କିଡ୍‌ନୀ ସମସ୍ୟା ଥିଲେ ଶରୀରରୁ ବଳକା ପାଣି ଏବଂ ଲୁଣ ସଠିକ୍‌ ଭାବେ ବାହାରି ପାରେନାହିଁ, ଯାହା ଫଳରେ ଫୁଲା ଦେଖାଦିଏ।

  • ଲିଭର୍ ରୋଗ (Liver Disease): ଲିଭର୍ ରୋଗ ହେଲେ ଶରୀରରେ ପ୍ରୋଟିନ୍‌ର ଅଭାବ ଏବଂ ତରଳ ପଦାର୍ଥର ସନ୍ତୁଳନ ବିଗିଡ଼ିଯିବା ଯୋଗୁଁ ଗୋଡ଼ ଫୁଲିପାରେ।

  • ଶିରାର ସମସ୍ୟା (Venous Insufficiency): ଗୋଡ଼ର ନାଡ଼ି କିମ୍ବା ଶିରାଗୁଡ଼ିକ ରକ୍ତକୁ ସଠିକ୍‌ ଭାବେ ହୃଦୟ ପର୍ଯ୍ୟନ୍ତ ପହଞ୍ଚାଇ ପାରନ୍ତି ନାହିଁ, ଯାହା ଦ୍ୱାରା ଗୋଡ଼ରେ ଫୁଲା ଆସିଥାଏ।

  • ରକ୍ତ ଜମାଟ ବାନ୍ଧିବା (Blood Clot): ରକ୍ତ ଜମାଟ ବାନ୍ଧିଲେ ଗୋଟିଏ ଗୋଡ଼ରେ ହଠାତ୍ ଫୁଲା, ଯନ୍ତ୍ରଣା ଏବଂ ଭାରୀପଣ ଅନୁଭବ ହୋଇପାରେ। ଏପରି ସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଉଚିତ୍।

ଗୋଡ଼ ଫୁଲିଲେ ଡାକ୍ତର କେଉଁ ଯାଞ୍ଚ କରିବାକୁ ପରାମର୍ଶ ଦେଇପାରନ୍ତି?

ଯଦି ଗୋଡ଼ରେ ବାରମ୍ବାର ଫୁଲା ହେଉଛି, ତେବେ ଡାକ୍ତର ସବୁଠାରୁ ପ୍ରଥମେ ଆପଣଙ୍କର ପୂର୍ବ ମେଡିକାଲ୍ ହିଷ୍ଟ୍ରି, ଆପଣ ଖାଉଥିବା ଔଷଧ ଏବଂ ଅନ୍ୟାନ୍ୟ ଲକ୍ଷଣ ବିଷୟରେ ପଚାରି ବୁଝିବେ। ଏହା ପରେ ଶରୀରର ପରୀକ୍ଷା କରାଯାଏ।

MedlinePlus ଅନୁସାରେ, ପ୍ରକୃତ କାରଣ ଜାଣିବା ପାଇଁ ଡାକ୍ତର ନିମ୍ନଲିଖିତ ଯାଞ୍ଚଗୁଡ଼ିକ କରିବାକୁ ପରାମର୍ଶ ଦେଇପାରନ୍ତି:

  • ରକ୍ତ ପରୀକ୍ଷା (Blood Test)

  • ପରିସ୍ରା ପରୀକ୍ଷା (Urine Test)

  • କିଡ୍‌ନୀ ଏବଂ ଲିଭର୍ ଯାଞ୍ଚ

  • ହୃଦୟର ଯାଞ୍ଚ, ECG ଏବଂ ଇକୋକାର୍ଡିଓଗ୍ରାଫି (Echocardiography)

  • ଗୋଡ଼ର ଶିରାଗୁଡ଼ିକର ଅଲ୍ଟ୍ରାସାଉଣ୍ଡ (Ultrasound)

  • ଗୋଡ଼ ଫୁଲା କମ୍ କରିବା ପାଇଁ କ’ଣ କରିବେ?

  • ଗୋଡ଼ ଟେକି ରଖନ୍ତୁ: ଯଦି ଗୋଡ଼ରେ ହାଲୁକା ଫୁଲା ଅଛି, ତେବେ କିଛି ସମୟ ଗୋଡ଼ ତଳେ ତକିଆ ରଖି ଟିକିଏ ଉଚ୍ଚାରେ ରଖନ୍ତୁ।

  • ଗୋଟିଏ ଜାଗାରେ ବସି ରୁହନ୍ତୁ ନାହିଁ: ଦୀର୍ଘ ସମୟ ଧରି କ୍ରମାଗତ ଭାବେ ବସିବା କିମ୍ବା ଛିଡ଼ା ହେବାରୁ ବଞ୍ଚନ୍ତୁ ଏବଂ ମଝିରେ ମଝିରେ ଟିକିଏ ଚାଲନ୍ତୁ।

  • ଖାଦ୍ୟପେୟରେ ସୁଧାର: ଆବଶ୍ୟକତାରୁ ଅଧିକ ଲୁଣ ଖାଇବାରୁ ଦୂରେଇ ରୁହନ୍ତୁ ଏବଂ ପର୍ଯ୍ୟାପ୍ତ ପରିମାଣର ପାଣି ପିଅନ୍ତୁ।

  • ସଠିକ୍ ଜୁତା: ଆରାମଦାୟକ ଜୁତା ପିନ୍ଧନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ଖାଆନ୍ତୁ ନାହିଁ।

ସାବଧାନତା: ଯଦି ଫୁଲା ବାରମ୍ବାର ହେଉଥାଏ, କ୍ରମାଗତ ବଢ଼ିବାରେ ଲାଗିଥାଏ କିମ୍ବା ଏହା ସହିତ ପ୍ରବଳ ଯନ୍ତ୍ରଣା, ଲାଲ୍‌ପଡ଼ିବା, ଶ୍ୱାସକ୍ରିୟାରେ କଷ୍ଟ କିମ୍ବା ଛାତିରେ ଯନ୍ତ୍ରଣା ହୁଏ, ତେବେ ବିନା ବିଳମ୍ବରେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

କାଦୁଅରେ ମରଣଯନ୍ତା ଛେଣ୍ଡିପଦା ରାଜପଥ, ୧୫ରୁ ଅଧିକ ବାଇକ୍ ସ୍ଲିପ୍

ନନ୍ଦିଘୋଷ ବ୍ୟୁରୋ : ମରଣଯନ୍ତା ପାଲଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥ।ଛେଣ୍ଡିପଦା ବ୍ଲକର ନୈନି କୋଇଲା ଖଣିରୁ ପ୍ରତିଦିନ ଶହ ଶହ ଟ୍ରକରେ କୋଇଲା ପରିବହନ ହେଉଛି। ଟ୍ରକରୁ କାଦୁଅ ରାଜପଥ ଉପରେ ପଡୁଛି। ହାଲକା ବର୍ଷା ହେଲେ ଖଣି ସମୁଖ ରାସ୍ତା ପ୍ରାୟ ଦୁଇ କିମି ମରଣଯନ୍ତା ପାଲଟୁଛି। ଆଜି ଲଘୁଚାପ ବର୍ଷାରେ ନୈନି ଖଣି ସମ୍ମୁଖ ଦେଇ ଯାଇଥିବା ରାଜପଥରେ କାଦୁଅ ଯୋଗୁଁ ୧୫ରୁ ଅଧିକ ବାଇକ୍ ସ୍ଲିପ୍ ହୋଇ ପଡି ଆହତ ହୋଇଛନ୍ତି। ୪ ଚକିଆ ଗାଡି ରାସ୍ତା ତଳକୁ ଖସୁଛି। କମ୍ପାନୀ ଓ ଟ୍ରାନ୍ସପୋର୍ଟର ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ ମଧ୍ୟ ରାସ୍ତା ସଫା କରୁନାହାନ୍ତି। ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଛି। ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଦାବୀ କରିଥିଲେ ମଧ୍ୟ ପ୍ରଶାସନ ନିରବ। ଏହି ରାସ୍ତାର ସମସ୍ୟା ନେଇ ଜିଲ୍ଲାପାଳ ଅଗଷ୍ଟ ୧୩ରେ କମ୍ପାନୀକୁ ଚିଠି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ। ତୁରନ୍ତ ପଦକ୍ଷେପ ନହେଲେ ରାଜରାସ୍ତା ଅବରୋଧ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି  ।